ରାଜନୀତିରେ ଆରୋପ-ପ୍ରତ୍ୟାରୋପ କୌଣସି ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ ଏହି ରାଜନୈତିକ ଲଢ଼େଇ ଭିତରକୁ ନେତାମାନଙ୍କ ପରିବାର, ବିଶେଷ କରି ସେମାନଙ୍କ ପତ୍ନୀମାନଙ୍କୁ ଟଣାଯାଏ, ସେତେବେଳେ ମାମଲା କେବଳ ସରଗରମ ହୁଏନି, ବରଂ ଅନେକ ସମୟରେ ଆଇନଗତ ଅଡ଼ୁଆ ମଧ୍ୟ ସୃଷ୍ଟି କରେ।
ଆଜି ଆମେ ଦୁଇଟି ବଡ଼ ଘଟଣାକୁ ନେଇ ବିଶ୍ଳେଷଣ କରିବା। ଗୋଟିଏ ଆସାମର, ଯାହାର ପ୍ରଭାବ ଏବେ ସାରାଦେଶ ଦେଖୁଛି ଏବଂ ଅନ୍ୟଟି ଆମ ଓଡ଼ିଶାର, ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ଉତ୍ତପ୍ତ।
କଥାଟା ହେଉଛି— ରାଜନୈତିକ ଫାଇଦା ପାଇଁ ବିନା ପ୍ରମାଣରେ ବଡ଼ ନେତାଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ଆଣିବା କେତେ ମହଙ୍ଗା ପଡ଼ିପାରେ, ତାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି କଂଗ୍ରେସର ବଡ଼ ନେତା ପବନ ଖେଡ଼ା। ଆଉ ଠିକ୍ ସେହି ଢଙ୍ଗରେ ଓଡ଼ିଶାରେ ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।
ଆସନ୍ତୁ ପ୍ରଥମେ ନଜର ପକାଇବା ଆସାମ ଘଟଣା ଉପରେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା। କଂଗ୍ରେସ ନେତା ପବନ ଖେଡ଼ା ଏକ ପ୍ରେସ୍ କନଫରେନ୍ସ କରି ଅଭିଯୋଗ ଆଣିଥିଲେ ଯେ, ରିଙ୍କି ଶର୍ମାଙ୍କ ପାଖରେ ଗୋଟିଏ କି ଦୁଇଟି ନୁହେଁ, ବରଂ ୩ଟି ଦେଶର ପାସପୋର୍ଟ ରହିଛି! ଜଣେ ଭାରତୀୟ ନାଗରିକଙ୍କ ପାଖରେ ୩ଟି ଦେଶର ପାସପୋର୍ଟ ରହିବା ଆଇନଗତ ଭାବେ କେତେ ବଡ଼ ଅପରାଧ, ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି।
କିନ୍ତୁ, ଏହି ଅଭିଯୋଗ ପରେ ରିଙ୍କି ଶର୍ମା ଚୁପ୍ ବସିନଥିଲେ। ସେ ସିଧାସଳଖ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପୋଲିସରେ ଏତଲା ବା FIR ଦାୟର କଲେ। ପରିଣାମ କଣ ହେଲା? ସେହି ଦିନଠାରୁ କଂଗ୍ରେସ ନେତା ପବନ ଖେଡ଼ା ଏହି ମାମଲାରେ ଏମିତି ଘାଣ୍ଟି ହେଉଛନ୍ତି ଯେ, ସେଥିରୁ ବାହାରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। କୋର୍ଟ-କଚେରୀ ଏବଂ ପୋଲିସର ଚକ୍କର କାଟି କାଟି ସେ ଆଣିଥିବା ଅଭିଯୋଗର ପ୍ରମାଣ ଦେଇପାରୁନାହାନ୍ତି। ବିନା ପ୍ରମାଣରେ କାହାର ବ୍ୟକ୍ତିଗତ ସମ୍ମାନ ହାନି କରିବା ଯେ କେତେ ବଡ଼ ଭୁଲ୍, ତାହା ପବନ ଖେଡ଼ା ବେଶ୍ ଭଲ ଭାବେ ବୁଝିସାରିବେଣି।
ଠିକ୍ ଏହି ଆସାମ ଢାଞ୍ଚାରେ ଏବେ ଓଡ଼ିଶାରେ ଏକ ବଡ଼ ରାଜନୈତିକ ବିବାଦ ମୁଣ୍ଡ ଟେକିଛି। ଏଥର ଟାର୍ଗେଟ୍ରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ।
ବିଜେଡି ସାଂସଦ ସୁଲତା ଦେଓ ଏବଂ ଦଳର ମୁଖପାତ୍ର ଲେଲିନ ମହାନ୍ତି ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଆରୋପ ଲଗାଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆମେରିକାରେ ‘ବିକାଶ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ବା ଏନଜିଓ ରହିଛି, ଯାହା ସହ ମୃଦୁଳା ଠାକୁରଙ୍କ ସମ୍ପର୍କ ରହିଛି ଏବଂ ସେଠାରେ ତାଙ୍କର ବିପୁଳ ସମ୍ପତ୍ତି ରହିଛି।
ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି ଯେ, ଏହି ସମ୍ପତ୍ତିର ଉତ୍ସ କଣ?
ନିର୍ବାଚନ ସମୟରେ ଦିଆଯାଇଥିବା ସପଥପତ୍ର ବା ଆଫିଡେଭିଟ୍ରେ ଏହି ସମ୍ପତ୍ତି ବିଷୟରେ କାହିଁକି ଉଲ୍ଲେଖ କରାଯାଇନାହିଁ?
ଏବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଯଦି ବିଜେଡି ପାଖରେ ଦୃଢ଼ ପ୍ରମାଣ ଅଛି, ତେବେ ଠିକ୍ ଅଛି। କିନ୍ତୁ ଯଦି ଏହି ଅଭିଯୋଗ ମଧ୍ୟ ପବନ ଖେଡ଼ାଙ୍କ ଅଭିଯୋଗ ଭଳି କେବଳ ଏକ ରାଜନୈତିକ ଷ୍ଟଣ୍ଟ୍ ବା ମିଥ୍ୟା ହୋଇଥାଏ, ତେବେ ମୃଦୁଳା ଠାକୁର କଣ କରିବେ?
ଜନସାଧାରଣ ଏବଂ ରାଜନୈତିକ କରିଡରରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଲାଣି। ପ୍ରଶ୍ନ ଉଠୁଛି, ଯଦି ମୃଦୁଳା ଠାକୁରଙ୍କର ଆମେରିକାରେ କୌଣସି ସମ୍ପତ୍ତି ନାହିଁ, ତେବେ ସେ ସ୍ପଷ୍ଟୀକରଣ ରଖନ୍ତୁ। ଆଉ ଯଦି ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ତାଙ୍କ ବ୍ୟକ୍ତିଗତ ମର୍ଯ୍ୟାଦା ହାନି କରିବାକୁ କରାଯାଇଛି, ତେବେ ସେ ଆସାମର ରିଙ୍କି ଶର୍ମାଙ୍କ ଭଳି ସାହସ ଦେଖାଇ ବିଜେଡି ସାଂସଦ ସୁଲତା ଦେଓ ଏବଂ ମୁଖପାତ୍ର ଲେଲିନ ମହାନ୍ତିଙ୍କ ବିରୋଧରେ କେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ସେ କେବେ ପୋଲିସରେ ଏତଲା ଦେବେ?
ପବନ ଖେଡ଼ା ଯେଉଁଭଳି ଭାବେ ଆଜି ଆଇନ ଜାଲରେ ଘାଣ୍ଟି ହେଉଛନ୍ତି, ସେହି ସମାନ ପରିସ୍ଥିତି ଓଡ଼ିଶାରେ ବିଜେଡି ନେତାମାନଙ୍କ ପାଇଁ ସୃଷ୍ଟି ହେବନି ତ? ଏହା କେବଳ ଏକ ନିର୍ବାଚନୀ ବା ଚିରାଚରିତ କାଦୁଅ ଫିଙ୍ଗା ରାଜନୀତି, ନା ଏହା ପଛରେ କିଛି ସତ୍ୟତା ଅଛି, ତାହା ସମୟ କହିବ। କିନ୍ତୁ ଏଭଳି ସ୍ପର୍ଶକାତର ମାମଲାରେ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାର କୋର୍ଟ କିମ୍ବା ପୋଲିସର ଦ୍ୱାରସ୍ଥ ହୁଅନ୍ତି, ତେବେ ବିଜେଡିର ଏହି ଦୁଇ ପ୍ରମୁଖ ନେତାଙ୍କ ଅଡ଼ୁଆ ଯେ ବଢ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ।
କିନ୍ତୁ ଯଦି ନୀରବ ରୁହନ୍ତି ତେବେ ମତଦାତାଙ୍କ ମନରେ ସନ୍ଦେହ ଉପୁଜିବ। ଆଉ ଏହି ସନ୍ଦେହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜନୀତିରେ କେତେ ଯେ କ୍ଷତି କରାଇବ ତାହା ସେ ନିଜେ ବି ଜାଣି ନାହାନ୍ତି।
AlsoRead; https://purvapaksa.com/28-years-of-hard-work-ended-in-just-one-month/
୨୮ ବର୍ଷର ପରିଶ୍ରମ ମାତ୍ର ୧ ମାସରେ ଶେଷ!” || “28 years of hard work ended in just one month!”


