ଓଡ଼ିଶା ରାଜନୀତିର ଇତିହାସରେ ୨୦୨୪ ଏକ ବଡ଼ ପରିବର୍ତ୍ତନର ବର୍ଷ ଥିଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତା ଦଖଲ କଲା। ଜଣେ ସାଧାରଣ ପରିବାରରୁ ଆସିଥିବା ଆଦିବାସୀ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ। କିନ୍ତୁ କ୍ଷମତା ପାଇବାର କିଛି ମାସ ମଧ୍ୟରେ ହିଁ ସରକାର ଓ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ “ନିଜ ଲୋକଙ୍କ” ଅସନ୍ତୋଷ ଏବେ ପଦାରେ ପଡ଼ିବାରେ ଲାଗିଛି। ୨୦୦୬ର ଚଳଚ୍ଚିତ୍ର ‘ଲଗେ ରହୋ ମୁନ୍ନା ଭାଇ’ରେ ନାୟକ ସଞ୍ଜୟ ଦତ୍ତ ଓ ସହ ନାୟକ ଅର୍ସଦ ୱାର୍ସୀ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ ପାଇଁ ଗାନ୍ଧୀବାଦର ବାହାନା ନେଇଥିଲେ। ଠିକ୍ ସେହିଭଳି ଓଡ଼ିଶା ବିଜେପିର କିଛି ତୁଙ୍ଗ ନେତା ନିଜର ମହତ୍ତ୍ୱାକାଂକ୍ଷା ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାବମୂର୍ତ୍ତିକୁ ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି।

ମୁଖ୍ୟମନ୍ତ୍ରୀ ହୋଇଥିବା ଜଣେ କପଟବିହିନ ବିଜେପି ନେତା ମୋହନ ଚରଣ ମାଝୀଙ୍କୁ ବଦନାମ କରିବା ପାଇଁ ଦଳର ଦୁଇଜଣ ଆତ୍ମଘୋଷିତ ପ୍ରଭାବଶାଳୀ ମନ୍ତ୍ରୀ ଲଗାତାର ଉଦ୍ୟମ କରି ଆସୁଛନ୍ତି। କିଏ ସେହି ଦୁଇଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବା କିପରି ଷଡ଼ଯନ୍ତ୍ର ରଚୁଛନ୍ତି ଆଜି ଆଲୋଚନା କରିବା।
ରାଜ୍ୟରେ ବିଜେପି ସରକାର ଗଠନ କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ବହୁ ଚର୍ଚ୍ଚା ହେଉଥିଲା। ସେ ନିଜେ ମଧ୍ୟ ଏହି ଆଶାରେ ପାଗ ଭିଡ଼ି ବସିଥିଲେ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶାରେ ଦଳର କେନ୍ଦ୍ରୀୟ ନେତାମାନେ ପାଣି ପକାଇ ଦେଇଥିଲେ। ଦଳର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାର ଜଣେ ତୃଣମୂଳ ସ୍ତରର କର୍ମୀ ତଥା ଚାରିଥରର ବିଧାୟକ ମୋହନ ମାଝୀଙ୍କୁ ଶାସନର ଡୋରି ଦେଇଥିଲେ। ଏହି ନିଷ୍ପତ୍ତି ଧର୍ମେନ୍ଦ୍ରଙ୍କ ଶିବିର ପାଇଁ ଏକ ବଡ଼ ଧକ୍କା ଥିଲା। ଏହିଠାରୁ ହିଁ ଆରମ୍ଭ ହେଲା ବିବାଦର ସୂତ୍ରପାତ।
ଅଭିଯୋଗ ହେଉଛି ଯେ, ଧର୍ମେନ୍ଦ୍ରଙ୍କ ପ୍ରତି ହୋଇଥିବା ଏହି ତଥାକଥିତ ଅପମାନର ପ୍ରତିଶୋଧ ନେବା ପାଇଁ ତାଙ୍କର ଅତି ବିଶ୍ୱସ୍ତ ସହଯୋଗୀ ତଥା ବର୍ତ୍ତମାନର ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଭିନ୍ନ ପ୍ରକାରର ଗୋଟି ଚାଳନା କରୁଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ପୃଥ୍ୱୀରାଜ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ‘ସର୍କିଟ’ ବା ଅର୍ସଦ ୱାର୍ସୀ ଯିଏ ନିଜ ‘ଗୁରୁ’ଙ୍କୁ ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅସୁବିଧାରେ ପକାଉଛନ୍ତି।
ଧର୍ମେନ୍ଦ୍ରଙ୍କ ଅପମାନର ପ୍ରତିଶୋଧ ନେଇ ତାଙ୍କୁ ଗୁରୁ ଦକ୍ଷିଣା ଦେବା ପାଇଁ ମନ୍ତ୍ରୀ ହରିଚନ୍ଦନ ପ୍ରଥମ ଦିନରୁ ଲାଗିପଡ଼ିଛନ୍ତି। ତେଣୁ ସେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ମାନିବାକୁ ରାଜି ନୁହଁନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। କ୍ଷମତାକୁ ଆସୁ ଆସୁ ରାଜ୍ୟରେ ୧୯ ଅଗଷ୍ଟ ୨୦୨୪ରେ ଗଂଜାମ ଜିଲ୍ଲା ଚିକିଟିର ଜେନା ସାହିର ଲୋକନାଥ ବେହେରା ଏବଂ ଜୁରା ବେହେରା ନକଲି ଦେଶୀ ମଦ ପିଇ ମୃତ୍ୟୁବରଣ କରିଥିବାବେଳେ ୨୦ରୁ ଅଧିକ ଅସୁସ୍ଥ ହୋଇଥିଲେ। ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଁ ଅଦ୍ୟାବଧି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇନାହିଁ।
ଏହାଛଡ଼ା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ନକଲି ମଦ କାରବାର ଅହେତୁକ ବୃଦ୍ଧି ପାଇଛି। ନିଳାଦ୍ରୀ ବିହାର ଅଞ୍ଚଳରେ ନକଲି ମଦ ପିଇ ଲୋକ ମରିଥିବାର ଅଭିଯୋଗ ମଧ୍ୟ ହୋଇଛି। ଏହାପରେ ପୁରୀ ବେଳାଭୂମିରେ ଗୋଆ ଷ୍ଟାଇଲରେ ମଦ ଦୋକାନ ଖୋଲିବାକୁ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ। ଏହା ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇଥିଲା। ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ବିରୋଧ କରି କହିଥିଲେ ପୁରୀ ଭୋଗ ଭୂମି ନୁହେଁ। ଏହା କହିବାରୁ ସରକାର ଏହି ଯୋଜନାରୁ ପଛକୁ ହଟିଥିଲେ।
ଚଳିତ ବର୍ଷ ଗଞ୍ଜେଇ ଚାଲାଣରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏବେ ରାଜ୍ୟରେ ଟେଟ୍ରା ପ୍ୟାକରେ ମଦ ବିକ୍ରି କରାଯିବ ବୋଲି ଫେବୃଆରୀ ୨୦ ତାରିଖରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି। ଟେଟ୍ରା ପ୍ୟାକରେ ମଦ ବିକ୍ରିକୁ ସୁପ୍ରିମକୋର୍ଟ ୨୦୨୫ ନଭେମ୍ବର ୧୭ ତାରିଖରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଭଳି ମଦ ବିକ୍ରି ହେଲେ ସ୍କୁଲ ପିଲାମାନେ ମଦ୍ୟପାନ କରିବାକୁ ଉତ୍ସାହିତ ହେବେ ବୋଲି ସୁପ୍ରିମକୋର୍ଟ ସେତେବେଳେ ଚେତାଇ ଦେଇଥିଲେ।
ରାଜ୍ୟରେ ଏବେ ଟେଟ୍ରା ପ୍ୟାକରେ ମଦବିକ୍ରି ଆରମ୍ଭ ହୋଇନାହିଁ। କିନ୍ତୁ ନୟାଗଡ଼ର ଦଶପଲ୍ଲା ହାଇସ୍କୁଲର ଦୁଇଜଣ ୭ମ ଶ୍ରେଣୀ ଛାତ୍ର ଗତ ୧୨ ତାରିଖରେ ମଦ ପିଇ ସ୍କୁଲକୁ ଆସିଥିବା ଖବର ପ୍ରକାଶିତ ହୋଇଛି। ଗତ ଅକ୍ଟୋବର ୨୫ ତାରଖରେ ଜଣେ ୧୧ ବର୍ଷୀୟ ଷଷ୍ଠ ଶ୍ରେଣୀର ଛାତ୍ରକୁ ତାର ସହପାଠୀମାନେ ଜୋରଜବସ୍ତ ମଦ ପିଆଇଥିବାର ଖବର ବି ପ୍ରକାଶ ପାଇଛି। ଏହାପରେ ବି ରାଜ୍ୟରେ ଟେଟ୍ରାପ୍ୟାକରେ ମଦ ବିକ୍ରି ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଏହି ଘୋଷଣା ଦ୍ୱାରା କାହାର ଲାଭ ହେବ ସେ କଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହିଁ କହିପାରିବେ। କିନ୍ତୁ ଯାହାର ଭାବମୂର୍ତ୍ତି ନଷ୍ଟ ହେଉଛି ସେ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାରଣ ଅବକାରୀ ମନ୍ତ୍ରୀଙ୍କୁ କେହି କିଛି କହିବେ ନାହିଁ।

ସରକାରୀ ନୀତି ବ୍ୟତୀତ ସାଂଗଠନିକ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ କରିବାର ପ୍ରୟାସ ଜାରି ରହିଛି। ଗତ ୨୨ ତାରଖରେ ହୋଇଥିବା ବିଜେପି କୋର କମିଟି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଯେଉଁ ଖେଳ ଖେଳାଗଲା, ତାହା ଅତ୍ୟନ୍ତ ଚକିତକର। ଖଲୋଚନା ହେଉଛି ଯେ, ଧର୍ମେନ୍ଦ୍ର ପ୍ରଧାନ ଜଣେ ଏଭଳି ବ୍ୟକ୍ତିଙ୍କ ନାମ ସୁପାରିଶ କରିଥିଲେ, ଯିଏ ୨୦୦୯ରେ ବିଧାନସଭା ନିର୍ବାଚନରେ ନିଜର ଅମାନତ ହରାଇଥିଲେ। ଜଣେ ଦକ୍ଷ ଓ ଜନାଦ୍ରୁତ ନେତାଙ୍କ ବଦଳରେ ଜଣେ ଅପରିଚିତ କିମ୍ବା ଅସଫଳ ନେତାଙ୍କୁ ଆଗକୁ ଆଣିବା ପଛରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଚ୍ୟାଲେଞ୍ଜ କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ମୋହନ ଚରଣ ମାଝୀ ଜଣେ ସରଳ ଓ କପଟବିହିନ ନେତା। କିନ୍ତୁ ରାଜନୀତିର ଚକ୍ରବ୍ୟୂହ ଅତ୍ୟନ୍ତ ଜଟିଳ। ଯେଉଁମାନେ ତାଙ୍କ ପାଖଲୋକ ସାଜି ତାଙ୍କୁ ବିପଥଗାମୀ କରୁଛନ୍ତି, ସେମାନଙ୍କୁ ଚିହ୍ନିବାର ସମୟ ଆସିଯାଇଛି। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଜନବିରୋଧୀ ଅବକାରୀ ନୀତି ହେଉ କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କ ପରୋକ୍ଷ ଚାପ, ଏସବୁ ମୁଖ୍ୟମନ୍ତ୍ରୀଙ୍କ “ଓଡ଼ିଆ ଅସ୍ମିତା” ଏବଂ “ସୁଶାସନ”ର ସ୍ଲୋଗାନକୁ ଧୂଳିସାତ କରିଦେଇପାରେ। କେନ୍ଦ୍ରମନ୍ତ୍ରୀଙ୍କ ସର୍କିଟ ମଧ୍ୟ ବିଧାୟକ ହେବା ପୂର୍ବରୁ କର୍ପୋରେଟ ନିର୍ବାଚନ ଓ ବିଧାନସଭା ନିର୍ବାଚନ ବାରମ୍ବାର ହାରିଥିବା ରେକର୍ଡ ରହିଛି। ଏଭଳି ହାରୁ ନେତାମାନଙ୍କ ଦ୍ୱାରା ରାଜ୍ୟ ଆଗେଇବ ନାହିଁ, ବରଂ ବହୁତ ପଛକୁ ଚାଲିଯିବ। ଓଡ଼ିଶାର ଜନସାଧାରଣ ଏକ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି। ଯଦି ସରକାରଙ୍କ ଭିତରେ ଏହିଭଳି ‘ମୁନ୍ନା ଭାଇ’ ଓ ‘ସର୍କିଟ’ଙ୍କ ଖେଳ ଚାଲେ, ତେବେ ବିଜେପି ପାଇଁ ଆଗାମୀ ଦିନରେ ସରକାର ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହେବ। ମୁଖ୍ୟମନ୍ତ୍ରୀଙ୍କୁ ଏବେ ଦୃଢ଼ ହେବାକୁ ପଡ଼ିବ ଏବଂ ଏହି ଷଡ଼ଯନ୍ତ୍ରର ଜାଲକୁ ଛିନ୍ନ କରିବାକୁ ପଡ଼ିବ।
also read https://purvapaksa.com/blo-officer/


