ଦେଶରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ସହିତ ସଡ଼କ ଦୁର୍ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ନେଇ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଏକ ଆଶ୍ଚର୍ଯ୍ୟଜନକ ଓ ଚଞ୍ଚଲ୍ୟକର ଖୁଲାସା କରିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ହାଇୱେରେ ଘଟୁଥିବା ପ୍ରାୟ ୯୦ ପ୍ରତିଶତ ଦୁର୍ଘଟଣା ପାଇଁ କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ‘ଇନ୍ସାନୀ ଭୁଲ୍’ ବା ଚାଳକଙ୍କ ଅସାବଧାନତା ହିଁ ମୁଖ୍ୟତଃ ଦାୟୀ ଅଟେ । ପ୍ରବଳ ବେଗରେ ଗାଡ଼ି ଚଳାଇବା , ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ଏବଂ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଗାଡ଼ି ପାର୍କିଂ କରିବା ଏହି ମାରାତ୍ମକ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଛି ।

ସଡ଼କ ସୁରକ୍ଷା ବିଶେଷଜ୍ଞ ତଥା ପରିବେଶ ଓ ବନ ମନ୍ତ୍ରଣାଳୟର ପୂର୍ବତନ ନିର୍ଦ୍ଦେଶକ ରାମନିବାସ ଜିନ୍ଦଲ ଏହି ପ୍ରସଙ୍ଗରେ କହିଛନ୍ତି ଯେ, “ସାଧାରଣ ରାସ୍ତା ଏବଂ ଏକ୍ସପ୍ରେସୱେ ମଧ୍ୟରେ ଥିବା ପାର୍ଥକ୍ୟକୁ ଚାଳକମାନେ ବୁଝିବା ଆବଶ୍ୟକ । ସାଧାରଣ ରାସ୍ତାରେ ଭିଡ଼ ଯୋଗୁଁ ଗାଡ଼ିର ଗତି କମ୍ ଥାଏ, ଯାହାଦ୍ୱାରା ଖରାପ ଟାୟାର ମଧ୍ୟ ଧୋକା ଦିଏ ନାହିଁ । ମାତ୍ର ଏକ୍ସପ୍ରେସୱେରେ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ପ୍ରବଳ ବେଗରେ ଗତି କରିଥାଏ । ଏଭଳି ସ୍ଥିତିରେ ପୁରୁଣା ବା ନିମ୍ନମାନର ଟାୟାରଗୁଡ଼ିକ ଅତ୍ୟଧିକ ଗରମ ହୋଇ ହଠାତ୍ ଫାଟିଯାଏ, ଯାହା ଅନେକ ସମୟରେ ବଡ଼ ଦୁର୍ଘଟଣାର କାରଣ ହୋଇଥାଏ ।”
କଠୋର ନିୟମ ଓ ଜରିମାନାର ଆବଶ୍ୟକତା
ବର୍ତ୍ତମାନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ କଠୋରତା ପ୍ରଦର୍ଶନ କରାଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ସେ ପ୍ରକାଶ କରିଛନ୍ତି। ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରୀ ଏବଂ ଘରୋଇ ସଡ଼କ ପରିଚାଳନା କମ୍ପାନୀଗୁଡ଼ିକୁ ଦୁଇ ପ୍ରକାର ପାଟ୍ରୋଲିଂ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ରଥମଟି ହେଉଛି “ଗାଡ଼ି ସାହାଯ୍ୟରେ ପାଟ୍ରୋଲିଂ” ଏବଂ ଦ୍ୱିତୀୟଟି “ଡ୍ରୋନ୍ ଜରିଆରେ ନଜର ରଖିବା” ।
ଯଦି ହାଇୱେ କଡ଼ରେ କୌଣସି ଗାଡ଼ି ଅନାବଶ୍ୟକ ଭାବେ ଠିଆ ହୋଇଥିବା ଦେଖାଯାଏ, ତେବେ ତାହାକୁ ତୁରନ୍ତ ହଟାଇବା ଉଚିତ । ଏହାସହ ରଙ୍ଗ ସାଇଡ୍ରେ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ସହ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଯିବା ଦରକାର । ଏହା ବ୍ୟତୀତ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଚାଳକଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଟିମ୍ ଅଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି । ନିୟମ ପାଳନରେ ସାମାନ୍ୟ ସଚେତନତା ହିଁ ହାଇୱେରେ ହେଉଥିବା ହଜାର ହଜାର ମୃତ୍ୟୁକୁ ରୋକିପାରିବ ।


