ଆଜି ଏମିତି ଏକ ଖବର ଉପରେ ନଜର ପକାଇବା, ଯାହାକୁ ଶୁଣିବା ପରେ ଆପଣ ନିଜ କାନକୁ ବି ବିଶ୍ୱାସ କରିପାରିବେ ନାହିଁ। ଆପଣ ହଜମ କରିପାରିବେନି ଯେ ଆମ ଓଡ଼ିଶାରେ, ଆମ ଆଖି ଆଗରେ ପର୍ଯ୍ୟଟନ ବିଭାଗଦ୍ୱାରା ଆମ ସରକାରୀ ତହବିଲ୍ରୁ କିଭଳି ପଇସା ଲୁଟ୍ ଚାଲିଛି। ଶେଷରେ ଓଡ଼ିଆଙ୍କ ଆବେଗ, ଓଡ଼ିଆଙ୍କ ପରିଚୟ ‘ପଖାଳ’କୁ ଦେଖାଇ ମଧ୍ୟ କୋଟି କୋଟି ଟଙ୍କା ଲୁଟିନେଲେଣି ବାବୁମାନେ!
ଗରିବ ଓଡ଼ିଆର ପଖାଳ କଂସାକୁ ନେଇ ଏବେ ଏମିତି ଏକ ବଡ଼ ଇଭେଣ୍ଟ ଘୋଟାଲାର ପର୍ଦ୍ଦାଫାଶ ହୋଇଛି, ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ। ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ବଡ଼ ବଡ଼ ବ୍ୟୁରୋକ୍ରାଟ୍ ବାବୁ ଏବଂ ଭିଆଇପି, ଓ ବଛାବଛା ସାମ୍ବାଦିକମାନଙ୍କ ପାଇଁ ଯେଉଁ ‘ପଖାଳ ଦିବସ’ ଆୟୋଜନ କରାଯାଇଥିଲା, ତାର ସରକାରୀ ହିସାବ ସାମ୍ନାକୁ ଆସିଛି। ଆଉ ସେହି ହିସାବ ଦେଖିଲେ ଜଣାପଡ଼ୁଛି ଯେ, କେବଳ ପଖାଳ ଖାଇବା ଏବଂ ଦେଖାଇବା ନାଁରେ ପାଖାପାଖି ୨ କୋଟି ୩୨ ଲକ୍ଷ ଟଙ୍କା ଉଡ଼ାଇ ଦିଆଯାଇଛି!
ଏହା କେଉଁ ପ୍ରକାରର ଅସ୍ମିତା ପାଳନ? ଓଡ଼ିଆଙ୍କ ପଖାଳକୁ ଦେଖାଇ ନିଜର ବାହାବା ନେବା ଏବଂ କୋଟି କୋଟି ଟଙ୍କାର ଲୁଟ୍ କରିବା କଣ ସରକାରଙ୍କ ଯୋଜନା? ଆଜି ଆମେ ଏହି ତଥାକଥିତ ‘ଇଭେଣ୍ଟ ଦୁର୍ନୀତି’ର ପଇସା-ପଇସାର ହିସାବ ରଖିବୁ, ଯାହା ଶୁଣିଲେ ଗରିବ ଓଡ଼ିଆ ଜନସାଧାରଣ ନିଶ୍ଚିତ ଭାବେ ପ୍ରଶ୍ନ କରିବେ।
ପ୍ରଶ୍ନ ଉଠୁଛି ଏହି ୨ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା କେଉଁଠି? ନିଜର ଫଟୋ ଉଠାଇବା ଏବଂ ବିରାଟ ବଡ଼ କାମ କରିଛୁ ବୋଲି ଦେଖାଇବା ପାଇଁ ଏମାନେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ (Guinness Book of World Records)କୁ ପିଟିସନ ପଠାଇଲେ। ରେକର୍ଡ କଣ? ନା, ଆମେ ୧୧୦୦ କେଜିର ଭାତ ରାନ୍ଧି, ସେଥିରେ ପାଣି ପୁରାଇ ପଖାଳ କରିଛୁ ଏବଂ ୫୦୦୦ ଲୋକଙ୍କୁ ଖୁଆଇଛୁ।
ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗିନିଜ ୱାର୍ଲ୍ଡ ରେକର୍ଡ ବୋର୍ଡକୁ କେବଳ ଆବେଦନ କରିବା ଏବଂ ସେଠାରୁ ମେଡାଲ ଓ ସାର୍ଟିଫିକେଟ୍ କିଣିବା ପାଇଁ ସରକାରୀ ତହବିଲ୍ରୁ ୩୨ ଲକ୍ଷ ଟଙ୍କା ଦିଆଯାଇଛି! ଅର୍ଥାତ ପଇସା ଦେଇ ରେକର୍ଡ କିଣାଯାଉଛି।
ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କଣ ଜାଣନ୍ତି? ନିଜର ପ୍ରିୟ ଭାଇ-ବନ୍ଧୁ, କଣ୍ଟ୍ରାକ୍ଟର ଏବଂ ନିର୍ଦ୍ଦିଷ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀମାନଙ୍କୁ ମାଲାମାଲ୍ କରିବା। ବିଭିନ୍ନ ବାହାନା କରି ସରକାରୀ ପଇସା ବାଣ୍ଟିବା ଏହି ବାବୁମାନଙ୍କର ଅଭ୍ୟାସ ହୋଇଗଲାଣି। କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ଏହି କାମର ତଦାରଖ କରିବା ପାଇଁ ୭ ଲକ୍ଷ ଟଙ୍କା ଦିଆଯାଇଛି।
ଆଉ ଏହି ପଖାଳ ଖିଆର ଫଟୋ ଉଠାଇବା, ସୋସିଆଲ ମିଡିଆରେ ରୀଲ୍ସ କରିବା, ଭିଡିଓ କରିବା, ଲାଇଭ୍ ଷ୍ଟ୍ରିମିଂ କରିବା ଏବଂ ବାହାରୁ ବଡ଼ ବଡ଼ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର (Social Media Influencers) ମାନଙ୍କୁ ଡାକି ସେମାନଙ୍କ ପଛରେ ପାଖାପାଖି ୧୨ ଲକ୍ଷ ଟଙ୍କା ଉଡ଼ାଇ ଦିଆଯାଇଛି। ଓଡ଼ିଆଙ୍କ ପଖାଳକୁ ନେଇ ନିଜର ପ୍ରୋପାଗାଣ୍ଡା ଚଲାଇବା ପାଇଁ ଜନସାଧାରଣଙ୍କ ଝାଳବୁହା ଧନକୁ ପାଣି ଭଳି ବୁହାଇ ଦିଆଯାଇଛି।
କଥା ଏତିକିରେ ସରିନି ଆଜ୍ଞା। ପଖାଳ ଖିଆ ହେବ, ତେଣୁ ଫଟୋରେ ଭଲ ଦେଖାଯିବା ଦରକାର, ଗ୍ଲାମରସ୍ ଦେଖାଯିବା ଦରକାର। ସେଥିପାଇଁ ପାଖାପାଖି ୩ ଲକ୍ଷ ଟଙ୍କାର କଂସା ବାସନ କିଣାଗଲା। ଫଟୋ ଉଠାଇବା ପାଇଁ ଟେରାକୋଟା, ମାଟି ଥାଳି ଏବଂ ବେଲା ପାଇଁ ଅଲଗା ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। କିନ୍ତୁ ପ୍ରଶ୍ନ ହେଉଛି, ଇଭେଣ୍ଟ ସରିବା ପରେ ସେହି କଂସା ବାସନ ଏବଂ ମାଟି ପାତ୍ର ସବୁ ଗଲା କୁଆଡ଼େ? କେଉଁ ବାବୁଙ୍କ ଘରକୁ ଗଲା ତାର ହିସାବ କାହିଁ?
ଏବେ ସବୁଠାରୁ ବଡ଼ ମଜାଦାର ଏବଂ ଦୁଃଖଦାୟକ କଥା। ଓଡ଼ିଶାରେ କଣ ଭାତ ରାନ୍ଧିବା ପାଇଁ ବା ପଖାଳ ପ୍ରସ୍ତୁତ କରିବା ପାଇଁ ମାଆ-ଭଉଣୀମାନେ ନାହାନ୍ତି? ଆମ ଓଡ଼ିଶାର ମିଶନ ଶକ୍ତିର ମାଆମାନେ କଣ ପଖାଳ ତିଆରି କରିପାରିନଥାନ୍ତେ? କିନ୍ତୁ ନା, ବାବୁମାନଙ୍କ ପାଇଁ ପଖାଳ ପ୍ରସ୍ତୁତ କରିବାକୁ ଦିଲ୍ଲୀରୁ ବଡ଼ ବଡ଼ ସେଫ୍ (Chefs)ମାନଙ୍କୁ ସ୍ପେଶାଲ୍ ଫ୍ଲାଇଟ୍ ବା ବିମାନରେ ଅଣାଗଲା। କେବଳ ସେହି ଦିଲ୍ଲୀ ସେଫମାନଙ୍କର ବିମାନ ଖର୍ଚ୍ଚ ଏବଂ ଫାଇଭ୍ ଷ୍ଟାର୍ ହୋଟେଲ୍ ରହଣି ବିଲ୍ ବାବଦକୁ ୫ ଲକ୍ଷ ଟଙ୍କା ସରକାରୀ ତହବିଲ୍ରୁ ଦିଆଗଲା।
ଜଣେ ଓଡ଼ିଆ ମାଆ ଯେଉଁ ପଖାଳକୁ ଅତି ସହଜରେ କଂସାଏ ପ୍ରସ୍ତୁତ କରିଦିଏ, ତାହାକୁ ତିଆରି କରିବା ପାଇଁ ଦିଲ୍ଲୀରୁ ସେଫ୍ ଆସିବା ଓଡ଼ିଆ ପଖାଳର ଶାନ-ଶୌକତ ଏବଂ ଇଜ୍ଜତ ପ୍ରତି ସବୁଠାରୁ ବଡ଼ ଅପମାନ ନୁହେଁ ତ ଆଉ କଣ?
ହିସାବର ଫର୍ଦ୍ଦ ଯେତେ ଦେଖିବେ, ଆପଣଙ୍କ ମୁଣ୍ଡ ସେତେ ଘୂରାଇବ। ପଖାଳ ଦିବସ ମେନୁରେ ପଖାଳ ସହିତ ବିରିୟାନୀ ଦିଆଯାଉଛି! ପଖାଳ ଏବଂ ବିରିୟାନୀର ସମ୍ପର୍କ, ଭାରତ ଏବଂ ପାକିସ୍ତାନର ସମ୍ପର୍କ ଭଳି। ପଖାଳ ଦିବସରେ ପଖାଳ ତୋରାଣି ପିଇବା ବଦଳରେ ବାବୁମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରିମିୟମ୍ କମ୍ପାନୀର ମିନେରାଲ୍ ୱାଟର ବା ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ ୱାଟର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କାର ବିଲ୍ କରାଯାଇଛି। ଓଡ଼ିଆ ଅସ୍ମିତାର ନାଁ ନେଇ ତୋରାଣିକୁ ଅପମାନିତ କରି ମିନେରାଲ୍ ୱାଟର ଏବଂ ବିରିୟାନୀ ଖାଇବା କେଉଁ ପ୍ରକାରର ପଖାଳ ଦିବସ?
ବାବୁମାନେ ପଖାଳ ଖାଇବେ, ତେଣୁ ସେମାନଙ୍କର ଷ୍ଟାଇଲ୍ ଭଲ ହେବା ଦରକାର। ସେଥିପାଇଁ ମୁଖ୍ୟ ସେବକ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ପାଇଁ ସ୍ପେଶାଲ୍ ୱେଷ୍ଟକୋଟ୍ (West Court/Jacket) କିଣାଗଲା। କେବଳ ଏହି ପୋଷାକ କିଣା ବାବଦକୁ ପାଖାପାଖି ୫ ଲକ୍ଷ ଟଙ୍କା ଉଡ଼ାଇ ଦିଆଗଲା।
ଜଣେ ଓଡ଼ିଆ ଚାଷୀ ଯେତେବେଳେ ଗାମୁଛାଟିଏ ପିନ୍ଧି ବିଲ ହୁଡ଼ାରେ ବସି ପଖାଳ ଗଣ୍ଡିଏ ଖାଏ, ସେଠାରେ ୫ ଲକ୍ଷ ଟଙ୍କାର ୱେଷ୍ଟକୋଟ୍ ପିନ୍ଧି, ଦିଲ୍ଲୀର ସେଫ୍ ଆଣି, ମିନେରାଲ୍ ୱାଟର ପିଇ ପଖାଳ ଖାଇବା ଓଡ଼ିଆ ଅସ୍ମିତା ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ମଜାକ୍ ଉଡ଼ାଇବା।
ଚିନ୍ତା କରନ୍ତୁ, ଓଡ଼ିଶାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କୁ ଠିକ୍ ସମୟରେ ପାଠ୍ୟପୁସ୍ତକ ମିଳୁନାହିଁ। ଶିକ୍ଷାର ସ୍ତର ସୁଧୁରୁ ନାହିଁ। କିନ୍ତୁ ଅନ୍ୟପଟେ କେବଳ ଫଟୋ ଉଠାଇବା ଏବଂ ପିଆର (PR – Public Relations) ବା ପ୍ରଚାର କରିବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଯାଉଛି।
ଆମ ଓଡ଼ିଶାର ସଂସ୍କୃତିରେ ଲକ୍ଷ୍ମୀ ପୁରାଣର ବଡ଼ ମହତ୍ତ୍ୱ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ସେହି ସ୍ଥାନରେ ରହନ୍ତି, ଯେଉଁଠାରେ ସଦାଚାର ଥାଏ, ଶିଷ୍ଟାଚାର ଥାଏ, ଇମାନଦାରୀ ଥାଏ ଏବଂ ବିନା ଅହଂକାରରେ କାମ କରାଯାଏ। କିନ୍ତୁ ସରକାରୀ ପଇସାରେ ଏଭଳି ଆଡ଼ମ୍ବରପୂର୍ଣ୍ଣ ଏବଂ ଅହଂକାରୀ ପ୍ରଦର୍ଶନ କଣ ଏକ ଲକ୍ଷ୍ମୀଛଡ଼ା ଅଭ୍ୟାସ ନୁହେଁ? ପଞ୍ଚାୟତ ନିର୍ବାଚନ ଆସୁଥିବାରୁ କେବଳ ଭୋଟ୍ ବ୍ୟାଙ୍କ୍ ପାଇଁ ଏବଂ ନିଜର ପ୍ରଚାର ପାଇଁ ସାଧାରଣ ଲୋକଙ୍କ ଟିକସ ପଇସାକୁ ଏଭଳି ଲୁଟ୍ କରାଯାଉଛି।
ଯଦି ଏହି ପଖାଳ ପ୍ରସ୍ତୁତି ଓଡ଼ିଶାର ଗ୍ରାଉଣ୍ଡ ସ୍ତରରେ ଥିବା ଆମ ମିଶନ ଶକ୍ତିର ମାଉସୀ ବା ମାଆମାନଙ୍କ ଦ୍ୱାରା କରାଯାଇଥାନ୍ତା, ତେବେ ହୁଏତ ସେମାନେ ଦୁଇ ପଇସା ରୋଜଗାର କରିପାରିଥାନ୍ତେ। କିନ୍ତୁ ଫାଇଭ୍ ଷ୍ଟାର୍ ହୋଟେଲ୍ ସଂସ୍କୃତି ଏବଂ ଦିଲ୍ଲୀ ସେଫ୍ଙ୍କୁ ପଇସା ଦେଇ ସରକାର ଓଡ଼ିଆ ଅସ୍ମିତାକୁ ଭୂଲୁଣ୍ଠିତ କରିଛନ୍ତି। ଆମକୁ ଏହି ବ୍ୟବସ୍ଥାର ଜଞ୍ଜିରକୁ ବୁଝିବାକୁ ହେବ। ଆଗକୁ ଏମିତି ଅନେକ ଇଭେଣ୍ଟର କଳା ଚିଠା ସାମ୍ନାକୁ ଆସିବ।


