ଓରୋଗ୍ରାଫିକ୍ ରେନଫଲ୍ କ’ଣ: ଯେତେବେଳେ ଆର୍ଦ୍ରତା ପୂର୍ଣ୍ଣ ବାୟୁ ପାହାଡ଼ ସହ ଧକ୍କା ଖାଇ ଉପରକୁ ଉଠେ, ସେତେବେଳେ ତାପମାତ୍ରା କମିବାରୁ ସଂଘନନ ହୁଏ। ଫଳସ୍ଵରୂପ ମେଘ ଦ୍ରୁତ ଗତିରେ ସୃଷ୍ଟି ହୁଏ ଏବଂ ଅଚାନକ କୌଣସି ଛୋଟ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ। ଏହି ବର୍ଷାର ତୀବ୍ରତା ଏତେ ଅଧିକ ହୁଏ ଯେ ନାଳ, ନଦୀ ଓ ଝରଣା ସବୁ ବହାଇ ନିଏ। ଏହାହିଁ କାରଣ ଯେ କାଶ୍ମୀର, ଡୋଡା କିମ୍ବା କିଷ୍ଟବାର ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କିଛି ମିନିଟର ବର୍ଷା ଶହ ଶହ ଜୀବନ ନିଏ। ଜମ୍ମୁ ବିଶ୍ଵବିଦ୍ୟାଳୟର ଭୂତତ୍ତ୍ଵ ବିଭାଗର ମୁଖ୍ୟ ପ୍ରୋ. ସରଫରାଜ ଅସଗର ରେଡିଫକୁ କହିଛନ୍ତି ଯେ ହିମାଳୟ ସମତଳ ଅଞ୍ଚଳ ତୁଳନାରେ ଅଧିକ ଦ୍ରୁତ ଗତିରେ ଗରମ ହେଉଛି। ଏହାର ସିଧାସଳଖ ପ୍ରଭାବ ତୁଷାରପାତ ଏବଂ ବର୍ଷା ଉପରେ ପଡ଼ିଛି। ସେ କହିଛନ୍ତି, ‘ଯେଉଁଠାରେ ପୂର୍ବରୁ ନିୟମିତ ତୁଷାରପାତ ହେଉଥିଲା, ସେଠାରେ ଏବେ ମୂଷଳଧାରା ବର୍ଷା ହେଉଛି। ସ୍ନୋଲାଇନ ଉପରକୁ ଖସି ଯାଇଛି ଏବଂ ବର୍ଷାର ପ୍ରକୃତି ଅସାମାନ୍ୟ ହୋଇଯାଇଛି।’
କାହିଁକି ବଢ଼ୁଛି କ୍ଲାଉଡବର୍ଷ୍ଟର ଘଟଣା: ବିଶେଷଜ୍ଞଙ୍କ ମତରେ, ତାପମାତ୍ରା ବୃଦ୍ଧି ହେତୁ ମେଘରେ ଆର୍ଦ୍ରତାର ଘନତ୍ଵ ଅଧିକ ହେଉଛି। ଯେତେବେଳେ ଏହି ବାଦଲ ଫାଟେ, ଅତି କମ ସମୟ ମଧ୍ୟରେ ପ୍ରଚୁର ପାଣି ଝରିଥାଏ। ଏହାକୁ କ୍ଲାଉଡବର୍ଷ୍ଟ କୁହାଯାଏ। କିଷ୍ଟବାରର ସାମ୍ପ୍ରତିକ ଦୁର୍ଘଟଣା ଏହାର ଏକ ଉଦାହରଣ, ଯେଉଁଠାରେ ତୀର୍ଥଯାତ୍ରୀଙ୍କ ଉପରେ ଅଚାନକ ମେଘ ଫାଟିଥିଲା ଏବଂ ୫୦୦ରୁ ଅଧିକ ଲୋକ ବନ୍ୟାରେ ଭାସି ଯାଇଥିଲେ। ଜମ୍ମୁ ମଧ୍ୟ ଏଥର ୨୦୧୪ରେ ହୋଇଥିବା ପରି ବର୍ଷାର ସମ୍ମୁଖୀନ ହେଲା। ତବି ନଦୀର ଜଳସ୍ତର ପୋଲ ସହ ଧକ୍କା ଖାଇବା ଭଳି ସ୍ତରକୁ ଚାଲିଯାଇଛି । ବ୍ରିଟିଶ କାଳୀନ ଇମାରତ ଏବଂ କଲେଜ ପର୍ଯ୍ୟନ୍ତ ପାଣିରେ ବୁଡ଼ି ଗଲା। ପୁଲିସ ଓ ପ୍ରଶାସନକୁ ରାସ୍ତାରେ ବାରିକେଡିଂ କରିବାକୁ ପଡ଼ିଲା ।
ଅନିୟମିତ ନିର୍ମାଣ ଯୋଗୁଁ ବିପଦ ବଢ଼ିଛି: ବିଶେଷଜ୍ଞମାନେ କୁହନ୍ତି ଯେ କେବଳ ପାଗ ହିଁ ଦାୟୀ ନୁହେଁ। ନଦୀକୂଳରେ ଅନିୟମିତ ବସ୍ତି ଗଢ଼ି ଉଠିଛି। ଏହି ବସତିଗୁଡ଼ିକ ପାଣିର ପ୍ରବାହକୁ ଅଟକାଇ ଦିଏ। ପ୍ରୋ. ଅସଗର କହନ୍ତି, ‘ଯେତେବେଳେ ଅଚାନକ ପାଣି ବାହାରିବା ପାଇଁ ପଥ ଖୋଜେ, ତେବେ ଯାହା ସାମ୍ନାରେ ଆସେ, ତାହା ବହାଇ ନିଏ।’ ଏହାହିଁ କାରଣ ଯେ ରାସ୍ତା, ପୋଲ ଏବଂ ଘରଗୁଡ଼ିକର ବୃହତ କ୍ଷୟକ୍ଷତି ହୋଇଛି।
ଏପରି ଘଟଣାରୁ କିପରି ରକ୍ଷା ପାଇବା: ପ୍ରଥମେ ବିପଦପୂର୍ଣ୍ଣ ଅଞ୍ଚଳରୁ ବସତିଗୁଡ଼ିକୁ ହଟାଇବାକୁ ହେବ। ମାଷ୍ଟର ପ୍ଲାନ ଅନୁଯାୟୀ ନିର୍ମାଣ କରାଯିବା ଆବଶ୍ୟକ। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଦରକାର ଯେ ନଦୀ କୂଳରେ ଘର ନିର୍ମାଣ କରିବା ଆତ୍ମଘାତୀ। ବିକାଶ କାର୍ଯ୍ୟ ନାମରେ ପାହାଡ଼ କାଟିବା, ସୁଡ଼ଙ୍ଗ ଓ ରାସ୍ତାର ଅନ୍ଧାଧୁନ୍ଦ ନିର୍ମାଣ ବନ୍ଦ କରିବାକୁ ହେବ। ପ୍ରଶାସନକୁ ନଦୀ-ନାଳର ସଫେଇ ଏବଂ ଡ୍ରେନେଜ ସିଷ୍ଟମକୁ ଠିକ୍ ରଖିବାକୁ ହେବ।
ଶିକ୍ଷା ଆବଶ୍ୟକ: ହିମାଳୟ ଅଞ୍ଚଳ ସମ୍ବେଦନଶୀଳ ଅଟେ। ଏଠାରେ ପ୍ରତିବର୍ଷ ବର୍ଷା ହେବ ଏବଂ ବନ୍ୟା ମଧ୍ୟ ଆସିବ। ଯଦି ଆମେ ପ୍ରକୃତି ସହ ଖେଳିବା ବନ୍ଦ କରୁ, ଯୋଜନାବଦ୍ଧ ନିର୍ମାଣ କରୁ ଏବଂ ଲୋକଙ୍କୁ ନିରାପଦ ସ୍ଥାନରେ ବସାଇବା ତେବେ ଜୀବନହାନିକୁ କମାଇ ପାରିବା। ଓରୋଗ୍ରାଫିକ୍ ରେନଫଲ୍ କୌଣସି ନୂଆ ଘଟଣା ନୁହେଁ, କିନ୍ତୁ ବଦଳୁଥିବା ପାଗ ଏବଂ ଆମର ଭୁଲଗୁଡ଼ିକ ଏହାକୁ ଜୀବନଘାତୀ କରି ଦେଇଛି।
Also Read https://purvapaksa.com/indian-army-amphibious-vehicle-rescue-flood-affected-people-in-punjab/


