ଓଡ଼ିଶାରେ ବିଜେଡି ଶାସନ ସମୟରେ ବିକାଶର ଡିଣ୍ଡିମ ପିଟାଯାଉଥିଲା, କିନ୍ତୁ ଏବେ ସିଏଜି ରିପୋର୍ଟ ଯେଉଁ ତଥ୍ୟ ଆଣିଛି, ତାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଗରିବ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍କୁଲ ପିଲାଙ୍କ ପେଟରୁ ଦାନା ଛଡ଼ାଇ ନେଇଛନ୍ତି ଦୁର୍ନୀତିଖୋର ଅଧିକାରୀ ଓ ନେତା। ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠିରେ କିଭଳି ହରିଲୁଟ୍ ହୋଇଛି, ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶାଲ ରିପୋର୍ଟରେ।
ଟଙ୍କା ଥାଇ ବି ସେବା ମିଳିଲାନି

ସିଏଜିଙ୍କ ରିପୋର୍ଟ ଅନୁସାରେ, ୨୦୧୮ରୁ ୨୦୨୩ ମଧ୍ୟରେ ରାଜ୍ୟ ପାଖରେ ୫୧୨୮ କୋଟି ଟଙ୍କା ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରାୟ ୩୮୧ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଲା। କେବଳ ସେତିକି ନୁହେଁ, ସଠିକ୍ ସମୟରେ ହିସାବ ବା ୟୁସି ଦେଇନପାରିବାରୁ କେନ୍ଦ୍ର ସରକାର ଓଡ଼ିଶାର ପ୍ରାୟ ୩୩୯ କୋଟି ଟଙ୍କାର ଅନୁଦାନ କାଟିଦେଲେ। ଅର୍ଥାତ୍ ଅପାରଗ ପ୍ରଶାସନ ପାଇଁ ଓଡ଼ିଶାର ପିଲାଙ୍କ ହକ ମରାଗଲା।
ଓଜନରେ ଠକେଇ ଓ ନିମ୍ନମାନର ଖାଦ୍ୟ

ରିପୋର୍ଟ କହୁଛି, ଅଙ୍ଗନୱାଡିକୁ ଯାଉଥିବା ୫୦ କେଜି ଚାଉଳ ବସ୍ତାରେ ପ୍ରାୟ ୧୬ କେଜି ପର୍ଯ୍ୟନ୍ତ ଚାଉଳ କମ୍ ରହୁଥିଲା। ଏହି ଚାଉଳ ଚୋରିର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ। ଝାରସୁଗୁଡ଼ା ଭଳି ଜିଲ୍ଲାରେ ପିଲାଙ୍କୁ ପୋକରା ଓ ପଚା ଚାଉଳ ଦିଆଯାଉଥିବା ବେଳେ ରିଫାଇନ୍ ତେଲ ବଦଳରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପାମ୍ ଅଏଲ୍ ବ୍ୟବହାର କରାଯାଉଥିଲା।
ଭୂତ ସ୍କୁଲରେ ମଧ୍ୟାହ୍ନ ଭୋଜନ
![]()
ଦୁର୍ନୀତିର ସୀମା ଦେଖନ୍ତୁ! ରାୟଗଡ଼ାରେ ଏମିତି ଦୁଇଟି ସ୍କୁଲ ଅଛି ଯାହାର ବାସ୍ତବରେ କୌଣସି ଅସ୍ତିତ୍ୱ ନାହିଁ। କିନ୍ତୁ ସେହି ସ୍କୁଲ ନାମରେ କାଗଜପତ୍ରରେ ପିଲାଙ୍କୁ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଓ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ ହରିଲୁଟ୍ କରାଯାଇଛି।
ଅଚଳ ଯନ୍ତ୍ର ଓ ସ୍ମାର୍ଟଫୋନ୍ ଦୁର୍ନୀତି
ପିଲାଙ୍କ ଓଜନ ମାପିବା ପାଇଁ କିଣାଯାଇଥିବା ୧୮ ହଜାରରୁ ଅଧିକ ଯନ୍ତ୍ର ଅତି ନିମ୍ନମାନର ଥିବାରୁ ସେଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିପରି ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଇଥିବା ସ୍ମାର୍ଟଫୋନ୍ ମାତ୍ର ୧୦-୧୫ ଦିନରେ ଖରାପ ହୋଇଗଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କିଣାବିକାରେ କେତେ ବଡ଼ ପିସି କାରବାର ହୋଇଛି।

ଯେଉଁ ରାଜ୍ୟରେ ୧.୫୭ ଲକ୍ଷ ଶିଶୁ ଅପପୁଷ୍ଟିର ଶିକାର, ସେଠାରେ ପୋଷଣ ଅଭିଯାନର ଟଙ୍କାକୁ ଏଭଳି ଲୁଟିବା କେତେଦୂର ଅମାନବୀୟ? ସିଏଜି ରିପୋର୍ଟ ପଦାକୁ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି— କାହା ଛତ୍ରଛାୟାରେ ଏହି ହରିଲୁଟ୍ ଚାଲିଥିଲା? ଏହି ୨.୧୯ କୋଟି ହିତାଧିକାରୀଙ୍କ ପେଟକୁ କାଟିଥିବା ଅସଲି ମାଷ୍ଟରମାଇଣ୍ଡ କିଏ?
ଏହି ସମ୍ପୂର୍ଣ୍ଣ ଦୁର୍ନୀତି ଉପରେ ଆପଣଙ୍କ ମତାମତ କ’ଣ? କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର କି ନାହିଁ?
also read : https://purvapaksa.com/budget-session-ends-after-5-working-days-bjd-congress-limited-to-protest/


