ଭାଲେଣ୍ଟାଇନ୍ ସପ୍ତାହର ପ୍ରପୋଜ ଡେ’ରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଲଭ୍–ମର୍ଡର–ଆକ୍ସିଡେଣ୍ଟ ମାମଲା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ପ୍ରେମ ଓ ହିଂସାର ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ପ୍ରେମିକର ହତ୍ୟା ଘଟଣାକୁ ନେଇ ପ୍ରେମିକା ନିଜେ ସତ ମାନିଥିବା ଓ ତାଙ୍କର ଏକ ଅଡିଓ କଲ୍ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଅଧିକ ଜଟିଳ ହୋଇପଡ଼ିଛି।
ଏହି ଘଟଣାର ମୃତକ ହେଉଛନ୍ତି ସତ୍ୟବ୍ରତ ପ୍ରଧାନ, ଯିଏକି ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର। ସତ୍ୟବ୍ରତଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବ୍ରହ୍ମଗିରି ଥାନା ଅଧୀନ ହସିନପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ସତ୍ୟବ୍ରତଙ୍କ ସହ ନୀଳାଦ୍ରିବିହାରରେ ରହୁଥିବା ଯୁବତୀଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ପ୍ରପୋଜ ଡେ ଦିନ ସତ୍ୟବ୍ରତ ପ୍ରେମିକାଙ୍କୁ ଚକୋଲେଟ୍ ଦେବା ପାଇଁ ତାଙ୍କ ରୁମକୁ ଯାଇଥିଲେ। ଦୁହେଁ କିଛି ସମୟ ଏକାଠି କାଟିଥିବା ବେଳେ ହଠାତ୍ ଘଟଣାରେ ଆସିଲା ଭୟଙ୍କର ମୋଡ଼। ସେହି ସମୟରେ ପ୍ରେମିକାଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଘରକୁ ପ୍ରବେଶ କରିଥିଲେ। ପ୍ରେମିକା ସହ ସତ୍ୟବ୍ରତଙ୍କୁ ଦେଖିବା ପରେ ଦୀନେଶ ଅତ୍ୟଧିକ କ୍ରୋଧିତ ହୋଇଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଦୀନେଶ ପରିବା କାଟିବା ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ସତ୍ୟବ୍ରତ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନୀଳାଦ୍ରିବିହାର ଛକ ନିକଟରେ ଅଧିକ ରକ୍ତକ୍ଷୟ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ମାମଲାକୁ ଦୁର୍ଘଟଣା ଆକାର ଦେବାକୁ ଚେଷ୍ଟା ହୋଇଥିବା ସନ୍ଦେହ ପୋଲିସ କରୁଛି। ମର୍ଡର ପ୍ଲଟରୁ ଏକ କାର ନେଇ କିଏ ଖସିବାକୁ ଚେଷ୍ଟା କରୁଥିଲା, ସେନେଇ କାର ମାଲିକାଣୀଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ମାରାଥନ ଜେରା କରୁଛି। ଏହା ସହିତ ଘଟଣାସ୍ଥଳ ନିକଟରୁ ସିସିଟିଭି ଫୁଟେଜ ମଧ୍ୟ ଜବତ କରାଯାଇଛି।
ଏହି ମାମଲାର ସବୁଠାରୁ ଚାଞ୍ଚଲ୍ୟକର ଦିଗ ହେଉଛି ପ୍ରେମିକାଙ୍କ ଅଡିଓ କଲ୍। ଅଡିଓରେ ସେ ଘଟଣା ସମ୍ପର୍କରେ ଗୋଟି ଗୋଟି କରି ସତ ମାନିଥିବା ଶୁଣିବାକୁ ମିଳିଛି। ସେ ସତ୍ୟବ୍ରତଙ୍କୁ ହତ୍ୟା କରିଥିବା ଦୀନେଶ ବିରୋଧରେ ସ୍ପଷ୍ଟ ଅଭିଯୋଗ ମଧ୍ୟ କରିଛି।
ବର୍ତ୍ତମାନ ପ୍ରେମିକାଙ୍କୁ ପୋଲିସ ଜେରା ଜାରି ରଖିଥିବା ବେଳେ, ଅଭିଯୁକ୍ତ ଦୀନେଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ପ୍ରେମ ନାମରେ ଏହି ରକ୍ତର ଖେଳ ରାଜଧାନୀରେ ନିରାପତ୍ତା ଓ ସମ୍ପର୍କର ଅନ୍ୟ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆଣିଦେଇଛି।
also read https://purvapaksa.com/gold-rate-10/
https://purvapaksa.com/gold-rate-10/


