୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବିଧାନସଭାରେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। କିନ୍ତୁ ବଜେଟରେ ଥିବା ମାଗଣା ଯୋଜନାକୁ ନେଇ ରାଜନୀତିକ ଓ ଆର୍ଥିକ ମଞ୍ଚରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ବଜେଟ୍ ତାଲିକା ସଂଖ୍ୟାରେ ଭରିଯାଇଛି। ତାହାର ଆଧାରରେ ଥିବା ରାଜନୀତିକ ଦୃଷ୍ଟିକୋଣ ଓ ଆର୍ଥିକ ଦାୟିତ୍ୱର ପ୍ରଶ୍ନ ଏବେ ଆଗକୁ ଆସିଯାଉଛି। ବିଶେଷ କରି ରାଜନୈତିକ ଦଳ ଓ ରାଜ୍ୟ ସରକାରମାନଙ୍କର ମାଗଣା ବାଣ୍ଟିବା ପ୍ରବୃତ୍ତିକୁ ନେଇ ଗତ ଗୁରୁବାର ସୁପ୍ରିମକୋର୍ଟଙ୍କ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଚିନ୍ତା ପ୍ରକଟ ପରେ ଏହି ବଜେଟ୍ ଆସିବା ଓ ଏଥିରେ ଥିବା ବ୍ୟାପକ ମାଗଣା ଯୋଜନା ଏବେ ଅନେକଙ୍କ ନଜରକୁ ଆକର୍ଷଣ କରିଛି।
ଆଶା କରାଯାଉଥିଲା—ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ରାଜ୍ୟ ସରକାର ହୋଇପାରେ ବଜେଟରେ କିଛି ସଂଯମ ଦେଖାଇବେ। କିନ୍ତୁ ତାହା ହେବା ପରିବର୍ତ୍ତେ, ବଜେଟ ତଥ୍ୟ କୁହୁଛି ଯେ ମାଗଣା ଯୋଜନାଗୁଡ଼ିକୁ ଆହୁରି ବ୍ୟାପକ ଭାବେ ପ୍ରାଥମିକତା ଦିଆଯାଇଛି। ଏହି ଯୋଜନାଗୁଡ଼ିକୁ ଚଳାଇବା ପାଇଁ ଆଗାମୀ ବର୍ଷ ୬୧ ହଜାର କୋଟି ଟଙ୍କା ଋଣ ନେବା ଯୋଜନା ହେଉଛି।

ଋଣର ଭାର—ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ୨୭,୬୨୫ ଟଙ୍କା
ଏହିସବୁ ମାଗଣା ଯୋଜନପାକୁ ଚଳାଇବା ପାଇଁ ଆଗାମୀ ଆର୍ଥିକ ବର୍ଷରେ ସରକାର ୬୧ ହଜାର କୋଟି ଟଙ୍କା ଋଣ କରିବେ। ରାଜ୍ୟର ସମୁଦାୟ ଋଣ ପରିମାଣ ୧ ଲକ୍ଷ ୫୫ ହଜାର କୋଟି ଟଙ୍କାରୁ ଅଧିକ ହେବାର ଆଶଙ୍କା ରହିଛି। ଏହାର ଅର୍ଥ—ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ମୁଣ୍ଡ ପିଛା ୨୭,୬୨୫ ଟଙ୍କା ଋଣ ରହିଛି। ଏହା କେବଳ ଗୋଟିଏ ସଂଖ୍ୟା ନୁହେଁ; ଏହା ଆଗାମୀ ପିଢ଼ିର ଉପରେ ଆର୍ଥିକ ଭାରର ଚିହ୍ନ।
ପ୍ରଶ୍ନ ହେଉଛି—ଏହି ଋଣ ରାଜ୍ୟର ପୁଞ୍ଜିବିନିଯୋଗ, ଶିଳ୍ପୀକରଣ, ଆଧାରଭୂତ ସଂରଚନା, ଶିକ୍ଷା ଓ ସ୍ୱାସ୍ଥ୍ୟର ସ୍ଥାୟୀ ସୁଧାର ପାଇଁ ବ୍ୟୟ ହେଉଛି କି? ନା ତତ୍କାଳିକ ରାଜନୀତିକ ଲାଭ ପାଇଁ ମାଗଣା ବାଣ୍ଟିବାରେ ବ୍ୟୟ ହେଉଛି?
ମାଗଣା ଯୋଜନା—ସମାଜିକ ସୁରକ୍ଷା କି ଭୋଟ୍ ବ୍ୟାଙ୍କ ରାଜନୀତି?

ଏହି ବଜେଟ୍ରେ ଘୋଷିତ କେତେକ ମୁଖ୍ୟ ଯୋଜନା ହେଉଛି—
• ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
• ଆର୍ଥିକ ଦୁର୍ବଳ ଝିଅମାନଙ୍କୁ ସ୍ନାତକ ପାଇଁ ସହାୟତା
• ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ
• ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ
• ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା
• ୧ କୋଟିରୁ ଅଧିକ ମହିଳା ଉପକୃତ
• କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
• ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪,୨୭୯ କୋଟି
• ୩୧ ଟଙ୍କାରେ ଧାନ କ୍ରୟ ପାଇଁ ୬,୦୮୮ କୋଟି

ଏହି ସମସ୍ତ ଯୋଜନା ଦୃଷ୍ଟିଗୋଚରରେ ଲୋକକଲ୍ୟାଣମୂଳକ ଲାଗିପାରେ। ଦୁର୍ବଳ ବର୍ଗର ଝିଅମାନଙ୍କ ଶିକ୍ଷା ଓ ବିବାହ ସହାୟତା, ମହିଳାଙ୍କ ପାଇଁ ସାହାଯ୍ୟ, ଚାଷୀଙ୍କ ପାଇଁ ଧାନ କ୍ରୟ—ଏସବୁ ସମାଜିକ ନ୍ୟାୟର ଅଂଶ। କିନ୍ତୁ ପ୍ରଶ୍ନ ହେଉଛି—ଏହାର ଆର୍ଥିକ ମୂଲ୍ୟ କେତେ ଏବଂ ରାଜ୍ୟର ଆର୍ଥିକ ସ୍ୱାସ୍ଥ୍ୟ ତାହାକୁ ବହନ କରିପାରିବ କି?
ସୁପ୍ରିମକୋର୍ଟର ଚିନ୍ତା କାହିଁକି?
ସୁପ୍ରିମକୋର୍ଟ ମାଗଣା ବାଣ୍ଟିବା ପ୍ରବୃତ୍ତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। କାରଣ ସରକାରମାନେ ଭୋଟ ଲାଭ ପାଇଁ ଲୋକଙ୍କୁ ଆକର୍ଷଣ କରିବାରେ ଏହି ମାଗଣା ସଂସ୍କୃତିକୁ ବ୍ୟବହାର କରୁଛନ୍ତି। ଏହା ଗଣତନ୍ତ୍ରର ଆତ୍ମାକୁ କ୍ଷତିଗ୍ରସ୍ତ କରିପାରେ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି।
ଯେତେବେଳେ ରାଜ୍ୟର ଆର୍ଥିକ ସମ୍ପଦ ସୀମିତ, ସେତେବେଳେ ସ୍ଥାୟୀ ବିକାଶ ଓ ଉତ୍ପାଦନମୂଳକ ବ୍ୟୟକୁ ପ୍ରାଥମିକତା ଦେବା ଆବଶ୍ୟକ। ମାଗଣା ବଣ୍ଟନ ଲୋକମାନଙ୍କୁ ତତ୍କାଳିକ ଆତ୍ମସନ୍ତୋଷ ଦେଇପାରେ, କିନ୍ତୁ ଦୀର୍ଘମିଆଦିରେ ଆର୍ଥିକ ଶୃଙ୍ଖଳାକୁ ଅସ୍ଥିର କରି ଦେଇପାରେ।

ରାଜନୀତିକ ଗଣିତ
ଏହି ବଜେଟ୍ କେବଳ ଆର୍ଥିକ ଡକ୍ୟୁମେଣ୍ଟ ନୁହେଁ; ଏହା ଏକ ରାଜନୀତିକ ଡକ୍ୟୁମେଣ୍ଟ। ମହିଳା, ଝିଅ, ଚାଷୀ, ଗରିବ—ଏହି ସମସ୍ତ ବର୍ଗ ଭୋଟର ମହତ୍ତ୍ୱପୂର୍ଣ୍ଣ ଅଂଶ। ସେମାନଙ୍କୁ ଲକ୍ଷ୍ୟ କରି ଯୋଜନା ଘୋଷଣା କରିବା ରାଜନୀତିକ ଦୃଷ୍ଟିରୁ ଯୁକ୍ତିସଂଗତ।
କିନ୍ତୁ ଯଦି ଏହି ଯୋଜନାଗୁଡ଼ିକ ରାଜ୍ୟର ଆର୍ଥିକ ଶୃଙ୍ଖଳାକୁ ଭଙ୍ଗ କରିଦେଉଛି, ତେବେ ତାହା ଆଗାମୀ ଦିନରେ ରାଜ୍ୟକୁ ଆର୍ଥିକ ସଙ୍କଟରେ ପକାଇପାରେ।
ବିକାଶ କେଉଁଠି?
ବଡ଼ ପ୍ରଶ୍ନ ହେଉଛି—ବଜେଟରେ ଶିଳ୍ପ, ରୋଜଗାର, ପୁଞ୍ଜିବିନିଯୋଗ, ଆଧାରଭୂତ ସଂରଚନା ପାଇଁ କେତେ ପ୍ରାଥମିକତା ଦିଆଯାଇଛି? ରାଜ୍ୟ ଯଦି ଉତ୍ପାଦନ କ୍ଷମତା ବଢ଼ାଇପାରେ, ରୋଜଗାର ସୃଷ୍ଟି କରିପାରେ, ତେବେ ଲୋକମାନେ ସ୍ୱୟଂ ଆର୍ଥିକ ଭାବେ ସଶକ୍ତ ହେବେ। ସେଥିରେ ମାଗଣାର ଆବଶ୍ୟକତା କମିଯିବ।
ସଂଯମ ନା ରାଜନୀତି?
୩.୧୦ ଲକ୍ଷ କୋଟିର ବଜେଟ ଏକ ବଡ଼ ଆକାଂକ୍ଷାର ଚିହ୍ନ। କିନ୍ତୁ ତାହାର ମୂଳ ପ୍ରଶ୍ନ ହେଉଛି—ଏହା ଆର୍ଥିକ ଶୃଙ୍ଖଳାର ପଥରେ ଆଗୁଆ ରହିଛି, ନା ମାଗଣା ରାଜନୀତିରେ ଆହୁରି ଗଭୀର ହେଉଛି?
ସୁପ୍ରିମକୋର୍ଟଙ୍କ ଚିନ୍ତାକୁ ଖାତିର ନ କରି ଯଦି ରାଜ୍ୟ ସରକାର ମାଗଣା ଯୋଜନାକୁ ଆହୁରି ବ୍ୟାପକ କରନ୍ତି, ତେବେ ତାହା ଦୀର୍ଘମିଆଦିରେ ରାଜ୍ୟର ଆର୍ଥିକ ସ୍ଥିରତା ପାଇଁ ଚିନ୍ତାଜନକ।
ଗଣତନ୍ତ୍ରରେ ସରକାରଙ୍କ ଦାୟିତ୍ୱ ହେଉଛି ଲୋକଙ୍କମାନଙ୍କର କଲ୍ୟାଣ କରିବା। କିନ୍ତୁ ସେହି କଲ୍ୟାଣ ଦୀର୍ଘମିଆଦି ହେବା ଆବଶ୍ୟକ। ତତ୍କାଳିକ ସନ୍ତୋଷ ନୁହେଁ, ସ୍ଥାୟୀ ସଶକ୍ତିକରଣ ହେଉଛି ଏକ ସୁସ୍ଥ ଆର୍ଥିକ ବ୍ୟବସ୍ଥାର ମୂଳମନ୍ତ୍ର।
ଏବେ ଦେଖିବାକୁ ଥିବା କଥା- ରାଜ୍ୟ ସରକାର ଆଗାମୀ ଦିନରେ ଆର୍ଥିକ ଶୃଙ୍ଖଳା ଓ ମାଗଣାର ରାଜନୀତି ମଧ୍ୟରେ କେଉଁ ପଥ ବାଛୁଛନ୍ତି।
AlsoRead; https://purvapaksa.com/dropout-rate-is-increasing-in-odisha-what-is-the-reason/

