ଯେଉଁ ଖେଳକୁ ଦିନେ ‘ଜେଣ୍ଟଲମ୍ୟାନ୍ସ ଗେମ୍’ କୁହାଯାଉଥିଲା, ଧଳା ପୋଷାକ ପିନ୍ଧି ଖେଳାଳିମାନେ ଶୃଙ୍ଖଳାର ସହ ଖେଳୁଥିଲେ, ଆଜି ତାହା କିପରି ଏକ ‘ମଲ୍ଟି ବିଲିୟନ୍ ଡଲାର୍ ଇଣ୍ଡଷ୍ଟ୍ରି’ରେ ପରିଣତ ହୋଇଛି? ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟ ଖେଳାଳିମାନଙ୍କ ଜୀବନ, ଦର୍ଶକମାନଙ୍କ ମାନସିକତା ଏବଂ ଦେଶର ଅର୍ଥନୀତି ଉପରେ କି ପ୍ରଭାବ ପକାଉଛି? ଆସନ୍ତୁ ଆଜି ଆମେ ଏହି ‘କ୍ରିକେଟାଇନମେଣ୍ଟ’ର ପରଦା ଖୋଲିବା ଏବଂ ତାର ଗଭୀର ବିଶ୍ଳେଷଣ କରିବା। ଆଜିର ଆମର ଏହି ଆଲୋଚନା ୪ଟି ଭିନ୍ନ ଭିନ୍ନ ସୋର୍ସ ବା ତଥ୍ୟ ଉପରେ ପର୍ଯ୍ୟବସିତ- ଗୋଟିଏ ଏକାଡେମିକ୍ ରିସର୍ଚ୍ଚ ପେପର୍, ଏକ ମିଡିଆ ରିପୋର୍ଟ, ଏକ ଫାଇନାନ୍ସିଆଲ୍ ରିପୋର୍ଟ ଏବଂ ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ୟୁନିଭରସିଟି ସିଲାବସ୍!
ଆପଣ ଆଶ୍ଚର୍ଯ୍ୟ ହେବେ ଯେ କ୍ରିକେଟ୍ ଆଜି କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ୟୁନିଭରସିଟି ମାନଙ୍କରେ ଏକ ବିଷୟବସ୍ତୁ ପାଲଟିଲାଣି। ୨୦୨୪-୨୫ ଶିକ୍ଷାବର୍ଷର ଏକ ଅଣ୍ଡର-ଗ୍ରାଜୁଏଟ୍ କୋର୍ସର ନାମ ରଖାଯାଇଛି- “କ୍ରିକେଟ୍ କଲଚର୍ ଆଣ୍ଡ୍ ମିଡିଆ” । ଏହି ସିଲାବସ୍ ପ୍ରମାଣ କରୁଛି ଯେ କ୍ରିକେଟ୍ ଏବେ ଭାରତର ‘ପପ୍ କଲଚର୍’, ରାଜନୀତି ଏବଂ ରାଷ୍ଟ୍ରବାଦର ଏକ ପ୍ରତୀକ ହୋଇସାରିଛି।
ଏହି ସିଲାବସ୍ରେ ଗୋଟିଏ ଶବ୍ଦ ଉପରେ ବହୁତ ଜୋର୍ ଦିଆଯାଇଛି, ତାହା ହେଉଛି ‘କ୍ରିକେଟାଇନମେଣ୍ଟ’। ଅର୍ଥାତ୍ କ୍ରିକେଟ୍ ସହ ମନୋରଞ୍ଜନର ମିଶ୍ରଣ। ଆଜିକାଲି ମ୍ୟାଚ୍ର ଫଳାଫଳ ଅପେକ୍ଷା ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଯେ ଦର୍ଶକଙ୍କୁ କିପରି ପ୍ରତିଦିନ ଏକ ନୂଆ ଡ୍ରାମା ମିଳିବ, ଏକ ନୂଆ ହିରୋ ମିଳିବ ଏବଂ ଇମୋସନର ଉତ୍ଥାନ-ପତନ ମିଳିବ। ଖେଳାଳିମାନେ ଆଜି କେବଳ ଆଥଲେଟ୍ ହୋଇ ରହିନାହାନ୍ତି, ସେମାନେ ‘ଗ୍ଲୋବାଲ୍ ବ୍ରାଣ୍ଡ୍’ ପାଲଟିଛନ୍ତି। ସେମାନଙ୍କର ଷ୍ଟ୍ରାଇକ୍ ରେଟ୍ ଅପେକ୍ଷା ସେମାନଙ୍କର ‘ସ୍କ୍ରିନ୍ ପ୍ରେଜେନ୍ସ’ ସେମାନଙ୍କର ବ୍ରାଣ୍ଡ୍ ଭ୍ୟାଲ୍ୟୁ ସ୍ଥିର କରୁଛି। କ୍ରିକେଟ୍, ମିଡିଆ ଏବଂ ବଲିଉଡ୍… ଏହି ତିନୋଟିର ମିଶ୍ରଣ ଆଜି କ୍ରିକେଟ୍ ମଇଦାନକୁ ଏକ ଗ୍ଲାମର୍ ଦୁନିଆରେ ପରିଣତ କରିଦେଇଛି। ଉଚ୍ଚ ସ୍ୱରରେ ମ୍ୟୁଜିକ୍, ଚିୟର ଲିଡର୍ସ ଏବଂ ଚକାଚୌନ୍ଧ ଆଲୋକ… ଏସବୁ ମିଶି ଏକ ବିଶାଳ ଲାଭଦାୟକ ମେସିନ୍ ତିଆରି କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ଖେଳ ଏକ ବଲିଉଡ୍ ସିନେମା ପାଲଟିଯାଏ, ସେତେବେଳେ ଆମ ଖେଳାଳିମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼େ?
ଅର୍ଥର ବର୍ଷା ଏବଂ ଖେଳାଳିଙ୍କ ଉପରେ ଚାପ
ଏକାଡେମିକ୍ ରିସର୍ଚ୍ଚ ପେପର୍ ଅନୁଯାୟୀ, ବ୍ୟବସାୟୀକରଣ କାରଣରୁ କ୍ରିକେଟ୍ରେ ଅର୍ଥର ବର୍ଷା ହେଉଛି। ଟିକେ ଇତିହାସକୁ ଫେରିଯିବା। ୧୯୮୩ ମସିହାରେ ଯେତେବେଳେ କପିଲ୍ ଦେବଙ୍କ ଦଳ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା, ପୂରା ଦଳର ପ୍ରାଇଜ୍ ମନି ଥିଲା ମାତ୍ର ୧୪.୩ ଲକ୍ଷ ଟଙ୍କା। ସେତେବେଳେ କୌଣସି ପିଆର୍ ଟିମ୍ ନଥିଲେ। କିନ୍ତୁ ୨୦୧୧ ରେ ଯେତେବେଳେ ଏମ୍.ଏସ୍. ଧୋନିଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ବିଶ୍ୱକପ୍ ଜିତିଲା, ସେହି ପ୍ରାଇଜ୍ ମନି ବଢ଼ିଯାଇ ହୋଇଗଲା ୧୩.୮ କୋଟି ଟଙ୍କା! ଆଉ ଆଜି ଆଇପିଏଲ୍ର ଗୋଟିଏ ଖେଳାଳିର ଦାମ୍ ୨୦ କୋଟି ଟଙ୍କା ପାର୍ କରିଯାଉଛି।
ଏହି ବ୍ୟବସାୟୀକରଣର କିଛି ସକାରାତ୍ମକ ଦିଗ ମଧ୍ୟ ଅଛି। ଟି-୨୦ ଫର୍ମାଟ୍ କାରଣରୁ ଖେଳର ବ୍ୟାକରଣ ବଦଳିଯାଇଛି। ବ୍ୟାଟ୍ସମ୍ୟାନ୍ ମାନେ ଆଜି ୩୬୦ ଡିଗ୍ରୀ ସଟ୍ସ, ସ୍କୁପ୍ସ, ଆଉ ସୁଇଚ୍ ହିଟ୍ ମାରୁଛନ୍ତି। ବୋଲରମାନେ ନକଲ୍ ବଲ୍ ଏବଂ ୱାଇଡ୍ ୟର୍କର ପକାଉଛନ୍ତି। ଫିଲ୍ଡିଂର ସ୍ତର ଏତେ ବଢ଼ିଯାଇଛି ଯେ “Hold a catch and win a match” କେବଳ ଏକ ଢଗ ହୋଇ ରହିନାହିଁ, ଏହା ବର୍ତ୍ତମାନ ଏକ ବାସ୍ତବତା। ଏହାବ୍ୟତୀତ ବିଦେଶୀ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ଶେୟାର୍ କରିବା ଦ୍ୱାରା ଏକ ଗ୍ଲୋବାଲ୍ ଭାଇଚାରା ସୃଷ୍ଟି ହେଉଛି ଏବଂ ଆମ ଅର୍ଥନୀତି ମଧ୍ୟ ବୃଦ୍ଧି ପାଉଛି।
କିନ୍ତୁ ଏହାର ଏକ ଅନ୍ଧକାର ଦିଗ ବା ‘ଡାର୍କ ସାଇଡ୍’ ମଧ୍ୟ ରହିଛି। ଯେତେବେଳେ ଗୋଟିଏ ସିଷ୍ଟମରେ ଏତେ ଅଧିକ ପଇସା ଏବଂ ପ୍ରେସର୍ ଆସିଯାଏ, ସେତେବେଳେ ତାର ମୂଲ୍ୟ କାହାକୁ ନା କାହାକୁ ଚୁକାଇବାକୁ ପଡ଼େ। ଆଉ ଏହି ମୂଲ୍ୟ ଚୁକାଉଛନ୍ତି ଆମର ଖେଳାଳି। ଶାରୀରିକ ଏବଂ ମାନସିକ ସ୍ତରରେ ସେମାନେ ଅତ୍ୟଧିକ ଥକ୍କାପଣର ଶିକାର ହେଉଛନ୍ତି। ଆଇପିଏଲ୍ ଭଳି ଟୁର୍ଣ୍ଣାମେଣ୍ଟରେ ମାତ୍ର ୫୪ ଦିନ ଭିତରେ ୭୬ଟି ମ୍ୟାଚ୍ ଖେଳାଯାଏ। ଫାଇନାଲ୍ ପହଞ୍ଚିବା ବେଳକୁ ଗୋଟିଏ ଦଳକୁ ୧୪-୧୫ ଟି ମ୍ୟାଚ୍ ଖେଳିବାକୁ ପଡ଼େ, ତାହା ପୁଣି ଲଗାତାର ଟ୍ରାଭେଲ୍ କରି ଏବଂ ଭାରତର ଭୟଙ୍କର ଗ୍ରୀଷ୍ମ ପ୍ରବାହ ଭିତରେ। ଏହି କାରଣରୁ ଖେଳାଳିମାନେ ଆହତ ହେଉଛନ୍ତି। ଅନେକ ସମୟରେ ଖେଳାଳିମାନେ ନିଜ ଦେଶ ପାଇଁ ଖେଳିବା ବଦଳରେ ଆଇପିଏଲ୍ ଖେଳିବାକୁ ପସନ୍ଦ କରୁଛନ୍ତି, କାରଣ ସେଠାରେ ସେମାନଙ୍କୁ ଆର୍ଥିକ ସୁରକ୍ଷା ମିଳୁଛି। ଆଉ ଏହି ଅତ୍ୟଧିକ ଟଙ୍କାର ଲୋଭ ଯୁବ ଖେଳାଳିମାନଙ୍କୁ ମ୍ୟାଚ୍ ଫିକ୍ସିଂ ଏବଂ ସଟ୍ଟାବାଜି ଭଳି ବିପଦ ଆଡ଼କୁ ମଧ୍ୟ ଟାଣି ନେଉଛି।
ଦର୍ଶକଙ୍କ ଯନ୍ତ୍ରଣା – ‘ଭିଜୁଆଲ୍ ପଲ୍ୟୁସନ୍
ଖେଳାଳିଙ୍କ କଥା ତ ଗଲା, ଏବେ ଆସନ୍ତୁ ଦର୍ଶକଙ୍କ କଥା କହିବା। ୨୦୨୫ ଆଇପିଏଲ୍ ଉପରେ ଆସିଥିବା ଏକ ତାଜା ମିଡିଆ ରିପୋର୍ଟ ଅନୁଯାୟୀ, ବ୍ୟବସାୟୀକରଣର ଏହି ବୋଝ ଆମ ଦର୍ଶକଙ୍କ ଉପରେ ମଧ୍ୟ ପଡ଼ୁଛି। ଦିନସାରା କାମ କରିବା ପରେ ଜଣେ ଲୋକ ଟିଭି ଖୋଲି ବସେ ଟିକେ ମନୋରଞ୍ଜନ ପାଇଁ, ଟିକେ କ୍ରିକେଟ୍ ଦେଖିବା ପାଇଁ। କିନ୍ତୁ ହେଉଛି କଣ? ଆମକୁ କ୍ରିକେଟ୍ ଅପେକ୍ଷା ବିଜ୍ଞାପନ ବା ଆଡ୍ସ୍ ଅଧିକ ଦେଖିବାକୁ ମିଳୁଛି। ଏହାକୁ ରିପୋର୍ଟରେ ‘ଭିଜୁଆଲ୍ ପଲ୍ୟୁସନ୍’ କୁହାଯାଇଛି।
ବ୍ରାଣ୍ଡ୍ସ୍ ମାନେ ଆଇପିଏଲ୍କୁ ଏକ ମାର୍କେଟିଂ ରଣକ୍ଷେତ୍ର ବନାଇଦେଇଛନ୍ତି। ସ୍କ୍ରିନ୍ ଉପରେ ଏତେ ପ୍ରକାରର ପପ୍-ଅପ୍ସ, ଡିଜିଟାଲ୍ ଓଭରଲେ ଆସୁଛି ଯେ ଖେଳ କେଉଁଠି ଆଉ ବିଜ୍ଞାପନ କେଉଁଠି ଜାଣି ହେଉନାହିଁ। କମଳାପସନ୍ଦ ବିଜ୍ଞାପନ ହେଉ କିମ୍ବା ପାର୍ଲେ ଜିର ଲୁପ୍ ଆଡ୍, ଏସବୁ ଦର୍ଶକଙ୍କୁ ମାନସିକ ସ୍ତରରେ ବିରକ୍ତ କରୁଛି। ଖେଳର ସବୁଠାରୁ ରୋମାଞ୍ଚକର ମୁହୂର୍ତ୍ତ ଚାଲିଥିବା ବେଳେ ହଠାତ୍ “ଆଜା ମେରେ ସର୍କଲ୍ ମେଁ ଆଜା” ଭଳି ଉଚ୍ଚ ସ୍ୱରର ଜିଙ୍ଗଲ୍ ବାଜି ଉଠୁଛି ଏବଂ ଦର୍ଶକଙ୍କ ଫୋକସ୍ ଭାଙ୍ଗିଯାଉଛି। ଗୋଟିଏ ସମୟ ଥିଲା ଯେତେବେଳେ କମର୍ସିଆଲ୍ ବ୍ରେକ୍ ମାନେ ପାଣି ପିଇବାର ସମୟ ଥିଲା। କିନ୍ତୁ ଏବେ ଏହା ଏକ ‘ଆଡଭରଟାଇଜିଂ ମାରାଥନ୍’ ପାଲଟିଯାଇଛି। ଏଥିରେ ବିରକ୍ତ ହୋଇ ଦର୍ଶକ ଏବେ ଇଣ୍ଟରନେଟ୍ରେ ଆଡ୍ ବ୍ଲକର୍ ଖୋଜିବା ଆରମ୍ଭ କଲେଣି।
କମୁଛି ଆଇପିଏଲ୍ର ଭ୍ୟାଲୁଏସନ୍ – ଆର୍ଥିକ ସଙ୍କଟର ଆଭାସ
ଏବେ ଆସୁଛି ସବୁଠାରୁ ବଡ଼ ଟ୍ୱିଷ୍ଟ । ଏତେ ସବୁ ବିଜ୍ଞାପନ, ଏତେ ପଇସାର ବର୍ଷା… ତଥାପି ଏକ ଫାଇନାନ୍ସିଆଲ୍ ରିପୋର୍ଟ ଅନୁଯାୟୀ ଆଇପିଏଲ୍ ଇକୋସିଷ୍ଟମ୍ର ଭ୍ୟାଲୁଏସନ୍ କ୍ରମାଗତ ଭାବେ କମିବାରେ ଲାଗିଛି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ସଂଖ୍ୟା ମିଛ କହେ ନାହିଁ।
୨୦୨୩ ମସିହାରେ ଆଇପିଏଲ୍ର ସମୁଦାୟ ମୂଲ୍ୟ ଥିଲା ୯୨,୫୦୦ କୋଟି ଟଙ୍କା। ୨୦୨୪ ରେ ତାହା ଖସି ଆସିଲା ୮୨,୭୦୦ କୋଟିକୁ। ଆଉ ଏବେ ୨୦୨୫ ରେ ତାହା ପହଞ୍ଚିଛି ୭୬,୧୦୦ କୋଟି ଟଙ୍କାରେ। ଏହାର କାରଣ କଣ? ପ୍ରଥମ କାରଣ ହେଉଛି ଭାୟାକମ୍ ୧୮ ଏବଂ ଡିଜନୀ ଷ୍ଟାରର ମେଗା ମର୍ଜର୍ । ପୂର୍ବରୁ ମିଡିଆ ରାଇଟ୍ସ ପାଇଁ ଏହି ଦୁଇ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ହେଉଥିଲା, ଯାହା ଫଳରେ ବିସିସିଆଇକୁ ଅଧିକ ଟଙ୍କା ମିଳୁଥିଲା। ଏବେ ଦୁହେଁ ମିଶିଯିବା ପରେ ମାର୍କେଟ୍ରେ ମନୋପୋଲି ବା ଏକଚାଟିଆ ବଜାର ସୃଷ୍ଟି ହୋଇଛି ଏବଂ ନିଲାମ ଡାକିବାକୁ କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।

ଦ୍ୱିତୀୟ ବଡ଼ କାରଣ ହେଉଛି ରିଅଲ୍ ମନି ଗେମିଂ ବା ଆପ୍ସ୍ ଉପରେ ସରକାରୀ କଟକଣା ଏବଂ ନୂଆ ଟ୍ୟାକ୍ସ ବ୍ୟବସ୍ଥା। ଡ୍ରିମ୍ ୧୧ କିମ୍ବା ମାଇଁ ୧୧ ସର୍କଲ୍ ଭଳି ଆପ୍ସ୍ ପ୍ରତିବର୍ଷ ଆଇପିଏଲ୍କୁ ୧୫୦୦ ରୁ ୨୦୦୦ କୋଟି ଟଙ୍କା ଆଣିଦେଉଥିଲେ। ସେମାନେ ଏବେ ବାଦ୍ ପଡ଼ିବା ଫଳରେ ଆଇପିଏଲ୍ର ଭ୍ୟାଲୁଏସନ୍କୁ ଶକ୍ତ ଧକ୍କା ଲାଗିଛି।
ମହିଳା ପ୍ରିମିୟର ଲିଗ୍ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଟେଲିଭିଜନ୍ ରେଟିଂ ବା ଭ୍ୟୁଅର୍ସିପ୍ ୧୪୨% ବୃଦ୍ଧି ପାଇଛି ସତ, କିନ୍ତୁ ଭ୍ୟାଲୁଏସନ୍ ୧୩୫୦ କୋଟିରୁ କମି ୧୨୭୫ କୋଟି ହୋଇଯାଇଛି। ଅର୍ଥାତ୍ ବଜାର ଏବେ ଥଣ୍ଡା ପଡ଼ିଛି ଏବଂ ନିଜର ପ୍ରକୃତ ମୂଲ୍ୟ ଖୋଜୁଛି। ଆଗରୁ ଯେଉଁ ଟଙ୍କାର ପାହାଡ଼ ଛିଡ଼ା କରାଯାଇଥିଲା, ତାହା ବୋଧହୁଏ ଏକ ‘ବବଲ୍’ ବା ପାଣିଫୋଟକା ଥିଲା। ଏବେ ଆଇପିଏଲ୍କୁ ପୁଣିଥରେ ପାରମ୍ପରିକ ବିଜ୍ଞାପନଦାତା (ଯେପରିକି FMCG କମ୍ପାନୀ) ମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। କିନ୍ତୁ ସେମାନେ ଆରଏମଜି ଆପ୍ସ୍ ଭଳି ଆଖିବୁଜା ଟଙ୍କା ଉଡ଼ାଇବେ ନାହିଁ।
ଆଜିର ଏହି ଆଲୋଚନାରୁ ଆମେ ଦେଖିଲେ ଯେ କିପରି ଏକ ସାଧାରଣ ଖେଳ ୟୁନିଭରସିଟି ସିଲାବସ୍ ପର୍ଯ୍ୟନ୍ତ ପହଞ୍ଚିଗଲା। କିପରି ଅର୍ଥର ବର୍ଷା ଖେଳାଳିମାନଙ୍କୁ ଦକ୍ଷତା ସହ ଶାରୀରିକ କଷ୍ଟ ମଧ୍ୟ ଦେଲା। ଦର୍ଶକମାନେ କିପରି ଅତ୍ୟଧିକ ବିଜ୍ଞାପନରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି ଏବଂ ଶେଷରେ ଏହି ବିଶାଳ ଆଇପିଏଲ୍ ସାମ୍ରାଜ୍ୟର ଆର୍ଥିକ ମୂଲ୍ୟ କିପରି ଖସିବାରେ ଲାଗିଛି।
ଏକାଡେମିକ୍ ପେପର୍ର ଶେଷ ଧାଡ଼ିଟି ଥିଲା- “କ୍ରିକେଟ୍ ଇଜ୍ ଏ ଜେଣ୍ଟଲମ୍ୟାନ୍ସ ଗେମ୍, ଆଣ୍ଡ ପିପୁଲ୍ ଲାଇକ୍ ଚେଞ୍ଜ୍ ଆଫ୍ଟର୍ ଆ ଟାଇମ୍” । ଅର୍ଥାତ୍ ଗୋଟିଏ ସମୟ ପରେ ଲୋକେ ପରିବର୍ତ୍ତନ ଖୋଜନ୍ତି। ଯେଉଁ ଅତ୍ୟଧିକ ବ୍ୟବସାୟୀକରଣ ଆଜି କ୍ରିକେଟ୍କୁ ଏତେ ଉପରକୁ ନେଇଯାଇଛି, କାଲି କଣ ତାହା ହିଁ ଦର୍ଶକଙ୍କୁ ଏହି ଖେଳରୁ ଦୂରେଇ ଦେବ ନାହିଁ ତ? କଣ କେବଳ ଟଙ୍କା ପାଇଁ ଖେଳର ପ୍ରକୃତ ଆତ୍ମା ହଜିଯିବ କି? ଆଗାମୀ ଦିନରେ ଆମେ କେବଳ ଏକ ଲମ୍ବା ବିଜ୍ଞାପନ ବ୍ରେକ୍ ମଝିରେ ଟିକିଏ କ୍ରିକେଟ୍ ଦେଖିବା କି?
ଏହି ସବୁ ପ୍ରଶ୍ନର ଉତ୍ତର ଆମ ସମସ୍ତଙ୍କୁ ଖୋଜିବାକୁ ପଡ଼ିବ। ଆଜିର ଏହି ବିଶ୍ଳେଷଣରେ ବାସ୍ ଏତିକି। ଆଶା କରୁଛୁ କ୍ରିକେଟ୍ ଏବଂ ଆଇପିଏଲ୍ର ଏହି ବ୍ୟବସାୟିକ ଦିଗ ଆପଣଙ୍କୁ ଚିନ୍ତା କରିବାକୁ ଖୋରାକ୍ ଯୋଗାଇବ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଏକ ନୂଆ ବିଷୟ ସହ ଭେଟ ହେବ।


