ଆଜି ଭାରତୀୟ ରାଜନୀତି ଏକ ବଡ଼ ଛକ ଉପରେ ଛିଡ଼ା ହୋଇଛି । ଚାରିଟି ରାଜ୍ୟ – କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ । ଏହି ଚାରିଟି ରାଜ୍ୟରେ ଚାରିଜଣ ମହାରଥୀ ନିଜ ନିଜର ଗଡ଼ ରକ୍ଷା କରିବା ପାଇଁ ଲଢ଼େଇ କରୁଛନ୍ତି । କିନ୍ତୁ ଏହି ଲଢ଼େଇ କେବଳ ସରକାର ଗଢ଼ିବା ପାଇଁ ନୁହେଁ, ବରଂ ନିଜର ଅସ୍ତିତ୍ୱ ଏବଂ ଆଦର୍ଶବାଦକୁ ବଞ୍ଚାଇବା ପାଇଁ । ତେବେ କେମିତି ଏହି ନିର୍ବାଚନ ଜାତୀୟ ରାଜନୀତିର ଗତିପଥ ବଦଳାଇ ଦେବ ?
କେରଳ – କମ୍ୟୁନିଷ୍ଟ ଶାସନର ଶେଷ ଦୁର୍ଗ?
କେରଳରେ ପିନାରାଇ ବିଜୟନ ହେଉଛନ୍ତି ସେହି ନେତା, ଯିଏ ଇତିହାସ ରଚିବାକୁ ଯାଉଛନ୍ତି । କେରଳର ଇତିହାସ କହେ, ସେଠାରେ ପ୍ରତି ୫ ବର୍ଷରେ ସରକାର ବଦଳେ। କିନ୍ତୁ ବିଜୟନ ଏହାକୁ ଭାଙ୍ଗି ସାରିଛନ୍ତି ଏବଂ ଏବେ ସେ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି ।
କିନ୍ତୁ ଏଠାରେ ଏକ ବଡ଼ ବିଡ଼ମ୍ବନା ଅଛି । କେରଳ ଥିଲା ଦେଶର ପ୍ରଥମ ରାଜ୍ୟ ଯେଉଁଠି ପ୍ରଥମ ଅଣ-କଂଗ୍ରେସ ସରକାର (କମ୍ୟୁନିଷ୍ଟ) ଗଠନ ହୋଇଥିଲା। ଆଜି ସାରା ଭାରତରେ କେରଳ ହିଁ ଏକମାତ୍ର ରାଜ୍ୟ ଯେଉଁଠି ବାମପନ୍ଥୀ ଶାସନ ବଞ୍ଚି ରହିଛି । ଯଦି ପିନାରାଇ ବିଜୟନ ଏଥର ହାରନ୍ତି, ତେବେ ଭାରତରୁ କମ୍ୟୁନିଷ୍ଟ ଶାସନର ସମାପ୍ତି ଘଟିବ। ଏଠାରେ କଂଗ୍ରେସ ଓ ବାମପନ୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି, ଯେଉଁଥିରେ ବିଜେପି ଏକ ତୃତୀୟ ଶକ୍ତି ଭାବେ ଉଭା ହୋଇଛି।
ତାମିଲନାଡୁ – ପରିବାରବାଦ ଓ ଦ୍ରାବିଡ଼ ରାଜନୀତିର ଅନ୍ତ?
ତାମିଲନାଡୁରେ ଏମ.କେ. ଷ୍ଟାଲିନ୍ ନିଜ ପରିବାରର ତୃତୀୟ ପିଢ଼ିକୁ ଗାଦିରେ ବସାଇବାକୁ ଚାହୁଁଛନ୍ତି। ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ଏବେ ଡେପୁଟି ସିଏମ୍, କିନ୍ତୁ ତାଙ୍କ କାନ୍ଧରେ ପୂର୍ବ ଦୁଇ ପିଢ଼ିର ଯେଉଁ ବୋଝ ଅଛି, ତାହା ସେ ସମ୍ଭାଳି ପାରିବେ କି ନାହିଁ ତାହା ବଡ଼ ପ୍ରଶ୍ନ।

ଏହି ନିର୍ବାଚନ କେବଳ ଷ୍ଟାଲିନଙ୍କ ପାଇଁ ନୁହେଁ, ବରଂ ‘ଦ୍ରାବିଡ଼ ରାଜନୀତି’ର ଭବିଷ୍ୟତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଏନଡିଏ (ବିଜେପି ଓ ଏଆଇଏଡିଏମକେ) ସେଠାରେ ଶକ୍ତିଶାଳୀ ହୁଏ, ତେବେ ୧୯୬୭ ମସିହାରୁ ଚାଲିଆସୁଥିବା ଆଞ୍ଚଳିକ ଓ ଭାଷାଭିତ୍ତିକ ରାଜନୀତିର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ସନାତନ ବିରୋଧୀ ବିଚାରଧାରାକୁ ଜନତା ପ୍ରତ୍ୟାଖ୍ୟାନ କରିବେ କି ନାହିଁ, ତାହା ଏହି ନିର୍ବାଚନରୁ ହିଁ ଜଣାପଡ଼ିବ।
ପଶ୍ଚିମବଙ୍ଗ – ମମତାଙ୍କ ଦୁର୍ଗରେ ଫାଟ?
ମମତା ବାନାର୍ଜୀ ହେଉଛନ୍ତି ଜଣେ ଏମିତି ନେତା ଯିଏ ଶୂନ୍ୟରୁ ନିଜର ସାମ୍ରାଜ୍ୟ ଗଢ଼ିଛନ୍ତି। ୧୫ ବର୍ଷର ଶାସନ ପରେ ସେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ଵପ୍ନ ଦେଖୁଛନ୍ତି। କିନ୍ତୁ ପରିସ୍ଥିତି ଏବେ ବଦଳିଛି।

ଦୁର୍ନୀତି, ସନ୍ଦେଶଖାଲି ଘଟଣା ଏବଂ ଆର.ଜି. କର ମେଡିକାଲ କଲେଜ କାଣ୍ଡ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବିଜେପି ଏଥର ଏକ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇଛି। ବିଶେଷ କରି ମୁସଲିମ ମହିଳାଙ୍କ ଅଧିକାର ଓ ୟୁସିସି (UCC) ପ୍ରସଙ୍ଗ ଉଠାଇ ବିଜେପି ମମତାଙ୍କ ଭୋଟ୍ ବ୍ୟାଙ୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ୩୪ ବର୍ଷର ସିପିଏମ ଶାସନକୁ ଯେମିତି ମମତା ହଟାଇଥିଲେ, ଏବେ ପଶ୍ଚିମବଙ୍ଗର ଜନତା ମମତାଙ୍କ ଶାସନରୁ ମଧ୍ୟ ମୁକ୍ତି ଚାହୁଁଥିବା ପରି ମନେହେଉଛି।
ଆସାମରେ ହିମନ୍ତଙ୍କ ଚାଣକ୍ୟ ନୀତି
ଆସାମରେ ବିଜେପି ଏକ ବଡ଼ ରେକର୍ଡ କରିବାକୁ ଯାଉଛି। ପ୍ରାୟ ୪୦% ମୁସଲିମ ଜନସଂଖ୍ୟା ଥିବା ରାଜ୍ୟରେ ବିଜେପି ଲଗାତାର ତୃତୀୟ ଥର ଶାସନକୁ ଆସିବାକୁ ଯାଉଛି। ହିମନ୍ତ ବିଶ୍ୱ ଶର୍ମା ହେଉଛନ୍ତି ପ୍ରଥମ ନେତା ଯିଏ ଅଣ-ଆରଏସଏସ ପୃଷ୍ଠଭୂମିରୁ ଆସି ମଧ୍ୟ ବିଜେପିର ସବୁଠାରୁ ସଫଳ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି।

ତାଙ୍କର କାର୍ଯ୍ୟଶୈଳୀ ଓ ସଂଗଠନ ଏତେ ମଜଭୁତ ଯେ ବିରୋଧୀ କଂଗ୍ରେସ ଏବେ ଲଢ଼େଇରୁ ବାହାରେ ଥିବା ପରି ଜଣାପଡୁଛି। ଆସାମର ଫଳାଫଳ ପ୍ରମାଣ କରିବ ଯେ କେବଳ ନିଜର ନୁହେଁ, ଅନ୍ୟ ଦଳରୁ ଆସିଥିବା ଯୋଗ୍ୟ ନେତାଙ୍କୁ ମଧ୍ୟ ବିଜେପି କେମିତି ସଫଳତାର ସହ ବ୍ୟବହାର କରିପାରୁଛି।

“ତେବେ ମଇ ୪ ତାରିଖରେ ଜଣାପଡ଼ିବ ଏହି ଚାରି ଶୂରବୀରଙ୍କ ମଧ୍ୟରୁ କିଏ ନିଜର ଗଡ଼ ରକ୍ଷା କରିପାରୁଛି ଏବଂ କାହାର ପରାଜୟ ଘଟୁଛି। ଏହି ନିର୍ବାଚନ କେବଳ ଚାରୋଟି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଭାରତର ଆଗାମୀ ରାଜନୈତିକ ଦିଶା ପାଇଁ ଏକ ସଙ୍କେତ ହେବ।
also read : https://purvapaksa.com/congress-anti-women-mentality-party-leaves-if-you-raise-your-voice/


