ପଶ୍ଚିମବଙ୍ଗ ରାଜନୀତିରୁ ଏବେ ଏକ ଏଭଳି ସାଂଘାତିକ ଖବର ସାମ୍ନାକୁ ଆସୁଛି, ଯାହା ସାରା ଦେଶକୁ ଚକିତ କରିଦେଇଛି। ଯେଉଁ ତୃଣମୂଳ କଂଗ୍ରେସ ବା ଟିଏମସିକୁ ମମତା ବାନାର୍ଜୀ ନିଜ ରକ୍ତ ଓ ଝାଳ ଦେଇ ଦୀର୍ଘ ୨୮ ବର୍ଷ ଧରି ଗଢ଼ିଥିଲେ, ଆଜି ସେହି ଦଳ ତାଙ୍କ ହାତରୁ ଖସିଗଲା।
ମମତା ବାନାର୍ଜୀଙ୍କ ସହ ଏକ ବଡ଼ ରାଜନୈତିକ ଟ୍ରାଜେଡି ଘଟିଯାଇଛି। ବଙ୍ଗଳା ବିଧାନସଭାର ସଚିବାଳୟରେ ଏହା ଦେଖିବାକୁ ମିଳିଛି।
ମାତ୍ର ମାସକ ତଳେ, ଅର୍ଥାତ୍ ମେ’ ୩ ତାରିଖରେ, ନିର୍ବାଚନ ଫଳାଫଳ ଆସିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ବଙ୍ଗଳାରେ ଜିତିବା ଏବଂ ସରକାର ଗଢ଼ିବାର ବଡ଼ ବଡ଼ ଦାବି କରୁଥିଲେ।
କିନ୍ତୁ ଆଜି ମାତ୍ର ଗୋଟିଏ ମାସ ଭିତରେ ପରିସ୍ଥିତି ଏମିତି ବଦଳିଯାଇଛି ଯେ, ମମତା ଏବେ ନିଜ ସରକାର ନୁହେଁ, ବରଂ ନିଜ ଦଳକୁ ବଞ୍ଚାଇ ପାରି ନାହାନ୍ତି। ବାସ୍ତବତା ହେଉଛି, ଦଳ ଉପରୁ ଏବେ ତାଙ୍କର କଣ୍ଟ୍ରୋଲ୍ ବା ନିୟନ୍ତ୍ରଣ ପ୍ରାୟ ଶେଷ ହୋଇଯାଇଛି।
ଟିଏମସିରେ ପ୍ରକୃତରେ କଣ ଘଟିଲା? ତୃଣମୂଳ କଂଗ୍ରେସର ପ୍ରାୟ ୫୮ ଜଣ ବାଗୀ ବା ବିଦ୍ରୋହୀ ବିଧାୟକ ଏକାଠି ହୋଇ ବାଚସ୍ପତି ରତୀନ୍ଦ୍ର ବୋଷଙ୍କୁ ଭେଟିବାକୁ ପହଞ୍ଚିଥିଲେ। ସେମାନେ ଏକ ସମର୍ଥନ ପତ୍ର ବାଚସ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ଦଳରୁ ବହିଷ୍କୃତ ହୋଇସାରିଥିବା ନେତା ଋତୁବ୍ରତ ବାନାର୍ଜୀଙ୍କୁ ‘ନେତା ବିରୋଧୀ ଦଳ’ (Leader of Opposition) ଭାବେ ଚୟନ କରିବାକୁ ଦାବି କରାଯାଇଛି। ଏହି ଚିଠିରେ ୫୮ ଜଣ ବିଧାୟକଙ୍କ ସ୍ୱାକ୍ଷର ରହିଛି। ଖାଲି ସେତିକି ନୁହେଁ, ଅଖରୁଦ୍ ଜମାନଙ୍କୁ ମୁଖ୍ୟ ସଚେତକ ଏବଂ ଜାଭେଦ୍ ଖାନ, ସନ୍ଦୀପନ ସାହା ଓ ଶିବଲୀ ସାହାଙ୍କୁ ଉପନେତା କରିବା ପାଇଁ ମଧ୍ୟ ପତ୍ର ଦିଆଯାଇଛି । ବାଚସ୍ପତି ମଧ୍ୟ ଏହି ଦାବିକୁ ଗ୍ରହଣ କରି ସାରିଛନ୍ତି ଏବଂ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରି ତାଙ୍କୁ ରୁମ୍ ମଧ୍ୟ ଆଲର୍ଟ କରିଦେଇଛନ୍ତି।
ତେବେ ଏଠାରେ ଏକ ମଜାଦାର ଏବଂ ବଡ଼ ରହସ୍ୟମୟ କଥା ରହିଛି। ବିଧାନସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଚିଠିରେ ବିଦ୍ରୋହୀ ବିଧାୟକମାନେ ମମତା ବାନାର୍ଜୀଙ୍କୁ ନିଜର ଚେୟାରପର୍ସନ ବୋଲି ସ୍ୱୀକାର କରିଛନ୍ତି । ଏହାର ଅର୍ଥ, ଏହି ବିଦ୍ରୋହ ସିଧାସଳଖ ମମତା ବାନାର୍ଜୀଙ୍କ ବିରୋଧରେ ନୁହେଁ, ବରଂ ମମତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବିରୋଧୀ ଦଳ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ବିରୋଧରେ।
କିନ୍ତୁ ବିରୋଧୀ ଦଳ ନେତା ହେବା ପରେ ଋତୁବ୍ରତ ବାନାର୍ଜୀ ଯେଉଁ ବୟାନ ଦେଇଛନ୍ତି, ତାହା ମମତାଙ୍କ ପାଇଁ ଏକ ବଡ଼ ଝଟ୍କା। ସେ ସିଧାସଳଖ କହିଛନ୍ତି— “ଆମେ ଯେଉଁ ୫୮ ଜଣ ବିଧାୟକ ଏକାଠି ହୋଇଛୁ, ଆମେ ହିଁ ଅସଲି ତୃଣମୂଳ। ମମତା ବାନାର୍ଜୀ ଦଳର ମୁଖ୍ୟ ପରାମର୍ଶଦାତା (Chief Advisor) ଭାବେ ରହି ଆମକୁ ମାର୍ଗଦର୍ଶନ କରନ୍ତୁ, କିନ୍ତୁ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କର ଏହି ଦଳରେ ଆଉ କୌଣସି ଭୂମିକା ରହିବ ନାହିଁ “। ସେ ଅଭିଷେକ ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି କି, ଅଭିଷେକ ବାନାର୍ଜୀ ଚୋର ଭଳି ମାଡ଼ ଖାଇ ଗତ ୨୬ ଦିନ ହେବ ଲୁଚି ରହିଥିଲେ ଏବଂ ଏବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିଜର ସୁରକ୍ଷା ବଢ଼ାଇବାକୁ ମାଗୁଛନ୍ତି।
ଏହି ବିଦ୍ରୋହ ପରେ ଟିଏମସି ନେତୃତ୍ୱ ଭିତରେ କମ୍ପନ ସୃଷ୍ଟି ହୋଇଛି। ଦଳ ତରଫରୁ ତୁରନ୍ତ ସମସ୍ତ ସାଂଗଠନିକ କମିଟିକୁ ଭଙ୍ଗ କରିଦିଆଯାଇଛି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ମମତା ବାନାର୍ଜୀଙ୍କ ପାର୍ଟି କଣ ସତରେ ଭାଙ୍ଗିଯିବ? କଣ ମମତାଙ୍କ କଣ୍ଟ୍ରୋଲ୍ ସମ୍ପୂର୍ଣ୍ଣ ଶେଷ?
ଏହାକୁ ଆପଣ ସଂଖ୍ୟାର ଗଣିତରେ ବୁଝନ୍ତୁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ର ମୋଟ ୮୦ ଜଣ ବିଧାୟକ ଜିତିଥିଲେ। ଦଳ ବଦଳ ଆଇନରୁ ରକ୍ଷା ପାଇବା ପାଇଁ ଏବଂ ଏକ ପୃଥକ ଗୋଷ୍ଠୀ ଗଢ଼ିବା ପାଇଁ ଅତିକମରେ ଦୁଇ-ତୃତୀୟାଂଶ (୨/୩) ଅର୍ଥାତ୍ ୫୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କିନ୍ତୁ ଏହି ବାଗୀ ଗୋଷ୍ଠୀ ପାଖରେ ଏବେ ୫୮ ଜଣ ବିଧାୟକ ଅଛନ୍ତି! ଅର୍ଥାତ୍ ଆଇନଗତ ଭାବେ ସେମାନେ ସଂଖ୍ୟା ଗରିଷ୍ଠତା ସୀମା ପାର୍ କରିସାରିଛନ୍ତି।
ଗତ ରବିବାର ଦିନ ମମତା ବାନାର୍ଜୀ ଯେତେବେଳେ ବିଧାୟକମାନଙ୍କର ଏକ ଜରୁରୀ ବୈଠକ ଡକାଇଥିଲେ, ସେତେବେଳେ ୮୦ ରୁ ମାତ୍ର ୨୦ ଜଣ ବିଧାୟକ ସେଠାକୁ ଆସିଥିଲେ। ସେତିକି ବେଳେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ମମତାଙ୍କ ଗଡ଼ ଏବେ ଦୋହଲି ଯାଇଛି। ୮୦ ରୁ ୫୮ ଜଣ ବିଧାୟକ ବିଦ୍ରୋହ କରିବା ମାନେ, ମମତା ବାନାର୍ଜୀ ବିଧାନସଭା ଭିତରେ ନିଜର ସମସ୍ତ ପାୱାର୍ ବା ଶକ୍ତି ହରାଇ ସାରିଛନ୍ତି।
ବଙ୍ଗଳାର ଏହି ସ୍ଥିତି ଆପଣଙ୍କୁ ମହାରାଷ୍ଟ୍ର ରାଜନୀତି କଥା ମନେ ପକାଇ ଦେଉଥିବ। ଯେଉଁଭଳି ଭାବେ ଏକନାଥ ସିନ୍ଦେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ନେଇ ଉଦ୍ଧବ ଠାକରେଙ୍କ ହାତରୁ ବାଲ୍ ଠାକରେଙ୍କ ପାର୍ଟିକୁ ଛଡ଼ାଇ ନେଇଥିଲେ, ଠିକ୍ ସେହିପରି ଢଙ୍ଗରେ ବଙ୍ଗଳାରେ ମଧ୍ୟ ଖେଳ ଚାଲିଛି। ବାଗୀ ବିଧାୟକମାନେ କହିଛନ୍ତି ଯେ, ଏହା ହେଉଛି ଦେଶରେ ପରିବାରବାଦ ଶେଷ ହେବାର ଆଉ ଏକ ବଡ଼ ସଙ୍କେତ। ପରିବାରବାଦରୁ ମୁକ୍ତ ହେବା ପାଇଁ ବିଧାୟକମାନେ ଏହି ଲଢ଼େଇ କରୁଛନ୍ତି।
ଅପରପକ୍ଷରେ, ମମତା ବାନାର୍ଜୀଙ୍କ ସହ ରହିଥିବା ଅଫିସିଆଲ୍ ଟିଏମସିର ପ୍ରାୟ ୨୨ ଜଣ ବିଧାୟକ ଏବଂ ବରିଷ୍ଠ ନେତା କୁଣାଳ ଘୋଷ ଏହାକୁ ଏକ ବଡ଼ ବିଶ୍ୱାସଘାତକତା ଓ ପଛପଟୁ ଛୁରୀ ମାରିବା ଭଳି କାର୍ଯ୍ୟ ବୋଲି କହିଛନ୍ତି।
ସେମାନଙ୍କ କହିବା କଥା ହେଉଛି— ଏହି ସବୁ ବିଧାୟକମାନେ ମମତା ବାନାର୍ଜୀଙ୍କ ଚିହ୍ନରେ ଜିତି ଆସିଛନ୍ତି, ପାର୍ଟି ମାନେ ହିଁ ମମତା ବାନାର୍ଜୀ। ବିଭିନ୍ନ ଦୁର୍ନୀତି ଆରୋପ ଓ କେନ୍ଦ୍ରୀୟ ଏଜେନ୍ସିର ଭୟରେ ଏମାନେ ବିଜେପି ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ଏବଂ ନିଜକୁ ବଞ୍ଚାଇବା ପାଇଁ ଏଭଳି କରୁଛନ୍ତି।
ଏହି ଆଇନଗତ ଲଢ଼େଇ ଚାଲିଥିବା ବେଳେ, ଦଳ ଭିତରୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଟିଏମସିର ସବୁଠାରୁ ବଡ଼ ମୁସଲିମ୍ ଚେହେରା ତଥା ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଅନ୍ତରଙ୍ଗ ବୋଲାଉଥିବା ନେତା ଫିରହାଦ୍ ହକିମ୍ କଲିକତାର ମେୟର ପଦରୁ ସିଧାସଳଖ ଇସ୍ତଫା ଦେଇଦେଇଛନ୍ତି! ଜଣେ ପରେ ଜଣେ ବିଶ୍ୱସ୍ତ ନେତା ସାଥ୍ ଛାଡ଼ିବା ପରେ, ବିଧାନସଭା ଭିତରେ ଟିଏମସି ସ୍ପଷ୍ଟ ଭାବେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।
ଏବେ ଆସନ୍ତୁ ସେହି ବଡ଼ ପ୍ରଶ୍ନ ଉପରକୁ— ହଠାତ୍ ଏତେ ବଡ଼ ବିଦ୍ରୋହ କାହିଁକି ହେଲା? ଏହି ଲଢ଼େଇ କଣ ହଠାତ୍ ଆରମ୍ଭ ହୋଇଛି? ନା, ଏହା ପଛରେ ରହିଛି ବିଧାୟକମାନଙ୍କର ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ।
ଗତ ମେ’ ୬ ତାରିଖରେ, ଅର୍ଥାତ୍ ନିର୍ବାଚନ ଫଳାଫଳ ଆସିବାର ଠିକ୍ ଦୁଇ ଦିନ ପରେ, ମମତା ବାନାର୍ଜୀଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା। ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ସେଦିନ ୭୧ ଜଣ ବିଧାୟକ ପହଞ୍ଚିଥିଲେ। ଆଉ ସେହି ଦିନ ହିଁ ବିଦ୍ରୋହର ପ୍ରକୃତ ମଞ୍ଜି ବୁଣା ହୋଇଥିଲା।
ସେହି ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଅଭିଷେକ ବାନାର୍ଜୀଙ୍କ ସମ୍ମାନାର୍ଥେ ଛିଡ଼ା ହୋଇ ତାଳି ବଜାଇବାକୁ ବାଧ୍ୟ କରାଯାଇଥିଲା!
ଜଣେ ଜନପ୍ରତିନିଧି ବା ବିଧାୟକଙ୍କ ପାଇଁ ଏଭଳି ଏକଛତ୍ରବାଦୀ ଶୈଳୀ ଅତ୍ୟନ୍ତ ଅପମାନଜନକ ଥିଲା। ଏହି ‘ତାଳି ବଜାଇବା’ ଘଟଣା ପରେ ବିଧାୟକମାନଙ୍କ ଭିତରେ ଥିବା ଅସନ୍ତୋଷ ଓ ରାଗ କ୍ରୋଧର ନିଆଁ ପାଲଟିଗଲା। ସେମାନେ ବୁଝିଗଲେ ଯେ ଦଳରେ ଆଉ ସେମାନଙ୍କର କୌଣସି ଗୁରୁତ୍ୱ ନାହିଁ, ସବୁ କିଛି କେବଳ ଅଭିଷେକ ବାନାର୍ଜୀଙ୍କ ଇସାରାରେ ଚାଲୁଛି। ଆଉ ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଆଜି ୮୦ ରୁ ୫୯ ଜଣ ବିଧାୟକ ଏକାଠି ହୋଇ ମମତା ଓ ଅଭିଷେକଙ୍କ ସାମ୍ରାଜ୍ୟକୁ ଧୂଳିସାତ୍ କରିଦେଇଛନ୍ତି।
ବର୍ତ୍ତମାନ ପରିସ୍ଥିତି ଏମିତି ଯେ, ବିଧାନସଭା ଭିତରେ ବାଗୀ ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ବଳରେ ନିଜର ଦାବି ହାସଲ କରିସାରିଛନ୍ତି। କିନ୍ତୁ ଦଳର ସାଂଗଠନିକ ଢାଞ୍ଚା ଏବେ ବି ମମତାଙ୍କ ପାଖରେ ରହିଛି। ତେଣୁ ଆଗକୁ ଅସଲି ‘ତୃଣମୂଳ କଂଗ୍ରେସ’ କିଏ ଏବଂ ଦଳର ନାଁ ଓ ‘ଯୋଡ଼ା ଫୁଲ’ ଚିହ୍ନ କାହା ପାଖକୁ ଯିବ, ତାର ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ବା ଇଲେକ୍ସନ କମିଶନଙ୍କ ହାତରେ ରହିବ।
ତେବେ ୨୮ ବର୍ଷ ଧରି ମମତା ଦିଦି ଯେଉଁ ସାମ୍ରାଜ୍ୟ ଗଢ଼ିଥିଲେ, ତାହା ଆଜି ନିଜ ଦଳର ବିଧାୟକମାନଙ୍କ ବିଦ୍ରୋହ ଯୋଗୁଁ ଧୂଳିସାତ୍ ହେବାକୁ ବସିଛି।


