ଢେଙ୍କାନାଳ ଜିଲ୍ଲାର ପଜରଙ୍ଗ ବ୍ଲକ ଅଞ୍ଚଳରେ ଏବେ ଏକ ପାଗଳ ହନୁମାଙ୍କଡ଼କୁ ନେଇ ଭୟଙ୍କର ଆତଙ୍କ ଦେଖାଦେଇଛି । ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାଟରପଦା, ନୂଆସାହି, କଟାବାହାଳ ଓ ମେଣ୍ଢାପଦା ଭଳି ଗାଁଗୁଡ଼ିକରେ ଗ୍ରାମବାସୀ ଆତଙ୍କରେ ଦିନ କାଟୁଛନ୍ତି । ହଠାତ୍ ଆକ୍ରମଣ, ଲୋକଙ୍କୁ କାମୁଡ଼ିବା ଓ ଲହୁଲୁହାଣ କରିବା ଘଟଣା ଗ୍ରାମବାସୀଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ଗତ କିଛିଦିନ ମଧ୍ୟରେ ଏହି ହନୁମାଙ୍କଡ଼ଟି ୧୫ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଛି। ଗାଁର ପୁରୁଷ, ମହିଳା ଏବଂ କିଛି ଶିଶୁ ମଧ୍ୟ ଏହାର ଆକ୍ରମଣରେ ଆହତ ହୋଇଛନ୍ତି। ମାଙ୍କଡ଼ଟି ହଠାତ୍ ଘର ଭିତରକୁ ପଶି ଲୋକଙ୍କୁ କାମୁଡ଼ିବା ସହ ରାସ୍ତା ଓ ଖେତ ନିକଟରେ ଆକ୍ରମଣ କରୁଥିବା ଅଭିଯୋଗ ଆସିଛି।
ପରିସ୍ଥିତି ଗମ୍ଭୀର ହେବା ପରେ ଗ୍ରାମବାସୀ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତତ୍କ୍ଷଣାତ୍ କପିଳାସ ବନାଞ୍ଚଳରୁ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚି ହନୁମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରୟାସ କରିଥିଲେ। ବନ ବିଭାଗର କର୍ମଚାରୀମାନେ ଦୀର୍ଘ ସମୟ ଧରି ଅଭିଯାନ ଚଲାଇ ମାଙ୍କଡ଼ଟିକୁ ଟ୍ରାଙ୍କୁଲାଇଜ କରିଥିବା କହିଛନ୍ତି।
ତେବେ ଅଭିଯାନ ପରେ ଏକ ଅପେକ୍ଷାକୃତ ଅପ୍ରତ୍ୟାଶିତ ଘଟଣା ଘଟିଛି। ଟ୍ରାଙ୍କୁଲାଇଜ ହେବା ପରେ ମଧ୍ୟ ହନୁମାଙ୍କଡ଼ଟି କେଉଁଆଡ଼େ ଚାଲିଯାଇଥିବାରୁ ବନ ବିଭାଗ ତାହାକୁ ଧରିପାରିନାହିଁ। ଏହାପରେ ପୁଣିଥରେ ମାଙ୍କଡ଼ଟିକୁ ଖୋଜିବାକୁ ବନ ବିଭାଗ ନାକେଦମ ହୋଇପଡ଼ିଛି। ଜଙ୍ଗଲ, ଗାଁ ପାଶରେ ଥିବା ଝାଡ଼ି ଓ ଗଛ ଅଞ୍ଚଳରେ ସନ୍ଧାନ ଜୋରଦାର କରାଯାଇଛି।
ସେପଟେ ମାଙ୍କଡ଼ଟି ଧରାପଡ଼ିନଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲୋକେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ, ଶିଶୁମାନଙ୍କୁ ବାହାରେ ଖେଳିବାକୁ ମନା କରାଯାଇଛି। ଗ୍ରାମବାସୀଙ୍କ ଦାବି—ଯଥାଶୀଘ୍ର ମାଙ୍କଡ଼ଟିକୁ ଧରି ସୁରକ୍ଷିତ ସ୍ଥାନକୁ ନେବା ସହ ଆହତମାନଙ୍କ ପାଇଁ ଉଚିତ ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା କରାଯାଉ।
also read https://purvapaksa.com/sura-routray/
https://purvapaksa.com/sura-routray/


