ଆପଣମାନେ ଅନେକ ସମୟରେ ‘ସୀମାନିର୍ଦ୍ଧାରଣ’ ବା ‘ଡିଲିମିଟେସନ୍’ ଶବ୍ଦଟି ଶୁଣୁଥିବେ। ଏହାର ସହଜ ଅର୍ଥ ହେଉଛି ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କରିବା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (EAC-PM) ଏକ ଅତି ଗୁରୁତ୍ୱପୂର୍ଣ୍ଣ ୱର୍କିଂ ପେପର ପ୍ରକାଶ କରିଛି । ଏହି ରିପୋର୍ଟରେ ଏକ ଅଦ୍ଭୁତ ଫର୍ମୁଲା ଦିଆଯାଇଛି, ଯେଉଁଥିରେ କୁହାଯାଇଛି ଯେ, ସାରା ଦେଶର ସବୁ ଆସନକୁ ନ ବଦଳାଇ କେବଳ ୧୭୦ଟି ବଡ଼ ଲୋକସଭା ଆସନର ସ୍ୱତନ୍ତ୍ର ବିଭାଜନ କରାଯାଉ । ଆଉ ଏହାଦ୍ୱାରା ଦେଶରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୨ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।’ ତେବେ ପ୍ରକୃତରେ ଏହି ନୂଆ ଗଣିତ କ’ଣ ଏବଂ ଏହାଦ୍ୱାରା ଓଡ଼ିଶା ସମେତ ସାରା ଦେଶର ରାଜନୀତିରେ କଣ ପ୍ରଭାବ ପଡ଼ିବ?

ବର୍ତ୍ତମାନ ଆମ ଦେଶରେ ୫୩ଟି ନିର୍ବାଚିତ ଲୋକସଭା ଆସନ ରହିଛି, ଯାହା ପ୍ରାୟ ୧୯୭୧ ମସିହାର ଜନସଂଖ୍ୟା ଆଧାରରେ ଫ୍ରିଜ୍ ବା ସ୍ଥିର ହୋଇ ରହିଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ସିଟ୍ ସଂଖ୍ୟା ବଢ଼ିନାହିଁ, କିନ୍ତୁ ଭାରତର ଜନସଂଖ୍ୟା ବହୁତ ଗୁଣ ବୃଦ୍ଧି ପାଇସାରିଛି । ଫଳରେ ଜଣେ ଜଣେ ସାଂସଦ ଏବେ ୧୫ ରୁ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ପ୍ରତିନିଧିତ୍ୱ କରୁଛନ୍ତି, ଯାହା ବିଶ୍ୱର ଯେକୌଣସି ଗଣତନ୍ତ୍ର ତୁଳନାରେ ସବୁଠାରୁ ବଡ଼ ଆକାର।
ଏହି ସମସ୍ୟାର ସମାଧାନ ପାଇଁ EAC-PM ର ସଦସ୍ୟ ଶମିକା ରବି ଏବଂ ମୁଦିତ କପୁରଙ୍କ ଦ୍ୱାରା ପ୍ରସ୍ତୁତ ଏହି ମଡେଲ୍ରେ କୁହାଯାଇଛି ଯେ, ବର୍ତ୍ତମାନର ୫୩ଟି ସିଟ୍ ମଧ୍ୟରୁ ୧୭୦ଟି ଅତି ବଡ଼ ଆସନକୁ ଚିହ୍ନଟ କରାଯାଉ । ଏହି ୧୭୦ଟି ଆସନ ମଧ୍ୟରୁ ୫୯ଟି ଆସନକୁ ଦୁଇ ଭାଗ ଏବଂ ୧୧୧ଟି ଆସନକୁ ତିନି ଭାଗ କରାଯିବ । ଯଦି ଏହି ଗଣିତକୁ ଲାଗୁ କରାଯାଏ, ତେବେ ଭାରତୀୟ ସଂସଦ ବା ଲୋକସଭାର ମୋଟ ସିଟ୍ ସଂଖ୍ୟା ୫୪୩ ରୁ ବୃଦ୍ଧି ପାଇ ସିଧାସଳଖ ୮୨୪ ରେ ପହଞ୍ଚିବ । ଏହି ମଡେଲ ଅନୁସାରେ, ଯେଉଁ ୫୯ଟି ସିଟ୍କୁ ଦୁଇ ଭାଗ କରିବାକୁ କୁହାଯାଇଛି, ସେଥିମଧ୍ୟରୁ ୨୨ଟି ସିଟ୍ କେବଳ କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟରୁ ଆସୁଛି । ଆଉ ୩ ଭାଗ ହେବାକୁ ଥିବା ୧୧୧ଟି ଆସନ ମଧ୍ୟରେ ଉତ୍ତର ପ୍ରଦେଶର ୧୭, ମହାରାଷ୍ଟ୍ରର ୧୨, ବିହାରର ୧୦ ଏବଂ ପଶ୍ଚିମବଙ୍ଗର ୧୦ଟି ଆସନ ସାମିଲ ରହିଛି ।

ଏବେ ଆପଣମାନଙ୍କ ମନରେ ଏକ ବଡ଼ ପ୍ରଶ୍ନ ଆସୁଥିବ ଯେ, ଯଦି ଜନସଂଖ୍ୟା ଆଧାରରେ ଏହି ସିଟ୍ ବଢ଼ାଯାଏ, ତେବେ ଉତ୍ତର ଭାରତର ଉତ୍ତର ପ୍ରଦେଶ କିମ୍ବା ବିହାର ଭଳି ରାଜ୍ୟରେ ଜନସଂଖ୍ୟା ଅଧିକ ଥିବାରୁ ସେମାନଙ୍କର ସିଟ୍ ବହୁତ ବଢ଼ିଯିବ । କିନ୍ତୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଯେଉଁମାନେ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଖୁବ୍ ଭଲ ଭାବେ ପାଳନ କରିଛନ୍ତି, ସେମାନଙ୍କର ପ୍ରତିନିଧିତ୍ୱ କମିଯିବ । ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ବଡ଼ ରାଜନୈତିକ ବିବାଦ ଚାଲିଥିଲା।
କିନ୍ତୁ EAC-PM ର ଏହି ନୂଆ ମଡେଲ୍ ଏହି ସଙ୍ଘୀୟ ବିବାଦକୁ ଅତି ଚମତ୍କାର ଭାବେ ସମାଧାନ କରିଛି । ଏଥିରେ ‘ୟୁନିଫର୍ମ ସ୍ପ୍ଲିଟ୍’ ବଦଳରେ ‘ଟାର୍ଗେଟେଡ୍ ସ୍ପ୍ଲିଟ୍’ ବା ବହୁ-କାରକ ମାନଦଣ୍ଡ ଆପଣାଇବାକୁ କୁହାଯାଇଛି । ଏହାର ଅର୍ଥ ହେଉଛି, ସିଟ୍ ବୃଦ୍ଧି ହେବା ପରେ ମଧ୍ୟ ସଂସଦରେ ସବୁ ବଡ଼ ରାଜ୍ୟର ପ୍ରତିନିଧିତ୍ୱର ଅନୁପାତ ସମାନ ରହିବ ।
ଉଦାହରଣ ସ୍ୱରୂପ, ବର୍ତ୍ତମାନ ସଂସଦରେ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟର (ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ) ମୋଟ ସଂଶୋଧନ ହେଉଛି ପ୍ରାୟ ୨୩.୭% । ଏହି ନୂଆ ୮୨୪ ସିଟ୍ର ମଡେଲ୍ ଲାଗୁ ହେବା ପରେ ମଧ୍ୟ ସେମାନଙ୍କର ଅଂଶ ପ୍ରାୟ ୨୩.୬% ରହିବ, ଅର୍ଥାତ୍ କୌଣସି କ୍ଷତି ଘଟିବ ନାହିଁ । କେରଳର ଆସନ ୨୦ ରୁ ୩୦ କୁ ବଢ଼ିବ, ତାମିଲନାଡୁର ୩୯ ରୁ ୫୯ କୁ ବଢ଼ିବ ଏବଂ ଉତ୍ତର ପ୍ରଦେଶର ଆସନ ୮୦ ରୁ ୧୨୦ କୁ ବୃଦ୍ଧି ପାଇବ । ଏହା ସରକାରଙ୍କ ସେହି ପ୍ରତିଶ୍ରୁତି ସହ ମେଳ ଖାଉଛି, ଯେଉଁଥିରେ ସୁଦୂର ଦକ୍ଷିଣ ରାଜ୍ୟଗୁଡ଼ିକୁ ସୁରକ୍ଷା ଦେବାକୁ କୁହାଯାଇଥିଲା ।

ଏହି ରିପୋର୍ଟ ଦ୍ୱାରା ଆଉ ଏକ ବଡ଼ ଗାଣିତିକ ଦାବି କରାଯାଇଛି, ଯାହା ହେଉଛି ଭୋଟରଙ୍କ ଭାଗିଦାରୀ ବା ‘ଭୋଟର୍ ଟର୍ଣ୍ଣଆଉଟ୍’ । ୨୦୦୯ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନର ଡାଟାକୁ ବିଶ୍ଳେଷଣ କରି ଏହି ମଡେଲ୍ ଦର୍ଶାଇଛି ଯେ, ଯେତେବେଳେ ନିର୍ବାଚନ ମଣ୍ଡଳୀର ଆକାର ବହୁତ ବଡ଼ ହୋଇଥାଏ, ସେଠାରେ ଭୋଟ୍ ପ୍ରତିଶତ କମିଯାଏ ।
ବିଶେଷ କରି ସହରାଞ୍ଚଳରେ ଏବଂ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଏ । ସମ୍ପୂର୍ଣ୍ଣ ସହରୀ ଆସନ ଗୁଡ଼ିକରେ ଗ୍ରାମାଞ୍ଚଳ ତୁଳନାରେ ମହିଳାମାନେ ପ୍ରାୟ ୫% କମ୍ ଭୋଟ୍ ଦେଇଥାନ୍ତି । ଯେତେବେଳେ ଏହି ବଡ଼ ଆସନ ଗୁଡ଼ିକୁ ଭାଙ୍ଗି ଛୋଟ ଏବଂ ସୀମିତ କରାଯିବ, ସେତେବେଳେ ପ୍ରଶାସନ ପାଇଁ ପରିଚାଳନା ସହଜ ହେବ ଏବଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ପୋଲିଂ ବୁଥ୍ ନିକଟତର ହେବ। ଏହି କାରଣରୁ ଦେଶରେ ସମଗ୍ର ଭୋଟ୍ ପ୍ରତିଶତ ପ୍ରାୟ ୨.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ, ଯାହାର ଅର୍ଥ ହେଉଛି ପ୍ରାୟ ୨ କୋଟି ଅଧିକ ନୂଆ ସଚେତନ ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ।
ତେବେ ଏହି ରିପୋର୍ଟର ସବୁଠାରୁ ବଡ଼ ପ୍ରଶାସନିକ ଦିଗ ହେଉଛି ; ମହିଳା ସଂରକ୍ଷଣର ପ୍ରାଥମିକ କାର୍ଯ୍ୟକାରିତା । ସରକାର ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଛନ୍ତି, ଯେଉଁଥିରେ ୩୩% ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । କିନ୍ତୁ ଏହା ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । EAC-PM ର ଏହି ମଡେଲ୍ ୨୦୧୧ ଜନସଂଖ୍ୟାକୁ ଆଧାର କରି ଏହାକୁ ତୁରନ୍ତ ଏବଂ ସନ୍ତୁଳିତ ଭାବେ କରିବା ପାଇଁ ବାଟ ଦେଖାଇଛି । ୨୦୨୭ ଜନଗଣନା ପରେ ଗଠିତ ହେବାକୁ ଥିବା ଡିଲିମିଟେସନ୍ କମିଶନ ଏହି ଫର୍ମୁଲାକୁ ବ୍ୟବହାର କରି ଦେଶରେ ଏକ ବଡ଼ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ସଂସ୍କାର ଆଣିପାରିବେ, ଯାହା ୨୦୨୯ ନିର୍ବାଚନର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେବ।
Also read : https://purvapaksa.com/the-central-government-signed-an-mou-for-oil-and-gas-production/


