ପଶ୍ଚିମ ଏସିଆ ରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଏବଂ ବୈଶ୍ୱିକ ଉର୍ଜା ସଂକଟ ମଧ୍ୟରେ ଭାରତ ନିଜର ବୈଦେଶିକ କୂଟନୀତି ଏବଂ ଅନ୍ୟ ଦେଶମାନଙ୍କ ସହ ଥିବା ମଜବୁତ ବନ୍ଧୁତାର ସଫଳ ପ୍ରୟୋଗ କରି ଦେଶକୁ ଏକ ବଡ଼ ବିପଦରୁ ରକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି। ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନେରୀ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଯୁଦ୍ଧ ୨୧ଶହି ଶତାବ୍ଦୀର ସବୁଠାରୁ ବଡ଼ ଇନ୍ଧନ ସଂକଟ ସୃଷ୍ଟି କରିଥିଲା, ଯେଉଁଥିରେ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ମଧ୍ୟ ହାହାକାର କରୁଥିଲେ। ମାତ୍ର ଭାରତ ସରକାରଙ୍କ ସଠିକ୍ ରଣନୀତି, ଉପଯୁକ୍ତ ସମୟର ନିଷ୍ପତ୍ତି ଏବଂ ସାମର୍ଥ୍ୟ ବଳରେ ଆମେ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛୁ।

୨୬ରୁ ୪୦କୁ ବୃଦ୍ଧି ପାଇଲା ଆମଦାନୀକାରୀ ଦେଶ ସଂଖ୍ୟା
ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି ଯେ, ପଶ୍ଚିମ ଏସିଆ ସଂକଟ ଆରମ୍ଭ ହେବା ପୂର୍ବରୁ ଭାରତ ମାତ୍ର ୨୫ ରୁ ୨୬ଟି ଦେଶରୁ ଅଶୋଧିତ ତେଲ ଓ ଗ୍ୟାସ୍ ଆମଦାନୀ କରୁଥିଲା। ମାତ୍ର ଯୁଦ୍ଧ ଯୋଗୁଁ ଯେତେବେଳେ ପାରମ୍ପରିକ ଯୋଗାଣ ମାର୍ଗ ବାଧାପ୍ରାପ୍ତ ହେଲା, ସେତେବେଳେ ଭାରତୀୟ କୂଟନୀତି ର ପ୍ରକୃତ ସାମର୍ଥ୍ୟ ପ୍ରକାଶ ପାଇଲା। ସରକାର ଅତି ଦ୍ରୁତ ଗତିରେ ପଦକ୍ଷେପ ନେଇ ୪୦ରୁ ଅଧିକ ଦେଶରୁ ଇନ୍ଧନ ଆମଦାନୀ କରିବା ଆରମ୍ଭ କଲେ। ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ପାଇବା ସତ୍ତ୍ୱେ ଭାରତ ସମଗ୍ର ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଥିଲା ଯେ, ଆମ ପାଇଁ ସର୍ବପ୍ରଥମେ ଜାତୀୟ ସ୍ୱାର୍ଥ ଏବଂ ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ହିଁ ସର୍ବୋପରି। ‘ନାଗରିକ ଦେବୋ ଭବ’ ମନ୍ତ୍ରକୁ ଆଧାର କରି ଦେଶର ସୁରକ୍ଷା କରାଯାଇଛି।
#WATCH | Balotra, Rajasthan | On fuel shortages in India amid the West Asia conflict, Prime Minister Narendra Modi says, “The country did not recover from such an unexpected challenge merely by chance. The success of the visionary policies we have been implementing for a decade… pic.twitter.com/kubGOCQYGP
— ANI (@ANI) July 4, 2026
ସରକାରୀ ତହବିଲ୍ରୁ ଭରଣା ହେଲା ୭୫,୦୦୦ କୋଟିର କ୍ଷତି
ଜନସାଧାରଣଙ୍କ ଉପରେ ମହଙ୍ଗା ମାଡ଼ ନହେବା ପାଇଁ ସରକାର ବଡ଼ ଆର୍ଥିକ ବୋଝ ନିଜ ମୁଣ୍ଡକୁ ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ହିଁ ଦେଶର ତେଲ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ଉପରେ ପ୍ରାୟ ୭୫,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ସରକାର ଏହି ସମସ୍ତ କ୍ଷତିର ଭରଣା ନିଜ ରାଜକୋଷରୁ କରିବା ସହ ଉଭୟ ଇନ୍ଧନ ଉପରୁ ଏକ୍ସସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ୧୦ ଟଙ୍କା ଲେଖାଏଁ ହ୍ରାସ କରି ସାଧାରଣ ଲୋକଙ୍କୁ ଆଶ୍ୱସନା ଦେଇଥିଲେ।
ବିପକ୍ଷର ଅପପ୍ରଚାରକୁ କଡ଼ା ଜବାବ
![]()
ଏହି ସଙ୍କଟ ସମୟରେ ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ସରକାର ଦିନରାତି ଏକ କରି ଦେଶର କୋଣ ଅନୁକୋଣରେ ଇନ୍ଧନ ଯୋଗାଣ ସ୍ୱାଭାବିକ ରଖିବାକୁ ଚେଷ୍ଟା କରୁଥିଲେ, ସେତେବେଳେ କିଛି କୁତ୍ସିତ ଶକ୍ତି ଜନସାଧାରଣଙ୍କ ମଧ୍ୟରେ ଅଭାବର ଗୁଜବ ଏବଂ ଭୟର ବାତାବରଣ ସୃଷ୍ଟି କରି ନିଜର ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଥିଲେ। ମାତ୍ର ସେହି ଖରାପ ଉଦ୍ଦେଶ୍ୟ ରଖିଥିବା ଲୋକେ କଦାପି ସଫଳ ହୋଇପାରିଲେ ନାହିଁ। ନୀତିଗତ ଏବଂ କୂଟନୈତିକ ସ୍ତରରେ ଭାରତ ନେଇଥିବା ପ୍ରତ୍ୟେକଟି ସମ୍ବେଦନଶୀଳ ପଦକ୍ଷେପ ଆଗାମୀ ଦିନରେ ଇତିହାସ ରଚିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


