ପରିବର୍ତ୍ତନର ଆଶା ଓ ଆଶଙ୍କା ଭିତରେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ମୋହର ମାରିଲେ । ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତାକୁ ଆସିବା ପଛରେ ସବୁଠାରୁ ବଡ଼ କାରଣ ଥିଲା— ପ୍ରଶାସନିକ ସ୍ୱେଚ୍ଛାଚାରିତା ଏବଂ ଅଣ-ଓଡ଼ିଆ ଅଫିସରରାଜ ବିରୋଧରେ ଜନଅସନ୍ତୋଷ। ନିର୍ବାଚନ ପରେ କ୍ଷମତାକୁ ଆସିଥିବା ନୂତନ ବିଜେପି ସରକାର ନିଜକୁ ‘ଲୋକଙ୍କ ସରକାର’ ବୋଲି ପ୍ରଚାର କରି ଆସୁଛି। ମାତ୍ର ସରକାର ଗଢ଼ିବାର କିଛିମାସ ପରେ ପ୍ରଶାସନିକ ସ୍ତରରେ ଯେଉଁସବୁ ନିଷ୍ପତ୍ତି ନିଆଯାଉଛି, ତାହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠୁଛି— ଏହା ପରିବର୍ତ୍ତନ ନା ନୂଆ ବୋତଲରେ ପୁରୁଣା ମଦ? ଯେଉଁ ପବ୍ଲିକ ସର୍ଭାଣ୍ଟ ଆଇଏଏସମାନେ ଗତ ସରକାର ସମୟରେ ‘ଅଘୋଷିତ ମୁଖ୍ୟମନ୍ତ୍ରୀ’ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇଥିଲେ, ଆଜି ସେମାନଙ୍କୁ ଦଣ୍ଡ ମିଳିବା ପରିବର୍ତ୍ତେ ପୁରସ୍କାର ମିଳୁଥିବା ଭଳି ପ୍ରତୀୟମାନ ହେଉଛି। ଲୋକତନ୍ତ୍ରରେ ଶାସନ କେବଳ ନିର୍ବାଚନ ଜିତିବାର ନାମ ନୁହେଁ। ଶାସନ ମାନେ—ନିଷ୍ପତ୍ତି, ଦାୟିତ୍ୱ, ଦଣ୍ଡ ଓ ପୁରସ୍କାରର ସଠିକ୍ ସନ୍ତୁଳନ। ଯେଉଁ ସରକାର ଏହି ସନ୍ତୁଳନକୁ ଭଙ୍ଗ କରେ, ସେଠାରେ ସ୍ଲୋଗାନ ଯେତେ ଉଚ୍ଚ ହେଉନା କାହିଁକି, ଲୋକତନ୍ତ୍ର ଧୀରେଧୀରେ ଦୁର୍ବଳ ହୋଇପଡ଼େ।
୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ଗଠିତ ନୂଆ ସରକାର ନିଜକୁ “ଲୋକଙ୍କ ସରକାର” ବୋଲି ଘୋଷଣା କରିଥିଲା। ଭାଷଣରେ ଲୋକ ପ୍ରେସ ବିଜ୍ଞପ୍ତିରେ ପରିବର୍ତ୍ତନ, ନାରାରେ ସ୍ୱଚ୍ଛତା—ସବୁ କିଛି ଥିଲା । କିନ୍ତୁ ପ୍ରଶ୍ନ ହେଉଛି, ଏହି ଦାବି ଶାସନର ଆଚରଣରେ କେତେ ପ୍ରତିଫଳିତ ହେଲା?
ନିର୍ବାଚନ କମିଶନଙ୍କ ଦଣ୍ଡ, ସରକାରଙ୍କ ‘ସେଫ୍ ପ୍ୟାସେଜ୍’

୨୦୨୪ ନିର୍ବାଚନ ସମୟରେ ରାଜ୍ୟର ପ୍ରଶାସନିକ ଭୂମିକା ନେଇ ଗଭୀର ପ୍ରଶ୍ନ ଉଠିଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, ପ୍ରଶାସନିକ କଳର ଦୁର୍ବ୍ୟବହାର ଓ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରେ କାମ କରୁଥିବା କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ଭୂମିକାକୁ ନେଇ ନିର୍ବାଚନ କମିଶନ ସ୍ପଷ୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। କେତେକ ଅଧିକାରୀ ନିଲମ୍ବିତ ହେଲେ, କେତେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହେଲା । ଏହା କୌଣସି ଗୁପ୍ତ କଥା ନୁହେଁ; ସରକାରୀ ରେକର୍ଡରେ ଏହା ଲିପିବଦ୍ଧ । ସେହି ସମୟରେ ଲୋକମାନେ ଆଶା କରିଥିଲେ—ନୂଆ ସରକାର ଆସିଲେ, ନିଷ୍ପକ୍ଷ ତଦନ୍ତ ହେବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏକ ସ୍ପଷ୍ଟ ବାର୍ତ୍ତା ଯିବ ଯେ ପ୍ରଶାସନ କୌଣସି ଦଳର ନୁହେଁ, ଲୋକଙ୍କର । ନିର୍ବାଚନ ସମୟରେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ୍. କୁଟ୍ଟେଙ୍କୁ ନିଲମ୍ବିତ କରାଯିବା ସହ ଆଶିଷ ସିଂହ ଏବଂ ରବିକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା। ଓଡ଼ିଶାବାସୀ ଆଶା କରିଥିଲେ ଯେ ନୂତନ ସରକାର ଏହି ‘ରାଜନୈତିକ’ ଅଫିସରମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରି କଠୋର ଦଣ୍ଡବିଧାନ କରିବେ। କିନ୍ତୁ ବାସ୍ତବତା ହେଲା ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ଦିଆଗଲା। ଏହା କାର୍ଯ୍ୟାନୁଷ୍ଠାନ ନା ସେମାନଙ୍କୁ ସୁରକ୍ଷିତ ଭାବେ ଖସାଇ ଦେବାର ଏକ ମାଧ୍ୟମ? ଭିନିଲ କ୍ରିଷ୍ଣା, ଆଶିଷ ଠାକରେ ଏବଂ ବୀର ବିକ୍ରମ ଯାଦବଙ୍କ ଭଳି ଅଧିକାରୀ, ଯେଉଁମାନେ ପାଣ୍ଡିଆନଙ୍କ ଗୋଷ୍ଠୀର ଅତି ନିକଟତର ଭାବେ ଜଣାଶୁଣା ଥିଲେ, ସେମାନଙ୍କୁ ମଧ୍ୟ କେନ୍ଦ୍ରକୁ ପଠାଇ ଏକ ପ୍ରକାର ‘ସମ୍ମାନଜନକ ବିଦାୟ’ ଦିଆଯାଇଛି।
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଅର୍ଥର ହରିଲୁଟ୍ ଓ ପୁରସ୍କାର
୨୦୨୪ ଫେବୃୟାରୀ ମାସରେ ଅନୁଷ୍ଠିତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’କୁ ନେଇ ସେତେବେଳେ ପ୍ରବଳ ବିରୋଧ ହୋଇଥିଲା। ତତ୍କାଳୀନ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାର ସୁରକ୍ଷା ଅପେକ୍ଷା ତତ୍କାଳୀନ ବିଜେଡି ସରକାରେ ନିଜକୁ ଅଘୋଷିତ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ‘ଓଡ଼ିଆ ପ୍ରେମୀ’ ଭାବେ ଚିତ୍ରଣ କରିବାର ପ୍ରୟାସ ଅଧିକ ଥିଲା। ବିଭିନ୍ନ ବିଭାଗର ଉନ୍ନୟନମୂଳକ ପାଣ୍ଠିକୁ ଏହି ତିନିଦିନିଆ ମହୋତ୍ସବ ପାଇଁ ବ୍ୟବହାର କରାଗଲା। ଓଡ଼ିଆ ଭାଷା ଓ ସାହିତ୍ୟ ଓଡ଼ିଶାର ଆତ୍ମା। ଏହା ସହ ଯେତେବେଳେ ରାଜନୀତି ମିଶିଯାଏ, ସାବଧାନତା ଅତ୍ୟନ୍ତ ଆବଶ୍ୟକ। ଏକ ବିଶାଳ ଭାଷା ସମ୍ମିଳନୀ ଆୟୋଜନ କରାଗଲା, କିନ୍ତୁ ତାହାର ଉଦ୍ଦେଶ୍ୟ ଓ ଖର୍ଚ୍ଚକୁ ନେଇ ଗଭୀର ପ୍ରଶ୍ନ ଉଠିଲା ଉନ୍ନୟନମୂଳକ କାମ ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଯଦି ରାଜନୈତିକ ଇମେଜ୍ ବିଲ୍ଡିଂ ପାଇଁ ବ୍ୟୟ ହୁଏ, ତେବେ ଏହା କେବଳ ଆର୍ଥିକ ଅନୀତି ନୁହେଁ, ଭାଷା ଓ ସଂସ୍କୃତି ପ୍ରତି ଅନ୍ୟାୟ। ଓଡ଼ିଶାର ବରପୂତ୍ରମାନଙ୍କୁ ଉପେକ୍ଷା କରି କରାଯାଇଥିବା ଏହି ଆୟୋଜନ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ଥିଲେ, ସେମାନଙ୍କୁ ଆଜି ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ପଦବୀ ‘ମୁଖ୍ୟ ଶାସନ ସଚିବ’ ଭାବେ ଅବସ୍ଥାପିତ କରାଯାଇଛି। ଏହା କଣ ‘ଲୋକଙ୍କ ସରକାର’ର ନିୟମ?
ଜଳଜୀବିକା ମିଶନର ବିଫଳତା ଓ ପଞ୍ଚାୟତିରାଜ ବିଭାଗର ସ୍ଥାଣୁତା

ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପାନୀୟ ଜଳ। ୨୦୧୯ରୁ ଆରମ୍ଭ ହୋଇଥିବା ୨୦୭ଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୫ଟି ଶେଷ ହେବା କେଉଁ ପ୍ରକାର ଉନ୍ନତି? ଦେଓ ରଂଜନ କୁମାର ସିଂହ ପାଖାପାଖି ୧୦ ବର୍ଷ ଧରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଥିଲେ। ତାଙ୍କ ସମୟରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଠିକାଦାରମାନଙ୍କୁ କାମ ମିଳିଲା ଏବଂ ସେମାନେ ୮୦ ପ୍ରତିଶତ ଅର୍ଥ ଆଗୁଆ ନେଇ ଫେରାର ହୋଇଯାଇଛନ୍ତି। ଏହି କଥାକୁ ବର୍ତ୍ତମାନର ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ସ୍ୱୀକାର କରିଛନ୍ତି। ଯଦି ଜଣେ ଅଧିକାରୀଙ୍କ ସମୟରେ ରାଜ୍ୟ କୋଷାଗାରରୁ ଶହ ଶହ କୋଟି ଟଙ୍କା ଏପରି ଭାବେ ଲୁଟ୍ ହେଲା, ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରିବର୍ତ୍ତେ ‘ଉନ୍ନୟନ କମିଶନର’ ଭଳି ମର୍ଯ୍ୟାଦାଜନକ ପଦବୀରେ ବସାଇବା ପଛର ରହସ୍ୟ କ’ଣ?
ଜନମତର ଅପମାନ?
ବିଜେପି ସରକାରର ଏହି ଆଭିମୁଖ୍ୟ ଦେଖିଲେ ଲାଗୁଛି ଯେ ପ୍ରଶାସନିକ ସଂସ୍କାର ଆଣିବା ପାଇଁ ସରକାରଙ୍କ ପାଖରେ ସେଭଳି ଦୃଢ଼ ଇଚ୍ଛାଶକ୍ତି ନାହିଁ। ଯେଉଁମାନେ ଓଡ଼ିଶା ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ, ସେମାନଙ୍କୁ ପୁଣିଥରେ କ୍ଷମତାର ଶୀର୍ଷରେ ବସାଇବା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ଏକ ନକାରାତ୍ମକ ବାର୍ତ୍ତା ଯାଉଛି। କଣ ରାଜ୍ୟରେ ଅନ୍ୟ କୌଣସି ଦକ୍ଷ ଓ ସଚ୍ଚୋଟ ଓଡ଼ିଆ ଅଫିସର ନାହାନ୍ତି? କେବଳ ପୁରୁଣା ସରକାରଙ୍କ ଆନୁଗତ୍ୟ ସ୍ୱୀକାର କରିଥିବା ଅଫିସରଙ୍କୁ ନେଇ ଶାସନ କଲେ ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା କେମିତି ହେବ?
ଲୋକଙ୍କ ସରକାର ବୋଲାଉଥିବା ବିଜେପି ସରକାରକୁ ଏବେ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ରାଜ୍ୟବାସୀ ଦୋଷୀ ପବ୍ଲିକ ସର୍ଭାଣ୍ଟ ଆଇଏଏସଙ୍କୁ ପୁରସ୍କାର ନୁହେଁ, ବରଂ ନ୍ୟାୟ ଏବଂ ସ୍ୱଚ୍ଛ ଶାସନ ଚାହାନ୍ତି। ଯଦି ପୂର୍ବ ସରକାରର ଭୁଲ୍ ନୀତିକୁ ଏହି ସରକାର ମଧ୍ୟ ଆପଣାଇବେ, ତେବେ ପରିବର୍ତ୍ତନର କୌଣସି ମୂଲ୍ୟ ରହିବ ନାହିଁ। ଦୁର୍ନୀତିଗ୍ରସ୍ତ ଏବଂ ରାଜନୈତିକ ଅଭିସନ୍ଧି ରଖୁଥିବା ପବ୍ଲିକ ସରଭାଣ୍ଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ‘ଲୋକଙ୍କ ସରକାର’ ଶବ୍ଦଟି ସାର୍ଥକ ହେବ।
ଲୋକଙ୍କ ସରକାର ହେବାର ଅର୍ଥ—
• ଭୁଲ କଲେ ଦଣ୍ଡ
• ନୀତି ଭଙ୍ଗ କଲେ ଶାସ୍ତି
• ଜନସ୍ୱାର୍ଥକୁ କ୍ଷତି କଲେ ଦାୟିତ୍ୱ
• ଯଦି ଦୋଷୀଙ୍କୁ ସୁରକ୍ଷା ମିଳେ,
• ଅଭିଯୁକ୍ତଙ୍କୁ ପଦୋନ୍ନତି ମିଳେ, ଏବଂ
• ଲୋକଙ୍କୁ କେବଳ ସ୍ଲୋଗାନ ମିଳେ—
• ତେବେ ଏହା ଲୋକଙ୍କ ସରକାର ନୁହେଁ,
• ଏହା ପ୍ରଶାସନିକ ଲବିର ସରକାର।
• ଲୋକ ଆଜି ଚୁପ୍ ଅଛନ୍ତି।
• କିନ୍ତୁ ଲୋକଙ୍କ ସ୍ମୃତି ଦୀର୍ଘ।
• ଇତିହାସ ସବୁବେଳେ ପ୍ରଶ୍ନ କରେ—
• “ତୁମେ କାହା ପକ୍ଷରେ ଥିଲ?”
• ଉତ୍ତର ଦେବା ଦିନ ନିଶ୍ଚିତ ଆସିବ।
also read https://purvapaksa.com/supreme-court-rejects-bail-of-umar-khalid-sharjeel-imam/


