ସାରା ଦେଶରେ ନିଟ୍ (NEET) ପେପର ଲିକ୍ ବିବାଦକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା କରିବା ସହ ରାହୁଲ ଗାନ୍ଧୀ ଏବଂ ‘କକରୋଚ୍ ଜନତା ପାର୍ଟି’ (CJP) ଉପରେ କଡ଼ା ପ୍ରହାର କରିଛନ୍ତି।

‘ଭୁଲ୍ ହୋଇଛି, ମୁଁ ଦାୟୀ’ : ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ନିଟ୍ ପରୀକ୍ଷାରେ ଯାହା ବି ତ୍ରୁଟି ହୋଇଛି, ତାହା ଆଦୌ ହେବା ଉଚିତ୍ ନଥିଲା। ସେ ନିଜେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି ବୋଲି ସ୍ୱୀକାର କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ତାଙ୍କ ବିଭାଗର କର୍ତ୍ତବ୍ୟ ବୋଲି କହିଛନ୍ତି। ସରକାର ସମାଲୋଚନାକୁ ଭୟ କରନ୍ତି ନାହିଁ, ବରଂ ଏଥିରୁ ଶିଖନ୍ତି। କିନ୍ତୁ ବିରୋଧୀମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରୁଛନ୍ତି ଏବଂ ପିଲାମାନଙ୍କ ମାନସିକ ଚାପ ବଢ଼ାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ଶ୍ରୀ ପ୍ରଧାନ କହିଛନ୍ତି ଯେ ରାହୁଲ ଛାତ୍ରଛାତ୍ରୀଙ୍କ ଚିନ୍ତା ଓ ଉଦ୍ବେଗର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ନାଗପୁରର ଜଣେ ପରୀକ୍ଷାର୍ଥୀଙ୍କ ସେଣ୍ଟର ବାବଦରେ NTA ନିଜ ଆଡ଼ୁ ସମସ୍ୟାର ସମାଧାନ କରିଥିଲେ ମଧ୍ୟ ରାହୁଲ ଗାନ୍ଧୀ ବିନା ତଥ୍ୟରେ ମାମଲାକୁ ନେଇ ଆକ୍ଷେପ କରିଥିଲେ। ସେହିପରି ବେଙ୍ଗାଲୁରୁରେ କଂଗ୍ରେସର ଏକ ରାଲି ଯୋଗୁଁ ଅନେକ ପିଲା ନିଟ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ହଇରାଣ ହୋଇଥିଲେ। ଏଥିପାଇଁ ରାହୁଲ ଗାନ୍ଧୀ ସର୍ବସମ୍ମୁଖରେ କ୍ଷମା ମାଗିବା ଦରକାର ବୋଲି ସେ ଦାବି କରିଛନ୍ତି।
କକ୍ରୋଚ୍ ଜନତା ପାର୍ଟିକୁ କହିଲେ ‘ଆନ୍ଦୋଳନଜୀବୀ’

ଏବେ ଦିଲ୍ଲୀର ଜନ୍ତରମନ୍ତରଠାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିବା CJP ଏବଂ ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ସେମାନଙ୍କୁ କେବଳ ବ୍ୟବସ୍ଥାକୁ ବିଗାଡ଼ିବା ଏବଂ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବା ‘ଆନ୍ଦୋଳନଜୀବୀ’ ବୋଲି ସେ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ କେବଳ ‘ଷ୍ଟଣ୍ଟବାଜି’ କରିବା ହିଁ ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏହା ପଛରେ ଲୁଚିଥିବା ଏଜେଣ୍ଡାକୁ ସମସ୍ତେ ଜାଣିସାରିଲେଣି।
NTAରେ ଆସିବ ବଡ଼ ପରିବର୍ତ୍ତନ

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ର ପରିଚାଳନା ନେଇ ଉଠିଥିବା ପ୍ରଶ୍ନ ଉପରେ ଶିକ୍ଷାମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ଏଥିରେ ବ୍ୟାପକ ସୁଧାର ଅଣାଯିବ। ଆସନ୍ତା ବର୍ଷଠାରୁ ନିଟ୍ ପରୀକ୍ଷାକୁ ଜେଇଇ (JEE) ଭଳି କମ୍ପ୍ୟୁଟର ଭିତ୍ତିକ ଟେଷ୍ଟିଂ (CBT) ମୋଡ୍ରେ କରାଯିବା ନେଇ ସରକାର ବିଚାର କରୁଛନ୍ତି। ଦେଶର ଶିକ୍ଷା ମାଫିଆମାନଙ୍କୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସହ ସରକାର କେବେହେଲେ ସାଲିସ୍ କରିବେ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


