ଚାକିରି ଦୁର୍ନୀତି ଶଙ୍କର ପାଇଁ ତ ବାଁ ହାତର ଖେଳ। ସାର୍ଟିଫିକେଟ୍ କେଳେଙ୍କାରୀ ତ କରିଦିଏ ଶଙ୍କର ଚୁଟକିରେ। ନେଇ ଆଣି ଥୋଇ ଜାଣିବାର କଳା ଜାଣିଛି ବୋଲି କେଳେଙ୍କାରୀର କିଙ୍ଗପିନ୍ ଶଙ୍କର। କେବଳ କ’ଣ ଏତିକି ? ଅଭିଯୋଗ ରହିଛି, ମଣିଷ ରକ୍ତରେ ସେ ହୋଲି ଖେଳିଛି। ରାଜନୈତିକ ହିଂସା ଭିଆଇ ଗାଁର ଭାଇଚାରାକୁ ବି ଖିନଭିନ୍ କରିଛି। ରାଜ୍ୟବ୍ୟାପି ଚାକିରି ଆଶାୟୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି କରିଥିବା ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀରେ ଶଙ୍କର ପୃଷ୍ଟି ଲିଙ୍କରେ ଛାପା ମାରିଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ୱର ରଘୁନାଥପୁରରେ ଥିବା ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ ହୋଇଥିଲା। ତାଲା ଖୋଲିବା ସହ ପରୀକ୍ଷା କେନ୍ଦ୍ରରେ ସର୍ଚ୍ଚ ଅପରେସନ୍ କରାଯାଇଛି।
ତେବେ ସେଣ୍ଟର ଭିତରୁ ବଳିଷ୍ଠ ତଥ୍ୟ ପ୍ରମାଣ କ୍ରାଇମବ୍ରାଞ୍ଚ ହାତେଇଥିବା ଜଣାପଡ଼ିଥିବାବେଳେ ପରୀକ୍ଷା କେନ୍ଦ୍ରକୁ ସିଲ୍ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି, ଶଙ୍କର ପୃଷ୍ଟି ଏଠାକୁ ଆସି ଫିକ୍ସିଂ କରୁଥିଲା। କେବଳ ଭୁବନେଶ୍ୱର କାହିଁକି, ରାଜ୍ୟବ୍ୟାପି ରହିଛି ମାଳ ମାଳ ପରୀକ୍ଷା କେନ୍ଦ୍ର ସହ କୋଚିଂ ସେଣ୍ଟର। ଯାହା ଶଙ୍କର ପୃଷ୍ଟିର ଥିଲା ଦୁର୍ନୀତିର ପ୍ରୟୋଗଶାଳା। ବାଲେଶ୍ୱର, ପୁରୀ, ପାରଳାଖେମୁଣ୍ଡି, ବ୍ରହ୍ମପୁର, କଟକ, କଳାହାଣ୍ଡି। ଆଜି ପ୍ରାୟ ୧୦ଟି ନାମୀଦାମୀ ସଂସ୍ଥାର ତଥ୍ୟ ଦେଇଛି କ୍ରାଇମବ୍ରାଞ୍ଚ। ୨୦୧୩ରେ ଗଜପତିରେ ସିପାହୀ ନିଯୁକ୍ତି ରାକେଟଠୁ ୨୦୨୩ ଏପ୍ରିଲରେ ବ୍ରହ୍ମପୁରର ଜାଲ୍ ସାର୍ଟିଫିକେଟ୍ ରାକେଟ ଯାଏଁ, ଶଙ୍କର ଥିଲା ମାଷ୍ଟରମାଇଣ୍ଡ। ଜାଲ୍ ସାର୍ଟିଫିକେଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଜେଲ ଯାଇଥିବାବେଳେ ତାକୁ ସହଯୋଗ କରିଥିବା ଶଙ୍କର ପୃଷ୍ଟି ହାଇକୋର୍ଟରୁ ଜାମିନ ଆଣି ମୁକୁଳି ଯାଇଥିଲା। କେଳେଙ୍କାରୀର କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୨ରୁ। ଯେବେ ବ୍ରହ୍ମପୁର ଜଗନ୍ନାଥପୁରରେ ଆରମ୍ଭ କରିଥିଲା ଟ୍ରେନିଂ ଇନଷ୍ଟିଚ୍ୟୁଟ୍। ଆନ୍ଧ୍ର ବିଏଡଠୁ ଆରମ୍ଭ କରି ସେନାରେ ନିଯୁକ୍ତି ଲାଗି ଟ୍ରେନିଂ ଦେଉଥିଲା ସେ। ଏହାପରେ ବ୍ରହ୍ମପୁର ଡିଫେନ୍ସ କଲୋନୀରେ ସାମ୍ରାଜ୍ୟ ବିସ୍ତାର କରି ଆରମ୍ଭ କରିଥିଲା ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍।
ଗଞ୍ଜାମ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁ। ସାଧାରଣ ପରିବାରରେ ଜନ୍ମ ହୋଇଥିଲା କୁଖ୍ୟାତ ଶଙ୍କର ପୃଷ୍ଟି। ଗାଁ ସ୍କୁଲରେ ମାଟ୍ରିକ ପରେ ବ୍ରହ୍ମପୁର ଏସଏମଆଇଟିରେ ପଢିଥିଲା। ତା’ପରେ କୋଚିଂ ସେଣ୍ଟର କରି ବହୁ ପିଲା ଓ ଶିକ୍ଷକଙ୍କ ସଂସ୍ପର୍ଶରେ ଆସି ଆରମ୍ଭ କରିଥିଲା ନିଜର କଳାଧନ୍ଧା। ଚାକିରି ଲୋଭ ଦେଇ ଆଶାୟୀଙ୍କଠୁଁ ନେଉଥିଲା ମୋଟା ଅଙ୍କର ଟଙ୍କା। କେବଳ ଏତିକି ନୁହେଁ, ଗାଁ ରାଜନୀତିର ଗୋଟିଚାଳନାରେ ବି ଥିଲା ଧୂରନ୍ଧର। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ଥିଲା ମୁଖ୍ୟ ଅଭିଯୁକ୍ତ। ସେଦିନଠୁ ଫେରାର୍ ହେବା ପରେ ୨୦୨୨ରେ ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିଥିଲା। ଶଙ୍କରର ମା’ଙ୍କ କହିବା କଥା, ଗତ ୨/୩ ବର୍ଷ ହେଲାଣି ସେ ଆଉ ଗାଁକୁ ଫେରିନି। ତାକୁ ଏବେ ଫସାଇ ଦିଆଯାଇଛି।

୨୦୨୩ରେ ବ୍ରହ୍ମପୁରରେ ଜାଲ୍ ସାର୍ଟିଫିକେଟ୍ ମାମଲା ହେଉ କି ୨୦୧୭ରେ ରାଜନୈତିକ ହତ୍ୟାକାଣ୍ଡ। ସବୁଥିରେ ଅଭିଯୁକ୍ତ ଥାଇ ବି ସେ ଫେରାର୍ ମାରି ଖସିଯାଉଥିଲା ବେଶ ଆରାମରେ। ଆଉ ଜାମିନ ଆଣି ପୋଲିସର ଗିରଫଦାରୀରୁ ବର୍ତ୍ତିଯାଉଥିଲା। ଆଉ ଏବେ ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଫେରାର ମାରିଥିବାବେଳେ କେବେ ବନ୍ଧା ହେଉଛି, ତାକୁ ଅପେକ୍ଷା।
https://purvapaksa.com/bjp-reaches-out-to-vijay-days-after-stampede-with-an-advice/


