ବ୍ରିଟେନରେ ଗତ କେଇ ବର୍ଷ ମଧ୍ୟରେ ହୋଇଥିବା ସବୁଠାରୁ ବଡ଼ ପ୍ରବାସୀ ବିରୋଧୀ ପ୍ରଦର୍ଶନ ଶନିବାର ଦିନ ରାଜଧାନୀ ଲଣ୍ଡନକୁ ଚମକାଇ ଦେଇଛି । ଯୁନିଅନ ଜ୍ୟାକ ଏବଂ ସେଣ୍ଟ ଜର୍ଜ ପତାକା ସହ ପ୍ରାୟ ୧.୫ ଲକ୍ଷ ଲୋକ ଲଣ୍ଡନର ରାସ୍ତାକୁ ଓହ୍ଲାଇଥିଲେ। ସେମାନେ କୀର ଷ୍ଟାର୍ମରଙ୍କ ସରକାର ବିରୁଦ୍ଧରେ ନାରା ଦେଉଥିଲେ। ସେମାନଙ୍କ ହାତରେ ପ୍ରବାସୀ ବିରୋଧୀ ସ୍ଲୋଗାନ ଲେଖା ବୋର୍ଡ୍ ଥିଲା, ଯେଉଁଥିରେ ଲେଖାଥିଲା- ସେଣ୍ଡ ଦେମ ହୋମ-ସେମାନଙ୍କୁ ଘରକୁ ପଠାଅ। ଏହି ସମୟରେ ପ୍ରଦର୍ଶନକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା, ଯେଉଁଥିରେ ଅନେକ ଅଧିକାରୀ ଆହତ ହୋଇଥିଲେ। ଲଣ୍ଡନରେ ଏହି ବଡ଼ ବିରୋଧ ପ୍ରଦର୍ଶନ ମଧ୍ୟରେ ଗୋଟିଏ ନାମ ପୁଣି ଚର୍ଚ୍ଚା ଭିତରକୁ ଆସିଛି । ସେହି ବ୍ୟକ୍ତି ହେଉଛନ୍ତି ଟମି ରବିନସନ।
ଏଲନ ମସ୍କ ବି ରାଲିକୁ ସମ୍ବୋଧିତ କରିଥିଲେ !
ଯୁନାଇଟ ଦ କିଙ୍ଗଡମ ନାମରେ ଏହି ବିରୋଧ ପ୍ରଦର୍ଶନର ଆୟୋଜନ ରବିନସନ କରିଥିଲେ, ଯେଉଁଥିରେ ୧.୫ ଲକ୍ଷ ଲୋକ ଲଣ୍ଡନରେ ମାର୍ଚ୍ଚ କରିଥିଲେ। ସେ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଏକ ବିରୋଧ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଥିଲେ। ଏଥିରେ ବ୍ରିଟେନର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଖାଯାଇଥିବା ସବୁଠାରୁ ବଡ଼ ଦକ୍ଷିଣପନ୍ଥୀ ଭିଡ଼ ଏକତ୍ରିତ ହୋଇଥିଲା। ଆମେରିକୀୟ ଅର୍ବୁଦପତି ଏଲନ ମସ୍କ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଏକ୍ସରେ ଲାଇଭଷ୍ଟ୍ରିମ ମାଧ୍ୟମରେ ବିରୋଧ ପ୍ରଦର୍ଶନକୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ ‘ଲଢ଼ିବା କିମ୍ବା ମରିବା’ ପାଇଁ ଆହ୍ୱାନ କରିଥିଲେ। ମସ୍କ ବ୍ରିଟେନର ସଂସଦକୁ ଭାଙ୍ଗିବା ପାଇଁ ଆହ୍ୱାନ କରିଥିଲେ।
ଟମି ରବିନସନ କିଏ?
୪୧ ବର୍ଷୀୟ ଟମି ରବିନସନଙ୍କ ପ୍ରକୃତ ନାମ ହେଉଛି ଷ୍ଟିଫେନ ଯାକ୍ସଲୀ-ଲେନନ। ରବିନସନ ଅଦାଲତ ଏବଂ ଜେଲ ଚକ୍କର କାଟିବା ତାଙ୍କ ଅଭ୍ୟାସ ହୋଇସାରିଲାଣି । ଏବେ ସେ ପୁଣିଥରେ ଗୋଟିଏ ବଡ଼ ବିରୋଧ ପ୍ରଦର୍ଶନର କେନ୍ଦ୍ରବିନ୍ଦୁରେ ଅଛନ୍ତି। ପ୍ରବାସୀ ବିଶେଷକରି ମୁସଲମାନଙ୍କ ବିରୋଧରେ ତାଙ୍କ ବିଶୋଦଗାର ହିଁ ତାଙ୍କୁ ଦେଇଛି ପରିଚୟ । ତାଙ୍କ କ୍ୟାରିୟର ହେଉଛି ଇସଲାମର ବିରୋଧ । ସେ ଇସଲାମ ଏବଂ ବ୍ରିଟେନରେ ପ୍ରବାସୀଙ୍କ ବିରୁଦ୍ଧରେ ବିଷାକ୍ତ ବୟାନ ଦେଇ ଆସୁଛନ୍ତି। ସେ ମୁଖ୍ୟଧାରା ମିଡିଆ ଏବଂ ପୁଲିସକୁ ମଧ୍ୟ ସମାଲୋଚନା କରିଥାନ୍ତି । ବାରମ୍ବାର ଆଇନଗତ ଝଟକା ସତ୍ତ୍ୱେ ରବିନସନ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଦୃଢ଼ତାର ସହ ରହିଛନ୍ତି। ସେ ୨୦୦୯ରେ ଇଂଲିଶ ଡିଫେନ୍ସ ଲିଗର ପ୍ରତିଷ୍ଠା କରିଥିଲେ। ଏହି ଗୋଷ୍ଠୀ ଶୀଘ୍ର ହିଂସାତ୍ମକ ସଂଘର୍ଷ ଏବଂ ଗୁଣ୍ଡାଗିରି ସହ ଜଡ଼ିତ ହୋଇଥିଲା। ରବିନସନ ୨୦୧୩ରେ ବୃଦ୍ଧି ପାଉଥିବା ଚରମପନ୍ଥୀ ଚିନ୍ତାର କାରଣ ଦର୍ଶାଇ ଗୋଷ୍ଠୀର ନେତା ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ଅନଲାଇନ ପ୍ରଚାରକ ଭାବେ କାମ ଜାରି ରଖିଥିଲେ।
ଅନେକ ଥର ଜେଲ ଯାତ୍ରା
ରବିନସନଙ୍କୁ ମାରପିଟ, ବନ୍ଧକ ଠକେଇ ଏବଂ ଅଦାଲତର ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ୨୦୧୮ରେ ତାଙ୍କୁ ଏକ ମକଦ୍ଦମାର ଲାଇଭଷ୍ଟ୍ରିମିଂ କରିବା ପାଇଁ ଜେଲ ହୋଇଥିଲା। ୬ ବର୍ଷ ପରେ ୨୦୨୪ରେ ତାଙ୍କୁ ସିରିଆର ଜଣେ ଶରଣାର୍ଥୀ ବିଷୟରେ ମିଛ ଦାବିକୁ ପୁନରାବୃତ୍ତି କରିବାରୁ ରୋକିବା ପାଇଁ ହାଇକୋର୍ଟର ଆଦେଶର ଉଲ୍ଲଂଘନ କରିବା ପାଇଁ ୧୮ ମାସର ଜେଲ ଦଣ୍ଡ ମିଳିଥିଲା। ବିଚାରପତି ଏହାକୁ ଜାଣିଶୁଣି କରାଯାଇଥିବା ଗୁରୁତର ଉଲ୍ଲଂଘନ ବୋଲି କହିଥିଲେ ଏବଂ କହିଥିଲେ ଯେ ‘ରବିନସନ କୌଣସି ପଶ୍ଚାତ୍ତାପ ଦେଖାଇ ନାହାନ୍ତି।’
ଜୁଆରେ ହରାଇଛନ୍ତି ଟଙ୍କା
ରବିନସନ ଆର୍ଥିକ ଅସୁବିଧାରେ ମଧ୍ୟ ଫସି ରହିଛନ୍ତି। ୨୦୨୧ରେ ନିଜକୁ ଦିବାଳିଆ ଘୋଷଣା କରିବା ପରେ ରବିନସନ ବଡ଼ ରାଶି ଜୁଆରେ ହରାଇଥିବା କଥା ସ୍ୱୀକାର କରିଥିଲେ। ସେ ତାଙ୍କ ସମର୍ଥକଙ୍କଠାରୁ ହଜାର ହଜାର ପାଉଣ୍ଡର ଦାନ ନେଇଥିଲେ। ୨୦୧୮ରେ ତାଙ୍କୁ ଟ୍ୱିଟର (ବର୍ତ୍ତମାନ ଏକ୍ସ) ପ୍ଲାଟଫର୍ମରୁ ବ୍ଲକ କରିଥିଲା । ପରେ ଏଲନ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣ ପରେ ପ୍ଲାଟଫର୍ମରେ ତାଙ୍କ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍ ହୋଇଥିଲା ଏବଂ ବର୍ତ୍ତମାନ ଏକ୍ସରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।
Also Read https://purvapaksa.com/odisha-govt-mulls-special-police-stations-to-tackle-sc-st-cases/
