ଓଡ଼ିଶା ରାଜନୀତି ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତି ମୁହୂର୍ତ୍ତରେ ସମୀକରଣ ବଦଳିବାରେ ଲାଗିଛି। ରାଜ୍ୟସଭା ନିର୍ବାଚନ ପରେ ଯେଉଁ ‘ସାଇଡ୍ ଇଫେକ୍ଟ’ ଦେଖିବାକୁ ମିଳୁଛି, ତାହା ଶାସକ ଦଳ ବିଜେଡି ପାଇଁ କାଳ ହେବ କି? କଟକରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ଯାଏଁ, ବିଦ୍ରୋହର ନିଆଁ କେତେ ଭୟଙ୍କର? ଆଜି ଆମେ ବିଶ୍ଳେଷଣ କରିବା କାହିଁକି ନବୀନ ବାବୁ ଏବେ ଚିନ୍ତାରେ ଏବଂ କାହିଁକି ଦଳର ପୁରୁଖା ନେତାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ସବୁଠାରୁ ବଡ଼ ଖବର ଆସିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝରରୁ। କେନ୍ଦୁଝର ମ୍ୟୁନିସ୍ପାଲିଟିର ଉପାଧ୍ୟକ୍ଷଙ୍କ ସମେତ ୮ଜଣ କାଉନସିଲର ବିଜେଡିରୁ ଏକାଠି ଇସ୍ତଫା ଦେଇଛନ୍ତି।
କେବଳ କେନ୍ଦୁଝର ନୁହେଁ, ଆଖଉ ଏକ ବଡ଼ ଖବର ଆସିଛି କଟକରୁ। କଟକର ଟାଣୁଆ ନେତା ପ୍ରଭାତ ବିଶ୍ୱାଳ, ଯିଏକି ଦୁଇ ଥରର ବିଧାୟକ, ସେ ଏବେ ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି। ଆପଣ ଜାଣିଥିବେ, ତାଙ୍କ ପୁଅ ସୌଭିକ ବିଶ୍ୱାଳ ଚୌଦ୍ୱାର-କଟକର ବିଧାୟକ। କିନ୍ତୁ ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ ପରେ କଟକ ରାଜନୀତିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି। ପ୍ରଭାତ ବିଶ୍ୱାଳ ନିଜ ବାସଭବନରେ ୧୩ ଜଣ କର୍ପୋରେଟରଙ୍କୁ ନେଇ ବୈଠକ କରୁଛନ୍ତି। ପ୍ରଶ୍ନ ଉଠୁଛି, ଏହି କର୍ପୋରେଟରମାନେ ଦଳ ସହ ରହିବେ ନା ପ୍ରଭାତଙ୍କ ସହ? ଖବର ମିଳୁଛି ଯେ ପ୍ରଭାତ ବାବୁ ବିଜେପି ସହ ସମ୍ପର୍କରେ ଅଛନ୍ତି ଏବଂ ବିଜେଡିକୁ କଟକରେ ଦୁଇ ଭାଗ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ସ୍ଥିତିକୁ ଦେଖି ନବୀନ ବାବୁ ଚୁପ୍ ବସିନାହାଁନ୍ତି। ସେ କଟକର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରତାପ ଜେନାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ନବୀନ ନିବାସରୁ ସ୍ପଷ୍ଟ ନିର୍ଦ୍ଦେଶ ଯାଇଛି – କୌଣସି ବି ପରିସ୍ଥିତିରେ କର୍ପୋରେଟରମାନଙ୍କୁ ଏକଜୁଟ ରଖିବାକୁ ହେବ। କିନ୍ତୁ କର୍ପୋରେଟରମାନଙ୍କ ମନରେ ଏବେ ଅନେକ ଦ୍ୱନ୍ଦ୍ୱ। ଯଦି ସେମାନେ ବିଜେଡି ଛାଡ଼ି ସ୍ୱାଧୀନ କିମ୍ବା ବିଜେପିକୁ ଯାଆନ୍ତି, ତେବେ ସେମାନଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ? ଏହି ଗ୍ୟାରେଣ୍ଟି ସେମାନେ ପ୍ରଭାତ ବିଶ୍ୱାଳଙ୍କ ପାଖରୁ ମାଗୁଛନ୍ତି।

କେବଳ କଟକ ନୁହେଁ, ସାରା ଓଡ଼ିଶାରେ ଏବେ ୧୧ଟି ନିର୍ବାଚନ ମଣ୍ଡଳୀରେ ନୂଆ ସମୀକରଣ ସୃଷ୍ଟି ହେଉଛି। ୮ ଜଣ ବିଜେଡି ବିଧାୟକ ଏବଂ ୩ ଜଣ କଂଗ୍ରେସ ବିଧାୟକ ‘କ୍ରସ୍ ଭୋଟିଂ’ କରିବା ପରେ ଏବେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଜାଣିଛନ୍ତି ଯେ ବିଜେଡିକୁ ଫେରିବା ସମ୍ଭବ ନୁହେଁ, ତେଣୁ ସେମାନେ ବିଜେପି କିମ୍ବା କୌଣସି ନୂଆ ପ୍ଲାଟଫର୍ମ ଖୋଜୁଛନ୍ତି। ଏହି ୮ ଜଣ ବିଧାୟକ ବିଜେଡିର ‘ଘର ଭାଙ୍ଗିବା’ ପାଇଁ ଯୋଜନା କରୁଥିବାବେଳେ, ନବୀନ ବାବୁ ନିଜ ‘ଘର ସଜାଡ଼ିବାରେ’ ବ୍ୟସ୍ତ ଅଛନ୍ତି।

ଆପଣମାନେ ଲକ୍ଷ୍ୟ କରିଥିବେ, ଗତ କିଛି ଦିନ ହେବ ନବୀନ ବାବୁ ବହୁତ ଆଗ୍ରେସିଭ୍ ମୋଡ୍ରେ ଅଛନ୍ତି। ବିଧାନସଭାରେ ବିଜେଡି ବିଧାୟକମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିବା ଏବଂ ବିଜେପି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏହାର ସ୍ପଷ୍ଟ ସଙ୍କେତ। ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିରୋଧରେ ହେଉଥିବା ହୋହଲ୍ଲାକୁ ମଧ୍ୟ ନବୀନ ବାବୁ ବିଜେପି ବିରୁଦ୍ଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ‘ଅଘୋଷିତ ବନ୍ଧୁତା’ ଥିବା ଚର୍ଚ୍ଚା ହେଉଥିଲା, ତାହା ଏବେ ସମ୍ପୂର୍ଣ୍ଣ ଶେଷ ହୋଇଥିବା ପରି ମନେ ହେଉଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ‘ବିଜୁ ଲିଗାସୀ’ କାହା ପାଖରେ ରହିବ? ବିଦ୍ରୋହୀ ବିଧାୟକମାନେ ବିଜୁ ବାବୁଙ୍କ ଫଟୋ ଧରି ନୂଆ ପଲିଟିକାଲ୍ ନାରେଟିଭ୍ ତିଆରି କରୁଛନ୍ତି। ସେପଟେ ବିଜେପି ସମସ୍ତ ବିଦ୍ରୋହୀଙ୍କୁ ଟିକେଟ୍ ଦେବାର ଗ୍ୟାରେଣ୍ଟି ଦେଇପାରୁନାହିଁ, କାରଣ ବିଜେପିରେ ମଧ୍ୟ ଅନେକ ପୁରୁଖା ନେତା ଧାଡ଼ିରେ ଅଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଲଢ଼େଇ ଆହୁରି ରୋଚକ ହେବାକୁ ଯାଉଛି।
ଓଡ଼ିଶା ରାଜନୀତିର ଏହି ବଦଳୁଥିବା ସମୀକରଣ ଆଗକୁ କେଉଁ ରୂପ ନେବ, ତାହା ଦେଖିବାକୁ ବାକି ରହିଲା। କିନ୍ତୁ ଗୋଟିଏ କଥା ସ୍ପଷ୍ଟ – ନବୀନ ବାବୁ ଏବେ କର ବା ମର ମୋଡ୍ରେ ଅଛନ୍ତି।
also read : https://purvapaksa.com/this-hospital-was-excluded-from-ayushman-bharat-scheme-know-the-list/


