ବୈଧ ନ୍ୟାୟିକ ପ୍ରକ୍ରିୟା ଏବଂ ମହକିଲ ବା କ୍ଲାଏଣ୍ଟ ମାନଙ୍କର ମୌଳିକ ଅଧିକାରକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମାଇଲଖୁଣ୍ଟ ସଦୃଶ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କ୍ଲାଏଣ୍ଟଙ୍କ ଲିଖିତ ଓ ସ୍ପଷ୍ଟ ଅନୁମତି ବିନା କୌଣସି ଜଣେ ଆଡଭୋକେଟ୍ ବା ଓକିଲ ନିଜ ତରଫରୁ କୋର୍ଟରେ ଚାଲିଥିବା କୌଣସି ମାମଲାରେ ଆପୋସ ସାଲିସ୍ ବା ସେଟେଲମେଣ୍ଟ କରିପାରିବେ ନାହିଁ। କୋର୍ଟଙ୍କ ଅନୁଯାୟୀ, ଆଇନଗତ ପ୍ରାବଧାନ ଏହା କହୁଛି ଯେ ଯେକୌଣସି ସାଲିସ୍ ଆବେଦନ ଉପରେ ମାମଲାର ସମସ୍ତ ପକ୍ଷକାରଙ୍କ ପ୍ରତ୍ୟକ୍ଷ ଦସ୍ତଖତ ଥିବା ବାଧ୍ୟତାମୂଳକ। ଏହି ନିଷ୍ପତ୍ତି ପରେ ଶୀର୍ଷ ଅଦାଲତ ଏକ ୩୭ ବର୍ଷ ପୁରୁଣା ପୈତୃକ ସମ୍ପତ୍ତି ମାମଲାରେ ପୂର୍ବରୁ ହୋଇଥିବା ସାଲିସ୍ ଡିକ୍ରିକୁ ରଦ୍ଦ କରି ପୁନର୍ବାର ସମ୍ପୂର୍ଣ୍ଣ ଟ୍ରାଏଲ୍ ବା ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୩ ଦଶନ୍ଧି ପୁରୁଣା ମାମଲାର କାହାଣୀ
ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ନୋଙ୍ଗମେଇକାପାମ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଏକ ଦୁଇଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ଏହି ବିବାଦ ୧୯୮୯ ମସିହାରେ ଦାୟର ହୋଇଥିବା ଏକ ପୈତୃକ ସମ୍ପତ୍ତି ବଣ୍ଟନ ମାମଲା ସହ ଜଡ଼ିତ। ଫେବୃଆରୀ ୧୯୯୪ ରେ, ଟ୍ରାଏଲ୍ କୋର୍ଟ ଉଭୟ ପକ୍ଷଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମିଳିତ ଆବେଦନ ଆଧାରରେ ‘ସାଲିସ୍ ଡିକ୍ରି’ ଜାରି କରିଥିଲେ ଏବଂ ୧୯୯୭ ରେ ଏହାର ଚୂଡ଼ାନ୍ତ ଆଦେଶ ପ୍ରକାଶ ପାଇଥିଲା। ମାତ୍ର ପ୍ରାୟ ୨୮ ବର୍ଷ ପରେ, ଜଣେ ପ୍ରତିବାଦୀଙ୍କ ଆଇନଗତ ଉତ୍ତରାଧିକାରୀମାନେ ଏହି ସାଲିସ୍କୁ କୋର୍ଟରେ ଚ୍ୟାଲେଞ୍ଜ କରି ଦାବି କରିଥିଲେ ଯେ ସେମାନଙ୍କ ପୂର୍ବଜ କେବେ ହେଲେ ସେହି ସାଲିସ୍ ପତ୍ରରେ ସ୍ୱାକ୍ଷର କରିନଥିଲେ କିମ୍ବା କୌଣସି ଓକିଲଙ୍କୁ ସେମାନଙ୍କ ତରଫରୁ ସାଲିସ୍ କରିବାକୁ କ୍ଷମତା ଦେଇନଥିଲେ। ଏଥିସହ ମାମଲାରେ ବ୍ୟବହୃତ ହୋଇଥିବା ଓକିଲପତ୍ର ବା ବକାଲତନାମା ଜାଲ୍ ଥିଲା ବୋଲଉ ସେମାନେ ପ୍ରମାଣ କରିଥିଲେ। ପାଟନା ହାଇକୋର୍ଟ ଏହି ଆପତ୍ତିକୁ ଗ୍ରହଣ କରି ସାଲିସ୍ ଡିକ୍ରିକୁ ରଦ୍ଦ କରିଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ଅପିଲ୍ କରାଯାଇ ସୁପ୍ରିମକୋର୍ଟରେ ପହଞ୍ଚାଯାଇଥିଲା।

୧୯୭୬ ର ଆଇନଗତ ସଂଶୋଧନ ଉପରେ ଜୋର୍
ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ୧୯୭୬ ମସିହାରେ ସିଭିଲ୍ ପ୍ରୋସିଜ୍ୟୁର କୋଡ୍ ରେ ହୋଇଥିବା ସଂଶୋଧନ ପୂର୍ବରୁ କୋର୍ଟରେ ମୌଖିକ ବା ଲିଖିତ ସାଲିସ୍ ଗ୍ରହଣ କରାଯାଉଥିଲା। ମାତ୍ର ସଂଶୋଧନ ପରେ CPC ର ଅର୍ଡର ୨୩ ରୁଲ୍ ୩ ର ବ୍ୟବସ୍ଥା ଅତ୍ୟନ୍ତ ସ୍ପଷ୍ଟ। ବର୍ତ୍ତମାନ ଯେକୌଣସି ସେଟେଲମେଣ୍ଟ ଲିଖିତ ଆକାରରେ ହେବା ସହ ସେଥିରେ କ୍ଲାଏଣ୍ଟଙ୍କ ନିଜସ୍ୱ ସ୍ୱାକ୍ଷର ରହିବା ଏକ ଅନିବାର୍ଯ୍ୟ ସର୍ତ୍ତ। ଖଣ୍ଡପୀଠ କହିଛନ୍ତି ଯେ ଓକିଲମାନେ ସର୍ବଦା ନିଜ କ୍ଲାଏଣ୍ଟଙ୍କ ନିର୍ଦ୍ଦେଶ ଏବଂ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ଉଚିତ। କୌଣସି ବ୍ୟକ୍ତିର ମୂଲ୍ୟବାନ ଦେୱାନୀ କିମ୍ବା ସମ୍ପତ୍ତିଗତ ଅଧିକାର ସହ ଜଡ଼ିତ ମାମଲାରେ ଓକିଲ ନିଜର ବ୍ୟକ୍ତିଗତ ନିଷ୍ପତ୍ତିକୁ କ୍ଲାଏଣ୍ଟଙ୍କ ଉପରେ ଲଦି ଦେଇପାରିବେ ନାହିଁ।
ନ୍ୟାୟର ଜୟ

ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସାଲିସ୍ ଡିକ୍ରି ଆସିବାର ଦଶନ୍ଧି ଦଶନ୍ଧି ବିତିଯାଇଥିଲେ ହେଁ, କେବଳ ସମୟସୀମା ବା ବିଳମ୍ବ ଆଳରେ ଏକ ବେଆଇନ ବ୍ୟବସ୍ଥାକୁ ବଞ୍ଚାଇ ରଖାଯାଇପାରିବ ନାହିଁ। ନିଜତା ଓ ସହମତିର ସୁରକ୍ଷା କରିବା ନ୍ୟାୟାଳୟର ପ୍ରାଥମିକ ଦାୟିତ୍ୱ। ସୁପ୍ରିମକୋର୍ଟ ଏହି ଆପିଲ୍କୁ ଖାରଜ କରି ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି। ଏହି ମାମଲାଟି ୧୯୮୯ ମସିହାର ହୋଇଥିବାରୁ ଦୀର୍ଘ ୩୭ ବର୍ଷ ପରେ ପୁନର୍ବାର ସମ୍ପୂର୍ଣ୍ଣ ଟ୍ରାଏଲ୍ କରିବା ନିଶ୍ଚିତ ଭାବେ କଷ୍ଟକର, ମାତ୍ର ଆଇନର ଉଚିତ ପ୍ରକ୍ରିୟା ବିନା କାହାର ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଦୃଢ଼ ମତ ପ୍ରକାଶ କରିଛନ୍ତି।


