ଦେଶରେ ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରିଷଦ (CCHFW) ର ୧୬ତମ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ‘ସୁମନ ରୋଡମ୍ୟାପ୍ ୨୦୩୦’ ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଜାତୀୟ ଆମ୍ବୁଲାନ୍ସ ସେବା ର ନୂତନ ମାର୍ଗଦର୍ଶିକା-୨୦୨୬ ମଧ୍ୟ ଜାରି କରାଯାଇଛି।

ମାତୃ ଓ ନବଜାତ ଶିଶୁଙ୍କ ସୁରକ୍ଷା ଉପରେ ଫୋକସ୍
‘ସୁମନ’ (ସୁରକ୍ଷିତ ମାତୃତ୍ୱ ଆଶ୍ୱାସନ) ଯୋଜନା ଅଧୀନରେ ପ୍ରସ୍ତୁତ ଏହି ରୋଡମ୍ୟାପ୍ର ମୂଳ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ମାତୃ ମୃତ୍ୟୁହାର କୁ ପ୍ରତି ୧ ଲକ୍ଷ ଜନ୍ମରେ ୭୦ ରୁ କମ୍କୁ ହ୍ରାସ କରିବା ଏବଂ ନବଜାତ ଶିଶୁଙ୍କ ମୃତ୍ୟୁହାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା। ଏହି ରୋଡମ୍ୟାପ୍ ମାଧ୍ୟମରେ ଗର୍ଭାବସ୍ଥା ପୂର୍ବରୁ, ପ୍ରସବ ସମୟରେ ଏବଂ ପ୍ରସବ ପରବର୍ତ୍ତୀ ସମୟରେ ମା’ ଏବଂ ଶିଶୁଙ୍କୁ ସମନ୍ୱିତ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବ।
ଓଡ଼ିଶା ସମେତ ୧୩ଟି ରାଜ୍ୟ ଉପରେ ବିଶେଷ ନଜର

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲେ ମଧ୍ୟ, ଯେଉଁ ରାଜ୍ୟଗୁଡ଼ିକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ରହିଛି, ସେଠାରେ ଥିବା ୧୩୦ଟି ଜିଲ୍ଲା ଉପରେ ବିଶେଷ ଫୋକସ୍ କରାଯିବ। ଏହି ‘ହାଇ-ଫୋକସ୍’ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଆସାମ, ବିହାର, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ସାମିଲ ଅଛନ୍ତି। ସ୍ଥାନୀୟ ସ୍ତରରେ ଜବାବଦେହିତା ବଢ଼ାଇବା ପାଇଁ ‘ସୁମନ ପଞ୍ଚାୟତ’ ଏବଂ ସଚେତନତା ପାଇଁ ‘ମଦର୍ସ ପିକନିକ’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ଆଶା କର୍ମୀ କରିବେ ସ୍ପେଶାଲ ସ୍କ୍ରିନିଂ
ନୂଆ ରୋଡମ୍ୟାପ୍ ଅନୁଯାୟୀ, ଗର୍ଭାବସ୍ଥାର ଅଷ୍ଟମ ଓ ନବମ ମାସରେ ଆଶା କର୍ମୀମାନେ ଗର୍ଭବତୀ ମହିଳାମାନଙ୍କ ଘରକୁ ସପ୍ତାହରେ ଦୁଇଥର ଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ, ପୋଷଣ ପରାମର୍ଶ ଦେବେ ଏବଂ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ପାଇଁ ପ୍ରସ୍ତୁତି କରିବେ। ଏହାଛଡ଼ା ଉପାନ୍ତ ଓ ଆଦିବାସୀ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିରେ ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ସୁବିଧା ଯୋଗାଇବା ପାଇଁ ଆମ୍ବୁଲାନ୍ସ ଯୋଗାଯୋଗ ବ୍ୟବସ୍ଥା ଏବଂ ରେଫରାଲ୍ ବ୍ୟବସ୍ଥାକୁ GPS ମାଧ୍ୟମରେ ଅଧିକ ସୁଦୃଢ଼ କରାଯିବ।

କେନ୍ଦ୍ର-ରାଜ୍ୟ ସହଯୋଗିତା ବୃଦ୍ଧି
ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ସାଂସଦ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଦେଶର ସ୍ୱାସ୍ଥ୍ୟ ନୀତି ଓ ନୂତନ ସଂସ୍କାର ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ‘ଆରୋଗ୍ୟ ସେତୁ ୨.୦’ ସମେତ କେତେକ ପ୍ରମୁଖ ଡିଜିଟାଲ୍ ସ୍ୱାସ୍ଥ୍ୟ ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି।


