ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଏବଂ ଏଥିପାଇଁ ମିଳିଥିବା ଦାନକୁ ନେଇ ଦେଶର ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିଜେପି ପକ୍ଷରୁ କଂଗ୍ରେସକୁ ଟାର୍ଗେଟ୍ କରାଯାଇ ଦାବି କରାଯାଇଛି ଯେ, ରାମ ମନ୍ଦିର ପ୍ରତିଷ୍ଠାକୁ ବୟକଟ୍ କରିଥିବା ଏବଂ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ନେତାମାନେ ,ଏବେ ମନ୍ଦିରର ଦାନକୁ ନେଇ ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛନ୍ତି। ବିଶେଷ କରି ମନ୍ଦିରକୁ ମିଳିଥିବା ସୁନା, ରୂପା ଏବଂ ହୀରା ଅଳଙ୍କାରର ମୂଲ୍ୟାଙ୍କନକୁ ନେଇ ଦେଖାଦେଇଥିବା ବିବାଦ ପ୍ରସଙ୍ଗରେ ଶାସକ ଦଳ କଂଗ୍ରେସ ଉପରେ ବର୍ଷିଛି।
କ’ଣ ରହିଛି ଏହି ବିବାଦ ?
ରାମ ମନ୍ଦିର ଟ୍ରଷ୍ଟକୁ ଦେଶ ଓ ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପକ୍ଷରୁ ବିପୁଳ ପରିମାଣର ସୁନା ଓ ରୂପା ସମେତ ଅମୂଲ୍ୟ ହୀରା ହାର ଦାନ ଆକାରରେ ମିଳିଛି। କଂଗ୍ରେସ ସମେତ କେତେକ ବିରୋଧୀ ଦଳର ନେତାମାନେ ଏହି ଦାନର ପରିମାଣ, ଏହାର ସଠିଖ ମୂଲ୍ୟ ଏବଂ ଟ୍ରଷ୍ଟର ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଦାନରେ ମିଳିଥିବା ଅଳଙ୍କାରର ସଠିକ୍ ହିସାବରେ ସାର୍ବଜନୀନ କରାଯାଉ ନାହିଁ।
ବିଜେପିର ପାଲଟା ଆକ୍ରମଣ
ବିରୋଧୀଙ୍କ ଏହି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବିଜେପି ନେତାମାନେ କହିଛନ୍ତି ଯେ, କଂଗ୍ରେସ ସବୁବେଳେ ସନାତନ ଧର୍ମ ଏବଂ ରାମ ମନ୍ଦିର ବିରୋଧୀ ମାନସିକତା ପ୍ରଦର୍ଶନ କରିଆସିଛି। “ଯେଉଁମାନେ ଶ୍ରୀରାମଙ୍କୁ କାଳ୍ପନିକ କହୁଥିଲେ ଏବଂ ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଅଗାଧ ବିଶ୍ୱାସ ଓ ସେମାନଙ୍କ ଦ୍ୱାରା ଅର୍ପିତ ଦାନକୁ ସେମାନେ ସହ୍ୟ କରିପାରୁନାହାନ୍ତି,” ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ
ଏହି ବିବାଦ ମଧ୍ୟରେ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରଦ୍ଧାଳୁମାନେ ଦେଇଥିବା ପ୍ରତିଟି ସୁନା, ରୂପା, ହୀରା ଏବଂ ଅନ୍ୟାନ୍ୟ ସାମଗ୍ରୀର ସଠିକ୍ ଡିଜିଟାଲ୍ ରେକର୍ଡ ରଖାଯାଉଛି। ସରକାରୀ ନିୟମ ଅନୁଯାୟୀ ଏହାର ମୂଲ୍ୟାଙ୍କନ (Valuation) କରାଯାଉଛି ଏବଂ ଏଥିରେ କୌଣସି ପ୍ରକାରର ଅନିୟମିତତା ହେବାର ପ୍ରଶ୍ନ ହିଁ ଉଠୁନାହିଁ। ବିବାଦ ସୃଷ୍ଟି କରିବା ପାଇଁ ଏଭଳି ମିଥ୍ୟା ଗୁଜବ ପ୍ରଚାର କରାଯାଉଥିବା ଟ୍ରଷ୍ଟ ସୂତ୍ରରୁ କୁହାଯାଇଛି।


