୨୦୨୬ ଟି-୨୦ ବିଶ୍ୱକପ୍ ଚାଲିଥିବାବେଳେ ଭାରତୀୟ ଦଳ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଦଳର ବିସ୍ଫୋରକ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଅସୁସ୍ଥତାର କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ପେଟ ସଂକ୍ରମଣ ଓ ପ୍ରବଳ ଜ୍ୱରରେ ପୀଡିତ ଅଛନ୍ତି ।

ଅଭିଷେକ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇନଥିଲେ। ଭାରତ ଫେବୃଆରୀ ୧୨ ତାରିଖରେ ନାମ୍ବିଆ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଥିବାବେଳେ ଏହି ଖବର ଦଳ ପାଇଁ ଚିନ୍ତାର କାରଣ ହୋଇପାରିଛି । ମ୍ୟାଚ୍ଟି ଦିଲ୍ଲୀରେ ଅନୁଷ୍ଠିତ ହେବ।
ସୂଚନା ଅନୁସାରେ, ଫେବୃଆରୀ ୭ ତାରିଖରେ ଆମେରିକା ବିପକ୍ଷରେ ମ୍ୟାଚ୍ ସମୟରେ ଅଭିଷେକ ଡକ୍ ସ୍କୋର କରି ପ୍ୟାଭିଲିୟନ୍କୁ ଫେରିଥିଲେ । ମ୍ୟାଚ୍ ଦରମିଆନ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପଡ଼ିଆ ଛାଡି ଦେଇଥିଲେ । ପରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିଥିଲେ । ମ୍ୟାଚ୍ ପରେ ହାତ ମିଳାଇବା ପାଇଁ ମଧ୍ୟ ସେ ମାଇଦାନକୁ ଆସିନଥିଲେ, ଯାହା ତାଙ୍କ ଅସୁସ୍ଥତାକୁ ସ୍ପଷ୍ଟ କରୁଥିଲା।
![]()
ଅଭିଷେକ ଦଳ ସହିତ ଦିଲ୍ଲୀ ଯାତ୍ରା କରିଥିଲେ, କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଦଳର କମ୍ବିନେସନ୍କୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି।
ଦଳର ସହାୟକ କୋଚ୍ ରିଆନ୍ ଟେନ୍ ଡୋଇସଚେଟ୍ ଅଭିଷେକଙ୍କ ଫିଟନେସ୍ ବିଷୟରେ ଅପଡେଟ୍ ଦେଇ କହିଛନ୍ତି ଯେ ଟିମ୍ ମ୍ୟାନେଜମେଣ୍ଟ ଭିନ୍ନ କମ୍ବିନେସନ୍ ବିଷୟରେ ଚିନ୍ତା କରୁଛି। ଯଦି ତାଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ନ ହୁଏ, ତେବେ ନାମ୍ବିଆ ବିପକ୍ଷରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ। ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି ଯେ ସେ ପୂର୍ଣ୍ଣ ଫିଟ୍ ହୋଇ ଫେବୃଆରୀ ୧୫ରେ ପାକିସ୍ତାନ ବିପକ୍ଷରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଯୋଗଦେଉନ୍ତୁ।
ଅଭିଷେକ ଶର୍ମା ଗତ କିଛି ମ୍ୟାଚ୍ରେ ଆକ୍ରମଣାତ୍ମକ ଶୈଳୀରେ ଦଳକୁ ଭଲ ଆରମ୍ଭ ଦେଇଆସୁଥିଲେ । ତାଙ୍କ ଅନୁପସ୍ଥିତି ଦଳର ଟପ୍ ଅର୍ଡର୍କୁ ଦୁର୍ବଳ କରିପାରେ। ଏପରି ପରିସ୍ଥିତିରେ ସଞ୍ଜୁ ସାମସନଙ୍କୁ ଓପେନିଂ ଦାୟିତ୍ୱ ଦିଆଯାଇପାରେ ବୋଲି ଆଲୋଚନା ଚାଲିଛି।
ଦଳ ପ୍ରଶାସନ ଅଭିଷେକଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି। ବିଶ୍ୱକପ୍ର ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଏପରି ଖବର ଦଳ ପାଇଁ ନିଶ୍ଚୟ ଚିନ୍ତାଜନକ, କିନ୍ତୁ ଟିମ୍ ଇଣ୍ଡିଆର ବିକଳ୍ପ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ଅଛନ୍ତି।ଏବେ ସମସ୍ତଙ୍କ ନଜର ଡାକ୍ତରୀ ଅପଡେଟ୍ ଉପରେ ରହିଛି। ଯଦି ସବୁକିଛି ଠିକ୍ ଥାଏ, ତେବେ ଅଭିଷେକ ଶୀଘ୍ର ଦଳକୁ ଫେରି ଦୃଢ଼ ଆରମ୍ଭ ଦେବେ ବୋଲି ଆଶା କରାଯାଉଛି।
also read https://purvapaksa.com/kidney-health/


