ଓଡ଼ିଶାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଆଜି କେବଳ ଏକ ପ୍ରଶାସନିକ ବା ପ୍ରାଯୁକ୍ତିକ ବିଷୟ ନୁହେଁ, ଏହା ଏବେ ଏକ ଗଭୀର ରାଜନୈତିକ ଯୁଦ୍ଧଭୂମିରେ ପରିଣତ ହୋଇଛି। ଟାଟା ପାୱାର, ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ (ଓଇଆରସି) ଓ ବିଜୁ ଜନତା ଦଳ ମଧ୍ୟରେ ଗଢ଼ିଉଠିଥିବା ଏହି ତ୍ରିକୋଣୀୟ ସମ୍ପର୍କ ଏବେ ରାଜ୍ୟର ସାଧାରଣ ବିଦ୍ୟୁତ୍ ଗ୍ରାହକଙ୍କୁ ମଝିରେ ରଖି ଏକ ବଡ଼ ରାଜନୈତିକ ଆଖଡ଼ାର ରୂପ ନେଇଛି।
ଅତିରିକ୍ତ ଅମାନତ ଜମା (Additional Security Deposit) ନିର୍ଦ୍ଦେଶକୁ ନେଇ ଓଇଆରସି ଯେତେବେଳେ ଆଦେଶ ଜାରି କଲା ଓ ଟାଟା ପାୱାର ତାହାକୁ କାର୍ଯ୍ୟକାରୀ କରିବା ପଦକ୍ଷେପ ନେଲା, ସେହି ମୁହୂର୍ତ୍ତରୁ ଏହା ରାଜ୍ୟବ୍ୟାପୀ ରାଜନୈତିକ ଆନ୍ଦୋଳନର ରୂପ ନେଲା। ବିଜେଡି ଏହାକୁ “ଜନବିରୋଧୀ” ନିଷ୍ପତ୍ତି ବୋଲି କହି ସଡ଼କକୁ ଓହ୍ଲାଇଛି। କିନ୍ତୁ ପ୍ରଶ୍ନ ହେଉଛି—ଏହି ନିଷ୍ପତ୍ତି କ’ଣ ସତରେ ନୂଆ? ନା ଏହାକୁ ଏବେ ଉଠାଇ ରାଜନୀତି କରାଯାଉଛି?

୨୦୨୦ର ବିଦ୍ୟୁତ୍ ହସ୍ତାନ୍ତର: ମୂଳରେ ଅଛି କି ସମସ୍ତ ବିବାଦ?
୨୦୨୦ ମସିହାରେ ଯେତେବେଳେ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଥିଲା, ସେତେବେଳେ ରାଜ୍ୟରେ କ୍ଷମତାରେ ଥିଲା ବିଜେଡି ସରକାର। ସେହି ସମୟରେ ଗ୍ରୀଡକୋର ମୋଟ ସମ୍ପତ୍ତି ମୂଲ୍ୟ ୧୧ ହଜାର କୋଟି ଟଙ୍କାରୁ ଅଧିକ ଥିବା ସତ୍ତ୍ୱେ, ମୂଲ୍ୟାଙ୍କନ କରାଗଲା ମାତ୍ର ୧୦୫୦ କୋଟି ଟଙ୍କାରେ। ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ନେଇ ସେତେବେଳେ ମଧ୍ୟ ପ୍ରଶ୍ନ ଉଠିଥିଲା, କିନ୍ତୁ ସରକାରୀ ସମର୍ଥନ ଓ ଓଇଆରସିର ଅନୁମୋଦନରେ ସବୁ କଥା ଚାପି ହୋଇଗଲା।
ଫଳସ୍ୱରୂପ, ଟାଟା ପାୱାର ୫୧ ପ୍ରତିଶତ ଅଂଶଧନ ପାଇଁ ୫୩୬ କୋଟି ଟଙ୍କା ପରିବର୍ତ୍ତେ ୭୫୨ କୋଟି ଟଙ୍କା ଦେଇଥିବା ଦାବି କରି ଓଇଆରସି ନିଜକୁ “କଠୋର ନିୟନ୍ତ୍ରକ” ଭାବେ ପ୍ରତିଷ୍ଠା କରିବାକୁ ଚେଷ୍ଟା କଲା। କିନ୍ତୁ ଏହାର ଆଡ଼ରେ ରାଜ୍ୟର ପ୍ରାୟ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ପ୍ରାୟ ମାଗଣାରେ ଟାଟା ପାୱାର ହାତକୁ ଯାଇଥିବା ଅଭିଯୋଗକୁ କେହି ଖଣ୍ଡନ କରିପାରିଲେ ନାହିଁ।
ଓଇଆରସି: ନିୟନ୍ତ୍ରକ ନା ରାଜନୈତିକ ଖେଳାଳି?
ଓଇଆରସି ଏକ ସ୍ୱାଧୀନ ନିୟନ୍ତ୍ରଣ କମିଶନ ହେବା ଥିଲେ ମଧ୍ୟ, ଏହାର ନିଷ୍ପତ୍ତି ଓ ସମୟଚୟନ ଏବେ ଗଭୀର ସନ୍ଦେହ ସୃଷ୍ଟି କରୁଛି। ଅତିରିକ୍ତ ଅମାନତ ଜମା ନିୟମ ୨୦୨୧ ଠାରୁ ଲାଗୁ ହେବା କଥା ଥିଲା। କିନ୍ତୁ ସେତେବେଳେ ବିଜେଡି ସରକାରକୁ “ଅସୁବିଧା” ହେବ ବୋଲି ଏହାକୁ ଲାଗୁ କରାଗଲା ନାହିଁ। ଆଜି ବିଜେପି ସରକାର କ୍ଷମତାରେ ଆସିବା ପରେ ହଠାତ୍ ଏହି ନିୟମକୁ କାର୍ଯ୍ୟକାରୀ କରିବା କେତେଟା ସାଧାରଣ ସଂଯୋଗ?
ଏହା ସହିତ ଓଇଆରସିର ବର୍ତ୍ତମାନର ଅଧ୍ୟକ୍ଷଙ୍କ ଭୂମିକା ନେଇ ମଧ୍ୟ ଚର୍ଚ୍ଚା ତୀବ୍ର ହେଉଛି। ବିଜେପି ସରକାର ଆସିବା ସମୟରେ ସେ ମୁଖ୍ୟ ସଚିବ ଥିଲେ ଏବଂ ଚାକିରି କାଳ ବୃଦ୍ଧି ପାଇଥିଲେ। ପୁଣିଥରେ ସେହି ପଦରେ ବୃଦ୍ଧି ଆଶା କରିଥିଲେ, କିନ୍ତୁ ସରକାର ତାହା ନ କରି ତାଙ୍କୁ ଓଇଆରସି ଅଧ୍ୟକ୍ଷ କରିଦେଲା। ଏହି “ଅସନ୍ତୋଷ” ହିଁ କି ଆଜିର ସମସ୍ତ ଦାଉ–ପେଚର ମୂଳ?

ବିଜେଡିର ଆନ୍ଦୋଳନ: ଜନସ୍ୱାର୍ଥ ନା ରାଜନୈତିକ ପ୍ରତିଶୋଧ?
ବିଜେଡି ଆଜି ଯେଉଁ ଅତିରିକ୍ତ ଅମାନତ ଜମାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି, ସେହି ବିଷୟରେ ୨୦୨୧ରେ ସେ ନିରବ ଥିଲା କାହିଁକି? ସେତେବେଳେ ଯଦି ଏହା ଜନବିରୋଧୀ ଥିଲା, ତେବେ ନିଷ୍ପତ୍ତି ରୋକିବାକୁ କିଏ ବାଧା ଦେଇଥିଲା?
ଅଭିଯୋଗ ହେଉଛି, ବିଜେଡି ଓ ଓଇଆରସି ଏବେ ଏକ ଅଲିଖିତ ମେଣ୍ଟରେ ଟାଟା ପାୱାରକୁ ସାମ୍ନାକୁ ରଖି ବିଜେପି ସରକାରକୁ ବଦନାମ କରିବା ଖେଳ ଖେଳୁଛନ୍ତି। ଟାଟା ପାୱାର ଏଠାରେ କେବଳ ଏକ “କାର୍ଯ୍ୟକାରୀ ହାତିଆର” ମାତ୍ର।
ଲାଭ କାହାର, କ୍ଷତି କାହାର?
ଏହି ସମସ୍ତ ରାଜନୈତିକ ଷଡ଼ଯନ୍ତ୍ର, ଆରୋପ–ପ୍ରତ୍ୟାରୋପ ମଧ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ବିଦ୍ୟୁତ୍ ଗ୍ରାହକ। ତାଙ୍କ ପାଇଁ ବିଜେଡି, ବିଜେପି, ଟାଟା ପାୱାର ବା ଓଇଆରସି—ସମସ୍ତେ ଏକେ ପାଟିର ଖେଳାଳି। ଜଣେ ମଧ୍ୟ ସ୍ପଷ୍ଟ ଭାବେ ଏହା କହୁନାହାନ୍ତି ଯେ ୨୦୨୦ରେ ହୋଇଥିବା ବିଦ୍ୟୁତ୍ ଚୁକ୍ତିର ସମ୍ପୂର୍ଣ୍ଣ ସତ୍ୟ କ’ଣ।
ଯଦି ଓଡ଼ିଶାର ବିଦ୍ୟୁତ୍ ବ୍ୟବସ୍ଥାକୁ ସତରେ ସୁଧାରିବାକୁ ହେବ, ତେବେ ରାଜନୈତିକ ଦୋଷାରୋପ ବନ୍ଦ କରି ୨୦୨୦ ଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ନିଷ୍ପତ୍ତିର ଏକ ସ୍ୱାଧୀନ, ନିର୍ପେକ୍ଷ ତଦନ୍ତ ଆବଶ୍ୟକ। ନଚେତ୍, ବିଜୁଳି ନାଁରେ ଚାଲୁଥିବା ଏହି ରାଜନୈତିକ ଖେଳର ଦାମ ସଦାରଣ ଲୋକେ ଦେଇଚାଲିବେ—ଅତିରିକ୍ତ ଅମାନତ, ଅଧିକ ବିଲ୍ ଓ ଅନିଶ୍ଚିତ ଭବିଷ୍ୟତ ଆକାରରେ।
AlsoRead; https://purvapaksa.com/2-5-million-indians-have-lost-their-citizenship-in-14-years/

