ସୃଷ୍ଟିଧର ବିଶ୍ୱାଳ
୧୯୨୫ ମସିହା ବିଜୟାଦଶମୀ (ବିକ୍ରମ ସମ୍ବତ ୧୯୮୨)ରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ କରିଛି। ସଂଘ ଆଜି ବିଶ୍ୱର ସର୍ବବୃହତ ସାମାଜିକ ସଂଗଠନ ପାଲଟିଛି। ଏହି କାରଣରୁ ସ୍ୱାଭାବିକ ଭାବରେ ସଂଘକୁ ଜାଣିବାର ଉତ୍ସୁକତା ସମାଜରେ ବୃଦ୍ଧି ପାଇଛି। ସଂଘକୁ ଜାଣିବାକୁ ହେଲେ ସଂଘର ସଂସ୍ଥାପକ ଡା. କେଶବ ବଳିରାମ ହେଡଗେୱାରଜୀଙ୍କୁ ଜାଣିବା ଆବଶ୍ୟକ। ଡକ୍ଟରଜୀ ଜନ୍ମଜାତ ଦେଶଭକ୍ତ ଥିଲେ। ସ୍ୱାଧୀନତା ଆନେ୍ଦାଳନର ସମସ୍ତ ପ୍ରୟାସରେ ସେ ସକ୍ରିୟ ଥିଲେ। ତେଣୁ ତାଙ୍କୁ ଦୁଇଥର (୧୯୨୧ ଓ ୧୯୩୦) କାରାବାସ ଭୋଗିବାକୁ ପଡ଼ିଥିଲା।
ସଂଘ ସ୍ଥାପନା
ସଂଘର ସ୍ଥାନା ଏପରି ସମୟରେ ହୋଇଥିଲା, ଯେତେବେଳେ ଆମ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ସଂଘର୍ଷ କରୁଥିଲା। ଡା.ହେଡଗେୱାରଙ୍କ ସ୍ପଷ୍ଟମତ ଥିଲା କି ରାଷ୍ଟ୍ରର ସ୍ୱତନ୍ତ୍ରତା, ତତ୍ପଶ୍ଚାତ୍ ପରମବୈଭବ ପ୍ରାପ୍ତି ତଥା ସମାଜର ବିଭିନ୍ନ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କେବଳ ହିନ୍ଦୁ ସମାଜର ସଂଗଠିତ ହେବା ଦ୍ୱାରା ହୋଇପାରିବ। ଜାତି, ଭାଷା, ବେଶଭୂଷା, ପ୍ରାନ୍ତ ଆଦି ବିବିଧତାକୁ ଭେଦ ବିବେଚନା କରି ଅସଂଗଠିତ ହୋଇଥିବା ହିନ୍ଦୁ ସମାଜକୁ, ହିନ୍ଦୁତ୍ତ୍ୱର ଆଧାରରେ ସଂଗଠିତ କରିବା ପାଇଁ ଡକ୍ଟରଜୀ ସଂଘର ପ୍ରତିଷ୍ଠା କରିଥିଲେ। ଆମ ପାଇଁ ହିନ୍ଦୁତ୍ତ୍ୱ କୌଣସି ଉପାସନା ପଦ୍ଧତି କିମ୍ବା ଧର୍ମ ନୁହେଁ, ଏହା ଏକ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ଜୀବନ ଦୃଷ୍ଟି ଏବଂ ଏହି ଦୃଷ୍ଟି ଆଧାରରେ ବିକଶିତ ହୋଇଥିବା ଜୀବନ ପଦ୍ଧତି। ଏହି ଭଗୀରଥ ଏବଂ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ସେହିପରି ଗୁଣବାନ କାର୍ଯ୍ୟକର୍ତ୍ତା ଆବଶ୍ୟକ ଥିଲେ। ଏପରି କାର୍ଯ୍ୟକର୍ତ୍ତା ନିର୍ମାଣ କରିବା ପାଇଁ ଡା.ହେଡଗେୱାର ଏକ ସରଳ କିନ୍ତୁ ଅତ୍ୟନ୍ତ ପରିଣାମକାରକ ଦୈନିକ ଶାଖାର ପଦ୍ଧତି ସଂଘରେ ବିକଶିତ କଲେ।
ବ୍ୟକ୍ତି ନିର୍ମାଣର କାର୍ଯ୍ୟପଦ୍ଧତି
ସଂଘ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ସଂଗଠନ ଛିଡ଼ା କରିବା ହିଁ ପ୍ରମୁଖ କାର୍ଯ୍ୟ ଥିଲା ଏବଂ ଏଥିପାଇଁ ବ୍ୟକ୍ତି ନିର୍ମାଣର ପ୍ରକ୍ରିୟାକୁ ଗତିଶୀଳ କରିବା ଆବଶ୍ୟକ ଥିଲା। ବ୍ୟକ୍ତି ନିର୍ମାଣ ହେତୁ ଚାଲୁଥିବା ନିତ୍ୟ ଶାଖାରେ ସ୍ୱୟଂସେବକମାନେ ଅତ୍ୟନ୍ତ ସାମାନ୍ୟ ଦେଖାଯାଉଥିବା କାର୍ଯ୍ୟକ୍ରମ- ଖେଳ, ବ୍ୟାୟାମ, ଯୋଗାସନ, ଗୀତ, କାହାଣୀ, ପ୍ରାର୍ଥନା ଆଦି କରିଥାନ୍ତି, ଯାହା ଶାଖା ବାହାରେ ମଧ୍ୟ ସମାଜରେ କରାଯାଇଥାଏ। ଏସବୁ କାର୍ଯ୍ୟକ୍ରମଗୁଡ଼ିକ ହିଁ ସ୍ୱୟଂସେବକମାନଙ୍କ ମଧ୍ୟରେ ସାହାସ, ଧୈର୍ଯ୍ୟ, ଶକ୍ତି, ରାଷ୍ଟ୍ରୀୟ ଚରିତ୍ର, ଅନୁଶାସନ, ଦେଶଭକ୍ତି, ସେବା ପ୍ରଭୃତି ଗୁଣର ନିର୍ମାଣ କରିଥାଏ। ଏହି କାର୍ଯ୍ୟକ୍ରମଗୁଡ଼ିକର ନିରନ୍ତରତା ହିଁ ସ୍ୱୟଂସେବକମାନଙ୍କର ସମ୍ପୂର୍ଣ୍ଣ ଜୀବନର ଦିଗ ଓ ପ୍ରାଥମିକତାଗୁଡ଼ିକୁ ବଦଳାଇ ଦେଇଥାଏ। ଏଥିପାଇଁ ତ ସଂଘ ସାମାନ୍ୟ ଲୋକଙ୍କର ଅସାମାନ୍ୟ ସଂଗଠନ ପାଲଟିଛି। ଏହି କାର୍ଯ୍ୟ ପଦ୍ଧତି ଯୋଗୁଁ ଯେଉଁ ସ୍ୱୟଂସେବକମାନେ ନିର୍ମାଣ ହେଲେ, ତାଙ୍କ ଆଚରଣଦ୍ୱାରା ସଂଘର ସମାଜ ଜୀବନରେ ଏକ ସକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହୋଇଛି। ସଂଘ ଅର୍ଥାତ୍ ଦେଶଭକ୍ତି, ନିଃସ୍ୱାର୍ଥ ସେବା, ଅନୁଶାସନ ଏହି ପରିଚୟ ସମାଜର ମନରେ ସ୍ଥାପିତ ହୋଇଛି।
ସଂଘ କାର୍ଯ୍ୟର ବିସ୍ତାର
କୌଣସି ବିଶେଷ୍ଠ କାର୍ଯ୍ୟକୁ ଉପହାସ, ଉପେକ୍ଷା, ବିରୋଧ ଏବଂ ପରେ ସ୍ୱୀକାର୍ଯ୍ୟତାର ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥାଏ, ସେହିପରି ସଂଘକୁ ମଧ୍ୟ ଏହି ସମସ୍ତ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ଶ୍ରେଷ୍ଠ ଅଧିଷ୍ଠାନ, ଉତ୍ତମ କାର୍ଯ୍ୟପଦ୍ଧତି ଏବଂ ସ୍ୱୟଂସେବକମାନଙ୍କ ନିଃସ୍ୱାର୍ଥ ଦେଶଭକ୍ତିରେ ପରିପୂର୍ଣ୍ଣ ସମରସତାଯୁକ୍ତ ଆଚରଣ ଯୋଗୁଁ ସଂଘ ସମାଜର ବିଶ୍ୱାସ ଜିତିବାରେ ସଫଳ ହୋଇଛି। ଆଜି ସଂଘର କାର୍ଯ୍ୟ କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ କୋଣରେ ପହଞ୍ଚିଛି। ଆଜି ସମ୍ପୂର୍ଣ୍ଣ ଭାରତର ମୋଟ ୯୨୪ ଜିଲ୍ଲା ମଧ୍ୟରୁ ୯୮.୩ ପ୍ରତିଶତ ଜିଲ୍ଲାର ସଂଘର ଶାଖା ଚାଲୁଅଛି। ମୋଟ ୬୬୧୮ ଖଣ୍ଡ ମଧ୍ୟରୁ ୯୨.୩ ପ୍ରତିଶତ ଖଣ୍ଡ (ତାଲୁକା)ରେ ମୋଟ ୫୮,୯୩୯ ମଣ୍ଡଳ ମଧ୍ୟରୁ ୫୨.୨ ପ୍ରତିଶତ ମଣ୍ଡଳରେ (ମଣ୍ଡଳ ଅର୍ଥାତ୍ ୧୦-୧୨ ଗ୍ରାମର ଏକ ସମୁହ), ୫୧,୭୪୦ ସ୍ଥାନରେ ୮୩,୧୨୯ ସଂଖ୍ୟକ ଦୈନିକ ଶାଖାଗୁଡ଼ିକ ଚାଲୁଅଛି । ଏହା ସହିତ ଅନ୍ୟ ୨୬,୪୬୦ ସ୍ଥାନରେ ୩୨,୧୪୭ଟି ସାପ୍ତାହିକ ମିଳନର ମାଧ୍ୟମରେ ସଂଘକାର୍ଯ୍ୟର ଦେଶବ୍ୟାପ୍ତି ବିସ୍ତାର ହୋଇଛି, ଯାହା ଲଗାତାର ବଢ଼ିବାରେ ଲାଗିଛି। ଏହି ୮୩,୧୨୬ଟି ଦୈନିକ ଶାଖାମାନଙ୍କ ମଧ୍ୟରୁ ୫୯ ପ୍ରତିଶତ ଶାଖା ହେଉଛି ବିଦ୍ୟାର୍ଥୀ ଶାଖା ଏବଂ ଅବଶିଷ୍ଟ ୪୧ ପ୍ରତିଶତ ବ୍ୟବସାୟୀ ସ୍ୱୟଂସେବକଙ୍କର ଶାଖା। ସେହିପରି ଓଡ଼ିଶା ପୂର୍ବ ପ୍ରାନ୍ତରେ୧୩୦୬ଟି ଶାଖା, ୩୪୬ଟି ମିଳନ ଏବଂ ୨୭୬ଟି ମଣ୍ଡଳି ଚାଲୁଅଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତରେ୧୫୪୦ଟି ଶାଖା, ୧୦୦ଟି ମିଳନ ଏବଂ ୯୦ଟି ମଣ୍ଡଳି ଚାଲୁଅଛି ଏହିପରି ସମ୍ପୂର୍ଣ୍ଣ ଓଡ଼ିଶାରେ ୨୮୪୬ ଶାଖା, ୪୪୬ଟି ମିଳନ ଏବଂ ୩୬୬ଟି ମଣ୍ଡଳି ଚାଲୁଅଛି।
ସେବା କାର୍ଯ୍ୟ
ଦେଶଭକ୍ତିରେ ଓତଃପ୍ରୋତ ସ୍ୱୟଂସେବକମାନେ ସମାଜର କଷ୍ଟ ଦେଖିବାମାତ୍ରେ ଦୌଡ଼ି ଯାଆନ୍ତି, ସେଥିପାଇଁ ଆଜି କୌଣସି ବି ପ୍ରାକୃତିକ କିମ୍ବା ଅନ୍ୟ ବିପର୍ଯ୍ୟୟ ସମୟରେ ସେଠାରେ ତୁରନ୍ତ ପହଞ୍ଚିଥାନ୍ତି। କେବଳ ବିପର୍ଯ୍ୟୟ ସମୟରେ ନୁହେଁ, ବରଂ ନିୟମିତରୂପେ ସମାଜରେ ଦେଖାଯାଉଥିବା ଅଭାବ, ପୀଡ଼ା, ଉପେକ୍ଷା ଦୂର କରିବା ପାଇଁ ସ୍ୱୟଂସେବକ ନିଜ କ୍ଷମତାନୁସାରେ ସର୍ବତ୍ର ପ୍ରୟାସ କରିଥାନ୍ତି। ଆଜି ସଂଘର ସ୍ୱୟଂସେବକମାନେ ସମାଜର ସହଯୋଗରେ ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କାର ଏବଂ ସ୍ୱାବଲମ୍ବନ ବିଷୟରେ ଗ୍ରାମୀଣ ଓ ନଗର କ୍ଷେତ୍ରରେ ୧,୨୯,୦୦୦ ସେବାକାର୍ଯ୍ୟ ଓ ଗତିବିଧିମାନ ଚଳାଉଛନ୍ତି। ଏହା ବ୍ୟତୀତ ସ୍ୱୟଂସେବକମାନେ ପ୍ରଶାସନ ଅଥବା ସରକାର ଉପରେ ନିର୍ଭର ନକରି ନିଜ ଗ୍ରାମର ସର୍ବାଙ୍ଗୀନ ବିକାଶ ସମସ୍ତ ଗ୍ରାମବାସୀ ମିଳିମିଶି କରନ୍ତୁ, ଏହି ଉଦ୍ଦେଶ୍ୟରେ ‘ଗ୍ରାମ ବିକାଶ’ର କାର୍ଯ୍ୟ ମଧ୍ୟ କରୁଛନ୍ତି । ଭାରତୀୟ ପ୍ରଜାତିର ଗାଈମାନଙ୍କ ସଂରକ୍ଷଣ, ସମ୍ବର୍ଦ୍ଧନା, ପ୍ରଜାତି ସୁଧାର କରିବା ସହ ଗୋବର ଆଧାରିତ ଜୈବିକ ଚାଷ ନିମିତ କୃଷକମାନଙ୍କୁ ପ୍ରଶିକ୍ଷଣ, ପ୍ରବୋଧନ ଏବଂ ପ୍ରୋତ୍ସାହନ ଦେବା ଉପଲକ୍ଷ୍ୟରେ ଗୋସେବା-ଗୋ ସମ୍ବର୍ଦ୍ଧନର କାର୍ଯ୍ୟ ମଧ୍ୟ କରୁଛନ୍ତି ।
ପଞ୍ଚ ପରିବର୍ତ୍ତନ
ଯଦିଓ ସ୍ୱୟଂସେବକମାନେ ନିୟମିତ ଭାବରେ ସମାଜ ପରିବର୍ତ୍ତନ ଏବଂ ସମସ୍ୟାର ସମାଧାନ କରିବା ନିମନ୍ତେ ସତତ ସକ୍ରିୟ ରୁହନ୍ତି, କିନ୍ତୁ ଶତାବ୍ଦୀ ବର୍ଷ ପରେ ପାଞ୍ଚଟି ବିଷୟ ଉପରେ ସଜ୍ଜନ ଶକ୍ତିର ସହଯୋଗରେ ଜନଜାଗରଣ ପାଇଁ ବିଶେଷ ପ୍ରଯତ୍ନ କରିବେ । ଯାହାକୁ ପଞ୍ଚପରିବର୍ତ୍ତନ କୁହାଯାଉଛି, ସେହି ପାଞ୍ଚଟି ବିଷୟ ଏହି ପ୍ରକାରର।
୧. ସାମାଜିକ ସମରସତା ଦୂର୍ଭାଗ୍ୟବଶତଃ ଆମ ସମାଜର କିଛି ବର୍ଗର ଲୋକଙ୍କୁ ଅଛୁଆଁ ମାନି ଶିକ୍ଷା, ସୁବିଧା ଏବଂ ସମ୍ମାନଠାରୁ ବଞ୍ଚିତ ରଖାଯାଇଛି। ଏହା ଅତ୍ୟନ୍ତ ଅନ୍ୟାୟପୂର୍ଣ୍ଣ ଏବଂ ଅମାନବୀୟ ଅଟେ। ଏହି ଅନ୍ୟାୟକୁ ଦୂରକରି, ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ପ୍ରୟାସ, ସାମାଜିକ ସମରସତାର ମାଧ୍ୟମରେ ଆରମ୍ଭ ହୋଇଛି। ଆମର ସମରସ ହିନ୍ଦୁ ସମାଜ ବିଭିନ୍ନ ଜାତିମାନଙ୍କ ନାମରେ ଜଣାଯାଉଥିଲେ ମଧ୍ୟ ଏହି କାରଣରୁ କେବେ ବି ସମାଜର ଛୁଆଁ ଅଛୁଆଁ ଭେଦଭାବ ରହିନାହିଁ। ସଂଘର୍ଷ କାଳରେ ଆସିଥିବା ଏହି ବିକୃତିକୁ କିଛି ନିହିତ ସ୍ୱାର୍ଥୀ ତତ୍ତ୍ୱ, ଜାତିଗତ ବିଦ୍ୱେଷ ବଢ଼ାଇ ସମାଜକୁ ବିଭାଜିତ କରିବାର କାର୍ଯ୍ୟ କରିଥାନ୍ତି। ତେଣୁ ସମାଜରୁ ଛୁଆଁ ଅଛୁଆଁ ଓ ଭେଦଭାବ ଦୂର କରିବା ସକାଶେ ନିଜ ମିତ୍ର-ପରିବାରରେ ସମସ୍ତ ଜାତି-ସମ୍ପ୍ରଦାୟର ଲୋକଙ୍କୁ ସାମିଲ କରିବା ଏବଂ ସମୟ ସମୟରେ ପାରିବାରିକ କାର୍ଯ୍ୟକ୍ରମମାନଙ୍କରେ ସମସ୍ତଙ୍କୁ ସମ୍ମିଳିତ କରିବାର ପ୍ରୟାସ କରିବା ଉଚିତ। ନିଜ ଗୃହ ଅଥବା କାର୍ଯ୍ୟସ୍ଥଳରେ ସହଯୋଗୀ ଓ ସେବା ପ୍ରଦାନ କରୁଥିବା ସମସ୍ତଙ୍କ ପ୍ରତି ଆମର ବ୍ୟବହାର ସ୍ନେହପୂର୍ଣ୍ଣ ରହୁ ତଥା ସେମାନଙ୍କୁ କୌଣସି ଉତ୍ସବରେ ସପରିବାର ସମ୍ମାନପୂର୍ବକ ଆମନ୍ତ୍ରିତ କରିବା ସହିତ ତାଙ୍କ ଘରକୁ ବି କେବେ ଯିବା ଆସିବା କରିବା ଉଚିତ। ସମସ୍ତ ଜାତି ଏବଂ ସମ୍ପ୍ରଦାୟଙ୍କ ପ୍ରମୁଖମାନେ ଏକାଠି ବସି କିଛି ପାରସ୍ପରିକ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାରବିମର୍ଷ କରିବା ସହ ସେଥିରୁ ମୁକୁଳିବାର ସାମୂହିକ ପ୍ରୟାସ କରିବେ, ଏହା ଆବଶ୍ୟକ ଅଟେ।
୨.ପର୍ଯ୍ୟାବରଣ ସଂରକ୍ଷଣ ସୃଷ୍ଟି ଆମ୍ଭମାନଙ୍କ ସମସ୍ତ ପ୍ରାଣୀଙ୍କର ମା’ ଅଟେ। କିନ୍ତୁ ଭୌତିକତାବାଦୀ ଜୀବନର ପ୍ରଭାବ ବୃଦ୍ଧି କାରଣରୁ ପ୍ରକୃତିର ଶୋଷଣ ହୋଇ ଆସୁଛି। ପଶ୍ଚିମର ବିକାଶରମାନକଗୁଡ଼ିକର ଆଧାରରେ ଅନୁଷ୍ଠିତ ବିକାଶ ଦ୍ୱାରା କେବଳ ୫୦୦ ବର୍ଷରେ ହିଁ ସୃଷ୍ଟିର ପର୍ଯ୍ୟାବରଣୀୟ ସନ୍ତୁଳନ ବିଗଡ଼ି ଯାଇଛି। ସେହି ବିଗଡ଼ି ଯାଇଥିବା ସନ୍ତୁଳନକୁ ପୁଣିଥରେ ଠିକ୍ କରିବାର ପ୍ରୟାସରେ ଜନସହଭାଗିତା ବୃଦ୍ଧି କରି ପର୍ଯ୍ୟାବରଣ ବିଷୟରେ ଜାଗୃତି ଏବଂ ସକ୍ରିୟତା ଆଣିବାର ଆବଶ୍ୟକତା ରହିଛି। ଆମ ଜୀବନରେ ନ୍ୟୁନତମ ତିନୋଟି କାର୍ଯ୍ୟ ଆମେ ସମସ୍ତେ କରି ହିଁ ପାରିବା। ପାଣି ବଞ୍ଚାଇବା, ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାର କରିବା ନାହିଁ ଏବଂ ସବୁଜିମା ପାଇଁ ଗଛ ଲଗେଇବା। ଏହାଦ୍ୱାରା ମନୁଷ୍ୟମାନଙ୍କ ଭିତରେ ଏକ ମାନବୀୟତା ମଧ୍ୟ ଆସିବ ଏବଂ ପର୍ଯ୍ୟାବରଣରେ ସୁଧାର ମଧ୍ୟ ହେବ। ଏଥିପାଇଁ ଯେଉଁ ସାମୁହିକ ଉପକ୍ରମ ଚାଲୁଅଛି ସେଥିରେ ଆମେ ଭାଗ ନେବା ଏବଂ ନିଜ ଘରେ ମଧ୍ୟ ଏହା ପାଳନ କରିବା ଉଚିତ।
୩. କୁଟୁମ୍ବ ପ୍ରବୋଧନ ଭାରତୀୟ ସଂସ୍କୃତି ଏବଂ ପରମ୍ପରାରେ କୁଟୁମ୍ବର ବିଶେଷ ମହତ୍ତ୍ୱ ଅଛି। ଭାରତୀୟ ଆ୍ମାତ୍ମିକ ଦୃଷ୍ଟିରୁ ଏହି କୁଟୁମ୍ବ ଅର୍ଥାତ୍ ମୁଁ’ରୁ ଆମେକୁ ଯାତ୍ରାର ପ୍ରଥମ ପାଦ ଅଟେ। ବର୍ତ୍ତମାନ ସହରୀକରଣ ଓ ଜୀବନର ବାସ୍ତବତା ବଢ଼ିବା ଯୋଗୁଁ କୁଟୁମ୍ବ ଛୋଟ ହୋଇଯାଇଛି। ତେଣୁ ପରିବାରର ସମସ୍ତ ଲୋକ ସପ୍ତାହରେ ଥରେ ଏକାଠି ବସିବା, ନିର୍ଦ୍ଧାରିତ ସମୟରେ ଘରେ ରହିବା, ଶ୍ରଦ୍ଧା ଅନୁସାରେ ଭଜନ କରିବା, ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବା ଏବଂ ତା’ପରେ ୩-୪ ଘଣ୍ଟା ଗପସପ କରିବା। ସେଥିରେ ଆମେ କିଏ, ଆମ ପୂର୍ବପୁରୁଷ କିଏ ଥିଲେ, ଆମର କୁଳରୀତି କ’ଣ, ଆମ ଘରର ରୀତି କ’ଣ, କ’ଣ ଭଦ୍ର ଏବଂ କ’ଣ ଅଭଦ୍ର ଅଟେ? ଆଜିର ସମୟରେ କ’ଣ କ’ଣ ଆବଶ୍ୟକ ଅଟେ? ଏହି ଆଧାରରେ ନିଜ ଘରେ ସମସ୍ତେ ସହମତି ନିର୍ମାଣ କରି ସେହି କଥାଗୁଡ଼ିକୁ ଲାଗୁ କରିବା।
୪. ସ୍ୱ ଆଧାରିତ ଜୀବନ କୌଣସି ବି ଦେଶର ବିକାଶ ପାଇଁ, ସେହି ଦେଶର ଯେଉଁ ସଂସାଧନ, ସମ୍ବଳ ଅଛି, ତା’ ଆଧାରରେ ବିକାଶର ପଥକୁ ପ୍ରଶସ୍ତ କରିବା ଉଚିତ। ସ୍ୱ ଆଧାରିତ ଜୀବନର ତାତ୍ପର୍ଯ୍ୟ ହେଉଛି, ଆର୍ଥିକ ଏବଂ ସାଂସ୍କୃତିକ ସମସ୍ତ ଆୟାମଗୁଡ଼ିକରେ ଆମକୁ ନିଜ ଗୋଡ଼ରେ ଛିଡ଼ା ହେବା ଉଚିତ। ସ୍ୱଦେଶୀ ଜୀବନ ଶୈଳୀ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର ସ୍ତରରେ ଆପଣେଇବାକୁ ହେବ, ତେବେ ଯାଇ ଭାରତ ଆତ୍ମନିର୍ଭର ହେବ। ନିଜର ମାତୃଭାଷା, ସ୍ୱଭୂଷା, ସଂସ୍କୃତି ଏବଂ ପରମ୍ପରା ଉପରେ ସ୍ୱାଭୀମାନ ରଖି ତାକୁ ବ୍ୟବହାରରେ ଆଣିବା ଉଚିତ।
୫. ନାଗରିକ କର୍ତ୍ତବ୍ୟବୋଧ ପ୍ରତ୍ୟେକ ପରିସ୍ଥିତିରେ ସମ୍ବିଧାନ, ନିୟମ କାନୁନ ଏବଂ ଅନୁଶାସନର ପାଳନ କରି ଚଳିବା। କୌଣସି ଉତେଜକ କଥା ହେଲେ ମଧ୍ୟ କାନୁନକୁ ନିଜ ହାତକୁ ନେବା ନାହିଁ। ବେଆଇନ ଆଚରଣ କରିବା ନାହିଁ। ଆଜି ଦେଶ ପାଇଁ ୨୪ ଘଣ୍ଟା ବଞ୍ଚିବାର ଆବଶ୍ୟକତା ଅଛି। ଛୋଟ ଛୋଟ କଥାରେ ମଧ୍ୟ ସମାଜର, ଦେଶର, ସମସ୍ତଙ୍କର ମାନ ରଖିବା। ମୋ’ଠାରୁ ଆରମ୍ଭ ହେବ, ମୋ’ ଘରୁ ଆରମ୍ଭ ହେବ, ତେବେ ଯାଇ ସମାଜରେ ପରିବର୍ତ୍ତନ ଆସିବ, ସମାଜରେ ଆସିଲେ ଭାରତରେ ଆସିବ, ତେବେ ଯାଇ ଭାରତ ଏକ ସଶକ୍ତ ରାଷ୍ଟ୍ର ହେବ।
ଆବାହନ
ଗତ ଶହେ ବର୍ଷ ଧରି ଏହି ମହାଯଜ୍ଞ ନିରନ୍ତର ଭାବେ ଚାଲୁଅଛି। ସମ୍ପୂର୍ଣ୍ଣ ସମାଜକୁ ସଂଗଠିତ କରି ଦେଶ ସାମ୍ନାରେ ଆସୁଥିବା ସମସ୍ତ ସମସ୍ୟା ଓ ଆହ୍ୱାନର ସମାଧାନ କରିବା, ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ସମାଜର ବ୍ୟବସ୍ଥାଗୁଡ଼ିକୁ ଯୁଗାନୁକୂଳ ଗଠନ କରିବା, ଏହା ସଂଘ କାର୍ଯ୍ୟର ପରବର୍ତ୍ତୀ ପର୍ଯ୍ୟାୟ ଅଟେ। କିନ୍ତୁ ଆମ ଦେଶ ବହୁତ ବିଶାଳ ଅଟେ ଏବଂ କୌଣସି ଏକ ସଂଗଠନ ଏଥିରେ ସ୍ଥାୟୀ ପରିବର୍ତ୍ତନ ଆଣିପାରିବ ନାହିଁ। ଏଥିପାଇଁ ସମସ୍ତ ମତଭେଦ ଭୁଲିଯାଇ, ସମସ୍ତଙ୍କୁ ଏକତ୍ର ଆସି କାମ କରିବାକୁ ହେବ। ଏଥିପାଇଁ ସଜ୍ଜନ ଶକ୍ତିର ସକ୍ରିୟତା ଏବଂ ସହଯୋଗ ଆବଶ୍ୟକ ଅଟେ। ଆମର ପବିତ୍ର ମାତୃଭୂମିକୁ ପୁନର୍ବାର ବିଶ୍ୱଗୁରୁ କରିବା ପାଇଁ ଆଜି ପୁରୁଷାର୍ଥ କରିବାର ସମୟ ଅଟେ। ଆପଣ ସମସ୍ତ ମାତା, ଭାଇ-ଭଉଣୀମାନଙ୍କ ଠାରୁ ଆଶା କରାଯାଏ ଯେ ଏହି ରାଷ୍ଟ୍ରକାର୍ଯ୍ୟରେ ଆପଣ ସମସ୍ତେ ନିଜର ରୁଚି ଓ କ୍ଷମତା ଅନୁସାରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭାରତ ମାତାର ଏହି ଜଗନ୍ନାଥ ରଥକୁ ଟାଣିବା ପାଇଁ ସମସ୍ତଙ୍କ ହାତ ଓ ଶକ୍ତି ଲାଗୁ । ଆସନ୍ତୁ ! ଏହି ଅମୃତ କାଳରେ ସମସ୍ତେ ମିଶି ନିଜର ଭଗୀରଥ ପ୍ରୟାସରେ ଭାରତମାତାଙ୍କୁ ପରମ ବୈଭବ ପର୍ଯ୍ୟନ୍ତ ପହଞ୍ଚାଇବା ।
ଭାରତ ମାତା କୀ ଜୟ!
Also readhttps://purvapaksa.com/do-you-know-about-these-organizations-that-originated-from-the-sangh-family/
