ପୁଲିସ୍ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ଘଟଣାରେ ଶେଷରେ ଗିରଫ ହୋଇଛନ୍ତି ଟିଏମସିର ପୂର୍ବତନ ବିଧାୟକ ଜାହାଙ୍ଗିର ଖାନଙ୍କ ପତ୍ନୀ। ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ୍ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଥିଲା। ସେହିପରି ତାଙ୍କୁ ହାଫ ପ୍ୟାଣ୍ଟ ପିନ୍ଧାଇ ରାସ୍ତାରେ ଏକାଧିକ ଥର ଚଲାଇ ଚଲାଇ ନେଇଥିଲା। ସେ କାନ ଧରି ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଥିଲେ।
![]()
ତେବେ ଜାହାଙ୍ଗୀର ଖାନଙ୍କୁ ପୁଲିସ୍ ହେପାଜତରୁ ଖସାଇ ନେବା ପାଇଁ ତାଙ୍କ ପତ୍ନୀ ଉଦ୍ୟମ କରି ଏବେ ଗିରଫ ହୋଇଥିବା ଜଣାପଡ଼ିଛି। ୩୭ ବର୍ଷୀୟ ସରିନା ବିବିଙ୍କୁ ପୁଲିସ୍ ଶନିବାର ସକାଳୁ ଗିରଫ କରିଛି।
ଦୁଇ ଦିନ ତଳେ ବେଙ୍ଗଲର ଫାଲ୍ଟା ପୁଲିସ ଷ୍ଟେସନ ବାହାରେ ଗୋଟିଏ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଏହାର ନେତୃତ୍ୱ ସରିନା ବିବି ନେଇଥିଲେ। ସେ ପୁଲିସ୍ ହେପାଜତରୁ ଜାହାଙ୍ଗୀର ଖାନଙ୍କୁ ଖସାଇ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ। ପୁଲିସ୍ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ବିକ୍ଷୋଭ ବେଳେ ଆକ୍ରମଣ କରାଯାଇଥିଲା।
ଏହି ଘଟଣାରେ ପୁଲିସ୍ ୨୭ ଜଣଙ୍କୁ ଗିରଫ କରିଥିଲା। ଆଜି ସରିନା ବିବି ଗିରଫ ହୋଇଛନ୍ତି। ଏକାଧିକ ମାମଲାରେ ଫସିଥିବା ଜାହାଙ୍ଗୀର ଖାନକୁ ଜୁନ ୮ରେ ଗିରଫ କରାଯାଇଥିଲା। ଫାଲ୍ଟା ବିଧାନସଭା ଆସନର ଭୋଟିଂ ଦିନ ସେ ଇଭିଏମରେ ଥିବା ବିଜେପିର ପଦ୍ମ ଫୁଲ ଚିହ୍ନ ସୁଇଚରେ ଟେପ ମାରି ଦେଇଥିଲେ। ଏଥିପାଇଁ ଫାଲ୍ଟରେ ପୁନଃ ମତଦାନ ହୋଇଥିଲା।

ପୁନଃ ମତଦାନର ଦୁଇ ଦିନ ପୂର୍ବରୁ ହିଁ ଜାହାଙ୍ଗୀର ଖାନ ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିବା ଘୋଷଣା କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ତାଙ୍କୁ ଜୁନ ୮ରେ ଏସଟିଏଫ ନେପାଳ ସୀମାରୁ ଗିରଫ କରିଥିଲା।
ତାଙ୍କୁ ପୁଲିସ୍ ହେପାଜତରେ ରଖି ଜେରା କରୁଥିବା ବେଳେ ପତ୍ନୀ ସରିନା ବିବି ତାଙ୍କୁ ଖସାଇ ନେବାକୁ ବିକ୍ଷୋଭର ଆୟୋଜନ କରିଥିଲେ। ବିକ୍ଷୋଭ ବେଳେ ହିଂସାକାଣ୍ଡ ଘଟିବାରୁ ସରିନାଙ୍କ ବିରୋଧରେ ରାଜ୍ୟ ବିରୋଧୀ କାର୍ଯ୍ୟକଳାପ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।

ପୁଲିସ୍ ସୂତ୍ର ଅନୁସାରେ, ଜାହାଙ୍ଗୀର ଖାନଙ୍କ ପତ୍ନୀ ପୁଲିସ୍ ଷ୍ଟେସନ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲେ। ଗିରଫ ପରେ ଜାହାଙ୍ଗୀର ଖାନଙ୍କୁ କୁଖ୍ୟାତ ଅପରାଧୀଙ୍କ ଭଳି ପୁଲିସ୍ ବ୍ୟବହାର କରିଥିଲା। ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି ପୁଲିସ୍ ହାଫ ପ୍ୟାଣ୍ଟରେ ତାଙ୍କୁ ବିଚ୍ ରାସ୍ତାରେ ଚଲାଇ ଚଲାଇ ବୁଲାଇଥିଲା।
ତାଙ୍କୁ ସର୍ବସମ୍ମୁଖରେ ଖାନ ଧରି ଭୁଲ ମାଗିବାକୁ କହିଥିଲା। ଏସବୁ ଦେଖି ପତ୍ନୀ ସରିନା ବିବି ପୂରା କ୍ଷୁବ୍ଧ ହୋଇଥିଲେ। ଏଥିପାଇଁ ସେ ପୁଲିସ୍ ଷ୍ଟେସନ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲେ।
Also read : https://purvapaksa.com/bsf-seizes-26-foreign-made-weapons-including-ak-47-near-pakistan-border/


