- ଏନେଇ ତୃତୀୟରେ ଓଡ଼ିଶା
- ଏହିସମୟରେ ୧.୩ ଲକ୍ଷ ନୂଆ ସାମିଲ
ଓଡ଼ିଶାରେ କେମିତି ଚାଲିଛି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏବେ ଆସିଥିବା ସଦ୍ୟତମ ରିପୋର୍ଟକୁ ଦେଖିଲେ ମୁଣ୍ଡ ଝାଁ ମାରିଯିବ। ଗତ ୬ମାସ ମଧ୍ୟରେ ୯ ଲକ୍ଷ ଶ୍ରମିକ ମନରେଗାରୁ ବାଦ ପଡିଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରୁ ୮.୭୬ ଲକ୍ଷ ଶ୍ରମିକ ଙ୍କୁ ବାଦ୍ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏଥିପାଇଁ କିଏ ଦାୟୀ। ବିଜେଡି ସରକାର ନା ବିଜେପି ସରକାର। ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ୍)ର କାର୍ଯ୍ୟକାରିତା ପ୍ରମୁଖ କାରଣ ବୋଲି ଲିବଟେକ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
‘ଓଡ଼ିଶାରେ ମନରେଗା: ଆହ୍ଵାନ ଓ ସୁଯୋଗର ମଧ୍ୟବର୍ଷ ବିଶ୍ଳେଷଣ’ ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ସମସ୍ତ ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ହ୍ରାସ ପାଇଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ୯୫ ଲକ୍ଷ ଥିଲା। ପ୍ରଥମ ଛଅ ମାସରେ ହାରାହାରି ୮.୭ ଲକ୍ଷ ଶ୍ରମିକଙ୍କୁ ମନରେଗା ତାଲିକାରୁ ହଟାଇ ଦିଆଯାଇଛି। ଏହା ଫଳରେ ୬ ମାସ ମଧ୍ୟରେ ସର୍ବାଧିକ ନେଟ୍ ହ୍ରାସ ହୋଇଥିବା ଓଡ଼ିଶା ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ସେହି ସମୟରେ ୧.୩ ଲକ୍ଷ ନୂଆ ଶ୍ରମିକ ଯୋଡ଼ି ହୋଇଥିଲେ ମଧ୍ୟ ଏହି ସଂଯୋଗକୁ ୧୦.୧ ଲକ୍ଷ ହ୍ରାସ କରାଯାଇଛି । ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଏବିପିଏସ ପାଇଁ ପ୍ରୟାସକୁ ଦାୟୀ କରାଯାଇଛି। ଯାହା ଫଳରେ ଅନେକ ପ୍ରକୃତ ଶ୍ରମିକଙ୍କୁ ବାଦ୍ ଦିଆଯାଇଛି । କୋରାପୁଟ ଓ ବଲାଙ୍ଗୀର ଭଳି ଅନେକ ଜିଲ୍ଲାରେ ପ୍ରଶାସନିକ ତ୍ରୁଟି କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ଯୋଗ୍ୟ ଶ୍ରମିକଙ୍କୁ ଭୁଲବଶତଃ ହଟାଇ ଦିଆଯାଇଥିବା ଅନେକ ଘଟଣା ସାମ୍ନାକୁ ଆସିଛି।
ଗତ ବର୍ଷ ଜାନୁଆରିରେ ଏମଓଆରଡି ମନରେଗା ପାଇଁ ଆଧାର ଆଧାରିତ ପେମେଣ୍ଟ ସିଷ୍ଟମକୁ ବାଧ୍ୟତାମୂଳକ କରିଥିଲା । ଏନେଇ ଏକ ଟିମ୍ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଏବିପିଏସ ଯୋଗ୍ୟତା ଲକ୍ଷ୍ୟ ପୂରଣ କରିବା ପାଇଁ ଚାପରେ ଅଧିକାରୀମାନେ ଏବିପିଏସ ପାଇଁ ବୈଷୟିକ ଆବଶ୍ୟକତା ପୂରଣ କରିନପାରିବାରୁ ଶ୍ରମିକମାନଙ୍କୁ ମନରେଗା ଡାଟାବେସରୁ ହଟାଇ ଦେଇଛନ୍ତି। ଲିବଟେକ ଇଣ୍ଡିଆର ଗବେଷକ ଚକ୍ରଧର ବୁଦ୍ଧ କହିଛନ୍ତି ଯେ, ବିଭିନ୍ନ ଭୁଲ ଯୋଗୁ ଅନେକ ପ୍ରକୃତ ଶ୍ରମିକ ସେମାନଙ୍କର ଉଚିତ ପାରିଶ୍ରମିକ ପାଇବାରେ ଅସଫଳ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟର ସମସ୍ତ ମନରେଗା ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୬.୭ ପ୍ରତିଶତ ଏବିପିଏସ୍ ପାଇଁ ଅଯୋଗ୍ୟ ଅଛନ୍ତି।
ଏହି ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ନିଯୁକ୍ତିରେ ୪୮.୪ ପ୍ରତିଶତ ହ୍ରାସ ଘଟିଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୪ କୋଟିରୁ ୧୧.୩ କୋଟିକୁ ବୃଦ୍ଧି ପାଇବା ପରେ ୮.୬ ପ୍ରତିଶତ ବୃଦ୍ଧି ହୋଇଥିଲା। ମାତ୍ର ଚଳିତ ଆର୍ଥିକ ବର୍ଷ (ପ୍ରଥମ ଛଅ ମାସ)ରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି, ଯେଉଁଥିରେ କାର୍ଯ୍ୟ ଦିବସ ୫.୮ କୋଟିକୁ ଖସି ଆସିଛି (୪୮.୪ ପ୍ରତିଶତ ହ୍ରାସ)। ଯଦି ଭୁଲ ଭାବେ ଛଟେଇ ହୋଇଥିବା ଶ୍ରମିକମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଥାନ୍ତା ତେବେ ସୃଷ୍ଟି ହୋଇଥିବା କାର୍ଯ୍ୟ ଦିବସ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା। ଯାହା ମନରେଗା ଉପରେ ଶ୍ରମିକମାନଙ୍କର ଯଥେଷ୍ଟ ନିର୍ଭରଶୀଳତାକୁ ଦର୍ଶାଉଛି। ଏହି ପର୍ଯ୍ୟବେକ୍ଷଣ ଏହି ଯୋଜନା ଅଧୀନରେ ନିଯୁକ୍ତି ସୁଯୋଗର କ୍ରମାଗତ ଉଚ୍ଚ ଏବଂ ବୃଦ୍ଧି ପାଉଥିବା ଚାହିଦା ଉପରେ ଗୁରୁତ୍ୱାରୋପ କରୁଛି ବୋଲି ଗବଷେକ ବୁଦ୍ଧ କହିଛନ୍ତି।
previous article: https://purvapaksa.com/maharashtra-mein-kaun-jitega-record-voting-percentage-maha-vikas-aghadi-mahayuti-victory-of-bjp-shivsena/