ଦକ୍ଷିଣ ଏସିଆର ଭୂ-ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ପ ଆସିବାକୁ ଯାଉଛି କି? ପାକିସ୍ତାନର ସ୍ଥିତି ଯେଉଁଭଳି ଭାବେ ଦୋହଲିବାରେ ଲାଗିଛି, ତାହା ବିଶ୍ୱର ବଡ଼ ବଡ଼ ଗୁପ୍ତଚର ସଂସ୍ଥାଗୁଡ଼ିକର ନିଦ ହଜାଇ ଦେଇଛି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଏନଏସଜି କମାଣ୍ଡୋ ତଥା ସୁରକ୍ଷା ବିଶେଷଜ୍ଞ ଲକି ବିଷ୍ଟଙ୍କ ଏକ ସାଂଘାତିକ ଦାବି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଲକିଙ୍କ ମତରେ, ପାକିସ୍ତାନ ନିଜର ପରମାଣୁ ଅସ୍ତ୍ର ଉପରୁ ନିୟନ୍ତ୍ରଣ ହରାଇବାକୁ ଯାଉଛି ଏବଂ ଏହାର ରିମୋଟ୍ କଣ୍ଟ୍ରୋଲ ଏବେ ଆମେରିକା ହାତକୁ ଯାଇପାରେ !
ଜେନେରାଲ ଆସିମ ମୁନୀର: ଆମେରିକାର ନୂଆ ‘ପାୱାର ସେଣ୍ଟର’?

ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ଶକ୍ତି ଆଜି ପାକିସ୍ତାନର କୌଣସି ନିର୍ବାଚିତ ସରକାର କିମ୍ବା ସମ୍ବିଧାନଠାରୁ ମଧ୍ୟ ଅଧିକ। ଲକି ବିଷ୍ଟଙ୍କ ବିଶ୍ଳେଷଣ ଅନୁସାରେ, ଏହା କୌଣସି ସଂଯୋଗ ନୁହେଁ, ବରଂ ଆମେରିକାର ଏକ ସୁଚିନ୍ତିତ ଚାଲ୍। ୱାଶିଂଟନ୍ ଭଲ ଭାବେ ଜାଣିଛି ଯେ ପାକିସ୍ତାନର ରାଜନୈତିକ ଅସ୍ଥିରତା ଭିତରେ ପରମାଣୁ ଅସ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଜଣେ ‘ଲୌହ ମାନବ’ର ଆବଶ୍ୟକତା ଅଛି।

ଆମେରିକା ଚାହେଁ ନାହିଁ ଯେ ପାକିସ୍ତାନର ପରମାଣୁ ବୋମା କୌଣସି ଉଗ୍ରବାଦୀ ଗୋଷ୍ଠୀ, ତାଲିବାନ କିମ୍ବା ଆଫଗାନିସ୍ତାନର କଠୋରପନ୍ଥୀଙ୍କ ହାତରେ ଲାଗୁ। ଯଦି ଏପରି ହୁଏ, ତେବେ ଏହା କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ପଶ୍ଚିମ ଦେଶଙ୍କ ପାଇଁ ମୃତ୍ୟୁର ଘଣ୍ଟି ସଦୃଶ ହେବ। ସେଥିପାଇଁ ଆସିମ ମୁନୀରଙ୍କୁ ଆମେରିକା ପରୋକ୍ଷରେ ସମର୍ଥନ ଦେଇ ପାକିସ୍ତାନର ‘ସର୍ବେସର୍ବା’ କରି ରଖିଛି। ସରଳ ଭାଷାରେ କହିଲେ, ଆସିମ ମୁନୀର ହେଉଛନ୍ତି ପାକିସ୍ତାନର ପରମାଣୁ ଅସ୍ତ୍ରାଗାରର ସେହି ଚାବି, ଯାହାକୁ ଆମେରିକା ନିଜ ପକେଟରେ ରଖିବାକୁ ଚାହେଁ।
ପାକିସ୍ତାନର ‘ନୁର ଖାନ’ ଏୟାରବେସ୍ ଏବଂ ନୂତନ ଦୁର୍ଗୀକରଣ

ସାମ୍ପ୍ରତିକ ରିପୋର୍ଟ ଅନୁସାରେ, ପାକିସ୍ତାନର ‘ନୁର ଖାନ’ (Nur Khan) ଏୟାରଫୋର୍ସ ବେସ୍କୁ ଅତ୍ୟଧିକ ସୁରକ୍ଷିତ ଏବଂ ଦୁର୍ଗୀକୃତ କରାଯାଉଛି । ଏହି ଏୟାରବେସ୍ ପରମାଣୁ ଅସ୍ତ୍ର ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ଜଣାଶୁଣା । ଆମେରିକା ଏହି ବେସ୍ ଉପରେ କଡ଼ା ନଜର ରଖିବା ସହ ପାକିସ୍ତାନ ସେନା ସହ ମିଶି ଏକ ଗୁପ୍
ରୋଡମ୍ୟାପ୍ ତିଆରି କରୁଥିବା ଅନୁମାନ କରାଯାଉଛି । ଉଦ୍ଦେଶ୍ୟ ସ୍ପଷ୍ଟ— ଯଦି ପାକିସ୍ତାନରେ ସିଭିଲ୍ ୱାର୍ (ଗୃହଯୁଦ୍ଧ) ଭଳି ସ୍ଥିତି ଉପୁଜେ, ତେବେ ମିନିଟ୍ ମଧ୍ୟରେ ଏହି ପରମାଣୁ ଅସ୍ତ୍ରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।
ନୂଆ ପାକିସ୍ତାନର ଭୟଙ୍କର ରୂପ: ଭାରତ ପାଇଁ ସତର୍କ ଘଣ୍ଟି
ଭାରତରେ ଏକ ସାଧାରଣ ଧାରଣା ରହିଛି ଯେ ପାକିସ୍ତାନ ଦୁର୍ବଳ ହେଲେ କିମ୍ବା ମ୍ୟାପ୍ରୁ ଲିଭିଗଲେ ଭାରତ ଶକ୍ତିଶାଳୀ ହେବ । କିନ୍ତୁ ଲକି ବିଷ୍ଟ ଏଠାରେ ଏକ ଭୟଙ୍କର ସତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା କେବେବି ଚାହେଁ ନାହିଁ ଯେ ଏହି ଅଞ୍ଚଳରେ ଭାରତର ଏକାଧିପତ୍ୟ ରହୁ ।

ଯଦି ଆଜିର ପାକିସ୍ତାନ ଶେଷ ହୁଏ, ତେବେ ଆମେରିକା ଆଉ ଏକ ‘ପାକିସ୍ତାନ’ ତିଆରି କରିବ । ଏହି ନୂଆ ପାକିସ୍ତାନ ବୋଧହୁଏ ବାଂଲାଦେଶର ଭୂମିରେ ହୋଇପାରେ କିମ୍ବା ଅନ୍ୟ କୌଣସି ପଡ଼ୋଶୀ ଦେଶରେ । ଭାରତକୁ ‘ଚେକ୍-ଏଣ୍ଡ-ବ୍ୟାଲାନ୍ସ’ କରିବା ପାଇଁ ଆମେରିକା ସବୁବେଳେ ଏକ ଅସ୍ଥିର ପରିବେଶ ତିଆରି କରି ରଖିବାକୁ ଚାହେଁ । ସମ୍ପ୍ରତି ବାଂଲାଦେଶରେ ଘଟୁଥିବା ରାଜନୈତିକ ପରିବର୍ତ୍ତନ ଏବଂ ସେଠାରେ ପାକିସ୍ତାନ ପ୍ରେମୀ ଗୋଷ୍ଠୀଙ୍କ ସକ୍ରିୟତା ଏହି ଆଡକୁ ଇସାରା କରୁଛି ।
ଏକ ଅଜ୍ଞାତ ଯୁଦ୍ଧର ପ୍ରସ୍ତୁତି

ଲକି ବିଷ୍ଟଙ୍କ ଏହି ବିଶ୍ଳେଷଣ କେବଳ ଏକ ଭବିଷ୍ୟବାଣୀ ନୁହେଁ, ବରଂ ଏକ ଗୁପ୍ତ ରଣନୀତିର ଖୁଲାସା । ପାକିସ୍ତାନର ପରମାଣୁ ବୋମା ଆଜି ଦୁନିଆ ପାଇଁ ଏକ ବଡ଼ ‘ଲାଏବିଲିଟି’ ବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆମେରିକା ଏବଂ ପାକିସ୍ତାନ ସେନା ମଧ୍ୟରେ ଚାଲିଥିବା ଏହି ‘ଗିଭ୍ ଆଣ୍ଡ ଟେକ୍’ ରାଜନୀତିରେ ଭାରତକୁ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ।

ପରମାଣୁ ଅସ୍ତ୍ର ଆମେରିକା ହାତକୁ ଯିବା ମାନେ, ପାକିସ୍ତାନ ଆନୁଷ୍ଠାନିକ ଭାବେ ଏକ ଆମେରିକୀୟ କଲୋନୀରେ ପରିଣତ ହେବା ଏବଂ ଏହାର ପ୍ରଭାବ ସମଗ୍ର ଦକ୍ଷିଣ ଏସିଆର ସୁରକ୍ଷା ବ୍ୟବସ୍ଥାକୁ ବଦଳାଇ ଦେବ।
also read : https://purvapaksa.com/is-women-protection-really-a-challenge-to-empowerment-or-familyism/


