ଓଡ଼ିଶାର ରାଜନୀତି ଓ ସହରାଞ୍ଚଳର ବିକାଶର ମଝିରେ ଏବେ ଏକ ନୂଆ ତର୍କ ଜନ୍ମ ନେଇଛି; ତାହା ହେଲା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ। ଏହି ମେଟ୍ରୋ ପ୍ରକଳ୍ପକୁ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଅନାବଶ୍ୟକ’ ଓ ‘ଅର୍ଥନୈତିକ ଦୃଷ୍ଟିକୋଣରୁ ଅସମ୍ଭବ’ ବୋଲି କହି ବାତିଲ କରିଦେଇଥିଲେ। ଏବେ ସେହି ପ୍ରସଙ୍ଗ ସରକାରଙ୍କ ପାଇଁ ବୁମେରାଂ ସଦୃଶ ହୋଇଛି। ଏହି ବିଷୟକୁ ନେଇ ରାଜନୀତିରେ ଗରମାଗରମ ପରିସ୍ଥିତି ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, ବିରୋଧୀଙ୍କ ଅପେକ୍ଷା ଶାସକ ଦଳର ସଦସ୍ୟମାନେ ସରକାରଙ୍କ ପଦକ୍ଷେପକୁ ପରୋକ୍ଷରେ ଭୁଲ ବୋଲି କହିବା ଆରମ୍ଭ କରିଛନ୍ତି। ସରକାରରେ ପ୍ରଭାବଶାଳୀ ନେତା ତଥା ମନ୍ତ୍ରୀ ପୃଥ୍ୱରାଜ ହରିଚନ୍ଦନ ଓ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗରେ ନିଆଁରେ ଘିଅ ଢାଳିବା ଭଳି କାମ କରିଛି। ବିରୋଧୀ ଦଳର ଆକ୍ରମଣ ଏବଂ ଜନସାଧାରଣଙ୍କ ଅସନ୍ତୋଷ ସବୁକିଛି ଏକାଠି ହୋଇ ଏହାକୁ ଏକ ରାଜନୀତିକ “ମେଟ୍ରୋ କୀଳା”ର ରୂପ ଦେଇଛି।
ପୃଥ୍ୱୀରାଜଙ୍କ ‘ୟୁ-ଟର୍ଣ୍ଣ’ ଓ ଅପରାଜିତାଙ୍କ ଚିଠି
ଗତ ୫ ତାରିଖରେ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ମେଟ୍ରୋ ପ୍ରକଳ୍ପକୁ ନେଇ ଗମ୍ଭୀର ଅଛନ୍ତି, କିନ୍ତୁ ସତର୍କତାର ସହିତ ପଦକ୍ଷେପ ନେବେ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସ୍ଥିତିରେ ମେଟ୍ରୋ ଏକ କ୍ଷତିର ସଉଦା ହୋଇପାରେ, କିନ୍ତୁ ଏକ ବ୍ୟାପକ ‘ଗତିଶୀଳତା ଯୋଜନା’ (Mobility Plan) ପ୍ରସ୍ତୁତ ହେବା ପରେ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏପରି ବିବୃତ୍ତି ଦେବାର ରାଜନୈତିକ କାରଣ ହେଲା ସେ ମୋହନ-ମନମୋହନ ଗୋଷ୍ଠୀର ନୁହଁନ୍ତି। ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ସମର୍ଥକଭାବେ ସମସ୍ତେ ଜାଣିନ୍ତି। ତେଣୁ ସେ ମନ୍ତ୍ରୀ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାରମ୍ବାର ଅପଦସ୍ତ କରିବାରେ ଲାଗିଛନ୍ତି। ତାଙ୍କ ବିଭାଗରେ ଚିକିଟି ମଦମୃତ୍ୟୁ, ସମୁଦ୍ର କୂଳରେ ମଦଦୋକାନ ଖୋଲିବା, ରଥଯାତ୍ରାରେ ବାରମ୍ବାର ବିଭ୍ରାଟ ଓ ଶ୍ରୀମନ୍ଦିରକୁ ନେଇ ବାରମ୍ବାର ମିଛ ବିବୃତ୍ତି ଦେଇ ସରକାରଙ୍କୁ ଅଡ଼ୁଆରେ ପକାଉଛନ୍ତି। ନିଜ ବିଭାଗର ବିଫଳତାକୁ ଲୁଚାଇବା ପାଇଁ ସେ ଅନ୍ୟ ବିଭାଗ ଉପରେ ବିବୃତ୍ତି ଦେବା ପାଇଁ ଦଳ ଓ ସରକାରଙ୍କ ତରଫରୁ ଅଧୀକୃତ ହୋଇନଥିଲେ ମଧ୍ୟ ଉପରେ ପଡ଼ି ବିବାଦୀୟ ବିବୃତ୍ତି ଦିଅନ୍ତି। ଯାହାକି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଡ଼ୁଆରେ ପଡ଼ନ୍ତି। ନିକଟ ଭବିଷ୍ୟତରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ସଂକେତ ମିଳୁଥିବାରୁ ସେ ନିଜକୁ ବଞ୍ଚାଇବା ସହିତ ନିଜ ପାଖରେ ଥିବା ଦୁଧିଆଳୀ ବିଭାଗ ଯେପରି ହଟି ନ ଯାଏ ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ମାନସିକ ଚାପ ଦେଉଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ଅନ୍ୟପଟେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନିଆଁକୁ ଆହୁରି ଜୋରଦାର କରିଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଏପ୍ରିଲ ୪ ତାରିଖରେ କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ମେଟ୍ରୋ ସ୍ଥଗିତ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି। ଅପରାଜିତାଙ୍କ ଯୁକ୍ତି ହେଉଛି, ଭୁବନେଶ୍ୱର ପୂର୍ବ ଭାରତର ଏକ ଉଦୀୟମାନ ସହର ଏବଂ ଏହାର ଆଖପାଖ ଅଞ୍ଚଳକୁ ମିଶାଇଲେ ଜନସଂଖ୍ୟା ପ୍ରାୟ ୨୦-୨୫ ଲକ୍ଷ ଟପିବଣି। ତେଣୁ ଭବିଷ୍ୟତର ଟ୍ରାଫିକ ଜଞ୍ଜାଳରୁ ବଞ୍ଚିବା ପାଇଁ ମେଟ୍ରୋ ଅପରିହାର୍ଯ୍ୟ।
ଅଡ଼ୁଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମେଟ୍ରୋ ପ୍ରକଳ୍ପକୁ ପୂର୍ବ ବିଜେଡି ସରକାରର ଏକ “ଷ୍ଟଣ୍ଟ” ବୋଲି କହି ବାତିଲ କରିଥିବା ମୋହନ ସରକାର ଏବେ ନିଜ ନେତାଙ୍କ ଯୁକ୍ତି ଆଗରେ ଅଡ଼ୁଆରେ ପଡ଼ିଛନ୍ତି। ଯଦି ସରକାର ଏବେ ମେଟ୍ରୋ ପାଇଁ ହଁ କରନ୍ତି, ତେବେ ପୂର୍ବ ନିଷ୍ପତ୍ତି ଭୁଲ ବୋଲି ପ୍ରମାଣିତ ହେବ। ଆଉ ଯଦି ନା କରନ୍ତି, ତେବେ ରାଜଧାନୀବାସୀଙ୍କ ଆକ୍ରୋଶ ଓ ନିଜ ସାଂସଦଙ୍କ ପ୍ରସ୍ତାବକୁ ଅଣଦେଖା କରିବାର ଅପବାଦ ମୁଣ୍ଡାଇବେ।
ଟ୍ରାଫିକ ସମସ୍ୟା: ବିଜେଡିର ‘ଉପହାର’ ନା ବିଜେପିର ବିଫଳତା?
ସହରର ଟ୍ରାଫିକ ସମସ୍ୟା ପାଇଁ ବିଜେପି ଶିବିର ପୂର୍ବ ବିଜେଡି ସରକାରକୁ ଦାୟୀ କରିଛି। ଅଭିଯୋଗ ହେଉଛି ଯେ, ଭୋଟ୍ବ୍ୟାଙ୍କ ରାଜନୀତି ପାଇଁ ବିଜେଡି ସରକାର ‘ଜାଗା ମିଶନ’ ନାଁରେ ରାସ୍ତାକଡ଼ରେ ଅନୁପ୍ରବେଶକାରୀଙ୍କୁ ବସ୍ତି କରିବାକୁ ସୁଯୋଗ ଦେଇଥିଲେ। ଏଥିସହିତ ବିଏମସିର ରାଜସ୍ୱ ବୃଦ୍ଧି ପାଇଁ ରାସ୍ତା ଉପରେ ଅଯଥା ପାର୍କିଂ ସ୍ଥଳ ନିର୍ମାଣ କରି ରାସ୍ତାକୁ ସଂକୁଚିତ କରାଯାଇଛି।
ତେବେ ପ୍ରଶ୍ନ ଉଠୁଛି, ବିଜେପି ସରକାରକୁ ଆସିବା ପରେ ମଧ୍ୟ କାହିଁକି ଏହି ଜବରଦଖଲ ହଟାଯାଇ ପାରୁନାହିଁ? ଟ୍ରାଫିକ ନିୟନ୍ତ୍ରଣ କରିବାରେ ବର୍ତ୍ତମାନର ପ୍ରଶାସନ କାହିଁକି ଶିଥିଳ? ଏହାକୁ ନେଇ ବିଜୁ ଜନତା ଦଳ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି।
ମେଟ୍ରୋ ଟ୍ରେନ୍ ଗଡ଼ୁ କି ନଗଡ଼ୁ, କିନ୍ତୁ ଏହାକୁ ନେଇ ରାଜନୈତିକ ପାରଦ ଯଥେଷ୍ଟ ବୃଦ୍ଧି ପାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଚିଠି ଏବଂ ପୂର୍ତ୍ତ ମନ୍ତ୍ରୀଙ୍କ ବଦଳୁଥିବା ସ୍ୱର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ କଠିନ ପରୀକ୍ଷା ଆଗରେ ଛିଡ଼ା କରିଛି। ଆଗାମୀ ଦିନରେ ସରକାର ନିଜର “ଜନତାଙ୍କ ସରକାର” ଭାବମୂର୍ତ୍ତି ବଜାୟ ରଖିବା ପାଇଁ ମେଟ୍ରୋ ଫାଇଲ୍ ଖୋଲୁଛନ୍ତି ନା ଏହା ରାଜନୈତିକ କନ୍ଦଳ ଭିତରେ ଚାପି ହୋଇ ରହୁଛି, ତାହା ଦେଖିବାକୁ ବାକି ରହିଲା।
ମୋହନ ମାଝୀ ସରକାର ପାଇଁ ଏହା ଏକ “କୀଳା”—ଯାହାକୁ ସମାଧାନ କରି ନ ପାରିଲେ ଏହା ଆଗାମୀ ଦିନରେ ଆହୁରି ବଡ଼ ରାଜନୀତିକ ସମସ୍ୟାର ରୂପ ନେଇପାରେ।
ଶେଷରେ ପ୍ରଶ୍ନ—ମେଟ୍ରୋ ଆସିବ କି? ନା ଏହା ରାଜନୀତିରେ ହିଁ ଅଟକି ରହିଯିବ?
ଉତ୍ତର ଆସନ୍ତା ଦିନରେ ସରକାରର ନିଷ୍ପତ୍ତି ଓ ରାଜନୀତିକ ଇଚ୍ଛାଶକ୍ତି ଉପରେ ନିର୍ଭର କରିବ।
AlsoRead; https://purvapaksa.com/anti-feminist-female-leader/


