ଭାରତୀୟ ରାଜନୀତିରେ କିଛି ଏମିତି ନାମ ଅଛି ଯାହାକୁ ଲୋକେ କେବଳ ଭଲପାଆନ୍ତି ନୁହେଁ ଭୟ ମଧ୍ୟ କରନ୍ତି । ସେହି ନାମ ହେଉଛି ଅମିତ ଶାହା । କେହି ତାଙ୍କୁ “ଭାରତୀୟ ରାଜନୀତିର ଚାଣକ୍ୟ” କୁହନ୍ତି ତ କେହି କୁହନ୍ତି “ନିର୍ବାଚନ ମେସିନ୍”। ରାଜନୀତିର କରିଡର୍ରେ ଏକ କଥା ବହୁତ ପ୍ରଚଳିତ କି “ଯେଉଁଠାରେ ଅନ୍ୟମାନଙ୍କର ଚିନ୍ତା ଶେଷ ହୁଏ ; ସେଠାରୁ ଅମିତ ଶାହଙ୍କ ରଣନୀତି ଆରମ୍ଭ ହୁଏ।”

ଯେତେବେଳେ କୌଣସି ରାଜ୍ୟର ଅଜୟ ଗଡ଼ ଭାଙ୍ଗି ପଡ଼େ…
ଯେତେବେଳେ ନିର୍ବାଚନୀ ଗଣିତ ରାତିରେ ବଦଳିଯାଏ…
ଯେତେବେଳେ ବିରୋଧୀ ଦଳ ନିଜେ ବୁଝିପାରେ ନାହିଁ କେବେ ବାଜି ପଲଟି ଗଲା…
ସେତେବେଳେ ଏକ ନାମ ସବୁଠାରୁ ଅଧିକ ଫୁସଫୁସାଯାଏ :- ଅମିତ ଶାହ
କିନ୍ତୁ ଏହି କାହାଣୀ କେବଳ ଜଣେ ନେତାଙ୍କ କାହାଣୀ ନୁହେଁ ; ଏହା ହେଉଛି ଜଣେ ରଣନୀତିକାରଙ୍କ କାହାଣୀ । ଯିଏ ରାଜନୀତିକୁ ଭାଷଣ ରୂପେ ନୁହେଁ ଗଣିତ ଏବଂ ମ୍ୟାନେଜମେଣ୍ଟ ଭାବେ ଦେଖିଥିଲେ।
ମାନସାରୁ ଦିଲ୍ଲୀ ପର୍ଯ୍ୟନ୍ତ

ଅମିତ ଶାହାଙ୍କ ଜନ୍ମ ୨୨ ଅକ୍ଟୋବର ୧୯୬୪ରେ ମୁମ୍ବାଇର ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ତାଙ୍କ ପିତା ଅନିଲଚନ୍ଦ୍ର ଶାହ ଜଣେ ବ୍ୟବସାୟୀ ଥିଲେ । କିନ୍ତୁ ତାଙ୍କ ଜୀବନରେ ସବୁଠାରୁ ବଡ଼ ପ୍ରଭାବ ଥିଲା ମାତା କୁସୁମବେନଙ୍କର । କୁସୁମବେନ ଗାନ୍ଧୀବାଦୀ ଚିନ୍ତାଧାରାର ଥିଲେ । ସରଳ ଜୀବନ, ଶୃଙ୍ଖଳା ଏବଂ ଦୃଢ଼ ସଂକଳ୍ପ ଏହି ଗୁଣଗୁଡ଼ିକ ଶାହ ସେଠାରୁ ଶିଖିଥିଲେ । ତାଙ୍କର ଶିକ୍ଷା ଗୁଜରାଟର ମାନସା ଗାଁରେ ହୋଇଥିଲା । ରାଜନୀତିରେ ପ୍ରଥମ ପଦକ୍ଷେପ ଥିଲା ମଞ୍ଚରୁ ଭାଷଣ ଦେବା ନୁହେଁ ରାସ୍ତାରେ ପୋଷ୍ଟର ଲଗାଇବା ଥିଲା ବୋଲି କୁହାଯାଏ । ମାତ୍ର ୧୩ ବର୍ଷ ବୟସରେ ସେ ପ୍ରଥମଥର ନିର୍ବାଚନୀ ପୋଷ୍ଟର ଲଗାଇଥିଲେ ।
ABVP ରୁ BJP ପର୍ଯ୍ୟନ୍ତ
![]()
୧୯୮୨ରେ ସେ Akhil Bharatiya Vidyarthi Parishad ସହିତ ଯୁକ୍ତ ହେଲେ। ଏଠାରୁ ତାଙ୍କ ସଂଗଠନମୂଳକ ରାଜନୀତି ଆରମ୍ଭ ହେଲା । ସେ ବାୟୋକେମିଷ୍ଟ୍ରି ପଢ଼ିଥିଲେ । ଏହି ବୈଜ୍ଞାନିକ ଚିନ୍ତାଧାରା ପରେ ତାଙ୍କର ରାଜନୀତିକ ଶୈଳୀରେ ଦେଖାଗଲା । ୧୯୮୭ରେ ସେ ଆନୁଷ୍ଠାନିକ ଭାବେ Bharatiya Janata Partyରେ ଯୋଗ ଦେଲେ । ସେ ରାଜନୀତିକୁ କେବଳ ଭାବନାରୁ ନୁହେଁ ବରଂ ଡାଟା ଏବଂ ବୁଥ୍ ମ୍ୟାନେଜମେଣ୍ଟ ଭିତ୍ତିକ ଖେଳ ଭାବେ ଦେଖିଥିଲେ।
ମୋଦି ଓ ଶାହଙ୍କ ଯୋଡ଼ି
![]()
୧୯୮୨ରେ ତାଙ୍କ ସାକ୍ଷାତ ହୋଇଥିଲା ନରେନ୍ଦ୍ର ମୋଦିଙ୍କ ସହିତ । ସେଠାରୁ ଆରମ୍ଭ ହୋଇଥିଲା ଭାରତୀୟ ରାଜନୀତିର ସବୁଠାରୁ ଶକ୍ତିଶାଳୀ ଯୋଡ଼ିମାନଙ୍କ ମଧ୍ୟରୁ ଅନ୍ୟତମ ଯୁଗଳବନ୍ଦୀ ।କୁହାଯାଏ ମୋଦି ଏବଂ ଶାହଙ୍କ ସମ୍ପର୍କ କେବଳ ରାଜନୀତିକ ନୁହେଁ ଏହା ହେଉଛି ‘ଅନ୍ଧ ବିଶ୍ୱାସର ସମ୍ପର୍କ’ । ଯେତେବେଳେ ସମସ୍ତେ ଦୂରେ ଯାଉଥିଲେ ସେତେବେଳେ ମଧ୍ୟ ଶାହ ମୋଦିଙ୍କ ସହିତ ରହିଥିଲେ ।
ବିବାଦ, ଜେଲ ଏବଂ ନିର୍ବାସନ

୨୦୧୦ରେ ଅମିତ ଶାହଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଆସିଲା । ସୋହରାବୁଦ୍ଦିନ୍ ମାମଲାରେ ତାଙ୍କୁ ଗିରଫ କରାଗଲା । ତାଙ୍କୁ ଗୁଜରାଟ ଛାଡ଼ିବାକୁ ପଡ଼ିଲା । ବିରୋଧୀମାନେ ଭାବିଥିଲେ ଅମିତ ଶାହଙ୍କ ରାଜନୀତିକ ଜୀବନ ଶେଷ ହୋଇଗଲା । କିନ୍ତୁ ଜେଲରେ ବସି ସେ ଭାଙ୍ଗିପଡ଼ିଲେ ନାହିଁ । ସେ ପୁସ୍ତକ ପଢ଼ିଲେ , ରଣନୀତି ଶିଖିଲେ ଏବଂ ପୁନଃଆଗମନର ଯୋଜନା କଲେ। ଏହି ସମୟରେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଥିଲା । ସେ ଶେଷ ଥର ପାଇଁ ମାତାଙ୍କୁ ଦେଖି ବି ପାରିନଥିଲେ । ଏହି ଘଟଣା ତାଙ୍କୁ ଭିତରୁ ଆହୁରି କଠୋର କରିଦେଲା ।
୨୦୧୪ରେ ବଦଳିଲା ରାଜନୈତିକ ବାଜି
୨୦୧୩ରେ ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ଦିଆଗଲା । ସେତେବେଳେ ଅନେକ ଲୋକ ତାଙ୍କୁ ହାସ୍ୟାସ୍ପଦ କରିଥିଲେ । କିନ୍ତୁ ଶାହ କହିଥିଲେ “ମୁଁ କେବଳ ନିର୍ବାଚନ ଲଢ଼ିବାକୁ ଆସିନି , ସଂଗଠନ ତିଆରି କରିବାକୁ ଆସିଛି” ଏବଂ ସେ ତାହା କରିଦେଖାଇଲେ । ସେ “ପନ୍ନା ପ୍ରମୁଖ” ମଡେଲ ଆଣିଲେ । ପ୍ରତ୍ୟେକ ଭୋଟର ପର୍ଯ୍ୟନ୍ତ ପହଞ୍ଚିବାର ଯୋଜନା କଲେ । ରାତି ୨ଟାରେ ମଧ୍ୟ କର୍ମୀଙ୍କୁ ଫୋନ୍ କରି ଖବର ନେଉଥିଲେ ।

ଫଳାଫଳ?
୨୦୧୪ରେ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶରେ ୮୦ରୁ ୭୩ଟି ଆସନ ଜିତିଲା । ସାରା ଦେଶ ଆଶ୍ଚର୍ଯ୍ୟଚକିତ ହୋଇଗଲା ।
ଚାଣକ୍ୟ କି ବିବାଦୀୟ ନେତା?

ସମର୍ଥକମାନେ ଅମିତ ଶାହଙ୍କୁ “ରାଜନୀତିର ଚାଣକ୍ୟ” କୁହନ୍ତି । କିନ୍ତୁ ବିରୋଧୀମାନେ ତାଙ୍କୁ କେନ୍ଦ୍ରୀକୃତ ଶକ୍ତିର ପ୍ରତୀକ କୁହନ୍ତି । କେହି କୁହନ୍ତି ତାଙ୍କର ରଣନୀତି BJPକୁ ଶକ୍ତିଶାଳୀ କରିଛି । ତ କେହି କୁହନ୍ତି ଏହି ରାଜନୀତି ଦେଶରେ ଧ୍ରୁବୀକରଣ ବଢ଼ାଇଛି । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଭାରତୀୟ ରାଜନୀତିରେ ଅମିତ ଶାହଙ୍କ ପ୍ରଭାବକୁ ଅସ୍ୱୀକାର କରିବା ଅସମ୍ଭବ ।
Also read : https://purvapaksa.com/10-out-of-10-for-brahmos-indias-unrivaled-missile-is-a-big-disaster-for-pakistan/


