କେନ୍ଦ୍ର ସରକାରଙ୍କ ହାଇ-ସ୍ପିଡ୍ ଟ୍ରେନ ‘ବନ୍ଦେ ଭାରତ’ ପୁଣିଥରେ ଖାଦ୍ୟର ନିମ୍ନ ମାନକୁ ନେଇ ଚର୍ଚ୍ଚାକୁ ଆସିଛି। ଏଥର ଜଣେ ବରିଷ୍ଠ ରାଜନେତା ଟ୍ରେନରେ ମିଳୁଥିବା ଖାଦ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରେଳ ମନ୍ତ୍ରାଳୟକୁ କଡ଼ା ସମାଲୋଚନା କରିଛନ୍ତି। ସମାଜବାଦୀ ପାର୍ଟି (SP) ର ସାଂସଦ ରାଜୀବ ରାୟ ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଟ୍ରେନରେ ଯେଉଁ ଡାଲି ଏବଂ ତରକାରୀ ଦିଆଯାଉଥିଲା, ତାହାକୁ ଦେଖିବା ପରେ ଯାତ୍ରୀମାନେ ତାହାକୁ ଖାଇବାକୁ ସାହସ ମଧ୍ୟ କରିପାରିନଥିଲେ।

ଟ୍ରେନ ଭିତରୁ ଭିଡିଓ ସେୟାର କଲେ ସାଂସଦ
ସାଂସଦ ରାଜୀବ ରାୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ରେନ ଭିତରର ଏକ ଭିଡିଓ ସେୟାର କରି ରେଳବାଇର ଏଭଳି ଅବ୍ୟବସ୍ଥାକୁ ପଦାରେ ପକାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାରାଣସୀରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ପରଷା ଯାଇଥିଲା। ଭିଡିଓରେ ସେ ଖାଦ୍ୟର ପ୍ୟାକେଟ୍ ଦେଖାଇବା ସହ କହୁଛନ୍ତି, “ଏହି ଖାଦ୍ୟ ପାଇଁ ଯାତ୍ରୀମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଉଛି, କିନ୍ତୁ ବଦଳରେ ଯେଉଁ ଖାଦ୍ୟ ମିଳୁଛି, ତାହା ଅଖାଦ୍ୟ। ଡାଲି ପାଣି ଭଳି ହୋଇଥିବା ବେଳେ ତରକାରୀର ଅବସ୍ଥା ଅତି ଶୋଚନୀୟ।” ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ସାଂସଦଙ୍କ ସହ ସ୍ୱର ମିଳାଇ ଖାଦ୍ୟକୁ ନେଇ ନିଜର ଆପତ୍ତି ଜଣାଇଥିଲେ।
ରେଳ ମନ୍ତ୍ରୀଙ୍କୁ ସାଂସଦଙ୍କ ପ୍ରଶ୍ନ – ଏହା କି ପ୍ରକାର ସେବା ?
माननीय रेलमंत्री जी आज प्रयागराज से दिल्ली के लिए में वंदे भारत एक्सप्रेस 22435 से यात्रा कर रहा हूँ ।
ये खाना ख़ास तौर से दाल और सब्ज़ी को देखकर कर मेरे आसपास के लगभग सभी यात्रियों ने खाने की हिम्मत नहीं कर पाये। quality and quantity दोनों को देखकर @IRCTCofficial मे फैले… pic.twitter.com/jhxtttcW8W— Rajeev Rai (@RajeevRai) June 29, 2026
ସପା ସାଂସଦ ରାଜୀବ ରାୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳ ମନ୍ତ୍ରାଳୟକୁ ଟ୍ୟାଗ୍ କରି ଲେଖିଛନ୍ତି, “ବିଜ୍ଞାପନ ଏବଂ ପ୍ରଚାରରେ ବନ୍ଦେ ଭାରତକୁ ଏକ ବିଶ୍ୱସ୍ତରୀୟ ଟ୍ରେନ ବୋଲି କୁହାଯାଉଛି, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସହ ଏଭଳି ଖେଳ ଖେଳିବା ଉଚିତ ନୁହେଁ। ଯଦି ଜଣେ ସାଂସଦଙ୍କ ଉପସ୍ଥିତିରେ ଏଭଳି ଖାଦ୍ୟ ଦିଆଯାଉଛି, ତେବେ ସାଧାରଣ ଦିନରେ ଯାତ୍ରୀମାନଙ୍କୁ କିଭଳି ହଇରାଣ କରାଯାଉଥିବ, ତାହା ସହଜରେ ଅନୁମାନ କରାଯାଇପାରେ।” ସେ ଏହି ଘଟଣାରେ ସମ୍ପୃକ୍ତ କ୍ୟାଟରିଂ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଆକ୍ସନ ମୋଡ୍ରେ IRCTC, କମ୍ପାନୀ ଉପରେ ଜରିମାନା

ସାଂସଦଙ୍କ ଏହି ଭିଡିଓ ଭାଇରାଲ ହେବା ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭାରତୀୟ ରେଳବାଇର କ୍ୟାଟରିଂ ସଂସ୍ଥା IRCTC ତୁରନ୍ତ ତତ୍ପରତା ପ୍ରକାଶ କରିଛି। IRCTC ପକ୍ଷରୁ ସାଂସଦଙ୍କ ଟ୍ୱିଟ୍ର ଉତ୍ତର ଦିଆଯାଇ କୁହାଯାଇଛି ଯେ, “ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ସମ୍ପୃକ୍ତ ସର୍ଭିସ ପ୍ରୋଭାଇଡର ବା ଖାଦ୍ୟ ଯୋଗାଣକାରୀ ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମୋଟା ଅଙ୍କର ଜରିମାନା ଲଗାଯାଇଛି। ଏହା ସହିତ ଖାଦ୍ୟ ପ୍ରସ୍ତୁତ କରୁଥିବା ବେସ କିଚେନର ସୁପରଭାଇଜରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।” ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ, ସେଥିପାଇଁ ନିୟମିତ ଯାଞ୍ଚ କରାଯିବ ବୋଲି ରେଳବାଇ ପ୍ରତିଶ୍ରୁତି ଦେଇଛି। କିନ୍ତୁ ଏହି ଘଟଣା ପୁଣିଥରେ ବନ୍ଦେ ଭାରତ ଟ୍ରେନର ପ୍ରିମିୟମ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


