ଓଡ଼ିଶା ରାଜନୀତିରେ ପୁଣି ଏକ ଚର୍ଚ୍ଚିତ ମୋଡ଼। ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ସ୍ପଷ୍ଟ କହିଥିବା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏବେ ନିଜ ମତରୁ ପଛକୁ ହଟିଛନ୍ତି। ଜଟଣୀ ବିଧାନସଭା ମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢ଼ିବା ନେଇ ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ଏହା ସହିତ ଜଟଣୀ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ତେଜ ହୋଇଛି ।
/odishatv/media/post_attachments/uploadimage/library/16_9/16_9_0/recent_photo_1739461273.webp)
ସୁର ରାଉତରାୟ କହିଛନ୍ତି “ଲୋକ ଯଦି ଚାହାଁନ୍ତି ମୁଁ ନିଶ୍ଚିତ ଭାବେ ଲଢ଼ିବି” । ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇସାରା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଗତ ନିର୍ବାଚନରେ ସେ ନିଜେ ଲଢ଼ିନଥିବାରୁ ଜଟଣୀରେ କଂଗ୍ରେସ ପରାଜୟ ବରଣ କରିଥିଲା। “ମୁଁ ଛାଡ଼ିଦେଇଥିଲି ବୋଲି ଏଥର କଂଗ୍ରେସ ହାରିଲା,” ବୋଲି ସେ ସିଧାସଳଖ କହିଛନ୍ତି।
ଏଥର ସ୍ଥିତି ଭିନ୍ନ ହେବ ବୋଲି ସୁର ରାଉତରାୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଜଟଣୀରେ କଂଗ୍ରେସ ପୁଣି ଶକ୍ତିଶାଳୀ ଭାବେ ଫେରିବ। ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ବଢ଼ାଇବା ସହିତ ସେ ଏବେ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସାମାଜିକ, ରାଜନୈତିକ ଓ ସଂଗଠନାତ୍ମକ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଯୋଗଦେଉଥିବା ଦେଖିବାକୁ ମିଳୁଛି।

“ଆମ ପାଖରେ ଶକ୍ତି ଅଛି, ସଂଗଠନ ଅଛି। ଆମେ ଲଢ଼ିବୁ ଏବଂ ଜିତିବୁ,” ବୋଲି ସୁର ରାଉତରାୟ ଦୃଢ଼ ଆତ୍ମବିଶ୍ୱାସ ସହ କହିଛନ୍ତି। ତାଙ୍କ ଏହି ମନ୍ତବ୍ୟ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସୁର ରାଉତରାୟ ନିର୍ବାଚନ ରାଜନୀତିରୁ ଦୂରେଇ ରହିବା ନେଇ ଘୋଷଣା କରିଥିଲେ। ସେହି କାରଣରୁ ତାଙ୍କର ଏହି ୟୁ-ଟର୍ଣ୍ଣକୁ ରାଜନୈତିକ ମହଳରେ ଏକ ବଡ଼ ଘଟଣା ଭାବେ ଦେଖାଯାଉଛି। ଆଗାମୀ ଦିନରେ କଂଗ୍ରେସ ଦଳ ତାଙ୍କୁ ଟିକେଟ୍ ଦେବ କି ନାହିଁ ଏବଂ ଜଟଣୀର ରାଜନୀତି କେଉଁ ଦିଗକୁ ଯିବ, ସେନେଇ ସମସ୍ତଙ୍କ ନଜର ରହିଛି।
also read https://purvapaksa.com/haroscope-18/
https://purvapaksa.com/haroscope-18/


