ରାଜ୍ୟରେ ଏବେ ବଢ଼ିପାରେ ପଞ୍ଚାୟତ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ମୋଟ ପଞ୍ଚାୟତ ସଂଖ୍ୟା ୬,୭୯୪ ଅଛି। ଆଉ ଏବେ ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଯାହାକୁ ନେଇ ଖୁବ୍ଶୀଘ୍ର ଆରମ୍ଭ ହେବ ସର୍ଭେ। ଆଉ ଏବେଠୁ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। କିଏ କେଉଁ ପଞ୍ଚାୟତରେ ରହିବେ ତା’ର ଠିକଣା ନାହିଁ। କିନ୍ତୁ ସର୍ଭେ ହିସାବରେ ନୂଆ ପଞ୍ଚାୟତ ଗଠନ ହେଲେ ପ୍ରାୟ ସବୁ ପଞ୍ଚାୟତର ରୂପରେଖ ବଦଳିବ। ଫଳରେ ଅଧିକାଂଶ ପଞ୍ଚାୟତରେ ଦବଦବା ରଖୁଥିବା ନେତାଙ୍କ ହାତରୁ ହୁଏତ ସେମାନଙ୍କ ପ୍ରିୟ ୱାର୍ଡ ଖସିଯିବ। ଆଉ ସେ ଅଞ୍ଚଳରେ ନୂଆ ନେତା ସୃଷ୍ଟି ହେବେ। ତେବେ ଏତେ ସବୁ ଭିତରେ କାହାର ଅଧିକ ଲାଭ ହେବ ଆଉ କିଏ କ୍ଷତି ସହିବ?
କଥାରେ ଅଛି ମୂଳୁ ମାରିଲେ ଯିବ ସରି ଦେବଙ୍କ ସାଙ୍ଗେ କିମ୍ପା କଳି। ଏ ଉକ୍ତିଟି ପୁରା ଫିଟ୍ ବସୁଛି ଆଜିର ରାଜନୀତିକୁ ନେଇ। ପୂର୍ବରୁ ଏହି ନୀତି ଆପଣାଇଥିଲେ ପ୍ୟାରୀମୋହନ ମହାପାତ୍ର। ଯାହା ପାଇଁ ବିଜେଡିକୁ ହରାଇବା ବିରୋଧିଙ୍କ ପାଇଁ କାଠିକର ପାଠ ହୋଇଗଲା। ସେ ସମୟର ରାଜନେତାମାନେ କୁହନ୍ତି କି କଂଗ୍ରେସର ଗଡ଼କୁ ସବୁ କେମିତି ଭାଙ୍ଗି ଦିଆଗଲା। ପାଞ୍ଚଟା ସାତଟା ପଞ୍ଚାୟତକୁ ଏ ନିର୍ବାଚନ ମଣ୍ଡଳୀରୁ ଆଣି ସେ ନିର୍ବାଚନ ମଣ୍ଡଳୀରେ ପୁରାଇ କଂଗ୍ରେସର ଗଡ଼କୁ ଫାଳ ଫାଳ କରିଦିଆଗଲା। ଯାହା ପାଇଁ ଏବେବି ତୃଣମୂଳସ୍ତରରେ କଂଗ୍ରେସର ଗଡ଼ ମଜଭୁତ ହୋଇପାରୁନି। ଆଉ ଏବେ ବିଜେପି ପାଳି ପଡ଼ିଛି। ମନମୋହନ ସାମଲ ରାଜ୍ୟ ସଭାପତି ହେବା ପରେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହେବାକୁ ଯାଉଛି। ଏବେ ବିଜେପି ତା’ର ଅସଲି ଖେଳ ଆରମ୍ଭ କରିଛି। ଢେର ଦିନ ଧରି ଚର୍ଚ୍ଚା ହେଇ ଆସୁଥିବା ଆଲୋଚନାକୁ ସତ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ। ଆମର ପ୍ରସଙ୍ଗ ଥିଲା ପଞ୍ଚାୟତ ବଢ଼ିଲେ ଲାଭ କାହାର? ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ ରାଜ୍ୟରେ ଯଦି ପଞ୍ଚାୟତ ବଢ଼େ ତେବେ ନିହାତି ବିଜେପି ପାଇଁ ହିଁ ଫାଇଦା ହେବ। କିନ୍ତୁ ତା’ ଭିତରେ ବି ଗୋଟେ ପେଞ୍ଚ ଅଛି। ଏବେ ରାଜ୍ୟରେ ଅଫିସରମାନେ କେମିତି ବିଜେପି ନେତା ମନ୍ତ୍ରୀଙ୍କ କଥା ଶୁଣୁଛନ୍ତି ତାହା ଲୋକେ ସବୁ ଦେଖୁଛନ୍ତି। ଏଭଳି ସ୍ଥଳେ ବିଜେପି ନେତା ଆଉ କର୍ମ୍ମୀମାନଙ୍କ ହିସାବରେ ଯଦି ସର୍ଭେ ହୁଏ ଅର୍ଥାତ ସର୍ଭେ ସାମାନ୍ୟତମ ଏପଟ ସେପଟ ହୁଏ, ଆପଣ ଏଭଳି ବି ଭାବିପାରନ୍ତି କି ବିଜେଡିକୁ ସୁହାଇଲା ଭଳି ଯଦି ସର୍ଭେ ହୁଏ ତେବେ କଥା ସରିଲା। ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ। ବିଜେପିକୁ ଫାଇଦା ହେବା ବଦଳରେ ବିଜେପି କ୍ଷତି ସହିବ।
ତେବେ ଏଠି ପ୍ରଶ୍ନ ଆସୁଛି କେମିତି ବିଜେପିକୁ ଫାଇଦା ହେବ? ଢେର ଦିନ ଶାସନଗାଦିରେ ରହିବା ପରେ ତୃଣମୂଳସ୍ତରରେ ବିଜେଡି ନେତାମାନେ ନିଜର କିଛି କିଛି ପକେଟ ଭୋଟ୍ ତିଆରି କରିସାରିଛନ୍ତି। ଏମିତି କିଛି ୱାର୍ଡ ଏମିତି ଅଛି କି ଯାହାକୁ ବିଜେଡିର ଗଡ଼ ବୋଲି କୁହାଯାଇପାରେ। ଆଉ ଏହି ଗଡ଼ଗୁଡ଼ିକୁ ଭାଗ ଭାଗ କରିଦେଲେ ମୋଟା ଅଙ୍କର ଭୋଟ୍ ବ୍ୟାଙ୍କ ଭାଙ୍ଗିବ। ଅର୍ଥାତ ଆଉ ଟିକେ ସରଳ ଭାଷାରେ କହିବାକୁ ଗଲେ, ମନେକରନ୍ତୁ ଗୋଟେ ପଞ୍ଚାୟତରେ ୧୦ଟି ୱାର୍ଡ ଅଛି ସେହି ପଞ୍ଚାୟତ ପାଖକୁ ପାଖ ଲାଗି ୪ଟି ୱାର୍ଡ ବିଜେଡିର ଗଡ଼ ଅଛି। ଅନ୍ୟପକ୍ଷରେ ସେ ପଞ୍ଚାୟତକୁ ଲାଗି ଆଉ ଗୋଟେ ପଞ୍ଚାୟତର ୩ଟି ୱାର୍ଡର ଲୋକେ ବିଜେପିକୁ ଭୋଟ୍ ଦିଅନ୍ତି। ତେବେ ଏଭଳି ସ୍ଥଳେ ଏବେ ପଞ୍ଚାୟତ ବଢ଼ିଲେ ଏ ପଞ୍ଚାୟତରୁ ଦୁଇଟି ସେ ପଞ୍ଚାୟତରୁ ଦୁଇଟି ୱାର୍ଡ ସହ ଆଉ କିଛି ୱାର୍ଡ ଆଣିକି ଯୋଡ଼ିଦେଲେ ନୂଆ ପଞ୍ଚାୟତଟିଏ ଗଠନ ହୋଇଯିବ। ଫଳରେ ଯେଉଁ ଚାରି ୱାର୍ଡକୁ ନେଇ ସେ ପଞ୍ଚାୟତ ଦିନେ ବିଜେଡିର ଦୁର୍ଗ ବୁଲାଉଥିଲା ତାହା ଆଉ ହୋଇପାରିବ ନାହିଁ। ଏବେ ଏହି ନୂଆ ଆଉ ପୁରଣା ପଞ୍ଚାୟତରେ ଫାଇଟ ଜୋରଦାର ହେବ। ତେଣୁ ମୋଟାମୋଟି ଭାବରେ କହିବାକୁ ବିଜେପିକୁ ହିଁ ଏହାର ଅଧିକ ଫାଇଦା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।
Also Readhttps://purvapaksa.com/north-korea-will-get-a-new-ruler/
