ଯୌତୁକ ଲୋଭର ଆଉ ଏକ କରୁଣ ପରିଣତି ସାମ୍ନାକୁ ଆସିଛି। ବିବାହର ମାତ୍ର ୩ ମାସ ପରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ଅଦାଲତ ଦୋଷୀ ସ୍ୱାମୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ ସମାଜରେ ବଢ଼ୁଥିବା ଯୌତୁକ ପ୍ରଥାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି।
![]()
୧୨ ବର୍ଷ ପରେ ମିଳିଲା ନ୍ୟାୟ
ଘଟଣାରୁ ପ୍ରକାଶ ଯେ, ୧୨ ଡିସେମ୍ବର ୨୦୧୩ରେ ଡାକ୍ତର ରେଖା ଗୁପ୍ତାଙ୍କ ବିବାହ ପ୍ରଶାନ୍ତ କୁମାର ସିହ୍ନାଙ୍କ ସହ ଅତି ଧୂମଧାମରେ ହୋଇଥିଲା। ମାତ୍ର ବିବାହର କିଛି ଦିନ ପରେ ହିଁ ସ୍ୱାମୀ ପ୍ରଶାନ୍ତ ଏକ ଦାମୀ ‘ଫକ୍ସୱାଗନ’ କାର୍ ଏବଂ ୫୦ ଲକ୍ଷ ଟଙ୍କା ଯୌତୁକ ଦାବି କରି ରେଖାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ରେଖାଙ୍କ ପରିବାର ଲୋକେ ଏହି ବିପୁଳ ପରିମାଣର ଦାବି ପୂରଣ କରିବାରେ ଅସମର୍ଥ ହୋଇଥିଲେ। ପ୍ରତିଦିନର ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ୬ ମାର୍ଚ୍ଚ ୨୦୧୪ରେ ଡାକ୍ତର ରେଖା ମୂଷା ମରା ବିଷ ଖାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ଦୀର୍ଘ ୧୨ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ପରିବାରକୁ ନ୍ୟାୟ ମିଳିଛି।
“ପ୍ରତିଟି ଝିଅର ପିତାମାତା ଆଜି ଭୟରେ” :- କୋର୍ଟ

ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଶୁନାଲୀ ଗୁପ୍ତା କହିଛନ୍ତି ଯେ, ଯୌତୁକ ଜନିତ ମୃତ୍ୟୁ କେବଳ ଜଣେ ମହିଳା କିମ୍ବା ତାଙ୍କ ପରିବାର ବିରୋଧରେ ନୁହେଁ, ବରଂ ସମଗ୍ର ସମାଜ ବିରୋଧରେ ଏକ ଜଘନ୍ୟ ଅପରାଧ। ଜଜ୍ ନିଜ ଟିପ୍ପଣୀରେ କହିଛନ୍ତି, “ଆଜି ପ୍ରତିଟି ଝିଅର ପିତାମାତା ସେମାନଙ୍କ ସନ୍ତାନର ଭବିଷ୍ୟତକୁ ନେଇ ଭୟରେ ବଞ୍ଚୁଛନ୍ତି। ଯଦି ସେମାନେ ଶାଶୁଘର ଲୋକଙ୍କ ଲୋଭ ଓ ଆଶା ପୂରଣ କରି ନପାରିବେ, ତେବେ ସେମାନଙ୍କ ଝିଅକୁ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିବ, ଏହି ଆଶଙ୍କା ଘରଲୋକଙ୍କ ମନରେ ସବୁବେଳେ ରହୁଛି।”
ଅଭିଯୁକ୍ତର ସନ୍ଦେହଜନକ ପୃଷ୍ଠଭୂମି

ମାମଲାର ଶୁଣାଣି ସମୟରେ ଅଭିଯୁକ୍ତ ପ୍ରଶାନ୍ତ ସିହ୍ନାଙ୍କ ସହ ଜଡ଼ିତ ଅନ୍ୟ କେତେକ ସନ୍ଦେହଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ସାକ୍ଷୀଙ୍କ ବୟାନ ଅନୁଯାୟୀ, ୨୦୨୨ ମସିହାରେ ପ୍ରଶାନ୍ତଙ୍କ ଦ୍ୱିତୀୟ ପତ୍ନୀଙ୍କର ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତେବେ ଅଦାଲତ ପ୍ରଥମ ପତ୍ନୀ ଡାକ୍ତର ରେଖାଙ୍କ ମୃତ୍ୟୁ ସହ ଜଡ଼ିତ ପ୍ରତ୍ୟକ୍ଷ ପ୍ରମାଣ ଆଧାରରେ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କଠୋର କାରାଦଣ୍ଡାଦେଶ ଶୁଣାଇଛନ୍ତି।


