ଭାରତ–ଆମେରିକା ବାଣିଜ୍ୟିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ରୁଷିଆରୁ ଭାରତ ତେଲ କିଣିବା ଉପରେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ୨୫ ପ୍ରତିଶତ ପେନାଲଟି ଏବେ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିବା ଖବର ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି ଫଳରେ ଗତ ଅଗଷ୍ଟ ମାସରୁ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଅତିରିକ୍ତ ଟାରିଫକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।
ସୂତ୍ର ଅନୁସାରେ ଏହି ନିଷ୍ପତ୍ତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଏକ ବାଣିଜ୍ୟିକ ବୁଝାମଣା ପରେ ଗ୍ରହଣ କରାଯାଇଛି। ପୂର୍ବରୁ କେତେକ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁ ଥିଲା, ଯାହା ଏବେ କମି କେବଳ ୧୮ ପ୍ରତିଶତରେ ସୀମିତ ହୋଇଛି। ଏହା ଭାରତୀୟ ରପ୍ତାନିକାରୀ ଓ ଉଦ୍ୟୋଗପତିମାନଙ୍କ ପାଇଁ ଏକ ବଡ଼ ଆଶ୍ୱାସନ ଭାବେ ଦେଖାଯାଉଛି।
ନୂଆ ନିୟମ ଆଜି ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଥିବା ଆମେରିକା ପକ୍ଷରୁ ସୂଚନା ମିଳିଛି। ଆମେରିକାର କହିବା ଅନୁଯାୟୀ, ଭାରତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିବାରୁ ଏହି ଅତିରିକ୍ତ ଟ୍ୟାକ୍ସ ଛାଡ଼ କରାଯାଇଛି। ଏହି ପ୍ରତିଶ୍ରୁତି ମଧ୍ୟରେ ରୁଷିଆଠାରୁ ତେଲ କିଣିବାକୁ ବନ୍ଦ କରିବା ଏକ ମୁଖ୍ୟ ଶର୍ତ୍ତ ବୋଲି କୁହାଯାଉଛି।

ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ଆମେରିକାଠାରୁ ପ୍ରାୟ ୫୦୦ ବିଲିୟନ ଡଲାରର ତେଲ, ପ୍ରାକୃତିକ ଗ୍ୟାସ ଓ ଯୁଦ୍ଧବିମାନ କିଣିବାକୁ ସହମତି ପ୍ରକାଶ କରିଥିବା ମଧ୍ୟ ଏହି ବୁଝାମଣାର ଏକ ଅଂଶ। ଏହା ସହିତ ଆମେରିକାର ଚାଷୀ ଓ ବଡ଼ କମ୍ପାନୀମାନେ ଭାରତରେ ବିନା କୌଣସି ଟ୍ୟାକ୍ସରେ ନିଜ ସାମଗ୍ରୀ ବିକ୍ରି କରିପାରିବେ, ସେଥିପାଇଁ ଭାରତ ସହଯୋଗ କରିବ ବୋଲି ଜଣାପଡ଼ିଛି।
ତେବେ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଭବିଷ୍ୟତରେ ଭାରତ ପୁଣି ରୁଷିଆଠାରୁ ତେଲ ଆମଦାନୀ କରେ, ତେବେ ଏହି ୨୫ ପ୍ରତିଶତ ଟ୍ୟାକ୍ସ ପୁନଃ ଲାଗୁ କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ, ରୁଷିଆରୁ ତେଲ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହେବ କି ନାହିଁ, ସେନେଇ ଭାରତୀୟ ଅଧିକାରୀମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ ମତ ରଖିନାହାନ୍ତି। ଏହି ନିଷ୍ପତ୍ତି ଆଗାମୀ ଦିନରେ ଭାରତ–ଆମେରିକା ଆର୍ଥିକ ଓ କୌଟନୀତିକ ସମ୍ପର୍କକୁ କେଉଁ ଦିଗରେ ନେବ, ସେଥିପାଇଁ ସମଗ୍ର ଦେଶର ଦୃଷ୍ଟି ରହିଛି।
also read https://purvapaksa.com/haroscope-valentines-week/
https://purvapaksa.com/haroscope-valentines-week/


