ଆସନ୍ତାକାଲି ଓଡ଼ିଶାର ଯାଜପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ। ରାଷ୍ଟ୍ରପତି ଯାଜପୁରରେ ପହଞ୍ଚିବା ପରେ ପ୍ରସିଦ୍ଧ ମା ବିରଜାଙ୍କ ମନ୍ଦିରରେ ଦର୍ଶନ କରିବା ସହ ପିଣ୍ଡଦାନ କାର୍ଯ୍ୟକ୍ରମରେ ସାମିଲ ହେବାର ସୂଚି ରହିଛି। ଏହି ଗସ୍ତକୁ ନେଇ ଯାଜପୁରରେ ସୁରକ୍ଷା ଓ ପ୍ରଶାସନିକ ସ୍ତରରେ ଭାରି ପ୍ରସ୍ତୁତି ଚାଲିଥିବାବେଳେ, ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ଏକ ଅପ୍ରତ୍ୟାଶିତ ବିବାଦ ଦେଖାଦେଇଛି।

ମା ବିରଜାଙ୍କ ମନ୍ଦିରର ସେବାୟତମାନେ ଓ ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟରେ ସେବାୟତ ପ୍ରବେଶକୁ ନେଇ ମତଭେଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶାସନ ମନ୍ଦିର ପରିସରରେ ସୀମିତ ସଂଖ୍ୟକ ସେବାୟତଙ୍କୁ ମାତ୍ର ପୂଜାକାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।
ତେବେ,ଏହି ନିଷ୍ପତ୍ତିକୁ ସେବାୟତମାନେ କଡ଼ା ଭାବରେ ବିରୋଧ କରିଛନ୍ତି। ସେବାୟତମାନଙ୍କ କହିବା ଅନୁଯାୟୀ, ପରମ୍ପରା ଓ ରୀତିନୀତି ଅନୁସାରେ ସମସ୍ତ ନିୟୋଜିତ ସେବାୟତଙ୍କ ମନ୍ଦିର ପରିସରରେ ଉପସ୍ଥିତ ରହିବା ଅଧିକାର ରହିଛି । ସୀମିତ ସେବାୟତଙ୍କୁ ମାତ୍ର ପ୍ରବେଶ ଅନୁମତି ଦେବା ନିଷ୍ପତ୍ତି ଧାର୍ମିକ ପରମ୍ପରାର ଉଲ୍ଲଂଘନ ବୋଲି ସେବାୟତମାନେ ଦାବି କରିଛନ୍ତି ।
ସେବାୟତ ସଂଘର ସଦସ୍ୟମାନେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅନେକ ଭିଭିଆଇପି ଗସ୍ତ ସମୟରେ ସମସ୍ତ ସେବାୟତଙ୍କ ଉପସ୍ଥିତି ସହ ପୂଜାକାର୍ଯ୍ୟ ସଂପନ୍ନ ହୋଇଆସୁଛି। ଏଥର ପ୍ରଶାସନ ଯେପରି ଏକତରଫା ନିଷ୍ପତ୍ତି ନେଇଛି, ତାହା ଅଗ୍ରହଣୀୟ ବୋଲି ସେମାନେ କହିଛନ୍ତି।

ପ୍ରଶାସନିକ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ପ୍ରତିବାଦ ସ୍ୱରୂପ ପୂଜା କାର୍ଯ୍ୟରୁ ବିରତ ରହିବାକୁ ସେବାୟତମାନେ ସମୂହ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହା ଫଳରେ ରାଷ୍ଟ୍ରପତିଙ୍କ ନିର୍ଦ୍ଧାରିତ ଦର୍ଶନ ଓ ପିଣ୍ଡଦାନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଏହି ବିବାଦ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ସର୍ବୋପରି ଏବଂ ସେହି ଦୃଷ୍ଟିକୋଣରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତଥାପି ପରିସ୍ଥିତିକୁ ଶାନ୍ତ ଓ ସମନ୍ୱୟପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। ଏବେ ସମସ୍ତଙ୍କ ଦୃଷ୍ଟି ରହିଛି—ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଏହି ବିବାଦର କିଭଳି ସମାଧାନ ହେବ।
also read https://purvapaksa.com/government-must-ban-liquor-otherwise-resign-from-the-seat/
Government must ban liquor; otherwise, resign from the seat || ମଦ ବନ୍ଦକର ସରକାର; ନେହେଲେ ଆସନ ଛାଡ଼


