ଭାରତ ଓ ସେସେଲ୍ସ ମଧ୍ୟରେ ବଢ଼ୁଥିବା ରଣନୀତିକ ଏବଂ ପ୍ରତିରକ୍ଷା ସମ୍ପର୍କର ଏକ ସୁନ୍ଦର ଝଲକ ଆଜି ବିଦେଶ ମାଟିରେ ଦେଖିବାକୁ ମିଳିବ। ହିନ୍ଦୁ ମହାସାଗରର ଏହି ଗୁରୁତ୍ୱପୂର୍ଣ୍ଣ ଦ୍ୱୀପରାଷ୍ଟ୍ର ସେସେଲ୍ସର ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ତଥା ୫୦ତମ ଜାତୀୟ ଦିବସ ସମାରୋହରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ମାର୍ଚ୍ଚିଂ ଦଳ ଅଂଶଗ୍ରହଣ କରିବାକୁ ଯାଉଛି। ଏହି ଗୌରବମୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମୁଖ୍ୟ ଅତିଥି’ ଭାବେ ଯୋଗ ଦେଇଛନ୍ତି।
![]()
ଆସାମ ରେଜିମେଣ୍ଟର ଯବାନ ଦେଖାଇବେ ବୀରତ୍ୱ
ସେସେଲ୍ସର ରାଜଧାନୀ ଭିକ୍ଟୋରିଆଠାରେ ଆୟୋଜିତ ଏହି ମହୋତ୍ସବରେ ଭାରତୀୟ ସେନାର ଆସାମ ରେଜିମେଣ୍ଟର ୩୨ ଜଣ ଯବାନଙ୍କୁ ନେଇ ଗଠିତ ମାର୍ଚ୍ଚିଂ ଦଳ ସାମିଲ ହେବେ। କ୍ୟାପଟେନ ଆର୍ୟନ ଏଚ୍. ଦେଓଲେକରଙ୍କ ନେତୃତ୍ୱରେ ଏହି ଦଳ ଭାରତୀୟ ନୌସେନା ଏବଂ ସାମରିକ ବ୍ୟାଣ୍ଡ ସହିତ ସେସେଲ୍ସ ପରେଡ୍ରେ ଭାଗ ନେବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, କୌଣସି ବନ୍ଧୁ ଦେଶର ଜାତୀୟ ଉତ୍ସବରେ ଭାରତୀୟ ସଶସ୍ତ୍ର ବାହିନୀର ଯୋଗଦାନ ଉଭୟ ଦେଶ ମଧ୍ୟରେ ଥିବା ପାରସ୍ପରିକ ବିଶ୍ୱାସ, ସାମରିକ ବନ୍ଧୁତା ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସୁଦୃଢ଼ ପ୍ରତୀକ ଅଟେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାର : ‘ମେକ୍ ଇନ୍ ଇଣ୍ଡିଆ’ ଯୁଦ୍ଧପୋତ
![]()
ଏହି ସରକାରୀ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ବଡ଼ ସହଯୋଗର ହାତ ବଢ଼ାଇଛନ୍ତି। ଭାରତରେ ନିର୍ମିତ ଅତ୍ୟାଧୁନିକ ଫାଷ୍ଟ ପେଟ୍ରୋଲ ଭେସେଲ (FPV) ‘ପିଏସ୍ ଲେସପୱାର’ କୁ ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ରାଷ୍ଟ୍ରପତି ପ୍ରାଟ୍ରିକ୍ ହର୍ମିନିଙ୍କୁ ହସ୍ତାନ୍ତର କରିଛନ୍ତି। ଗୋଆ ଶିପୟାର୍ଡ ଦ୍ୱାରା ପ୍ରସ୍ତୁତ ଏହି ଜାହାଜ ସହିତ ଭାରତ ପକ୍ଷରୁ ୬ଟି ଆମ୍ବୁଲାନ୍ସ, ୧୦ଟି ୟୁଟିଲିଟି ଗାଡ଼ି ଏବଂ ୫ଟି ଲେଜର ସ୍ପିଡ୍ ବୋଟ୍ ମଧ୍ୟ ଉପହାର ସ୍ୱରୂପ ଦିଆଯାଇଛି।
ହିନ୍ଦୁ ମହାସାଗରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭାରତର ‘ମହାସାଗର’ ଭିଜନ ଅଧୀନରେ ହିନ୍ଦୁ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସାମୁଦ୍ରିକ ସୁରକ୍ଷା ରକ୍ଷା କରିବା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ମଧ୍ୟ ଭାରତୀୟ ସେନା ବିଶ୍ୱର ବିଭିନ୍ନ ପ୍ରମୁଖ ପରେଡ୍, ଯେପରିକି ୨୦୨୩ରେ ଫ୍ରାନ୍ସର ବାଷ୍ଟିଲ୍ ଡେ ପରେଡ୍, ୨୦୨୧ରେ ବାଂଲାଦେଶର ବିଜୟ ଦିବସ ପରେଡ୍ ଏବଂ ରୁଷର ବିଜୟ ଦିବସ ପରେଡ୍ରେ ଭାଗ ନେଇ ଦେଶର ଗୌରବ ବଢ଼ାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଦୁଇ ଦେଶର ସମ୍ପର୍କ ଆଗାମୀ ଦିନରେ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି।


