ଆଜିର ଦିନରେ ହଳଦିପତ୍ର ପିଠା ବା ଏଣ୍ଡୁରି ପିଠାର ମହକରେ ମହକି ଉଠୁଛି ପ୍ରତ୍ୟେକ ଓଡ଼ିଆ ଘର।
ସକାଳୁ ସକାଳୁ ମା’ମାନେ ଉଠି ମଣ୍ଡା ପିଠା, ହଳଦିପତ୍ର ପିଠା ବା ଏଣ୍ଡୁରି ପିଠା, ଇଟିଲି ପିଠା ଆଦି ତିଆରି କରିଥାନ୍ତି I ଏଣ୍ଡୁରି ପିଠା କେବଳ ସ୍ୱାଦିଷ୍ଟ ହୋଇନଥାଏ ଏହାକୁ ଖାଇବାଦ୍ୱାରା ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ। ଏହି ପିଠା ତିଆରି ପାଇଁ ହଳଦୀପତ୍ରର ବ୍ୟବହାର କରାଯାଇଥାଏ । ଏହି ପିଠା ଛଡ଼ା ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ I ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି। ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ।
ନିଶ୍ଚୟ ଆପଣସମସ୍ତଙ୍କୁ ଏଣ୍ଡୁରି ପିଠା ବନେଇ ଆସୁଥିବ । ଯେଉଁମାନଙ୍କୁ ଆସୁ ନାହିଁ ଚାଲନ୍ତୁ ଆଜି ବହୁତ ହିଁ ସହଜ ଉପାୟରେ ତିଆରି କରିବା ଏଣ୍ଡୁରି ପିଠା । ଏଥିପାଇଁ ଆମକୁ କିଛି ସାମଗ୍ରୀ ଆବଶ୍ୟକ ହେବ। ଯେମିତି କି ଅରୁଆ ଚାଉଳ, ବିରି, ଲୁଣ, ଗୁଡ଼, ଅଳେଇଚ ଗୁଣ୍ଡ, ନଡ଼ିଆ ଏବଂ ହଳଦୀପତ୍ର । ପ୍ରଥମେ ପିଠା ପାଇଁ ନଡ଼ିଆ ପୁର ତିଆରି କରିନେବା ।
ନଡ଼ିଆ ପୁର
ନଡ଼ିଆପୁର ତିଆରି କରିବା ପାଇଁ ପ୍ରଥମେ ନଡ଼ିଆକୁ ଭଲ ଭାବରେ ଛଡ଼େଇ ନିଅନ୍ତୁ । ଏହାପରେ ନଡ଼ିଆ କୋରଣା ସାହାଯ୍ୟରେ କୋରି ନିଅନ୍ତୁ । କଡ଼େଇ ଗରମ କରି ସେଥିରେ ପରିମାଣ ଅନୁସାରେ ଗୁଡ଼ ପକେଇ ତାକୁ ତରଳିବାକୁ ଦିଅନ୍ତୁ । ଗ୍ୟାସକୁ ମିଡ଼ିଅମ ଫ୍ଲେମରେ ରଖି ବଡ଼ ଚାମଚ ସାହାଯ୍ୟରେ କ୍ରମାଗତ ଭାବେ ଘାଣ୍ଟନ୍ତୁ । ଗୁଡ଼ ଭଲ ଭାବରେ ଗରମ ହୋଇଯିବା ପରେ ସେଥିରେ ନଡ଼ିଆ ପକେଇ ଭଲ ଭାବରେ ମିଶେଇ ଦିଅନ୍ତୁ । ନଡ଼ିଆ ଟିକେ ନରମ ହୋଇ ଗଲେ ସେଥିରେ ଅଳେଇଚ ଗୁଣ୍ଡ ପକେଇ ମିଶାନ୍ତୁ । ମିଡ଼ିଅମ ଫ୍ଲେମରେ ଏହାକୁ ୧୦-୧୫ ଭଲ ଭାବରେ ଭାଜନ୍ତୁ । ଯେତେବେଳେ ନଡ଼ିଆ ଓ ଗୁଡ଼ ଭଲ ଭାବରେ ମିଶିଯିବ ବା କଡ଼େଇରୁ ନଡ଼ିଆ ପୁର ଛାଡ଼ି ଆସିବ ସେତେବେଳେ ଆପଣଙ୍କର ନଡ଼ିଆ ପୁର ପ୍ରସ୍ତୁତ ହୋଇଯିବ ।
ଆଣ
ଆଣ ତିଆରି କରିବା ପାଇଁ ଅରୁଆ ଚାଉଳ, ବିରି, ଲୁଣ, ଚିନି ଆଦିକୁ ମିଶାଇ କିଛି ସମୟ ପାଇଁ ପାଣିରେ ବତୁରିବା ପାଇଁ ରଖି ଦିଅନ୍ତୁ । ଏହାପରେ ସମସ୍ତ ସାମଗ୍ରୀକୁ ବାଟି କିଛି ସମୟ ପାଇଁ ରଖି ଦିଅନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗୋଟିଏ ହାଣ୍ଡିରେ ପାଣି ଦେଇ ସେହି ହାଣ୍ଡିର ମୁହଁରେ କନାବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖନ୍ତୁ । ଏହାକୁ ‘ଅଥରା ହାଣ୍ଡି’ କୁହାଯାଏ। ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ଲମ୍ବା ଭାବରେ ପୁରମିଶା ଆଣ ରଖି ଘୋଡ଼ଣି ଦେଇ ଢାଙ୍କି ଦିଅନ୍ତୁ । ୧୫ -୨୦ ମିନିଟ ହାଇ ଫ୍ଲେମରେ ସିଝିବାକୁ ଦିଅନ୍ତୁ । ପିଠା ସିଝିଯିବା ପରେ କିଛି ସମୟ ପାଇଁ ତାକୁ ବାହାରକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହେଇଗଲା ଆପଣଙ୍କର ଗରମ ଆଉ ନରମ ଏଣ୍ଡୁରି ପିଠା । ଏହାକୁ ଆପଣ ଏମିତି ଖାଇ ପାରିବେ ବା ମଟର ତରକାରୀ ସହ ମଧ୍ୟ ଖାଇ ପାରିବେ ।
ALSO READ:https://purvapaksa.com/odia-festival-prathamastami/