ଦେଶର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତୀୟ ତଟରକ୍ଷୀ ବାହିନୀ କୁ ଏକ ବଡ଼ ସଫଳତା ମିଳିଛି । ନୂଆ ପିଢ଼ିର ଅତ୍ୟାଧୁନିକ ଫାଷ୍ଟ ପେଟ୍ରୋଲ ଭେସେଲ ‘ଆଇସିଜିଏସ୍ ଅକ୍ଷୟ’କୁ ଗୋଆ ଶିପୟାର୍ଡଠାରେ ଆନୁଷ୍ଠାନିକ ଭାବେ ସେବାରେ ସାମିଲ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧପୋତ ସମୁଦ୍ରରେ ଭାରତର ସାମରିକ ଶକ୍ତି ବୃଦ୍ଧି କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
![]()
‘ସମୁଦ୍ର କେବଳ ବ୍ୟାପାର ନୁହେଁ, ଜାତୀୟ ସୁରକ୍ଷାର ଆଧାର’
ଏହି ଅବସରରେ ପଶ୍ଚିମ ସୀମାନ୍ତ ତଟରକ୍ଷୀ ବାହିନୀର କମାଣ୍ଡର ଇନ୍ସପେକ୍ଟର ଜେନେରାଲ୍ ଭୀଷ୍ମ ଶର୍ମା କହିଛନ୍ତି ଯେ, ସମୁଦ୍ର କେବଳ ଯାତାୟାତ କିମ୍ବା ବାଣିଜ୍ୟର ମାଧ୍ୟମ ନୁହେଁ, ବରଂ ଏହା ଦେଶର ସୁରକ୍ଷା, ଅର୍ଥନୀତି ଏବଂ ଜାତୀୟ ଆତ୍ମବିଶ୍ୱାସର ମୂଳଦୁଆ ଅଟେ। ସାମୁଦ୍ରିକ ସୁରକ୍ଷା ଭାରତର ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ସୁରକ୍ଷା ବାହିନୀର ପ୍ରସ୍ତୁତି କେବଳ ପରିସ୍ଥିତି ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ଏହା ଯବାନମାନଙ୍କ ତାଲିମ ଏବଂ ଅତ୍ୟାଧୁନିକ ପ୍ଲାଟଫର୍ମ ଜରିଆରେ ସ୍ପଷ୍ଟ ଦେଖାଯିବା ଦରକାର।
କାହିଁକି ସ୍ପେଶାଲ୍ ‘ICGS ଅକ୍ଷୟ’ ?

- ନାମର ଅର୍ଥ : ‘ଅକ୍ଷୟ’ର ଅର୍ଥ ହେଉଛି ଯାହାର ବିନାଶ ନାହିଁ। ଏହା ଭାରତୀୟ ତଟରକ୍ଷୀ ବାହିନୀର ଅଦମ୍ୟ ସାହସ ଓ ପ୍ରତିବଦ୍ଧତାକୁ ଦର୍ଶାଏ।
- ଆତ୍ମନିର୍ଭର ଭାରତର ପ୍ରତୀକ : ଏହି ପୋତଟି ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ଗୋଆ ଶିପୟାର୍ଡ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ହୋଇଛି।
- ମଲ୍ଟି-ମିଶନ କ୍ଷମତା : ଏହା ସାମୁଦ୍ରିକ ଆଇନ ଶୃଙ୍ଖଳା ରକ୍ଷା, ସମୁଦ୍ରରେ ବୁଡ଼ି ଯାଉଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ , ପେଟ୍ରୋଲିଂ ଏବଂ ସାମୁଦ୍ରିକ ପରିବେଶର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସକ୍ଷମ।
କମାଣ୍ଡାଣ୍ଟ ଦୀପକ ଚୌବେଙ୍କ ନେତୃତ୍ୱରେ ଏହି ଯୁଦ୍ଧପୋତ ଏବଂ ଏହାର ସମସ୍ତ କର୍ମଚାରୀ ଦେଶ ସେବାରେ ନିୟୋଜିତ ହେବେ। ଏହାର ସାମିଲ ଦ୍ୱାରା ଜଳସୀମାରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଅତି ଦ୍ରୁତ ଗତିରେ କରାଯାଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି।


