ଇତିହାସ ନିଜକୁ ଦୋହରାଏ। ଯେଉଁମାନେ ଇତିହାସରୁ ଶିକ୍ଷା ନିଅନ୍ତି ନାହିଁ, ସେମାନେ ନିଜେ ଇତିହାସର ପୃଷ୍ଠାରେ ହଜିଯାଆନ୍ତି। ଯଦି ଆମେ ଭାରତର ଇତିହାସ ଓଲଟାଇବା, ତେବେ ଗୋଟିଏ ଚରିତ୍ର ଆମକୁ ସବୁବେଳେ ସତର୍କ କରାଇଦିଏ— ସେ ହେଉଛନ୍ତି କନୌଜର ଶାସକ ଜୟଚନ୍ଦ୍ର। ପୃଥ୍ୱୀରାଜ ଚୌହ୍ୱାନଙ୍କୁ ହରାଇବା ପାଇଁ, ନିଜର ବ୍ୟକ୍ତିଗତ ଆକ୍ରୋଶ ମେଣ୍ଟାଇବା ପାଇଁ ଜୟଚନ୍ଦ୍ର ସୁଦୂର ଆଫଗାନସ୍ତାନରୁ ମହମ୍ମଦ ଘୋରୀଙ୍କୁ ଡାକି ଆଣିଥିଲେ। କିନ୍ତୁ ପରିଣାମ କଣ ହେଲା? ସେହି ଘୋରୀ ହାତରେ ହିଁ ଜୟଚନ୍ଦ୍ରଙ୍କ ଜୀବନ ଗଲା ଏବଂ ଦେଶ ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇଗଲା।
ଆଜି ଆମେ ଇତିହାସର ଏହି ପୃଷ୍ଠାକୁ ଏଥିପାଇଁ ମନେ ପକାଉଛୁ, କାରଣ ଓଡ଼ିଶାର ସବୁଠାରୁ ବଡ଼ ଆଞ୍ଚଳିକ ଦଳ ‘ବିଜୁ ଜନତା ଦଳ’ ବା ବିଜେଡି ଭିତରେ ଠିକ୍ ଏମିତି ଏକ ରାଜନୈତିକ ଚିତ୍ର ଏବେ ସାମ୍ନାକୁ ଆସୁଛି। ସ୍ୱାର୍ଥପରତା, ଅନ୍ଧ ଆନୁଗତ୍ୟ ଏବଂ ଆତ୍ମସମର୍ପଣର ଏମିତି ଏକ ପ୍ରତିଯୋଗିତା ଚାଲିଛି, ଯାହାକୁ ଦେଖିଲେ ଲାଗୁଛି ସତେ ଯେମିତି କିଛି ନେତା ନିଜର ମେରୁଦଣ୍ଡକୁ କେଉଁଠି ବନ୍ଧା ପକାଇ ଦେଇଛନ୍ତି।
ଘଟଣାର ଚେର ଲମ୍ବିଛି ୨୦୧୨ ମସିହାକୁ। ଯେତେବେଳେ ବିଜେଡିର ‘ଚାଣକ୍ୟ’ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ତଥାକଥିତ ‘ମିଡ୍ନାଇଟ୍ ଅପରେସନ୍’ ବା କ୍ଷମତା ଓଲଟପାଲଟ କରିବାର ପ୍ରୟାସ ବିଫଳ ହେଲା। ପ୍ୟାରୀ ମହାପାତ୍ରଙ୍କୁ ଦଳରୁ ବାହାର କରାଗଲା। କିନ୍ତୁ ତାଙ୍କ ପରେ ରାଜନୈତିକ ଶୂନ୍ୟତାକୁ ପୂରଣ କରିବା ପାଇଁ ଏବଂ ନିଜର ସ୍ଥାନ ପକ୍କା କରିବା ପାଇଁ ବିଜେଡିର କିଛି ଟାଣୁଆ ନେତା ଏକ ବଡ଼ ଭୁଲ୍ କରିବସିଲେ। ସେମାନେ ଶରଣ ପଶିଲେ ତତ୍କାଳୀନ ପ୍ରଭାବଶାଳୀ ଆଇଏଏସ ଅଫିସର ତଥା ତାମିଲନାଡୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଖରେ।
ନେତାମାନେ ଭାବିଥିଲେ ବ୍ୟୁରୋକ୍ରାସି ବା ପ୍ରଶାସନର ସାହାରା ନେଇ ସେମାନେ ନିଜର ଗାଦି ସୁରକ୍ଷିତ ରଖିବେ। କିନ୍ତୁ ଧୀରେ ଧୀରେ କଣ ହେଲା, ତାହା ଓଡ଼ିଶାର ଜନସାଧାରଣ ଖୁବ୍ ଭଲ ଭାବେ ଦେଖିଛନ୍ତି। ଯେଉଁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେତାମାନେ ସହାୟତା ପାଇଁ ଆପଣେଇଥିଲେ, ସେହି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦିନେ ସମ୍ପୂର୍ଣ୍ଣ ବିଜେଡି ସଂଗଠନ ଏବଂ ପ୍ରଶାସନକୁ ନିଜ ମୁଠାକୁ ନେଇଗଲେ। ନେତାମାନେ ହାତବାନ୍ଧି ପଛରେ ଠିଆ ହେଲେ ଏବଂ ଅଫିସର ଜଣକ ଶାସନର ମୁଖ୍ୟ ଚେହେରା ସାଜିଗଲେ।
ବିଜେଡିର ନେତାମାନେ ନିଜର ସ୍ୱାଭିମାନ ଓ ଅସ୍ତିତ୍ୱକୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଦତଳେ ବନ୍ଧା ପକାଇ ଦେଇଥାଇ ପାରନ୍ତି, କିନ୍ତୁ ଓଡ଼ିଶାର ସ୍ୱାଭିମାନୀ ଏବଂ ସଚେତନ ମତଦାତା ଏହାକୁ ସହ୍ୟ କଲେ ନାହିଁ। ବିଗତ ନିର୍ବାଚନରେ ଜନସାଧାରଣ ଏହି ବାହାରିଆ ଶାସନ ଏବଂ ଗୋଲାମୀ ମାନସିକତାକୁ ପ୍ରତ୍ୟାଖ୍ୟାନ କଲେ। ବିଜେଡି କ୍ଷମତାରୁ ଦୂରେଇ ଗଲା।
ନିର୍ବାଚନ ହାରିବା ପରେ କାର୍ତ୍ତିକେୟନ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବାର ଏକ ବଡ଼ ନାଟକ ରଚିଲେ। ସମସ୍ତେ ଭାବିଲେ ପାଣ୍ଡିଆନ ଅଧ୍ୟାୟ ଶେଷ ହେଲା। କିନ୍ତୁ ନା! ରାଜନୀତିର ଚାଲ୍ ଏତିକିରେ ସରିନଥିଲା। ଏବେ ପରଦା ପଛରୁ ଏକ ନୂଆ ରଣନୀତି ତିଆରି ହୋଇଛି, ଯାହାକୁ କିଛି ରାଜନୈତିକ ସମୀକ୍ଷକ ‘କାଳନେମୀ’ର ରୂପ ବୋଲି କହୁଛନ୍ତି। ପାଣ୍ଡିଆନ ନିଜେ ସାମ୍ନାକୁ ନ ଆସି, ନିଜ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବିଜେଡିରେ ସାମିଲ କରାଇଛନ୍ତି। ଆଉ ଏହା ପଛର ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ସେଇ ଗୋଟିଏ— ପରୋକ୍ଷରେ ଓଡ଼ିଶାର କ୍ଷମତାର ଶୀର୍ଷକୁ ନିୟନ୍ତ୍ରଣ କରିବା ଏବଂ ମୁଖ୍ୟମନ୍ତ୍ରୀ ଆସନ ଆଡ଼କୁ ଆଗେଇବା।
ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ନେତାମାନେ ଦିନେ ଓଡ଼ିଶା ଶାସନର କର୍ତ୍ତାଧର୍ତ୍ତା ଥିଲେ, ସେମାନେ ଏବେ ପୁଣିଥରେ ନିଜର ଆତ୍ମସମ୍ମାନ ଭୁଲି ସୁଜାତା ରାଉତ କାର୍ତ୍ତିକେୟନଙ୍କ ଚାରିପଟେ ପରିକ୍ରମା କରିବା ଆରମ୍ଭ କରିଦେଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଏହି ନେତାମାନଙ୍କର ନିଜସ୍ୱ କୌଣସି ଜନଭିତ୍ତି ବା ସଂଗଠନ ନାହିଁ। ସେମାନେ କେବଳ ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଚେହେରାକୁ ଦେଖାଇ ବାରମ୍ବାର ବିଧାୟକ ବା ମନ୍ତ୍ରୀ ହୋଇଥିଲେ। ଏବେ ନବୀନ ପଟ୍ଟନାୟକଙ୍କ ବୟସ ହୋଇଥିବାରୁ, ଏହି ନେତାମାନେ ନିଜର ରାଜନୈତିକ ଭବିଷ୍ୟତକୁ ବଞ୍ଚାଇବା ପାଇଁ ‘ମ୍ୟାଡାମ’ଙ୍କ ଗୋଲାମ ସାଜିବାକୁ ପ୍ରତିଯୋଗିତା କରୁଛନ୍ତି।
ଚାଲନ୍ତୁ ନଜର ପକାଇବା ସେହି ଲମ୍ବା ତାଲିକା ଉପରେ, ଯେଉଁମାନେ ଏବେ ସୁଜାତା କାର୍ତ୍ତିକେୟନଙ୍କ ଦରବାରରେ ହାଜରି ପକାଉଛନ୍ତି:
ନେତାଙ୍କ ନାମ ରାଜନୈତିକ ପରିଚୟ / ସ୍ଥିତି
ପ୍ରଣବ ପ୍ରକାଶ ଦାସ (ବବି ଦାସ) ଯାଜପୁରର ଟାଣୁଆ ନେତା ତଥା ପୂର୍ବତନ ସାଙ୍ଗଠନିକ ସମ୍ପାଦକ ଯିଏକି ପାଣ୍ଡିଆନଙ୍କ ଯୋଗୁ ଲୋକସଭାରେ ହାରିବା ସହିତ ତାଙ୍କ ମାଆ କୋରାଇରୁ ବିଧାନସଭା ହାରିଛନ୍ତି।
ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନା ପୂର୍ବତନ ପ୍ରଭାବଶାଳୀ ମନ୍ତ୍ରୀ ଉଭୟ ପରାଜିତ
ଅତନୁ ସବ୍ୟସାଚ୍ଚୀ ନାୟକ ବିଜେଡିର ବରିଷ୍ଠ ଚେହେରା ପରାଜିତ
ଦେବୀ ପ୍ରସାଦ ମିଶ୍ର ଓ ପ୍ରମିଳା ମଲ୍ଲିକ ଦଳର ବୟୋଜ୍ୟେଷ୍ଠ ଏବଂ ପ୍ରଭାବଶାଳୀ ନେତୃତ୍ୱ
ରାଜେନ୍ଦ୍ର ସାହୁ ଓ ଅନନ୍ତ ନାରାୟଣ ଜେନା ପୂର୍ବତନ ବିଧାୟକ ଏବଂ ଆଞ୍ଚଳିକ ସଂଗଠକ
ଦୀପାଳୀ ଦାସ ଓ ବର୍ଷା ସିଂହ ବରିହା ଯୁବ ମହିଳା ଚେହେରା
ସ୍ନେହାଙ୍ଗିନୀ ଛୁରିଆ ଓ ଶାରଦା ଜେନା ଦଳୀୟ ସଂଗଠକ
ସୁଭାଶୀଷ ଖୁଣ୍ଟିଆ ରାଜ୍ୟସଭା ସାଂସଦ
ମନ୍ମଥ ରାଉତରାୟ ବିଜେଡି ନେତା
ଏହି ସମସ୍ତ ନେତା ନିଜ ନିଜ ସଂଗଠନର କର୍ମୀମାନଙ୍କୁ ନେଇ ସୁଜାତା ରାଉତଙ୍କ ସହ ପରିଚୟ କରାଇବାରେ ବ୍ୟସ୍ତ ଅଛନ୍ତି। ସତେ ଯେମିତି ସେମାନେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି, ବରଂ ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ନିକଟରେ ନିଜର ଆନୁଗତ୍ୟ ପ୍ରମାଣ କରିବାକୁ ଚାହୁଛନ୍ତି।
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଯେଉଁ ଓଡ଼ିଶାର ଜନସାଧାରଣ ଅଫିସର ଶାସନ ଓ ବାହାରିଆ ନିୟନ୍ତ୍ରଣକୁ ବିଗତ ନିର୍ବାଚନରେ ଜବାବ ଦେଇସାରିଛନ୍ତି, ସେମାନେ କଣ ପୁଣିଥରେ ଏହି ନୂଆ ରୂପକୁ ଗ୍ରହଣ କରିବେ?
ଜଣେ ସଚେତନ ମତଦାତା ସବୁବେଳେ ଜଣେ ସ୍ୱାଭିମାନୀ, ମେରୁଦଣ୍ଡ ଥିବା ନେତାକୁ ପସନ୍ଦ କରେ। ଯିଏ ଜନସାଧାରଣଙ୍କ ସୁଖ-ଦୁଃଖରେ ସାଥୀ ହେବ, ନିଜ ଅଞ୍ଚଳର ବିକାଶ କରିବ। ଓଡ଼ିଶାର ଭୋଟର କେବେ ବି କୌଣସି ‘ରିମୋଟ୍ କଣ୍ଟ୍ରୋଲ୍’ କିମ୍ବା କାହାର ଅନ୍ଧ ଅନୁଗାମୀ ବା ଗୋଲାମକୁ ନିଜର ପ୍ରତିନିଧି ଭାବେ ଗ୍ରହଣ କରନ୍ତି ନାହିଁ।
ବିଜେଡିର ଏହି ଶୀର୍ଷ ନେତାମାନେ ମନେ ରଖିବା ଉଚିତ ଯେ, ରାଜନୀତିରେ ଜନତା ହିଁ ଜନାର୍ଦ୍ଦନ। ଯଦି ନିଜର ଆତ୍ମସମ୍ମାନ ବିକ୍ରି କରି, ଇତିହାସର ଭୁଲ୍କୁ ବାରମ୍ବାର ଦୋହରାଯାଏ, ତେବେ ରାଜ୍ୟର ଜନସାଧାରଣ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ। ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଆଗକୁ କରି ବିଜେଡି ଯେଉଁ ନୂଆ ରାଜନୈତିକ ଗୋଟି ଚାଳନା କରୁଛି, ତାହା ଦଳକୁ ପୁନର୍ଜୀବନ ଦେବ ନା କବର ଦେବ, ତାହା ତ ସମୟ କହିବ। କିନ୍ତୁ ଏତିକି ସ୍ପଷ୍ଟ ଯେ, ନେତାଙ୍କ ଏହି ଆତ୍ମସମର୍ପଣ ଓଡ଼ିଶାର ସଚେତନ ଭୋଟରଙ୍କୁ ଆଦୌ ପସନ୍ଦ ଆସୁନାହିଁ।
AlsoRead; https://purvapaksa.com/are-men-scared-of-marriage/


