ଓଡ଼ିଶାର ଭୋଟ୍ ରାଜନୀତି ଦୀର୍ଘଦିନ ଧରି ବିକାଶ, ନେତୃତ୍ୱ ଓ ସରକାରୀ ସୁବିଧାରେ ଆଧାରିତ ରହିଛି। “ଜାତିଭିତ୍ତିକ ଭୋଟ୍”- ଯାହା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ସାଧାରଣ ଘଟଣା- ଓଡ଼ିଶାରେ କେବଳ ଏହା ଅଳ୍ପ ପ୍ରଭାବ ରଖିଥିଲା। ରାଜନୀତି ବିଶ୍ଳେଷକମାନେ ମନେ କରୁଥିଲେ, ଓଡ଼ିଶାର ମତଦାତା ଜାତି ନୁହେଁ, ଉନ୍ନତି ଓ ସୁଶାସନ ଆଧାରରେ ଭୋଟ୍ ଦେଇଥାନ୍ତି।
କିନ୍ତୁ ଗତ ୨୦୨୪ ନିର୍ବାଚନ ଏହି ଧାରଣାକୁ ଅସ୍ଥିର କରିଦେଲା। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝି ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ରାଜ୍ୟ ରାଜନୀତିରେ ଏକ ଅପୂର୍ବ ସଙ୍କେତ ଦେଲା- ଯେଉଁଠାରେ ଜାତି ଓ ସମ୍ପ୍ରଦାୟ ଆଧାରିତ ଭୋଟ୍ ବିଭେଦ ଖୋଲାଭାବେ ପ୍ରକାଶିତ ହେଲା। ଏହି ପରିଣାମ ଏବେ ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରୁଛି।
କଣ୍ଟାବାଞ୍ଝି ନିର୍ବାଚନ: ଜାତି ରାଜନୀତିର ଆରମ୍ଭ
୨୦୨୪ ମସିହାର ବିଧାନସଭା ନିର୍ବାଚନରେ, କଣ୍ଟାବାଞ୍ଝିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବିଶ୍ୱସନୀୟ ଭାବରେ ହରାଇ ଦେଲେ। ଏହା ଦୀର୍ଘ ୨୪ ବର୍ଷର ରାଜ୍ୟ ରାଜନୀତିରେ କେବଳ ଏକ ରାଜନୀତିକ ଝଟ୍କା ନୁହେଁ ଏହାକୁ ଓଡ଼ିଶାର ନିର୍ବାଚନୀ ସମୀକରଣରେ ଜାତି ତତ୍ତ୍ୱର ଉଦୟ ଭାବରେ ବିବେଚନା କରାଯାଉଛି।
୨୦୨୪ ନିର୍ବାଚନ ସ୍ଥାନୀୟ ସମୀକ୍ଷା ଦେଖାଇଲା, ଲକ୍ଷ୍ମଣ ବାଗଙ୍କ ପକ୍ଷରେ ଜାତି ଅନୁସାରେ ଭୋଟ୍ କେନ୍ଦ୍ରିତ ହୋଇଥିଲା। ଏହା ଓଡ଼ିଶାର ରାଜନୀତିରେ ଏକ ନୂଆ ପରିବର୍ତ୍ତନ ଆଣିଲା- ଯେଉଁଠାରେ ସାମାଜିକ ପରିଚୟ ଭାବନା ରାଜନୀତିକ ନିଷ୍ପତ୍ତିକୁ ପ୍ରଭାବିତ କରିପାରିଲା।
ନୂଆପଡ଼ା ଉପନିର୍ବାଚନ: ଚାରିମୁଖୀ ଯୁଦ୍ଧ ଓ ଜାତି ସମୀକରଣ
ନୂଆପଡ଼ାର ଉପନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବି ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପାରିଛି। ଏଠାରେ ମୁଖ୍ୟ ତିନି ଦଳ- ବିଜେଡି, ବିଜେପି, କଂଗ୍ରେସ ସହ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ଦୃଢ଼ ଭୂମିକା ନେଉଛନ୍ତି। ଏହି ଉପନିର୍ବାଚନରେ ତିନି ଦଳର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୧୪ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଆଦିବାସୀ ଭୋଟରେ ବିଭେଦ

ନୂଆପଡ଼ା ଅଞ୍ଚଳରେ ଆଦିବାସୀ ମତଦାତା ୯୦ ହଜାରରୁ ଅଧିକ ଅଛନ୍ତି। କିନ୍ତୁ ଏଥିରେ ବିଜେପି, ବିଜେଡି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କ ମଧ୍ୟରେ ଭୋଟ୍ ବିଭାଜନ ହେବ ବୋଲି ସ୍ପଷ୍ଟ ହେବାରେ ଲାଗିଛି।
ଭକ୍ତବନ୍ଧୁ ଧାରୁଆ ଓ ଲୋଚନ ମାଝୀ ଆଦିବାସୀ ଭୋଟ୍ରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଆକର୍ଷଣ କରୁଛନ୍ତି। ଏହା କଂଗ୍ରେସ ପାଇଁ ମୁଣ୍ଡବିନ୍ଧା ହୋଇଛି, କାରଣ ଏହି ଭୋଟ୍ ପୂର୍ବରୁ ତାଙ୍କର ସ୍ୱାଭାବିକ ଭୋଟ୍ ବ୍ୟାଙ୍କ ଥିଲା। ଏହି ଆଦିବାସୀମାନଙ୍କ ସମର୍ଥନ ବଳରେ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ଚଳିତ ଉପନିର୍ବାଚନରେ ଘାସିରାମ ସେତିକି ଆଦିବାସୀ ଭୋଟ୍ ପାଇବେ କି ନାହିଁ ସେ ନିଜେ ସନ୍ଦେହ ଭତରେ ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି।
ଯାଦବ ଭୋଟର ବିଭାଜନ
ଯାଦବ ମତଦାତାମାନେ ପୂର୍ବରୁ ମୁଖ୍ୟତଃ ବିଜେଡି ପ୍ରାର୍ଥୀଙ୍କୁ ଏକତରଫା ଭାବେ ଭୋଟ୍ ଦେଉଥିଲେ। ଏବେ ଯାଦବ ଭୋଟ ତିନି ଭାଗରେ ବିଭକ୍ତ ହେବ। କିନ୍ତୁ ବିଜେପି ଏହି ଜାତିର ସିଂହଭାଗ ଭୋଟ୍ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବିଜେଡିର ଯାଦବ ନେତା ଲମ୍ବୋଦର ନିଆଲ ଏବେ ବିଜେପିରେ ଯୋଗ ଦେଇଛନ୍ତି। ନୂଆପଡ଼ାର ଦୁଇ ପ୍ରଭାବଶାଳୀ ଯାଦବ ନେତା ହିତେଶ ବଗର୍ତ୍ତୀ ଓ ଲମ୍ବୋଦର ନିଆଲ ବିଜେପିରେ ଥିବାରୁ ସ୍ୱତପ୍ରବୃତ୍ତ ଭାବରେ ଯାଦବ ଭୋଟ୍ ଅଧିକ ବିଜେପି ଯିବ ବୋଲି ଆଲୋଚନା ହେଉଛି। ବାକି କିଛି ଭୋଟ୍ ବିଜେଡି ଓ କଂଗ୍ରେସକୁ ଯିବ। ଯାଦବ ଭୋଟ ବିଭାଜନ ବିଜେଡି ରଣନୀତିକୁ ଅଧିକ ଅସ୍ଥିର କରୁଛି।
ହରିଜନ ଭୋଟର ନୂଆ ପରିସ୍ଥିତି
ପୂର୍ବରୁ ହରିଜନ ଭୋଟ୍ ବିଜେଡିର ନିଶ୍ଚିତ ଭୋଟ ବୋଲି ଗଣାଯାଉଥିଲା। କିନ୍ତୁ ଏବେ ସେହି ଭୋଟ୍ ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ବିଭାଜିତ ହେଉଛି।
ସ୍ୱାଧୀନ ପ୍ରାର୍ଥୀ ନୀତା ବାଗ୍ ଓ କିଶୋର କୁମାର ବାଗ୍ ମତଦାତାମାନଙ୍କ ମନରେ ଦୃଢ଼ ଛାପ ଛାଡ଼ୁଛନ୍ତି। ନୀତାଙ୍କ ପ୍ରଚାର ସଭାଗୁଡ଼ିକରେ ଯେପରି ସମାଗମ ହେଉଛି, ତାହା ବିଜେଡିର ପ୍ରାର୍ଥୀ ସ୍ନାହାଙ୍ଗିନୀ ଛୁରିଆଙ୍କ ସମେତ ବିଜେଡି ରଣନୀତିକାରଙ୍କୁ ନିଶ୍ଚିତ ଭାବରେ ଚିନ୍ତାରେ ପକାଇଛି। କାରଣ ନୀତା ବାଗ୍ ମହିଳା ଓ ହରିଜନ ବର୍ଗରୁ ଆସୁଥିବାରୁ ବିଜେଡିର ହରିଜନ ଭୋଟ୍ ରଣନୀତି ଆଉ କାମ ଦେଉନାହିଁ।
ନୀତା ବାଗଙ୍କ ଉଦୟ: ସ୍ୱାଧୀନ ପ୍ରାର୍ଥୀରେ ଜନତାର ଆଶା
ନୀତା ବାଗ୍ ଏକ ସ୍ୱାଧୀନ ମହିଳା ପ୍ରାର୍ଥୀ ହୋଇଥିଲେ ମଧ୍ୟ, ତାଙ୍କ ପ୍ରଚାର ଏବେ ଏକ ଲୋକ ଆନ୍ଦୋଳନର ଆକାର ନେଉଛି।
ତାଙ୍କ ସହିତ କଳାହାଣ୍ଡି ଲିବରେସନ ଫ୍ରଣ୍ଟ ନେତା ମଧୁ ମହାନ୍ତି ପ୍ରଚାର କରୁଥିବାରୁ ସେ ଏକ ସଂଗଠିତ ଦଳୀୟ ଶକ୍ତି ପାଇଛନ୍ତି।
ନୂଆପଡ଼ାର ୧୩,୦୦୦ ହରିଜନ ଭୋଟ୍ ମଧ୍ୟରୁ ବଡ଼ ଅଂଶ ନୀତାଙ୍କ ସପକ୍ଷରେ ଯାଇପାରେ ବୋଲି ସ୍ଥାନୀୟ ଲୋକମାନେ ମତାମତ ଦେଉଛନ୍ତି। ତାଙ୍କ ସଭାର ଭିଡ଼, ମହିଳା ଭୋଟରଙ୍କ ଉତ୍ସାହ ଓ ସମାଜିକ ସହାନୁଭୂତି- ସମସ୍ତେ ମିଶି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ପ୍ରତିଯୋଗୀରେ ପରିଣତ କରିଛି।
ଜାତି ରାଜନୀତିର ପ୍ରଭାବ ଓ ଭବିଷ୍ୟତ ଭୟ
ଓଡ଼ିଶାରେ ଜାତି ଆଧାରିତ ଭୋଟ ଯଦି ଜୋର ଧରେ, ତେବେ ଏହା ଦୀର୍ଘମିଆଦିରେ ଲୋକତାନ୍ତ୍ରିକ ସମାଜିକ ସଂଗଠନକୁ ଭାଗ ଭାଗ କରିଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ରାଜନୀତି ଯଦି ସମସ୍ତଙ୍କ ଉନ୍ନତି ଠାରୁ ଉପରେ, ତେବେ ସମ୍ପ୍ରଦାୟ ଆଧାରିତ ସମୀକରଣକୁ ଅନୁସାରେ ସାମାଜିକ ସମନ୍ୱୟ ନିଶ୍ଚିତ ଭାବରେ ଆଘାତ ପାଇପାରେ ବୋଲି ଆଲୋଚନା ହେଉଛି।
କିନ୍ତୁ ଏହାକୁ ଅନ୍ୟ ଦୃଷ୍ଟିରୁ ଦେଖିଲେ, ଏହି ପରିବର୍ତ୍ତନ ସ୍ଥାନୀୟ ଚେତନା ଓ ସ୍ୱପ୍ରତିଷ୍ଠାର ଉଦୟ ମଧ୍ୟ ହୋଇପାରେ। ଏହା ଗୋଟିଏ ନୂଆ ରାଜନୀତିକ ସଚେତନତା, ଯେଉଁଠାରେ ଲୋକମାନେ ନିଜ ପରିଚୟ ଓ ସମୁଦାୟକୁ ମୂଲ୍ୟ ଦେଉଛନ୍ତି।
ନୂଆପଡ଼ା ମଡେଲ୍ – ଓଡ଼ିଶାର ରାଜନୀତିକ ମୋଡ଼ ପରିବର୍ତ୍ତନ
ନୂଆପଡ଼ା ଉପନିର୍ବାଚନ କେବଳ ଏକ ସୀମିତ ଭୋଟ୍ ଯୁଦ୍ଧ ନୁହେଁ, ଏହା ଓଡ଼ିଶାର ରାଜନୀତିକ ଚିନ୍ତାଧାରାର ଏକ ପରୀକ୍ଷା। ଯଦି ଏହି ନିର୍ବାଚନରେ ଜାତି ଆଧାରିତ ଭୋଟ୍ ସ୍ପଷ୍ଟ ଭାବେ ଜୟ ପରାଜୟ ନିର୍ଣ୍ଣୟ କରେ, ତେବେ ଆଗାମୀ ନିର୍ବାଚନଗୁଡ଼ିକରେ ଏହା ଏକ ନୂଆ ମଡେଲ୍ ହେବ। ନୀତା ବାଗ୍ ଓ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ଉଦୟ ଏହି ମଡେଲ୍କୁ ଅଧିକ ସାରଗର୍ଭିତ କରିଛି। ଏହା ଏକ ରାଜନୈତିକ ବାର୍ତ୍ତା ଦେଉଛି — ଯେ ଦଳ ଭଳି, ଲୋକ ଆଜି ନିଜ ଜାତି, ଅସ୍ତିତ୍ୱ ଓ ଆତ୍ମସମ୍ମାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ନୂଆପଡ଼ାର ଭୋଟର ନିଷ୍ପତ୍ତି କେବଳ ଏକ ପ୍ରାର୍ଥୀକୁ ନୁହେଁ, ଓଡ଼ିଶାର ରାଜନୀତିକ ଦିଗକୁ ମଧ୍ୟ ନିର୍ଦ୍ଦେଶ କରିପାରିବ।
also read https://purvapaksa.com/an-opportunity-or-a-time-of-concern-for-vedanta-university-in-odisha/


