କୋଚି ‘ୱାଟର ମେଟ୍ରୋ’ର ବଡ଼ ସଫଳତା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଆଉ ତିନୋଟି ପ୍ରମୁଖ ସହରରେ ଯାତାୟାତକୁ ସୁଗମ କରିବା ପାଇଁ ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି। ରାସ୍ତାରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ଶ୍ରୀନଗର, ଗୁଆହାଟୀ ଏବଂ କୋଲକାତାରେ ‘ୱାଟର ମେଟ୍ରୋ’ ପ୍ରକଳ୍ପର ସମ୍ଭାବ୍ୟତା ଅଧ୍ୟୟନ (DPR) ଏବଂ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ : କେବଳ ପର୍ଯ୍ୟଟନ ନୁହେଁ, ସାଧାରଣ ଲୋକଙ୍କୁ ସୁବିଧା
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେବଳ ପର୍ଯ୍ୟଟନର ବିକାଶ ନୁହେଁ, ବରଂ ଏହି ବଡ଼ ସହରଗୁଡ଼ିକର ବ୍ୟସ୍ତବହୁଳ ରାସ୍ତାରୁ ଲୋକଙ୍କୁ ମୁକ୍ତି ଦେବା ଏବଂ ଏକ ପରିବେଶ ଅନୁକୂଳ ତଥା ଶସ୍ତା ଯାତାୟାତ ବ୍ୟବସ୍ଥା ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିଦିନ ଅଫିସ୍ ଯାଉଥିବା ଲୋକେ ଏବଂ ସାଧାରଣ ଯାତ୍ରୀମାନେ ଏବେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଫସିବା ବଦଳରେ ନଦୀ ଓ ହ୍ରଦ ପଥ ଦେଇ ସିଧାସଳଖ ମୁଖ୍ୟ ସହରାଞ୍ଚଳ ସହ ଯୋଡ଼ି ହୋଇପାରିବେ। ଏହାଦ୍ୱାରା ସହରରେ କାର୍ବନ ନିର୍ଗମନ ହ୍ରାସ ପାଇବା ସହ ଏକ ସବୁଜ ସହରାଞ୍ଚଳ ପରିବହନ ବ୍ୟବସ୍ଥା (Green Urban Transport System) ବିକଶିତ ହେବାରେ ସାହାଯ୍ୟ ମିଳିବ।
ଆରମ୍ଭ ହେଲା DPR ପାଇଁ କାର୍ଯ୍ୟ
ପ୍ରାପ୍ତ ସୂଚନା ମୁତାବକ, ଏହି ସହରଗୁଡ଼ିକର ପ୍ରମୁଖ ଜଳପଥ ଯେପରିକି ଜାମ୍ମୁ-କାଶ୍ମୀରର ଝେଲମ୍ ନଦୀ ଓ ଡାଲ୍ ହ୍ରଦ, କୋଲକାତାର ହୁଗୁଳି ଏବଂ ଆସାମର ବ୍ରହ୍ମପୁତ୍ର ନଦୀ ଆଖପାଖରେ ‘ଫ୍ରଣ୍ଟ-ଏଣ୍ଡ୍ ଇଞ୍ଜିନିୟରିଂ ଡିଜାଇନ୍’ (FEED) ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଛି।

ରୁଟ୍ ଏବଂ ଟର୍ମିନାଲ୍ ପାଇଁ ସ୍ଥାନ ଚିହ୍ନଟ
ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ଯାକ ସହରରେ ଫିଜିବିଲିଟି ଟେଷ୍ଟ କରାଯାଇ ରୁଟ୍ ଏବଂ ଟର୍ମିନାଲ୍ ପାଇଁ ସ୍ଥାନ ସର୍ଟଲିଷ୍ଟ୍ କରାଯାଇସାରିଛି:
ଶ୍ରୀନଗର : ପନ୍ଥା ଚୌକ୍ ଏବଂ ହଜରତବଲ୍ ସମେତ ୨୧ଟି ପ୍ରମୁଖ ସ୍ଥାନ।
କୋଲକାତା : ହୁଗୁଳି ନଦୀ କୂଳରେ ବେଲୁର୍ ମଠ ଓ ହାୱଡ଼ା ସମେତ ୧୬ଟି ଘାଟ।
ଗୁଆହାଟୀ : IIT ଓ ବିମାନବନ୍ଦର କନେକ୍ଟିଭିଟିକୁ ମିଶାଇ ୧୨ଟି ପ୍ରମୁଖ ସ୍ଥାନ।
ବର୍ତ୍ତମାନ DPR ମାଧ୍ୟମରେ ଯାତ୍ରୀମାନଙ୍କ ଚାହିଦା, ଟର୍ମିନାଲ୍ ଭିତ୍ତିଭୂମି, ଆର୍ଥିକ ଖର୍ଚ୍ଚ ଏବଂ ନିୟମାବଳୀର ତର୍ଜମା କରାଯାଉଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଅତ୍ୟାଧୁନିକ ଡଙ୍ଗା/ଫେରୀ ସହିତ କ୍ରୁଜ୍ ଟର୍ମିନାଲ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବା ନେଇ ଟିମ୍ ପକ୍ଷରୁ ମିଳିଛି ସୂଚନା।


