ପୁରୀର ପବିତ୍ର ଧାମ, ଶ୍ରୀ ଜଗନ୍ନାଥ ମନ୍ଦିର… ଯେଉଁଠାରେ ଲକ୍ଷେ ଲକ୍ଷେ ଭକ୍ତ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। କିନ୍ତୁ ପ୍ରଶ୍ନ ଉଠୁଛି—ମହାପ୍ରଭୁଙ୍କ ନାଁରେ ହେଉଥିବା ପରିକ୍ରମା ପ୍ରକଳ୍ପ ଭକ୍ତଙ୍କୁ କେତେ ଶାନ୍ତି ଦେଇପାରିଲା?
ଗତ ସରକାରଙ୍କ ବଡ଼ ସ୍ୱପ୍ନ—ପରିକ୍ରମା ପ୍ରକଳ୍ପ। ଉଦ୍ଦେଶ୍ୟ ଥିଲା ମନ୍ଦିର ଚାରିପାଖରେ ସୁବିଧା ବୃଦ୍ଧି, ଭକ୍ତଙ୍କ ପାଇଁ ସୁବ୍ୟବସ୍ଥିତ ରାସ୍ତା, ସୁରକ୍ଷା, ପରିଚ୍ଛନ୍ନତା, ଏବଂ ଧାର୍ମିକ ପରିବେଶକୁ ଅଧିକ ଉନ୍ନତ କରିବା। କିନ୍ତୁ ଏହି ସ୍ୱପ୍ନ ପୂରଣରେ ଖର୍ଚ୍ଚ ହେଉଛି ପାଣି ଭଳି ଟଙ୍କା। ବିଧାନସଭାର ଅଣତାରକା ପ୍ରଶ୍ନ ସଂଖ୍ୟା ୧୧୦୩ ଅନୁଯାୟୀ ସରକାର ନିଜେ ଯେଉଁ ସଂଖ୍ୟା ଦେଇଛନ୍ତି, ସେଥିରେ ଲେଖାଯାଇଛି—ଏପର୍ଯ୍ୟନ୍ତ ୩୫୫ କୋଟି ୫ ଲକ୍ଷ ୧୯ ହଜାର ୨୮୧ ଟଙ୍କା ଖର୍ଚ୍ଚ ହୋଇସାରିଛି।
ଭାବନ୍ତୁ, ୩୫୫ କୋଟିରୁ ଅଧିକ ଟଙ୍କା! ଏହା କୌଣସି ଛୋଟ ରାଶି ନୁହେଁ। ଏହା ହେଉଛି ଜନତାଙ୍କ ଟଙ୍କା। ରାଜ୍ୟର ରାଜସ୍ୱରୁ ଆସୁଥିବା ଅର୍ଥ। ଅର୍ଥାତ୍ ପ୍ରତ୍ୟେକ କରଦାତାଙ୍କ ଅଂଶଦାନ। ତେବେ ପ୍ରଶ୍ନ—ଏତେ ବଡ଼ ରାଶି ଖର୍ଚ୍ଚ ପରେ ଭକ୍ତମାନେ କେତେ ସୁବିଧା ଅନୁଭବ କରୁଛନ୍ତି?
ଆଜି ମଧ୍ୟ ପୁରୀକୁ ଗଲେ ଦେଖାଯାଏ—କେବେ ଏସି ଟନେଲ୍ ଲାଗୁଛି, କେବେ ତାହାକୁ ଖୋଲାଯାଉଛି। କେବେ ଏକ ରାସ୍ତା ବନ୍ଦ, କେବେ ଅନ୍ୟ ଏକ ରାସ୍ତାରେ କାମ ଚାଲିଛି। ଭକ୍ତମାନେ ଅସ୍ପଷ୍ଟତାରେ ରହିଯାଉଛନ୍ତି। କାହିଁକି ଏହି ପରିବର୍ତ୍ତନ? କିଏ ନେଉଛି ଏହି ସିଦ୍ଧାନ୍ତ? ଏବଂ କେତେବେଳେ ସମାପ୍ତ ହେବ ଏହି ପ୍ରକଳ୍ପ?

ବିଧାୟକ ଅଶ୍ୱନୀ ପାତ୍ର ବିଧାନସଭାରେ ପଚାରିଥିଲେ—କେଉଁ ଆର୍ଥିକ ବର୍ଷରେ କେତେ ଅର୍ଥ ବିନିଯୋଗ ହୋଇଛି ଓ ଆଉ କେତେ ଅର୍ଥ ଆବଶ୍ୟକ? ସରକାରଙ୍କ ଉତ୍ତର ଆସିଲା ସଂଖ୍ୟାରେ। କିନ୍ତୁ ସଂଖ୍ୟା ମାତ୍ରେ ସବୁ କଥା କହିପାରେ କି? ଜନସାଧାରଣ ଚାହୁଁଛନ୍ତି ସ୍ପଷ୍ଟତା। କେବଳ ଖର୍ଚ୍ଚ ନୁହେଁ—ଫଳାଫଳ କ’ଣ?
ଏକ ପ୍ରକଳ୍ପର ମୂଲ୍ୟାଙ୍କନ କେବଳ ଟଙ୍କାରେ ହୁଏନି। ହୁଏ ତାହାର ପ୍ରଭାବରେ। ଭକ୍ତ ଶାନ୍ତିରେ ଦର୍ଶନ କରିପାରୁଛନ୍ତି କି? ବୃଦ୍ଧମାନେ ସୁବିଧାରେ ପରିକ୍ରମା କରିପାରୁଛନ୍ତି କି ? ଦିବ୍ୟାଙ୍ଗମାନେ ସୁବିଧା ପାଉଛନ୍ତି କି ? ଯଦି ଏହାର ଉତ୍ତର ନାହିଁ, ତେବେ ଏତେ ବଡ଼ ଖର୍ଚ୍ଚର ଅର୍ଥ କ’ଣ?
ପୁରୀର ଧାର୍ମିକ ଗୌରବ ଏକ ଐତିହ୍ୟ। ଏହା କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତର ଗର୍ବ। ମହାପ୍ରଭୁ ଜଗନ୍ନାଥ କେବଳ ଦେବତା ନୁହେଁ—ସେ ହେଉଛନ୍ତି ଆସ୍ଥାର ପ୍ରତୀକ। ସେହି ଆସ୍ଥାକୁ ନେଇ ଯଦି ପ୍ରଶାସନ ଏକ ବଡ଼ ପ୍ରକଳ୍ପ ଆରମ୍ଭ କରେ, ତାହାର ଦାୟିତ୍ୱ ମଧ୍ୟ ସେହି ପରି ଭାରୀ।
ସରକାର କହୁଛନ୍ତି—ପରିକ୍ରମା ପ୍ରକଳ୍ପ ଦୀର୍ଘମିଆଦି ଯୋଜନା। ଭବିଷ୍ୟତରେ ଏହାର ଲାଭ ଦେଖାଯିବ। କିନ୍ତୁ ଭକ୍ତମାନେ ପଚାରୁଛନ୍ତି—ଭବିଷ୍ୟତ କେବେ? ଏବେ ଯେଉଁ ଅସୁବିଧା ହେଉଛି, ତାହାର ଉତ୍ତର କିଏ ଦେବ?
ଏହି ପ୍ରକଳ୍ପ ପାଇଁ ଘର ବାଡ଼ି ଉଚ୍ଛେଦ ହେଲା, ପୁରୁଣା ସଂରଚନା ହଟିଗଲା। ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ଦେଖାଯାଇଥିଲା। ଲୋକମାନେ କହିଥିଲେ—ଐତିହ୍ୟ ରକ୍ଷା ହେଉଛି କି ନଷ୍ଟ? ସରକାର କହିଥିଲେ—ଏହା ଉନ୍ନୟନ। କିନ୍ତୁ ଆଜି ଯେତେବେଳେ ଖର୍ଚ୍ଚର ଅଙ୍କ ଶୁଣାଯାଉଛି, ସେଥିରେ ମୁଣ୍ଡ ଘୁରିଯାଉଛି।
୩୫୫ କୋଟି ୫ ଲକ୍ଷ ୧୯ ହଜାର ୨୮୧ ଟଙ୍କା… ଏହା କେବଳ ଏକ ଅଙ୍କ ନୁହେଁ। ଏହା ହେଉଛି ଜବାବଦେହିତାର ପରୀକ୍ଷା।
ଭକ୍ତଙ୍କ ଅଭିଯୋଗ—ଭିଡ଼ କମିନି। ଲାଇନ୍ ବି କମିନି ଗରମରେ ଅସୁବିଧା। କେବେ କେବେ ପ୍ରବେଶ ବ୍ୟବସ୍ଥା ନେଇ ଅସ୍ପଷ୍ଟତା। ଯଦି ପରିକ୍ରମା ପ୍ରକଳ୍ପର ଲକ୍ଷ୍ୟ ଥିଲା ସୁବିଧା ବୃଦ୍ଧି, ତେବେ ଏହି ଅସୁବିଧା କାହିଁକି ଚାଲିଛି?
ଏହା କୌଣସି ମନଗଢ଼ା କଥା ନୁହେଁ। ସରକାରଙ୍କ ନିଜ ତଥ୍ୟ ଏହା କହୁଛି। ବିଧାନସଭାରେ ଦିଆଯାଇଥିବା ଉତ୍ତର ଏହା ପ୍ରମାଣ କରୁଛି ଯେ ଖର୍ଚ୍ଚ ବିଶାଳ। ତେବେ ଫଳାଫଳ ମଧ୍ୟ ସେହି ପରି ଦୃଶ୍ୟମାନ ହେବା ଦରକାର।
ଅନ୍ତେ ଏକ ପ୍ରଶ୍ନ—ପରିକ୍ରମା ପ୍ରକଳ୍ପ କି ମହାପ୍ରଭୁଙ୍କ ନାଁରେ ଏକ ଅଧୂରା କାହାଣୀ? ନା କି ଏହା ହେବ ଆଗାମୀ ଦିନରେ ଏକ ଆଦର୍ଶ ମଡେଲ୍?
ସମୟ ଦେବ ଉତ୍ତର। କିନ୍ତୁ ସେପର୍ଯ୍ୟନ୍ତ ଜନତା ଅପେକ୍ଷାରେ… ଭକ୍ତ ଅପେକ୍ଷାରେ… ଏବଂ ସବୁଠାରୁ ବଡ଼ କଥା—ଜବାବଦେହିତା ଅପେକ୍ଷାରେ।
AlsoRead; https://purvapaksa.com/who-is-neil-katyal-the-lawyer-who-thwarted-trumps-tariffs/


