ଆସନ୍ତାକାଲି ବିଜେଡି ରାଜଧାନୀର ରାଜରାସ୍ତାରେ ପଞ୍ଚାୟତର ପାଓ୍ୱାର ଦେଖାଇବ । ଏଥିଲାଗି ସମସ୍ତ ଜିଲ୍ଲାପରିଷଦ ଓ ପଞ୍ଚାୟତ ସମିତିରେ ଥିବା ଦଳର ନିର୍ବାଚିତ ପ୍ରତିନିଧିମାନଙ୍କୁ ଭୁବନେଶ୍ୱର ଚାଲ ଡକାରା ଦିଆଯାଇଛି । ପଞ୍ଚାୟତଗୁଡ଼ିକର କ୍ଷମତାକୁ ସରକାର ଏକ କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା ସଙ୍କୁଚିତ କରି ଦେଇଛନ୍ତି ବୋଲି ବିଜେଡି ଦାବି କରିଛି । ଏହାକୁ ‘ବାବୁ ରାଜ’ ବୋଲି ବିଜେଡି କହିଛି ।
ବିଗତ ୨୪ ବର୍ଷର ବିଜେଡି ସରକାରଙ୍କୁ ନେତା ବା ନିର୍ବାଚିତ ପ୍ରତିନିଧିଙ୍କ ଶାସନ ନୁହେଁ ବରଂ ଅଫିସରଙ୍କ ଶାସନର ବର୍ଷ ବୋଲି ପୂର୍ବରୁ ବିଜେପି ଅଭିଯୋଗ କରିଛି। ଆଉ ଆଜି ଏହି ଅଭିଯୋଗକୁ ବିଜେପି ବିରୋଧରେ ବ୍ୟବହାର କରିବାକୁ ଯାଉଛି ବିଜେଡି। ବିଡିଓ ମାନଙ୍କୁ ଅଧିକ ଆର୍ଥିକ କ୍ଷମତା ଦିଆଯିବାରୁ ଏପରି ଅଭିଯୋଗ ଆଣିଛି ବିଜେଡି।
ସାମ୍ବିଧାନିକ ବ୍ୟବସ୍ଥାରେ ଅଧିକରୁ ଅଧିକ କ୍ଷମତା ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଜେପି ସରକାର ରାଜ୍ୟରେ ଏହାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ନିକଟରେ ସରକାର ଏକ କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ପଞ୍ଚାୟତର କ୍ଷମତା ହରଣ କରିଥିବା କହିଛନ୍ତି । ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, ଏ ବ୍ୟବସ୍ଥା ବିରୋଧରେ ବିଜେଡି ସ୍ୱର ଉତ୍ତୋଳନ କରିବ। ଏ ନେଇ ଆସନ୍ତା କାଲି ମଙ୍ଗଳବାରଦିନ ସମସ୍ତ ପଞ୍ଚାୟର ବିଜେଡି ପ୍ରତିନିଧି ଭୁବନେଶ୍ୱର ଆସିବେ ବୋଲି ସେ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି, ଏବେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜେଡି ହାତରେ ରହିଛନ୍ତି। ପୁଣି ୮୦ ଭାଗ ପଞ୍ଚାୟତରେ ସମିତି ଅଧ୍ୟକ୍ଷ ହେଉଛନ୍ତି ବିଜେଡି ପ୍ରତିନିଧି। ଏଣୁ ସରକାର ଡରି ଯାଇଛନ୍ତି। ଆଉ ଏହାକୁ ପ୍ରଶମିତ କରିବା ପାଇଁ ସରକାର ଅଫିସରଙ୍କ କ୍ଷମତା ବଢ଼ାଇଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁସାରେ ବ୍ଲକ୍ ଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଡିଓ ମାନଙ୍କ ଆର୍ଥକ କ୍ଷମତାକୁ ୨୫ ହଜାର ଟଙ୍କାକୁ ୨ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଅର୍ଥାତ୍ ସେମାନଙ୍କ ଅଞ୍ଚଳରେ ହେଉଥିବା କୌଣସି ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ପାଇଁ ବିଡିଓ ମାନେ ୧୦ ଲକ୍ଷ ଟଙ୍କା ଯାଏ କାର୍ଯ୍ୟାନେଶ ଦେଇପାରିବେ। ଏଥିଲାଗି ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଅନୁମତି ଆବଶ୍ୟକ ନୁହେଁ । ପୂର୍ବରୁ ୨୦୦୭ ମସିହାରେ ବିଜେଡି ସରକାର ବିଡିଓ ମାନଙ୍କ କ୍ଷମତାକୁ ୨୫ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବଢ଼ାଇଥିଲେ।
ALSO READ https://purvapaksa.com/assembly-in-abeyance-today-bjd-and-congress-members-clash/


