ଭାରତୀୟ ଜନତା ପାର୍ଟି (ବିଜେପି) ଇତିହାସରେ ପ୍ରଥମଥର ପାଇଁ ୪୫ ବର୍ଷ ବୟସର ଜଣେ ନେତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ନିତିନ ନବୀନଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ନୂଆ ଜାତୀୟ ସଭାପତି ଭାବେ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ଆଧିକାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୂତନ ଦାୟିତ୍ୱ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି ନିତିନ ନବୀନଙ୍କୁ ସ୍ୱାଗତ କରି ତାଙ୍କୁ ଦଳର ଐତିହ୍ୟକୁ ଆଗକୁ ବଢ଼ାଇବାକୁ ସକ୍ଷମ ଓ ପରିପକ୍ୱ ନେତା ଭାବେ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, “ଦଳରେ ବସ୍ କେହି ନୁହେଁ, ଆମେ ସମସ୍ତେ କର୍ମୀ।” ଏହି କଥା ମାଧ୍ୟମରେ ସେ ଦଳୀୟ ଶିଷ୍ଟାଚାର ଓ ସଂଗଠନୀୟ ଏକତାର ସନ୍ଦେଶ ଦେଇଛନ୍ତି।
ନିତିନ ନବୀନ ବର୍ତ୍ତମାନ ବିହାର ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟରତ। ସେ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୦୬ ମସିହାରେ ପିତା ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ଦେହାନ୍ତ ପରେ ସେ ପାଟନା ୱେଷ୍ଟ ଆସନରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ରେ ସେ ପୁନଃ ପୁନଃ ବିଜୟ ଲାଭ କରିଛନ୍ତି। ନିକଟତମ ନିର୍ବାଚନରେ ସେ RJD ପ୍ରାର୍ଥୀ ରେଖା କୁମାରୀଙ୍କୁ ୫୧,୯୩୬ ଭୋଟରେ ପରାଜିତ କରିଥିଲେ।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ଅନୁଯାୟୀ, ନିତିନ ନବୀନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ କୋଟି ୮ ଲକ୍ଷ ଟଙ୍କା। ଏଥିମଧ୍ୟରୁ ୧ କୋଟି ୬୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୧ କୋଟି ୪୭ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ଓ ତାଙ୍କ ପତ୍ନୀଙ୍କ ପାଖରେ ୨୫ ହଜାର ଟଙ୍କା ନଗଦ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛି, ବିଜେପିର ନୂଆ ଜାତୀୟ ଅଧ୍ୟକ୍ଷଙ୍କର ନିଜସ୍ୱ ଘର ନାହିଁ।
ଆୟ ଉତ୍ସ ବିଷୟରେ କହିଲେ, ସେ ବିହାର ସରକାରରୁ ଦରମା ଓ ଭତ୍ତା ଆକାରରେ ଆୟ କରନ୍ତି। ଚଳିତ ଆର୍ଥିକ ବର୍ଷରେ ସେ ୩ ଲକ୍ଷ ୭୧ ହଜାର ଟଙ୍କା ଦରମା ପାଇଥିବା ଉଲ୍ଲେଖ କରିଛନ୍ତି। କୃଷି, ବ୍ୟବସାୟ କିମ୍ବା ଅନ୍ୟ କୌଣସି ବୃତ୍ତିଗତ ଆୟ ନଥିବା ସେ ସ୍ପଷ୍ଟ କରିଛନ୍ତି।
![]()
ଜାତୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ନିତିନ ନବୀନଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ଦକ୍ଷିଣ ଭାରତରେ ବିଜେପିକୁ ଶକ୍ତିଶାଳୀ କରିବା, କର୍ଣ୍ଣାଟକ ଭଳି ରାଜ୍ୟରେ ଦଳୀୟ ମନୋଭାବ ଦୂର କରିବା ଓ ଆସନ୍ତା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ଆସାମ ବିଧାନସଭା ନିର୍ବାଚନ ତାଙ୍କ ପାଇଁ ଅଗ୍ନିପରୀକ୍ଷା ହେବ।
also read https://purvapaksa.com/big-relief-for-passengers-additional-coaches-will-be-added-to-these-trains/


