ଭାରତର ଡିଜିଟାଲ୍ ସୁରକ୍ଷା ଏବଂ ସାଧାରଣ ନାଗରିକଙ୍କ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ପୁଣି ଏକ ବଡ଼ ‘ଡିଜିଟାଲ୍ ଷ୍ଟ୍ରାଇକ୍’ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ବିଶ୍ୱର ଦୁଇ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ୍ ଏବଂ ଆପଲ୍ କୁ ନିଜ ନିଜର ଆପ୍ ଷ୍ଟୋରରୁ ୭ଟି ଚୀନି ବ୍ୟାଟେରୀ ମ୍ୟାନେଜମେଣ୍ଟ ଆପ୍ଲିକେସନକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏହି ପ୍ରତିବନ୍ଧିତ ଆପ୍ଗୁଡ଼ିକ ମଧ୍ୟରେ BAT-BMS, SMART BMS ଏବଂ LOSSIGY ଭଳି ଆପ୍ ସାମିଲ ରହିଛି।
![]()
ଦେଶରେ ଚଳୁଥିବା ଇ-ରିକ୍ସା ଏବଂ ଅନ୍ୟାନ୍ୟ ବ୍ୟାଟେରୀ ଚାଳିତ ଗାଡ଼ିଗୁଡ଼ିକୁ ଏହି ଆପ୍ ମାଧ୍ୟମରେ ଦୂରରୁ ବସି ନିୟନ୍ତ୍ରଣ ବା ବନ୍ଦ କରାଯାଉଥିବା ଅଭିଯୋଗ ଆସିବା ପରେ ସରକାର ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୦ ଗଲୱାନ୍ ଘାଟି ସଂଘର୍ଷ ପରଠାରୁ ଚୀନି ଆପ୍ ଉପରେ ଚାଲିଥିବା କଟକଣା ମଧ୍ୟରେ ଗାଡ଼ିଗୁଡ଼ିକର ଡାଟା ସୁରକ୍ଷା ଏବଂ ବାହ୍ୟ ହସ୍ତକ୍ଷେପ କୁ ନେଇ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ଅଟେ।
ଇ-ରିକ୍ସାକୁ ନେଇ କଣ ଥିଲା ସମସ୍ୟା ?
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ କିଛି ଦୁର୍ବୃତ୍ତ ବା ପ୍ରାଙ୍କଷ୍ଟର ନିଜ ସ୍ମାର୍ଟଫୋନରେ ଏହି ଆପ୍ଗୁଡ଼ିକର ବ୍ୟବହାର କରି ଚଳନ୍ତା ଇ-ରିକ୍ସାଗୁଡ଼ିକୁ ରିମୋଟ୍ ସାହାଯ୍ୟରେ ବନ୍ଦ କରିଦେଉଥିଲେ। ବାସ୍ତବରେ, ଏହି ଆପ୍ଗୁଡ଼ିକ ବ୍ୟାଟେରୀର ଭୋଲଟେଜ୍, କରେଣ୍ଟ ଏବଂ ତାପମାତ୍ରା ଉପରେ ନଜର ରଖିବା ପାଇଁ ଡିଜାଇନ କରାଯାଇଛି। ମାତ୍ର କମ୍ ଦାମର ଚୀନି ବ୍ୟାଟେରୀ ପ୍ୟାକ୍ଗୁଡ଼ିକରେ କୌଣସି ପାସୱାର୍ଡ ବା ସୁରକ୍ଷା ବ୍ୟବସ୍ଥା ନଥାଇ କେବଳ ବ୍ଲୁଟୁଥ୍ ସଂଯୋଗ ଥାଏ। ଏହାର ସୁଯୋଗ ନେଇ ଅପରାଧୀ ବା ଦୁଷ୍ଟ ପିଲାମାନେ ସହଜରେ ଗାଡ଼ିର ପାୱାର ସପ୍ଲାଇ କାଟି ଦେଉଥିଲେ। ଏହାଦ୍ୱାରା ଅନେକ ଗରିବ ଇ-ରିକ୍ସା ଚାଳକ ଅଧା ରାସ୍ତାରେ ଫସି ଯାଉଥିଲେ ଏବଂ ସେମାନଙ୍କର ଘଣ୍ଟା ଘଣ୍ଟାର ପରିଶ୍ରମ ଓ ରୋଜଗାର ନଷ୍ଟ ହେଉଥିଲା।
ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଓ କଡ଼ା ଚେତାବନୀ

କେନ୍ଦ୍ର ଆଇଟି ସଚିବ ଏସ୍. କ୍ରିଷ୍ଣନ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଭଳି କିଛି କ୍ଷତିକାରକ ଆପ୍ ସରକାରଙ୍କ ନଜରକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଗୁଡ଼ିକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ସରକାର ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି, କାରଣ ଏହା କେବଳ ଏକ ଥଟ୍ଟା ନୁହେଁ, ବରଂ ଏହା ଦ୍ୱାରା ସାଧାରଣ ନାଗରିକଙ୍କ ଜୀବିକା ବିପନ୍ନ ହେବା ସହ ରାସ୍ତାରେ ଯାତ୍ରୀମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଥିଲା। ଏହା ସହିତ MeitY ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଭବିଷ୍ୟତରେ ଅନ୍ୟ କୌଣସି ଆପ୍ ମଧ୍ୟ ବ୍ୟାଟେରୀ ଚାଳିତ ଗାଡ଼ିର କାର୍ଯ୍ୟକଳାପରେ ବାହ୍ୟ ହସ୍ତକ୍ଷେପ କରିବା କିମ୍ବା ସେଗୁଡ଼ିକୁ ଦୂରରୁ ବନ୍ଦ କରିବାରେ ବ୍ୟବହୃତ ହୁଏ, ତେବେ ତାହାକୁ ମଧ୍ୟ ତୁରନ୍ତ ବ୍ଲକ୍ କରିଦିଆଯିବ।
ସରକାର ଗୁଗଲ ଓ ଆପଲ୍ ଭଳି ମଧ୍ୟସ୍ଥି ସଂସ୍ଥା ଗୁଡ଼ିକୁ ନିଜର ଯାଞ୍ଚ ପ୍ରକ୍ରିୟା ବା ଡିଉ ଡିଲିଜେନ୍ସ କୁ ଆହୁରି ସୁଦୃଢ଼ କରିବାକୁ କହିଛନ୍ତି, ଯେପରି ସର୍ବସାଧାରଣ ସୁରକ୍ଷା ପ୍ରଭାବିତ କରୁଥିବା କୌଣସି ପ୍ରକାରର ଆପ୍ଲିକେସନ ପବ୍ଲିକ ଡୋମେନରେ ଉପଲବ୍ଧ ହେବନାହିଁ। ସରକାରଙ୍କ ଏହି ସମୟୋଚିତ ପଦକ୍ଷେପ ଦେଶର ଡିଜିଟାଲ୍ ଭିତ୍ତିଭୂମିକୁ ସୁରକ୍ଷିତ କରିବା ସହ ଇ-ଭେହିକିଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖିବାରେ ବେଶ୍ ସହାୟକ ହେବ।


