ସେନାବାହିନୀର ଶୃଙ୍ଖଳା ସହିତ ଭାରତୀୟ ସଂସ୍କୃତି ଓ ସଂସ୍କାରର ଏକ ଭାବପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀ ନୂଆଦିଲ୍ଲୀରେ। ଦେଶର ୩୧ତମ ସେନାଧ୍ୟକ୍ଷ (ଚିଫ୍ ଅଫ୍ ଆର୍ମି ଷ୍ଟାଫ୍) ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଜେନେରାଲ ଧୀରଜ ସେଠ୍। ବୁଧବାର ତାଙ୍କୁ ଦେଶର ସେନା ମୁଖ୍ୟ ଭାବେ ଭବ୍ୟ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା। ତେବେ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ପରେ ଏକ ଅତ୍ୟନ୍ତ ଭାବବିହ୍ୱଳ ଏବଂ ଗର୍ବର ମୁହୂର୍ତ୍ତ ସାମ୍ନାକୁ ଆସିଥିଲା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ ଧୀରଜ ସେଠ୍ ସେଠାରେ ଉପସ୍ଥିତ ଥିବା ନିଜ ପିତା ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ୍. ସେଠ୍ଙ୍କୁ ସାଲ୍ୟୁଟ୍ କରିବା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। କେବଳ ସେତିକି ନୁହେଁ, ସେନାଧ୍ୟକ୍ଷଙ୍କ ସାନ ଭାଇ ରିୟର ଆଡମିରାଲ ରବିନୀଶ ସେଠ୍ ମଧ୍ୟ ବଡ଼ ଭାଇ ତଥା ନୂଆ ଆର୍ମି ଚିଫ୍ଙ୍କୁ ସାଲ୍ୟୁଟ୍ କରିଥିଲେ। ଦେଶର ସୁରକ୍ଷା ପାଇଁ ଗୋଟିଏ ପରିବାରର ଏଭଳି ସମର୍ପଣ ଓ ସଂସ୍କାରକୁ ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଉଚ୍ଚ ପ୍ରଶଂସା କରିଛନ୍ତି।
ମୋର ମୂଳମନ୍ତ୍ର ‘ଜୟରୁ ବିଜୟ’ : ସେନାଧ୍ୟକ୍ଷ

କାର୍ଯ୍ୟଭାର ଗ୍ରହଣ କରିବା ପରେ ଜେନେରାଲ ଧୀରଜ ସେଠ୍ କହିଛନ୍ତି, “ଭାରତୀୟ ସେନାର ୩୧ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ‘କର୍ତ୍ତବ୍ୟ, ସମ୍ମାନ ଏବଂ ସର୍ବୋପରି ରାଷ୍ଟ୍ର’ର ଆଦର୍ଶ ପ୍ରତି ମୁଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ମୋର ପ୍ରାଥମିକତା ହେବ ‘ବିଜୟ’ ଏବଂ ମୋର ମୂଳମନ୍ତ୍ର ହେଉଛି ‘ଜୟରୁ ବିଜୟ’।” ମୋ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ସେ ନିଜର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଲେ ଜେନେରାଲ ସେଠ୍
#WATCH | Delhi: Army Chief Gen Dhiraj Seth salutes his father Lt Gen KM Seth (retired) after receiving Guard of Honour as Chief of Army Staff.
He was also saluted by his younger brother Rear Admiral Ravnish Seth. pic.twitter.com/BHgtME26OL
— ANI (@ANI) July 1, 2026
ମଙ୍ଗଳବାର ସେନାରେ ଦୀର୍ଘ ୪୦ ବର୍ଷର ସେବା ପରେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଜେନେରାଲ ଧୀରଜ ସେଠ୍ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଜେନେରାଲ ସେଠ୍ ହେଉଛନ୍ତି ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA), ଖଡ଼କୱାସଲାର ପୂର୍ବତନ ଛାତ୍ର। ୧୯୮୬ ଡିସେମ୍ବରରେ ସେ ‘ଆର୍ମର୍ଡ କୋର’ରେ ସାମିଲ ହୋଇଥିଲେ। ସେନାଧ୍ୟକ୍ଷ ହେବା ପୂର୍ବରୁ ସେ ଉପ-ସେନାଧ୍ୟକ୍ଷ (ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍) ଭାବେ କାର୍ଯ୍ୟ କରୁଥିଲେ।
୪ ଦଶନ୍ଧିର ବ୍ୟାପକ ସାମରିକ ଅଭିଜ୍ଞତା
ଜେନେରାଲ ଧୀରଜ ସେଠ୍ଙ୍କ ପାଖରେ ପଶ୍ଚିମ ସୀମାନ୍ତରେ ସେନାର ଦୁଇଟି ପ୍ରମୁଖ ସାମରିକ କମାଣ୍ଡ — ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ (ଜୟପୁର) ଏବଂ ସଦର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ ନେତୃତ୍ୱ ନେବାର ଏକ ବିରଳ ଗୌରବ ରହିଛି। ଗତ ବର୍ଷ ‘ଅପରେସନ୍ ସିନ୍ଧୁର’ ସମୟରେ ତାଙ୍କ ନେତୃତ୍ୱରେ ସଦର୍ଣ୍ଣ କମାଣ୍ଡ ଉଚ୍ଚସ୍ତରୀୟ ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କରିଥିଲା। ଏହା ବ୍ୟତୀତ ସେ ଗୁରୁତ୍ୱପୂର୍ଣ୍ଣ ‘ସୁଦର୍ଶନ ଚକ୍ର କୋର’ର କମାଣ୍ଡ ମଧ୍ୟ ସମ୍ଭାଳିଛନ୍ତି।

ବିଶ୍ୱର ଭୂ-ରାଜନୈତିକ ସ୍ଥିତି ଏବଂ ଯୁଦ୍ଧ କୌଶଳ ବଦଳୁଥିବା ସମୟରେ ୧୩ ଲକ୍ଷ ସୈନିକ ବିଶିଷ୍ଟ ଭାରତୀୟ ସେନାକୁ ଆତ୍ମନିର୍ଭରଶୀଳ ଓ ଆଧୁନିକ ଜ୍ଞାନକୌଶଳରେ ସମୃଦ୍ଧ କରିବା ଦିଗରେ ନୂଆ ସେନାଧ୍ୟକ୍ଷଙ୍କ ଏହି ଦାୟିତ୍ୱ ଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।


