ପଶ୍ଚିମବଙ୍ଗରେ ଏବେ ଯେଉଁ ପରିସ୍ଥିତି ଦେଖାଯାଉଛି… ସେଥିପାଇଁ କେବଳ ବଙ୍ଗ ସରକାର ନୁହେଁ, ସମଗ୍ର ପୂର୍ବ ଭାରତର ରାଜ୍ୟମାନେ ସତର୍କ ହେବାର ସମୟ ଆସିଗଲାଣି। ବିଶେଷ କରି ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। କାରଣ ଯେତେବେଳେ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ଉପରେ ଚାପ ବଢ଼ିବ… ସେତେବେଳେ ସେମାନେ ନୂଆ ଆଶ୍ରୟସ୍ଥଳ ଖୋଜିବେ। ଏବଂ ସବୁଠାରୁ ସହଜ ଲକ୍ଷ୍ୟ ହୋଇପାରେ ଓଡ଼ିଶା।
ବର୍ଷରୁ ବର୍ଷ ଧରି ଭାରତର ପୂର୍ବ ସୀମା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶ ଏକ ଗମ୍ଭୀର ଜାତୀୟ ସମସ୍ୟା ଭାବରେ ଚର୍ଚ୍ଚାରେ ରହିଆସିଛି। ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ ପରେ ଏବେ ଏହାର ପ୍ରଭାବ ଧୀରେ ଧୀରେ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚୁଥିବା ଅଭିଯୋଗ ଉଠୁଛି।
କିଛି ବର୍ଷ ପୂର୍ବରୁ ଯେଉଁ ଅନୁପ୍ରବେଶ ସୀମା ଜିଲ୍ଲାରେ ସୀମିତ ଥିଲା… ଆଜି ସେହି ଅନୁପ୍ରବେଶ ଦେଶର ଭିତର ଅଞ୍ଚଳକୁ ପ୍ରବେଶ କରୁଥିବା ଆଶଙ୍କା ସୃଷ୍ଟି କରୁଛି। ନିର୍ମାଣ କାମ, ମାଛ ଧରା, ଦିନମଜୁରୀ, ଛୋଟ ବ୍ୟବସାୟ — ଏହି ସବୁ କ୍ଷେତ୍ରରେ ନକଲି ପରିଚୟ ପତ୍ର ବ୍ୟବହାର କରି ଅନେକେ ନିଜକୁ ଭାରତୀୟ ଭାବେ ପ୍ରତିଷ୍ଠା କରୁଥିବା ଅଭିଯୋଗ ଆସୁଛି।
ଆଜି ମୁଖ୍ୟ ପ୍ରଶ୍ନ ହେଉଛି — ଓଡ଼ିଶା ସରକାର ପ୍ରସ୍ତୁତ କି?
କାରଣ ପଶ୍ଚିମବଙ୍ଗରେ ଯଦି ଚାପ ବଢ଼ିବ… ତେବେ ଏହାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବା ସ୍ୱାଭାବିକ।
ଆମ ରାଜ୍ୟର ଆଇନ ମନ୍ତ୍ରୀ ମିଡିଆ ସମ୍ମୁଖରେ ବହୁତ ବଡ଼ ବଡ଼ କଥା କହୁଛନ୍ତି। ସେ କହୁଛନ୍ତି ଯେ ବାଂଲାଦେଶୀ ଚିହ୍ନଟ ହେବେ… କଡ଼ା କାର୍ଯ୍ୟାନୁଷ୍ଠାନ ହେବ… ସରକାର ସତର୍କ ଅଛି। କିନ୍ତୁ ଲୋକମାନେ ପ୍ରଶ୍ନ କରୁଛନ୍ତି —
- ଏପର୍ଯ୍ୟନ୍ତ ହେଲା କଣ?
- କେତେ ଲୋକ ଚିହ୍ନଟ ହେଲେ?
- କେତେ ଜଣଙ୍କୁ ଡିପୋର୍ଟ କରାଗଲା?
- କେତେ ନକଲି ଆଧାର କାର୍ଡ ବାତିଲ୍ ହେଲା?
- କେତେ ଅବୈଧ ନେଟୱର୍କ ଧରାପଡ଼ିଲା?
ଏହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।
କେବଳ ପ୍ରେସମିଟ୍ କରିଦେଲେ… କିମ୍ବା ମିଡିଆରେ ବଡ଼ ବଡ଼ ବୟାନ ଦେଲେ… ସମସ୍ୟାର ସମାଧାନ ହେବ ନାହିଁ। କାରଣ ଏହା କେବଳ ରାଜନୀତିର ବିଷୟ ନୁହେଁ… ଏହା ଜାତୀୟ ସୁରକ୍ଷା ସହ ଜଡିତ ବିଷୟ।
ଓଡ଼ିଶାର ସମୁଦ୍ରତଟ ଲମ୍ବା। ଅନେକ ଅଞ୍ଚଳରେ ନିୟମିତ ନିରୀକ୍ଷଣ ଆଜି ମଧ୍ୟ ଚ୍ୟାଲେଞ୍ଜ। ସେଥିପାଇଁ ଯଦି ରାଜ୍ୟ ପ୍ରଶାସନ ସମୟରେ ସତର୍କ ନହେଉ… ତେବେ ଆଗାମୀ ଦିନରେ ପରିସ୍ଥିତି ହାତ ଛାଡ଼ି ପାରେ।
ଏଠାରେ ସବୁଠାରୁ ବଡ଼ ଚିନ୍ତାର କଥା ହେଉଛି — ନକଲି ଡକ୍ୟୁମେଣ୍ଟ ରାକେଟ।
ଯଦି କୌଣସି ଅନୁପ୍ରବେଶକାରୀ ଏକଥର ଆଧାର କାର୍ଡ, ଭୋଟର କାର୍ଡ କିମ୍ବା ରେସନ କାର୍ଡ ପାଇଗଲେ… ତେବେ ତାଙ୍କୁ ଚିହ୍ନଟ କରିବା ଆହୁରି କଠିନ ହୋଇଯାଏ। ଏବଂ ଏହା କେବଳ ସୁରକ୍ଷା ନୁହେଁ… ରୋଜଗାର, ସମାଜିକ ସମତୁଳନ ଓ ସରକାରୀ ସୁବିଧା ଉପରେ ମଧ୍ୟ ପ୍ରଭାବ ପକାଏ।
- ଆଜି ଓଡ଼ିଶାର ଯୁବକ ଚାକିରି ପାଇଁ ଘୁରୁଛି।
- ଦିନମଜୁରୀ କାମ ପାଇଁ ଲୋକେ ଅନ୍ୟ ରାଜ୍ୟକୁ ଯାଉଛନ୍ତି।
ଏମିତି ସମୟରେ ଯଦି ଅବୈଧ ଅନୁପ୍ରବେଶକାରୀମାନେ କମ ଦରରେ କାମ କରି ଶ୍ରମ ବଜାରକୁ ପ୍ରଭାବିତ କରିବେ… ତେବେ ଏହାର ସିଧା ପ୍ରଭାବ ଓଡ଼ିଆ ଶ୍ରମିକଙ୍କ ଉପରେ ପଡ଼ିବ।
ଏହି ବିଷୟକୁ ଧର୍ମ କିମ୍ବା ରାଜନୀତିର ଚଶ୍ମାରୁ ଦେଖିଲେ ଚାଲିବ ନାହିଁ।
ଯେଉଁମାନେ ଆଇନସମ୍ମତ ଭାବରେ ଭାରତରେ ରହୁଛନ୍ତି — ସେମାନେ ଭାରତର ନାଗରିକ।
କିନ୍ତୁ ଯେଉଁମାନେ ଅବୈଧ ଭାବରେ ସୀମା ଟପି ଆସିଛନ୍ତି… ନକଲି କାଗଜପତ୍ର ତିଆରି କରିଛନ୍ତି… ଏବଂ ସିଷ୍ଟମକୁ ଦୁର୍ବଳ କରୁଛନ୍ତି… ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ଏବେ ସରକାରଙ୍କୁ କେବଳ ବୟାନ ନୁହେଁ… ଆକ୍ସନ ଦେଖାଇବାକୁ ପଡ଼ିବ।
ପ୍ରଥମେ ସୀମା ଏବଂ ସମୁଦ୍ରତଟ ଅଞ୍ଚଳରେ ନଜରଦାରୀ ବଢ଼ାଇବାକୁ ପଡ଼ିବ।
ଦ୍ୱିତୀୟରେ ନକଲି ଡକ୍ୟୁମେଣ୍ଟ ରାକେଟ ଉପରେ ବିଶେଷ ଅଭିଯାନ ଚଲାଇବା ଆବଶ୍ୟକ।
ତୃତୀୟରେ ଯେଉଁ ଅଞ୍ଚଳରେ ବାହାର ରାଜ୍ୟର ଲୋକ ଅଧିକ ସଂଖ୍ୟାରେ ରହୁଛନ୍ତି… ସେଠାରେ ଭେରିଫିକେସନ ପ୍ରକ୍ରିୟା କଡ଼ା କରିବାକୁ ପଡ଼ିବ।
ଏହା ସହ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଇଣ୍ଟେଲିଜେନ୍ସ ଏଜେନ୍ସୀମାନଙ୍କ ମଧ୍ୟରେ ଭଲ ସମନ୍ୱୟ ଦରକାର। କାରଣ ଏହା କେବଳ ଏକ ଜିଲ୍ଲା କିମ୍ବା ଏକ ରାଜ୍ୟର ସମସ୍ୟା ନୁହେଁ।
ପଶ୍ଚିମବଙ୍ଗରେ ଯେଉଁ ପରିସ୍ଥିତି ଗଠିତ ହେଉଛି… ତାହାର ପ୍ରଭାବ ଆସନ୍ତା ଦିନରେ ଓଡ଼ିଶା ଉପରେ ପଡ଼ିପାରେ। ତେଣୁ ଏବେ ମଧ୍ୟ ସମୟ ଅଛି। ସରକାର ଯଦି ସତର୍କ ହେବେ… ତେବେ ସମସ୍ୟାକୁ ଆରମ୍ଭରୁ ନିୟନ୍ତ୍ରଣ କରିହେବ। କିନ୍ତୁ ଯଦି କେବଳ ରାଜନୈତିକ ବୟାନରେ ସମୟ କଟିଯାଏ… ତେବେ ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହୋଇପାରେ।
AlsoRead; https://purvapaksa.com/great-nicobar-another-dream-project/
ଗ୍ରେଟ୍ ନିକୋବର: ଆଉ ଗୋଟିଏ “ଡ୍ରିମ୍ ପ୍ରୋଜେକ୍ଟ” ? || Great Nicobar: Another “dream project”?


