ଓଡ଼ିଶାର ରାଜନୈତିକ ଓ ସାମାଜିକ ଇତିହାସରେ ପାଟଣାଗଡ଼ ରାଜ୍ୟର ନାମ ଏକ ଅଲଗା ମର୍ଯ୍ୟାଦା ରଖିଛି। ଏହି ମାଟିରୁ ରାଜ୍ୟ ଏକ ପ୍ରଜାବତ୍ସଳ ମହାରାଜା- ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ରୂପରେ ପାଇଥିଲା, ଯିଏ କେବଳ ରାଜା ନୁହେଁ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରାଜ୍ୟର ରାଜନୀତିକୁ ଉଜ୍ଜ୍ୱଳ କରି ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ପୁଅ ରାଜ ରାଜ ସିଂହଦେଓ ମଧ୍ୟ ପ୍ରଜାବତ୍ସଳ ଥିଲେ। ପ୍ରଜାଙ୍କ ହିତ ତାଙ୍କର ନୀତି ଥିଲା। ନାତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ମହାରାଜା କନକ ବର୍ଦ୍ଧନ ସିଂହଦେଓ। ଏହି ତିନିପିଢ଼ିର ରାଜନୈତିକ–ସାମାଜିକ ପରମ୍ପରା ପ୍ରଜାଙ୍କ ସୁଖ–ଦୁଃଖ ସହ ଗଭୀର ଭାବରେ ଜଡ଼ିତ। କିନ୍ତୁ ଦୁଃଖର କଥା ହେଉଛି ତାଙ୍କ ବିଭାଗରେ ଟାଟା ପାୱାର ଭଳି ଏକ ଘରୋଇ ବ୍ୟବସାୟିକ ସଂସ୍ଥା ପ୍ରଜାଙ୍କୁ ଉତ୍ପୀଃଡ଼ନ କରୁଥିଲେ ହେଁ ସେ ଚୁପ୍ ରହୁଛନ୍ତି କାହିଁକି?

ଟାଟା ପାୱାରର ସାମ୍ନାରେ ମହାରାଜା ଏବେ ‘ପାୱାରଲେସ’
କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ ସାଧାରଣ ଧାରଣା ହେଉଛି- ସେ ଅଫିସରମାନଙ୍କ ସାମ୍ନାରେ ମଧ୍ୟ ପ୍ରଜାଙ୍କ ପକ୍ଷରେ ଦୃଢ଼ ହୋଇ ଠିଆ ହୁଅନ୍ତି। କିନ୍ତୁ ବର୍ତ୍ତମାନ ଓଡ଼ିଶାର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ଯେଉଁ ଅସନ୍ତୋଷ ଓ ଆକ୍ରୋଶ ସୃଷ୍ଟି ହୋଇଛି, ସେଥିରେ ତାଙ୍କ ନୀରବତା ପ୍ରଜାମାନଙ୍କ ମନରେ ଗଭୀର ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଶ୍ନ ଏହା ନୁହେଁ ଯେ ଟାଟା ପାୱାର କାହିଁକି ଅତିରିକ୍ତ ସୁରକ୍ଷା ଜମା ଆଦାୟ କରୁଛି; ପ୍ରଶ୍ନ ହେଉଛି-ରାଜ୍ୟର ଶକ୍ତି ବିଭାଗର ମନ୍ତ୍ରୀ ଥିବା ମହାରାଜ କାହିଁକି ଏହାକୁ ନେଇ ଚୁପ?
ଯେଉଁ ମହାରାଜା ଦିନେ ପ୍ରଜାଙ୍କ ସ୍ୱାର୍ଥ ପାଇଁ ଅଫିସରଙ୍କ ସହ ଲଢ଼ୁଥିଲେ, ଆଜି ତାଙ୍କରି ଶକ୍ତି ବିଭାଗ ଅଧୀନରେ ଟାଟା ପାୱାର ଭଳି ଏକ ଘରୋଇ ବ୍ୟବସାୟିକ ସଂସ୍ଥା ଓଡ଼ିଶାର ସାଧାରଣ ଜନତା ବା ‘ପ୍ରଜା’ଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଟାଟା ପାୱାରର ଏହି ମନମାନୀ ସାମ୍ନାରେ ମହାରାଜା ଏବେ ‘ପାୱାରଲେସ’ ବା ଶକ୍ତିହୀନ ସାଜିଛନ୍ତି କି? ଏହି ପ୍ରଶ୍ନ ଏବେ ସାରାରାଜ୍ୟରେ ଆନ୍ଦୋଳିତ ହେଉଛି। ନା ସେ ଜଣେ ପ୍ରଜାବତ୍ସଳ ମହାରାଜାରୁ କର୍ପୋରେଟ୍ ଦାସତ୍ୱ ପାଲଟିଛନ୍ତି?
ଟାଟା ପାୱାର ଧମକପୂର୍ଣ୍ଣ ଏସଏମଏସ
ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାର ହଜାର ହଜାର ବିଦ୍ୟୁତ୍ ଗ୍ରାହକଙ୍କ ମୋବାଇଲକୁ ଆସିଥିବା ଏସଏମଏସ୍ ଏକ ଅଜଣା ଭୟ ସୃଷ୍ଟି କରିଛି। ଏକ ମାସ ମଧ୍ୟରେ ‘ଅତିରିକ୍ତ ସୁରକ୍ଷା ଜମା’ ନ ଦେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ- ଏହି ଧମକ ସହିତ ଆସିଥିବା ଡିମାଣ୍ଡ ନୋଟିସ୍ ଘରୋଇ ଗ୍ରାହକଙ୍କ ପାଇଁ ଆର୍ଥିକ ଆଘାତ ସମାନ।
ସହରାଞ୍ଚଳର ଘରୋଇ ଗ୍ରାହକଙ୍କ ପାଇଁ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା, କେତେକ କ୍ଷେତ୍ରରେ ତା’ଠାରୁ ଅଧିକ ରାଶିର ଅତିରିକ୍ତ ସୁରକ୍ଷା ଜମା ଦାବି କରାଯାଇଛି। ଗ୍ରାମାଞ୍ଚଳରେ ଯେଉଁଠାରେ ଦିନକୁ ଦୁଇବେଳା ରୋଜଗାର ମଧ୍ୟ ନିଶ୍ଚିତ ନୁହେଁ, ସେଠାରେ ଏହି ଦାବି ଜୀବନ–ଜୀବିକାର ଉପରେ ସିଧା ଆଘାତ।
ଟାଟା ପାୱାରର ଚୋରୀ ଉପରେ ସିନାଜୋରୀ
ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ତାଙ୍କ ଡିମାଣ୍ଡ ନୋଟିସରେ ସ୍ପଷ୍ଟ କରିଛି ଯେ ୩୦ ଦିନ ମଧ୍ୟରେ ଅତିରିକ୍ତ ସୁରକ୍ଷା ଜମା ନ କଲେ, ବଣ୍ଟନ ଯୋଗାଣ କୋଡ୍ ୨୦୧୯ ଅନୁଯାୟୀ କୌଣସି ଆଉ ନୋଟିସ୍ ବିନା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ। ଏହା ସହିତ ୧୫% ସରଚାର୍ଜ ଆଦାୟର ଧମକ ମଧ୍ୟ ଦିଆଯାଇଛି। ଏପରି ଭାଷା ଏକ ସେବାମୂଳକ ସଂସ୍ଥାରୁ ଆସିବା ସାଧାରଣ ନାଗରିକଙ୍କ ପାଇଁ ଭୟଙ୍କର ଆତଙ୍କ ସୃଷ୍ଟି କରୁଛି। ଏହାକୁ ଟାଟା ପାୱାରର ଚୋରୀ ଉପରେ ସିନାଜୋରୀ ବୋଲି ଜନତା କହିଲେଣି।
ମହାରାଜାଙ୍କ ଅଞ୍ଚଳ ପଶ୍ଚିମ ଓଡ଼ିଶାରେ ବି ଟାଟା ପାୱାରର ଧମକ

ଏହି ଡିମାଣ୍ଡ ନୋଟିସ୍ କେବଳ ସେଣ୍ଟ୍ରାଲ୍ ଓଡ଼ିଶାରେ ସୀମିତ ନୁହେଁ। ମହାରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ଅଞ୍ଚଳ ପଶ୍ଚିମ ଓଡ଼ିଶାରେ ମଧ୍ୟ ଆତଙ୍କ ଖେଳାଇଛି। ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଓ ଟାଟା ପାୱାର ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍-ଏହି ଦୁଇଟି ସଂସ୍ଥା ମିଶି ୧୭ଟି ଜିଲ୍ଲାକୁ କଭର କରୁଛନ୍ତି। ଅର୍ଥାତ୍, ଓଡ଼ିଶାର ବଡ଼ ଅଂଶ ଜନସଂଖ୍ୟା ଏହି ଅତିରିକ୍ତ ସୁରକ୍ଷା ଜମାର ପ୍ରଭାବରେ ପଡ଼ିଛନ୍ତି। । କନକ ବର୍ଦ୍ଧନ ସିଂହଦେଓ ଜଣେ ମନ୍ତ୍ରୀ ହେବା ପୂର୍ବରୁ ଜଣେ ଲୋକପ୍ରତିନିଧି। ତାଙ୍କ ଅଧୀନରେ ଥିବା ବିଭାଗ ଯଦି ଏକ ଘରୋଇ କମ୍ପାନୀକୁ ଓଡ଼ିଶାବାସୀଙ୍କୁ ଶୋଷଣ କରିବାକୁ ଖୋଲା ଛାଡ଼ିଦିଏ, ତେବେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସେହି ‘ପ୍ରଜାବତ୍ସଳ’ ପରମ୍ପରାର ମାନ ରହିବ ତ?
ଦାନ୍ତହୀନ ସଂସ୍ଥା ଓଇଆରସି
ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି- ଗତ ବର୍ଷ ଟାଟା ପାୱାର ଦ୍ୱାରା ଆଦାୟ କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା ଏପର୍ଯ୍ୟନ୍ତ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ବିଚାରାଧୀନ ଅବସ୍ଥାରେ ରହିଛି। ଏହି ସ୍ଥିତିରେ ପୁଣି ଏକ ନୂଆ ଡିମାଣ୍ଡ ନୋଟିସ୍ ଜାରି କରାଯିବା ଗ୍ରାହକଙ୍କ ମନରେ ସ୍ୱାଭାବିକ ଭାବେ ସନ୍ଦେହ ସୃଷ୍ଟି କରୁଛି। ଓଇଆରସିର ନୀରବତା ମଧ୍ୟ ଏହି ସନ୍ଦେହକୁ ଆଉ ଗଭୀର କରୁଛି।
ଅଧିକ ଆଦାୟ କରିଥିବା ୭,୨୧୫ କୋଟି ଟଙ୍କା କେବେ ଫେରାଇବ ଟାଟା ପାୱାର
ଅତିରିକ୍ତ ସୁରକ୍ଷା ଜମାର ଯଥାର୍ଥତାକୁ ନେଇ ପ୍ରଶ୍ନ ଆଉ ଗଭୀର ହୁଏ, ଯେତେବେଳେ ଓଇଆରସି ନିଜେ ସ୍ୱୀକାର କରିଛି ଯେ ୨୦୧୮–୧୯ରୁ ୨୦୨୪–୨୫ ପର୍ଯ୍ୟନ୍ତ ସମୟସୀମାରେ ଟାଟା ପାୱାର ବାର୍ଷିକ ନିର୍ଦ୍ଧାରିତ ଶୁଳ୍କଠାରୁ ଅଧିକ ୭,୨୧୫ କୋଟି ଟଙ୍କା ଆଦାୟ କରିଛି। ସାଧାରଣତଃ ଏପରି ଅଧିକ ଆଦାୟ ହେଲେ ଗ୍ରାହକଙ୍କୁ ସେହି ଅର୍ଥ ଫେରସ୍ତ କରିବା କିମ୍ବା ଆଗାମୀ ଶୁଳ୍କ ସମନ୍ୱୟରେ ସମନ୍ୱୟ କରିବା ନୀତି ରହିଛି। କିନ୍ତୁ ଓଡ଼ିଶାରେ ସେହି ଅର୍ଥ ଫେରସ୍ତ ହେବାର କୌଣସି ସ୍ପଷ୍ଟ ପ୍ରକ୍ରିୟା ଦେଖାଯାଉନାହିଁ।
ଓଇଆରସି ଆଇନକୁ ଅମାନ୍ୟ
ଓଇଆରସି ବଣ୍ଟନ କୋଡ୍ ୨୦୧୯ର ଧାରା ୫୩ ସ୍ପଷ୍ଟ କରେ ଯେ ସୁରକ୍ଷା ଜମା ପ୍ରତିବର୍ଷ ଥରେ, ପୂର୍ବ ବର୍ଷର ୧୨ ମାସର ହାରାହାରି ବ୍ୟବହାର ଆଧାରରେ ସମୀକ୍ଷା କରାଯିବ। ଏହାର ଅର୍ଥ- ଅତିରିକ୍ତ ସୁରକ୍ଷା ଜମା କୌଣସି ମନମାନୀ ଆଧାରରେ ଆଦାୟ କରାଯିବାର ସୁଯୋଗ ନାହିଁ। ତେବେ ପ୍ରଶ୍ନ ଉଠେ-ଏହି ସମୀକ୍ଷା କେମିତି ହେଲା? କେଉଁ ଆଧାରରେ ହଜାର ହଜାର ଗ୍ରାହକଙ୍କୁ ଏକାସାଙ୍ଗରେ ନୋଟିସ୍ ପଠାଯାଇଛି? ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି- ଯେତେବେଳେ ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ଗତ ଚାରିବର୍ଷ ଧରି ଅପରିବର୍ତ୍ତିତ ରହିଛି, ସେତେବେଳେ ଗ୍ରାହକଙ୍କ ଉପରେ ଏହି ଅତିରିକ୍ତ ଆର୍ଥିକ ବୋଝ ଲଦିବାର ଆବଶ୍ୟକତା କ’ଣ ଥିଲା? ଯଦି ବିତ୍ତୀୟ ସ୍ଥିତି ଦୁର୍ବଳ ଥିଲା, ତେବେ ୭,୨୧୫ କୋଟି ଟଙ୍କାର ଅଧିକ ଆଦାୟ କେମିତି ସମ୍ଭବ ହେଲା?
କେବେ ଜାଗିବେ ଶକ୍ତିମନ୍ତ୍ରୀ ମହାରାଜ କନକ ବର୍ଦ୍ଧନ ସିଂହଦେଓ
ଏହି ସମସ୍ତ ପ୍ରଶ୍ନର ମଧ୍ୟରେ ସବୁଠାରୁ ରାଜନୈତିକ ପ୍ରସଙ୍ଗ ହେଉଛି- ମହାରାଜ କନକ ବର୍ଦ୍ଧନ ସିଂହଦେଓଙ୍କ ଭୂମିକା। ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସେ ରାଜ୍ୟର ବିଦ୍ୟୁତ୍ ବ୍ୟବସ୍ଥାର ନୀତିଗତ ଦାୟିତ୍ୱ ଧାରଣ କରନ୍ତି। ଯଦି ଗ୍ରାହକମାନେ ଅନ୍ୟାୟର ସମ୍ମୁଖୀନ, ତେବେ ତାଙ୍କର ମୁଖ ଖୋଲିବା ଆଶା ସ୍ୱାଭାବିକ। କିନ୍ତୁ ଏହି ମାମଲାରେ ତାଙ୍କର ନୀରବତା ‘ମହାରାଜଙ୍କୁ ପାୱାରଲେସ କରିଦେଇଛି କି ଟାଟା ପାୱାର?’- ଏହି ପ୍ରଶ୍ନକୁ ଜନ୍ମ ଦେଉଛି। ନିଷ୍କର୍ଷରେ କୁହିବାକୁ ଗଲେ, ଏହି ସଂକଟ କେବଳ ଅତିରିକ୍ତ ସୁରକ୍ଷା ଜମାର ନୁହେଁ; ଏହା ଶାସନ, ନିୟାମକ ସଂସ୍ଥା ଓ ବେସରକାରି କମ୍ପାନୀମାନଙ୍କ ମଧ୍ୟରେ ସନ୍ତୁଳନର ପ୍ରଶ୍ନ। ବିଦ୍ୟୁତ୍ ଏକ ମୌଳିକ ସେବା। ଏହାକୁ ବ୍ୟବସାୟିକ ଲାଭର ଏକମାତ୍ର ମାଧ୍ୟମ କରିଦିଆଗଲେ, ପ୍ରଜାବତ୍ସଳ ଶାସନର ଧାରଣା ଧ୍ୱସ୍ତ ହୋଇଯାଏ। ଓଡ଼ିଶାର ପ୍ରଜା ଏବେ ଉତ୍ତର ଚାହୁଁଛନ୍ତି- ଟାଟା ପାୱାରର ଶକ୍ତି କେଉଁଠାରୁ ଆସୁଛି, ଏବଂ ସେହି ଶକ୍ତିର ସାମ୍ନାରେ ରାଜ୍ୟର ମହାରାଜ କାହିଁକି ନୀରବ? ଗଣତନ୍ତ୍ରରେ ଜନତା ହିଁ ସର୍ବୋପରି। ଯଦି ଜନତା ଅସନ୍ତୁଷ୍ଟ ରୁହନ୍ତି, ତେବେ ସେହି ଶାସନର କୌଣସି ମୂଲ୍ୟ ରହେ ନାହିଁ। ଟାଟା ପାୱାରକୁ ଉତ୍ତରଦାୟୀ କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।


