ଓଡ଼ିଶା ବିଧାନସଭା ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ମହିଳାମାନଙ୍କୁ ସଂରକ୍ଷଣ ଦେବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଓଡ଼ିଶା ସାରା ଭାରତକୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି। କିନ୍ତୁ ଏହି ଭବ୍ୟ ଆୟୋଜନ ଏବଂ ରାଜନୈତିକ ହଟଚମଟ ଭିତରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି— ଆମ ନେତାମାନେ ସତରେ କ’ଣ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ଆନ୍ତରିକ, ନା ଏହା କେବଳ ୨୦୨୬ର ଆଗାମୀ ରାଜନୈତିକ ସମୀକରଣ ପାଇଁ ଏକ ସୁଚିନ୍ତିତ ଚାଲ୍?
ଇତିହାସର ପୃଷ୍ଠା ଓଲଟାଇଲେ ଏବଂ ଗତ କିଛି ଦଶନ୍ଧିର ନିର୍ବାଚନ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ରାଜନୈତିକ ମଞ୍ଚରେ ମହିଳାଙ୍କ ପାଇଁ ସମବେଦନା ପ୍ରକାଶ କରୁଥିବା ନେତାମାନଙ୍କ ଭିତରୁ ଅଧିକାଂଶଙ୍କର “ଆଖିରେ ଲୁହ ନାହିଁ”।
ଭାରତୀୟ ଗଣତନ୍ତ୍ରର ଯାତ୍ରା ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଓଡ଼ିଶାରୁ ୧୬ ଜଣ ସାଂସଦ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିଲେ। ଦୁର୍ଭାଗ୍ୟର ବିଷୟ, ସେହି ତାଲିକାରେ ଜଣେ ବି ମହିଳାଙ୍କ ନାମ ନଥିଲା। ୧୯୫୭ର ଦ୍ୱିତୀୟ ନିର୍ବାଚନରେ ବି ସ୍ଥିତି ବଦଳିଲା ନାହିଁ। ଏହିଭଳି ଭାବେ ଲଗାତାର ୬ଟି ଲୋକସଭା ନିର୍ବାଚନ ସରିଗଲା, ଓଡ଼ିଶାର ଆସନ ସଂଖ୍ୟା ୧୬ରୁ ବଢ଼ି ୨୧ ହେଲା, କିନ୍ତୁ ଓଡ଼ିଶାର ମହିଳାଙ୍କ ସ୍ୱର ସଂସଦରେ ଶୁଣାଗଲା ନାହିଁ।
ରାଜ୍ୟର ଅଧା ଜନସଂଖ୍ୟା ହୋଇଥିବା ମହିଳାମାନେ ଦେଶର ନୀତି ପ୍ରଣୟନ ପ୍ରକ୍ରିୟାରୁ ପ୍ରାୟ ତିନି ଦଶନ୍ଧି ଧରି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲେ। ପ୍ରଥମ କରି ୧୯୮୧ ମସିହାରେ କଟକ ଉପ-ନିର୍ବାଚନରେ ଜୟନ୍ତୀ ପଟ୍ଟନାୟକଙ୍କ ବିଜୟ ପରେ ଓଡ଼ିଶାର ଖାତା ଖୋଲିଥିଲା। ଏହି ୨୯ ବର୍ଷର ଅପେକ୍ଷା କେବଳ ଏକ ସମୟ ନଥିଲା, ବରଂ ଏହା ଥିଲା ଆମ ପୁରୁଷ ପ୍ରଧାନ ରାଜନୈତିକ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର।
ଲୋକସଭାରେ ମହିଳାଙ୍କ ଖାତା ଖୋଲିଲା ସତ କିନ୍ତୁ ୭୯ ବର୍ଷ ମଧ୍ୟରେ ୧୮ଟି ଲୋକସଭା ନିର୍ବାଚନ ସରିଥିଲେ ବି ୧୮ ଜଣ ମହିଳା ସାଂସଦ ପାଇନି ଓଡ଼ିଶା।
ଏବେ ଦେଶରେ ବଡ଼ ପ୍ରସଙ୍ଗ ହେଉଛି ନାରୀ ସଶକ୍ତିକରଣ ଓ ମହିଳା ଭାଗିଦାରୀ। ଏବେ ମହିଳାଙ୍କ ପାଇଁ ସଂରକ୍ଷଣ ୩୩% କରିବାକୁ ତୁମ୍ବିତୋଫାନ କରୁଛନ୍ତି। ୨୦୨୩ ମସିହାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩ (ମହିଳା ସଂରକ୍ଷଣ ବିଲ୍) ପାରିତ ହୋଇଛି। ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ତଥା ମହିଳା ସପକ୍ଷବାଦୀ ବୋଲି ନିଜକୁ ପ୍ରମାଣ କରିବା ପାଇଁ ସମସ୍ତେ କସରତ ଚଳାଇଛନ୍ତି।
ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ। କାରଣ ସ୍ଵାଧୀନତାର ଏତେ ବର୍ଷ ପରେ ବି ଲୋକସଭାରେ ମହିଳାଙ୍କ ଭାଗିଦାରୀ ୧୫%ରୁ କମ୍। ଯେବେଠାରୁ ମହିଳା ସଂରକ୍ଷଣ ବିଲ୍କୁ ନେଇ ବିତର୍କ ଆରମ୍ଭ ହୋଇଛି, ସେବେଠାରୁ ଯଦି ସବୁ ପ୍ରମୁଖ ଦଳ ନିଜ ଆଡୁ ଲୋକସଭା ଓ ବିଧାନସଭାରେ ୩୩% ପ୍ରାର୍ଥୀ ଦେଇଥାନ୍ତେ, ତେବେ ଆନ୍ତରିକତା ଜଣାପଡ଼ିଥାନ୍ତା। ଏପରିକି ଆଇନ ବି ଦରକାର ପଡ଼ି ନଥା’ନ୍ତା।
ଓଡ଼ିଶା ପରିପ୍ରେକ୍ଷୀରେ ଗତ ୧୫ ବର୍ଷର ନିର୍ବାଚନ ତଥ୍ୟ ବିଶ୍ଳେଷଣ କଲେ ଜଣାପଡ଼ୁଛି, ୨୦୧୪ ମସିହାରେ ଓଡ଼ିଶାରୁ ମାତ୍ର ୨ ଜଣ ମହିଳା ସାଂସଦ ଲୋକସଭାରେ ପ୍ରତିନିଧିତ୍ଵ କରିଥିଲେ।
୨୦୧୯ ମସିହାରେ ବିଜେଡି ନିଜ ପୂର୍ବ ପ୍ରତିଶ୍ରୁତି ମୁତାବକ ୩୩% ଅର୍ଥାତ ୨୧ରୁ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ସେମାନଙ୍କ ମଧ୍ୟରୁ ୫ ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ମହିଳା ପ୍ରାର୍ଥୀ ଜିତିଥିଲେ। ସେହିଥର ବିଜେପିରୁ ବି ଦୁଇ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ।
୨୦୧୯ ନିର୍ବାଚନ ନିର୍ବାଚନ ତୁଳନାରେ ୨୦୨୪ରେ ପ୍ରମୁଖ ତିନି ଦଳରେ ମହିଳା ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ତାହା ୩୩%ଠାରୁ ଯଥେଷ୍ଟ କମ୍ ଥିଲା ଏଥର ବି ବିଜେଡି ୨୧ରୁ ବିଧାନସଭାରେ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା। ବିଜେପି ୪ଟି ଆସନରେ ମହିଳା ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨ଟି ଆସନରେ ମହିଳା ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା। ବିଜେପିରୁ ସମସ୍ତ ୪ ମହିଳା ପ୍ରାର୍ଥୀ ଜିତି ଲୋକସଭାରେ ଏବେ ପ୍ରତିନିଧିତ୍ୱ କରୁଛନ୍ତି। ।
ବିଧାନସଭାରେ ମହିଳାଙ୍କ ସ୍ଥିତି ଆହୁରି ବିଚିତ୍ର ସ୍ଵାଧୀନତାର ୭୯ ବର୍ଷ ମଧ୍ୟରେ ଓଡ଼ିଶା ବିଧାନସଭାରେ ମହିଳାଙ୍କ ସଂଖ୍ୟା ମାତ୍ର ୧୩୧ରେ ସୀମିତ। ଗତ ତିନିଟି ନିର୍ବାଚନକୁ ବିଚାରକୁ ନେଲେ ଜଣାପଡୁଛି ବିଧାନସଭା ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ଏ ଯାଏଁ ୧୦% ଛୁଇଁନାହିଁ।

୨୦୧୪ ସାଧାରଣ ନିର୍ବାଚନରେ ସମୁଦାୟ ୧୪୧୯ ଜଣ ପ୍ରାର୍ଥୀ ନିର୍ବାଚନରେ ଠିଆ ହୋଇଥିବାବେଳେ ସେଥିରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ମାତ୍ର ୧୧୭। ଅର୍ଥାତ ୮%। ସେହି ନିର୍ବାଚନରେ ବିଜେଡି ସର୍ବାଧିକ ୧୫ ଜଣ ମହିଳା ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଦେଇଥିଲା ୧୧ ଓ କଂଗ୍ରେସର ଥିଲେ ୮। ଅବଶିଷ୍ଟ ଥିଲେ ଅନ୍ୟ ଦଳର। ସେଥିମଧ୍ୟରୁ ୧୧ ଜଣ ମହିଳା ଜିତି ବିଧାୟିକା ହୋଇଥିଲେ। ସେହିଭଳି ୨୦୧୯ରେ ମାତ୍ର ୧୧୧ ଜଣ (୧୦%) ମହିଳା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ୨୦୨୪ରେ ଏହି ସଂଖ୍ୟା ବଢ଼ି ୧୭୮ ହୋଇଥିଲା ଅର୍ଥାତ ୧୪% । କିନ୍ତୁ ୩୩% ସଂରକ୍ଷଣ ଛୁଇଁବାକୁ ଏହା ଆକାଶ କଇଁଆ ଚିଲିକା ମାଛ ଭଳି ହୋଇଥିଲା।
ଆଜିର ବିଧାନସଭା ଅଧିବେଶନ ହୁଏତ ଏକ ନୂଆ ରେକର୍ଡ କରିବ, କିନ୍ତୁ ଏହା କେବଳ ଏକ ରାଜନୈତିକ ‘ଫଟୋ ଅପ୍’ ହୋଇ ରହିଯିବା ଉଚିତ ନୁହେଁ। ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ “ନାରୀ ସମ୍ମାନ”ର ନାରା ଦେଉଥିବା ଦଳଗୁଡ଼ିକ ନିଜ ସାଂଗଠନିକ କାର୍ଯ୍ୟରେ କେତେଜଣ ମହିଳାଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେଇଛନ୍ତି, ତାହା ଦେଖିବା କଥା।

ପରିସଂଖ୍ୟାନ ସ୍ପଷ୍ଟ କରୁଛି ଯେ, ରାଜନୈତିକ ଦଳମାନେ ମହିଳାଙ୍କୁ କେବଳ ଏକ “ଭୋଟ୍ ବ୍ୟାଙ୍କ” ଭାବେ ବ୍ୟବହାର କରୁଛନ୍ତି। ଯଦି ବାସ୍ତବରେ ସେମାନେ ମହିଳାଙ୍କ ଦୁଃଖ ବୁଝୁଥାନ୍ତେ, ତେବେ ଟିକେଟ୍ ବଣ୍ଟନରେ ସଂରକ୍ଷଣର ଆବଶ୍ୟକତା ପଡ଼ିନଥାନ୍ତା, ସେମାନଙ୍କ ଇଚ୍ଛାଶକ୍ତି ହିଁ ଯଥେଷ୍ଟ ହୋଇଥାନ୍ତା।
ତେଣୁ ଆଜି ଓଡ଼ିଶା କହୁଛି ; “ସମସ୍ତେ କାନ୍ଦୁଛନ୍ତି, କାହା ଆଖିରେ ଲୁହ ନାହିଁ।”


